Unknown

 

 

 

 

 

 

 

 

 

 

 

ଅରକ୍ଷ୍ୟ

ଶ୍ରୀ ବଳରାମ ପଟ୍ଟନାୟକ

 

ଉତ୍ସର୍ଗ

 

ଦୁନିଆର ଅଗଣିତ ଅରକ୍ଷ୍ୟ

ମା’ ପୁଅଙ୍କ ଉଦ୍ଦେଶ୍ୟରେ

 

ଲେଖକ

Image

 

ଡାଏରୀଟି ମୋର ଗୋଟିଏ ବାଇମାହାନ୍ତି ପାଞ୍ଜି । ଢିଙ୍କିଶାଳରୁ ଢେଙ୍କାନାଳଯାଏ ସବୁକିଛି ସେଥିରେ ଲେଖାଥାଏ । ପ୍ରତିଦିନର ହିସାବପତ୍ର, ଦୋକାନ ବାକି ଓ ଧୋବା ହିସାବଠୁ ଆରମ୍ଭ କରି ଏକାଦଶୀ, ଅମାବାସ୍ୟା, ସଂକ୍ରାନ୍ତି ଓ ଛୁଟିଦିନଗୁଡ଼ିକର ଖବର ସବୁ ସେହି ଟିପାଖାତାରୁ ହିଁ ମିଳିପାରିବ । ବହି କି ଖବରକାଗଜ ପଢ଼ୁ ପଢ଼ୁ କୋଉ ଜାଗା ଭଲ ଲାଗିଲା, ଦରକାରୀ ଖବରଟିଏ, କି ମନକୁ ପାଇଲାଭଳି କବିତା ପଦେ ମିଳିଗଲା, ସାଙ୍ଗେ ସାଙ୍ଗେ ମୁଁ ସେଥିରେ ଟିପି ପକାଏ । ତା’ ସାଙ୍ଗକୁ ଲେଖା ଲେଖି କରିବା ମୋର ଗୋଟିଏ ନିତିଦିନିଆ ଅଭ୍ୟାସ-। ଗୋଟିଏ କିଛି ଭଲ ଜିନିଷ ଏଇନେ ମନେ ପଡ଼ିଯାଇଛି, ପରମୁହୂର୍ତ୍ତରେ ହୁଏତ ଭୁଲିଯାଇପାରେ, କେବଳ ସେଥିପାଇଁ ତାକୁ ସବୁ ଟିପି ରଖିବା ମୋର ଯେପରି ଗୋଟିଏ ଖିଆଲ । ପେଟ ଚାଖଣ୍ଡକ ପୂରାଇବାପାଇଁ ଦିନସାରା ଖଟି, ଦାଣ୍ଡରେ ଘାଟରେ ବୁଲାଚଲା କରି ଓ ଘର ଜଞ୍ଜାଳ ତୁଟେଇ ରାତିରେ ଶୋଇଲା ବେଳକୁ ମୁଁ ଡାଏରୀଟି ଲେଖି ଶୋଇବାକୁ ଯାଏ ।

 

ଦିନ କେଇଟିର ଘଟଣା । ଯାହା ଯାହା ସାବୁ ଶୁଣି ଆସିଥିଲି ଭୁଲିଯିବା ଭୟରେ ସାଙ୍ଗେ ସାଙ୍ଗେ ସେ ସବୁକୁ ଟିପି ପକେଇଥିଲି । ଦିନେ ଭାବିଲି, ସେ ସବୁକୁ ଏକାଠି କରି ଛାପିଦେବି । ଡାଏରୀରେ ସେସବୁ ଆଲୁବିଲା ହୋଇ ଲେଖାଥିବାରୁ ତାକୁ ଆଗ ଉତାରି ପକେଇଲି । ସାହିତ୍ୟ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ନଥିଲା । କୌଣସି ମନଗଢ଼ା ଘଟଣା ଏଥିରେ ଆଣି ମୁଁ ଯୋଖି ନାହିଁ । ଗୋଟିଏ ଅସହାୟ ସ୍ତ୍ରୀଲୋକ ମୁହଁରୁ ଯାହା କିଛି ଶୁଣିଆସିଛି, ସେ ସବୁକୁ ସତ ସତ କରି ଟିପି ପକେଇଥିଲି । ନିଜ ଡାଏରୀ ଅନ୍ୟ କାହାକୁ ଦେଖେଇବା ଯଦିଓ ଉଚିତ ନୁହେଁ, ତଥାପି ମୋର ପାଠକ ଓ ପାଠିକାଙ୍କୁ ଏସବୁ ନ ଦେଖେଇ ମୁଁ ଥୟ ହୋଇ ରହିପାରିଲିନି ।

 

ଶନିବାର

ନଭେମ୍ବର, ଆଠ ତାରିଖ ୧୯୫୯

 

ପୁରୀ ସହରର ମନ୍ଦିର ପଛପଟକୁ ଗୋଟିଏ ଅଣଓସାରିଆ ଗଳି । କୋଡ଼ିଏ ପଚିଶିଟି ଭଙ୍ଗାରୁଜା ଘର । ଗଳିରେ ସୂର୍ଯ୍ୟକିରଣ ପଡ଼େନି । ସଦାବେଳେ ନଳ।ପାଣିରେ ପଚପଚ୍; ଅଳିଆ ଅସକରାରେ ଭର୍ତ୍ତି । ଇଟା ଖୁଣ୍ଟି ଭରାଦିଆ ଚାଳଘର ବଖରେ ବଖରେ । ଚାଳ ଭିତର ଦେଇ ଦିନ ବେଳର ସୂର୍ଯ୍ୟକିରଣ ଘର ଭିତରେ ଆସି ପଡ଼େ । ରାତିରେ ଚାଳର ଫାଙ୍କ ଦେଇ ଚନ୍ଦ୍ର ସେ ଘର ଭିତରେ ପିଠଉ ଢାଳିଦିଏ । ବର୍ଷାଦିନେ ପାଣି ଗଳେ । କାହା କାହା କାନ୍ଥରୁ ଚୂନତକ ଖସିଯାଇ କଙ୍କାଳସାର ମଣିଷଭଳି ଲାଲ ଇଟାରେ ଗଢ଼ା କାନ୍ଥଗୁଡ଼ିକ ସତେ ଅବା ମୁମୂର୍ଷୁ ଅବସ୍ଥାରେ ଠିଆ ରହି ଥାଆନ୍ତି । ସଞ୍ଜ ହେଲେ ଆଲୁଅଟିଏ ଦିକ୍ ଦିକ୍ ହୋଇ ଜଳିଉଠେ । ବତୀ ଖୁଣ୍ଟତଳେ ଆସି ଆଶ୍ରାନିଅନ୍ତି ବାରବୁଲା ଗାଈ ବଳଦ, ମେଢ଼ିଆ କୁକୁର ଛୁଆ, ଓ ବାରଦୁଆରିଆ ମଣିଷ । ଦିନ ହଉ କି ରାତି ହଉ, ବେଶି ଲୋକଙ୍କର ପାଦ ସେ ଗଳି ଭିତରେ ପଡ଼େନି । କାହାର ଅବା ଗରଜ ପଡ଼ିଛି ସେ ବେଦରକାରୀ ଓ ନାପସନ୍ଦିଆ ଗଳି ଭିତରକୁ ପଶି ଆସିବ ।

 

ସଞ୍ଜବେଳେ ସେଇ ଅଣଓସାରିଆ ଗଳି ଭିତର ଦେଇ ମୁଁ ଚାଲି ଯାଉଥିଲି । ସେମିତି କିଛି କାମ ନଥିଲା । ଇଚ୍ଛା କେବଳ ଲକ୍ଷହୀନ ଭାବରେ ଘୂରି ବୁଲିବା ।

 

ଅଳ୍ପ କେଇପାଦ ଆଗେଇଛି କି ନାହିଁ, ଦେଖିଲି–ମାଆଟିଏ ତା’ ପୁଅକୁ ବାଡ଼ି ଖଣ୍ଡେ ଧରି ପିଟି ଲାଗିଛି । ପୁଅଟି ପାଞ୍ଚ ଛଅ ବର୍ଷର । ତାକୁ ବିଧା ଗୋଇଠା ଓ ଚାପଡ଼ାରେ ମାଆ ତା’ର ମାରି ଦେଇ ଯାଉଛି । ବଡ଼ ବାଧିଲା । ପିଲାଟିର କାନ୍ଦ ଶୁଣି ମନଭିତର କାନ୍ଦିଉଠିଲା । ପିଲାଟିର କାନ୍ଦ କୋଉଠି ମୁଁ ଶୁଣିଥିଲା ପରି ମନେହେଲା । ମାଆ ଉପରେ ଭାରି ରାଗ ଆସିଲା । କାହିଁକି ତାକୁ ଅକାରଣରେ ପିଟି ଲାଗିଛି ?

 

ମୋର ବା କ’ଣ ଅଛି ? ମୋ’ ବାଟରେ ମୁଁ ଚାଲିଯାଉଥିଲି । ପିଲାଟିର କାନ୍ଦ ସହିପାରିଲିନି । ତର ତର ହୋଇ ପିଣ୍ଡା ଉପରକୁ ଉଠିଗଲି । ମାର୍‍ନି ବୋଲି କହିଲି । ପିଲାଟିକି ପାଖକୁ ଆଉଜାଇ ଆଣିଲି । ମା’ ଉପରେ ଖପାହେଲି । କଅଁଳା ଗାଲଟିକୁ ତା’ର ଟିପି ଦେଇ ଆଖିରୁ ଲୁହ ପୋଛି ଆଣିଲି ।

 

ଆଶ୍ଵାସନା ପାଇବାରୁ ପୁଅଟି କହିଲା–“ନାଇଁ ବାବୁ, ମୁଁ କାହା ସାଙ୍ଗେ ମାରବୁଲ୍ ଖେଳିନି କି ଅଭଦ୍ର ଗାଳି ଗୁଜବ ଶିଖିନି । ଖେଳ ପାଖରେ ଠିଆ ହୋଇ କେବଳ ଦେଖୁଥିଲି ।”

 

ମା’ ଲଥ୍ କିନି ତଳେ ବସି ପଡ଼ିଲା । ବାଡ଼ିଟା ଦୂରକୁ ଫିଙ୍ଗିଦେଲା । ଆଖିରୁ ତା’ର ଛୁଟିଲା ଲୁହର ଧାର, ଅସରାକୁ ଅସରା । ଧାରା ଶ୍ରାବଣ ଭଳି ।

 

ବଡ଼ ଅସୁବିଧାରେ ପଡ଼ିଲି । ପୁଅ ପରେ ପରେ ପୁଣି ମା’ର କାନ୍ଦ । ତାକୁ ଅବା ବୁଝେଇବି କେମିତି ? ପୁଅଟି ମୋ ହାତରୁ ଖସିଯାଇ ମା’ପିଠିରେ ନାଉ ହୋଇ ପଡ଼ିଲା । ବେକକୁ ଭିଡ଼ି ଧରି ମା’ର ଲୁହ ପୋଛିବାରେ ଲାଗିଗଲା । କହିଲା ନାଇଁ ବୋଉ, ସେ ଖେଳ ପାଖକୁ ମୋଟେ ହେଲେ ଆଉ ମୁଁ ଯିବିନି । ମନଲଗେଇ ପାଠ ପଢ଼ିବି । ବଡ଼ ମଣିଷ ହେବି । ତୁ କନ୍ଦେନା ବୋଉ–ମୋଟେ ହେଲେ ମୁଁ ଆଉ ଯିବିନି । ପିଲାଟି ବି ମା’ ସାଙ୍ଗେ ଭୋ-କରି କାନ୍ଦିଉଠିଲା ।

 

ମା’ ପୁଅ ଦୁହେଁ କାନ୍ଦୁଛନ୍ତି । ମୁଁ ପୁଣି ତାଙ୍କ ପିଣ୍ଡା ଉପରେ ଠିଆହୋଇଛି । କିଏ କାଳେ କଅଣ ଭାବିବ ? ଠିଆହୋଇ ପାରୁନି କି ଯାଇ ପାରୁନି । ସ୍ତ୍ରୀଲୋକ ଜଣକ କାନ୍ଦ ବନ୍ଦକରି ବସିବାକୁ ପିଢ଼ା ଖଣ୍ଡିଏ ପକେଇଦବାକୁ ଯାଉଥିଲା । ସେଦିନ ମୋର କାମ ଥିଲା । ବସିବାକୁ ସମୟ ନଥିଲା । ତରତରରେ ଚାଲି ଆସିଲି ।

 

ଯିବା ଆଗରୁ ପୁଅଟିକି ଉପରକୁ ଟେକିଧରି ନିଜ ଦିହକୁ ଆଉଜେଇ ଆଣିଲି । ମୁହଁକୁ ମୁହଁ ଲଗେଇ ତା’ ବେକ ପାଖରେ ଦି ଚାରିଥର ଚୁମା ଦେଇ ମା’ ପାଖରେ ଠିଆ କରାଇଦେଲି । ତା’ପରେ ସିଧା ସିଧା କୋଉଆଡ଼ିକି ନ ଅନେଇ ଫେରିଆସିଲି ।

 

ସେତେବେଳକୁ ମୋ ଆଖିରେ ଲୁହ ଭରି ସାରିଲେଣି । ମୋ ପୁଅ “ବିଜୁ”କୁ ଅବା ମୁଁ ଜାକି ଧରିଥିଲି । ତାକୁ ଅବା ଚୁମା ଦେଉଥିଲି । ତା’ର ନେଳିଆ ନେଳିଆ ଆଖି ଦିଓଟି, କୁନି କୁନି ଓଠ ଦିଫାଳ, କୁଞ୍ଚୁକୁଞ୍ଚିଆ ବାଳ ତା’ର କାନ୍ଦ, କିରି କିରି ହସ ଓ ଯାବତୀୟ ଦୁଷ୍ଟାମି ସବୁକିଛି ମୋ ଆଖି ଆଗରେ ଆସି ନାଚିଗଲା । ଲୁହରେ ସତେ ଅବା ମୁଁ ଅନ୍ଧ ହୋଇଗଲି । ଆମକୁ ଏକାକରି ଛାଡ଼ିଯିବା ବର୍ଷେ ଆସି ହେଇଗଲାଣି । ଚାରି ପାଞ୍ଚ ବର୍ଷ ଛୁଆ “ବିଜୁ” । କି ସୁନ୍ଦର ତା’ ଚେହେରା । ତା’ର ମୁହଁ, ନାକ, କାନ, ଆଖିବାଳ, କଥାବାର୍ତ୍ତା, ଆବଭାବ ସବୁକିଛି ସତେ ଅବା ସେ ସ୍ତ୍ରୀଲୋକଟିର ପୁଅ ସଙ୍ଗେ ମିଶି ଯାଉଥିଲା । ଆମକୁ ଛାଡ଼ିଯିବ ବୋଲି କ’ଣ ସେ ଏଡ଼େ ସୁନ୍ଦର ଭାବରେ ବଢ଼ିଥିଲା ? ମଶାଣିକି ଯିବ ବୋଲି କ’ଣ ଏମିତି ଗୁଲୁ ଗୁଲୁ କଥା କହୁଥିଲା ?

 

ପୁଅ ମୋର ମନ ଆନନ୍ଦରେ ଡିଆଁ ଡେଇଁ କରୁଥିଲା । ଦିନେ ଆସିଲା ଜର । କୁଆଡ଼େ କିଛି ନଥିଲା । ଘୁ–ଘୁ–ହୋଇ ଜର ମାଡ଼ିଆସିଲା । ଡାକ୍ତର ଦେଖେଇଲି, ଔଷଧ ଦେଲି, ଅପର୍ଯ୍ୟ।ପ୍ତ ପଇସା ଖର୍ଚ୍ଚ କଲି, କିନ୍ତୁ ତାକୁ ରଖି ପାରିଲିନି । ଜର ହବାର ତିନିଦିନ ପରେ ସେ ଆଖି ବୁଜିଲା । ଏତେ ପଇସା, ଏତେ ଶ୍ରମ ସବୁକିଛି ମୋର ବ୍ୟର୍ଥ ହେଲା । ମା’କୁ ତା’ର ଅନ୍ଧୁଣୀ କରି, ମତେ ଅତଳସାଗରରେ ଭସେଇଦେଇ ତା’ ବାଟରେ ସେ ଚାଲିଗଲା ।

 

ତା’ର ପ୍ୟାଣ୍ଟ, କୁର୍ତ୍ତା, ବହି ସିଲଟ, ଓ ଖେଳଣା ଆଦି ଯାହା କିଛି ସବୁ ଘରର ଅନ୍ଧି ବିସନ୍ଧିରେ ଅବେଇଛତର ହେଇ ପଡ଼ିଥାଏ । ଘରର କାନ୍ଥ ବାଡ଼ ଆଦିରେ ବି “ବିଜୁ” ଛପି ରହିଥିଲା ଭଳି ଜଣା ପଡ଼ୁଥାଏ । ତା’ର ଗୁଲୁଗୁଲିଆ କଥା, ହସ, କାନ୍ଦ ଓ ଦୁଷ୍ଟାମି ଘର ଭିତରୁ ପ୍ରତିଧ୍ଵନିତ ହେଲାଭଳି ଶୁଭୁଥାଏ । ସେ ସବୁକୁ ଚାହିଁଲେ କି କାନ ପାରିଲେ ମତେ ବଡ଼ କାନ୍ଦ ମାଡ଼ୁଥିଲା । କ’ଣ କରାଯିବ ? ଆମକୁ ତ ପୁଣି ବଞ୍ଚି ରହିବାକୁ ପଡ଼ିବ । ତା’ହେଲେ ସେସବୁ ଆଖିରେ ନ ପଡ଼ିବା ଦରକାର । କେବଳ ସେଇଥିପାଇଁ ଯୋଉ ଯୋଉ ଜିନିଷରେ ତା’ର ସ୍ମୃତି ଭରି ରହିଛି, ସେ ସବୁକୁ ଏକାଠି କରି ଟ୍ରଙ୍କରେ ଚାବି ପକେଇ ଦେଇଥିଲି । ତାକୁ ଖୋଲିବା ତ ଦୂରର କଥା, ସେ ଟ୍ରଙ୍କ ପାଖକୁ ଗଲେବି ମତେ ଡର ମାଡ଼େ । କାନ୍ଥ ଭିତରୁ “ବିଜୁ” ବାହାରି ଆସୁଥିଲା ଭଳି, ଜଣାପଡ଼େ । କେତେ ଥର ସେ ଟ୍ରଙ୍କ ପାଖକୁ ଯାଇ ମୁଁ କାନ୍ଦି କାନ୍ଦି ଫେରିଛି । ବର୍ଷେ ହେଲା ସେଇଟା ଯେପରି ମୋର ଗୋଟ।ଏ ଗଳଗ୍ରହ ହୋଇ ରହିଥିଲା ।

 

ଘରେ ଆସି ଅନେକ ସମୟ ଯାଏ ଚିନ୍ତା କଲି । “ବିଜୁ” ଛାଡ଼ି ଚାଲିଯିବା ବର୍ଷେ ଆସି ହେଲାଣି । ମନରୁ ତା’ର କେତେଟା ସ୍ମୃତି ମରି ମରି ବି ଆସିଲାଣି । କି ଦୁର୍ଯୋଗରେ ସେ ପିଲାଟି ସାଙ୍ଗରେ ଦେଖାହେଲା, କେଜାଣି ? ତାକୁ ଧରିବାବେଳଠୁ ମୁଁ କେବଳ “ବିଜୁ” କଥା ହିଁ ଭାବୁଥିଲି । ସେ ରାତିଯାକ ଓ ତହିଁ ଆର ଦିନ “ବିଜୁ” ଛଡ଼ା ମୋ ମନ ଭିତରେ କିଛି ଆଉ ପଶି ପାରିଲାନି । ପିଲାଟିର ନା “ବାବୁଲା” । ଯେପରି ଅବା “ବିଜୁ”ର ଅବିକଳ ନକଲ । ଠିକ୍ ତା’ରି ଚେହେରା, ତା’ରି କାନ୍ଦ, ତା’ରି ନାକ, କାନ, କଅଁଳିଆ ଓଠ ଓ ନେଳିଆ ଆଖି । ମୋ ଛୁଆଟି ସାଙ୍ଗେ ଅପର ଲୋକର ଛୁଆଟିର ସାମଞ୍ଜସ୍ୟ । ପର ଆପଣା ଭେଦଭାବ ଆସିଲା କୁଆଡ଼ୁ ? ସମସ୍ତେ ତ ମଣିଷଛୁଆ ।

 

ଅନେକ ଭାବି ଭାବି ତା’ ଆର ଦିନ ଟ୍ରଙ୍କ ସୁଦ୍ଧା ଗୋଟିଏ ରିକ୍ସାରେ ଆଣି ଲଦିଲି । ସିଧା ପହଞ୍ଚିଗଲି ସେ ସ୍ତ୍ରୀଲୋକଟିର ଦୁଆର ମୁହଁରେ । ସେତକ ଦେଇଦେଲେ ଘରର ଆମେ ସମସ୍ତେ ଟିକିଏ ଶାନ୍ତି ଅନୁଭବ କରିବୁ । ଦୈବାତ୍ ଯୋଗ ପଡ଼ିଗଲା, ଦେଇଦେଲେ ଯାଏ ।

 

ଯେତେବେଳେ ସେ ଟ୍ରଙ୍କ ସୁଦ୍ଧା ତା’ ଦୁଆର ମୁହଁରେ ମୁଁ ଯାଇ ପହଞ୍ଚେ, ସେ ଏକବାରେ ଆଶ୍ଚର୍ଯ୍ୟ ହୋଇଗଲା । “ବିଜୁ” କଥା ମୁଁ ତାକୁ କିଛିହେଲେ କହିଲିନି । କେବଳ କହିଲି, ଏ ପ୍ୟାଣ୍ଟସାର୍ଟ ସବୁ ପୁରୁଣା ହୋଇଗଲାଣି । ଖେଳଣାର ଦରକାର ନାହିଁ । ପ୍ରଥମେ ପ୍ରଥମେ ସେ ମନାକଲା । ବୋଧେ ସେ ମୋ’ ମନକଥା ଠଉରେଇ ନେଲା । ପାଖରୁ ଛାଡ଼ି ଚାଲିଯାଇଥିବା କୌଣସି ଗୋଟିଏ ଛୁଆର ଯେ ଏସବୁ ଜିନିଷ, ଏକଥା ସେ ନିଶ୍ଚୟ ଜାଣିପାରିଥିବ ।

 

ତା’ର ମନା କରିବା କି ହଁ କରିବା ଦେଖିବାକୁ ମୋର ସମୟ ନଥିଲା । ମୋ ଆଗରେ ସେ ଯେବେ ଟ୍ରଙ୍କ ଖୋଲେ, ତାହା ହେଲେ “ବିଜୁ”ର ସେସବୁ ଜିନିଷ ଦେଖି ମୁଁ ହୁଏତ ସମ୍ଭାଳି ପାରି ନଥାନ୍ତି । ଥୟ ଧରି ଠିଆ ହୋଇପାରିବା ମୋ ପକ୍ଷରେ ଅସମ୍ଭବ ହୋଇଥାଆନ୍ତା । କେବଳ ସେଇଥିପାଇଁ ବାବୁଲା ମୁହଁରେ ଅଳ୍ପ ଟିକିଏ ମୁଁ ମୁହଁ ଲଗେଇଦେଇ ତରବର ହୋଇ ଚାଲିଆସିଲି । ପଚ୍ଛରୁ ମତେ ଜଣା ପଡ଼ୁଥିଲା, ସେ ସ୍ତ୍ରୀଲୋକ ଜଣକ ମତେ ଯେପରି ବସିବାକୁ ଅନୁରୋଧ କରୁଛି-। ଏସବୁ ଦବାର କାରଣ ପଚାରୁଛି । ଆଉ କେତେ କ’ଣ ପଚାରି ବ୍ୟସ୍ତ କରୁଛି । ସେଦିନ ମୁଁ କିଛି ଶୁଣିଲିନି କି ପଛକୁ ଅନେଇଲିନି, କେବଳ “ବିଜୁ” ସ୍ମୃତିର ଭୟରେ ।

 

ତା’ ଆର ଦିନ ସଞ୍ଜବେଳେ ପୁଣି ଯାଇ ମୁଁ ପହଞ୍ଚିଲି । ବସିବାକୁ ମୋତେ ଆସନ ଖଣ୍ଡେ ପାରିଦେଇ ସେ କହିଲା–ଏ ଦୁଆରକୁ କାଇଁ ଆସିଲେ ବାବୁ ? ଏଠେଇ ପାଦଦେଲେ କାୟା ଅପବିତ୍ର ହୁଏ । ସମସ୍ତେ ସନ୍ଦେହ ଚକ୍ଷୁରେ ଦେଖନ୍ତି । ସାଇରେ ମୁଁ ଏକଘରକିଆ । ସମସ୍ତଙ୍କ ଆଖିରେ ଆମେ ବଡ଼ ହୀନିମାନ । ମୋ ଚରିତ୍ର ଉପରେ କେତେ କେତେ ଗପ ରଚନାକରି ଲୋକେ ମଉଜ କରନ୍ତି । ଗରିବ ହବାଟା ହିଁ ଆମର ଦୁର୍ବଳତା । ତାକୁଇ ଆଶ୍ରୟକରି ସେମାନେ କେତେ କ’ଣ କହିଯାଆନ୍ତି । ଅନେକ ମନଗଢ଼ା କଥା କହି ଆମକୁ ଟାହିଟାପରା କରନ୍ତି । ସେସବୁ କେବଳ ମୋରି ଧନମାଳୀଟି ପାଇଁ ମୁଁ ସହ୍ୟ କରିନିଏ । ପୁଅଟିକି କୋଳକୁ ଆଉଜେଇଆଣି ମା’ କହିଲା–ଏଇଟିକି କେବଳ ବଞ୍ଚେଇ ରଖିବି ବୋଲି ମୋର ଆଜି ଏଇ ହୀନି ଅବସ୍ଥା । ବାପ ତା’ର ଥାଉ କି ନଥାଉ ସେଥିରେ ଯାଏ ଆସେ ନାହିଁ । ରାଣ୍ଡୀଖଣ୍ଡିର ପୁଅ ହୋଇ ଆଇଷ ଘେନି କେବଳ ସେ ବଞ୍ଚି ରହିଥାଉ ।

 

ସେଇ ଜାଗରୁ ମୁଁ ଆଉ ଉଠି ପାରିଲିନି । ତା’ କଥା ସବୁ ଶୁଣିବାକୁ ଭାରି ଇଛା ହେଉଥିଲା । ଚକାମୁଣ୍ଡି ପକେଇ ତା’ ପାଖରେ ବସିରହିଲି ।

 

ମା’ କହିଦବାରୁ ବାବୁଲା ଆର ଘରେ ପଢ଼ାପଢ଼ିରେ ଯାଇ ଲାଗିଗଲା ।

 

ତା’ ମୁହଁରୁ ଜଣାପଡ଼ୁଥିଲା–ତା’ର ସବୁକିଛି ମୋ’ ଆଗେ କହିଦବାକୁ ସେ ଯେପରି ବ୍ୟସ୍ତ ହୋଇପଡ଼ିଛି । କହିଦେଲେ ଅବା ସେ ଆଶ୍ଵସ୍ତ ବୋଧ କରିବ । ତା’ର କାରଣ କ’ଣ ମୁଁ କିଛିହେଲେ ଠଉରେଇ ପାରିଲିନି ।

 

କହିବାକୁ ସେ ଆରମ୍ଭ କଲା–

 

ସେତେବେଳେ ମତେ ଷୋଳ ବର୍ଷ ବୟସ । ଚଉଦ ବରଷଠୁ ବରଷ ଦିଟାରେ ମୁଁ ମାଇପି ଭଳି ଦେଖାଗଲି । ଦେହରେ ମୋର ଅସମ୍ଭବ ଧରଣର ପରିବର୍ତ୍ତନ ଦେଖାଦେଇଥିଲା । ପିଲାଦିନର ସାନ ସାନ ଫ୍ରକ୍, ଯାହାକୁ ମୋର ହାଲୁକା ଦିହରେ ଗଳେଇ ମୁଁ ପବନ ଭଳି ଚାରିଆଡ଼େ ଘୂରି ବୁଲେ, ସାପକାତି ଭଳି ସେସବୁ ବେଦରକାରୀ ହୋଇପଡ଼ିଲା । ପନ୍ଦର ଡେଇଁ ମୁଁ ଷୋହଳରେ ଆସି ପହଞ୍ଚିଥାଏ । ସତେ ଅବା ନୂଆ ଅବତାର ନେଇ ମୁଁ ଜନ୍ମଗ୍ରହଣ କରିଛି । ବେଳେବେଳେ ଆଇନାରେ ନିଜକୁ ଦେଖି ମୁଁ ଉଲୁସି ଉଠେ । ନିଜକୁ ନିଜେ ଚିହ୍ନି ପାରେନି, ଦେଖେ–ଭ୍ରୂଲତା ଦି’ଟା ମୋର ଗହଳିଆ ହୋଇଯାଇଛି । ଆଖି ଓ ଓଠକଣ ଆପେ ଆପେ ହସିଉଠୁଛି । କାନମୂଳରେ ଚୂନାଚୂନା ବାଳଗୁଡ଼ାକ ଗୁଡ଼େଇତୁଡ଼େଇ ହୋଇ ମୋର ସାଉଁଳିଆ ହଳଦିଆ ଗାଲରେ ଆସି ଦୋଳିଖେଳୁଛି । ବଢ଼ିଲା ଦିହକୁ ନେଇ ଚଳପ୍ରଚଳ ହେଲାବେଳେ ମୁଁ ହଲି ଦୋହଲି ଚାଲେ । ଜଙ୍ଘ ଦି’ଟା ମୋତେ ଓଜନିଆ ଜଣାପଡ଼େ । ବ୍ଲାଉଜ୍ ସାଙ୍ଗକୁ ଧଳା ଛେଦା ଲୁଗା ଖଣ୍ଡେ ପିନ୍ଧିଦେଲେ ମୁଁ ଛୋଟ ଦେଖାଯାଏ । କିନ୍ତୁ ଆଇନା ଆଗରେ, ଖାଲି ଦିହରେ କି ଗାଧୋଇଲା ବେଳେ ଚାରିଆଡ଼େ ଆଙ୍ଗୁଳି ଚଳେଇ ଘଷି ମାଜି ହେଲାବେଳେ ନିଜକୁ ମୁଁ ଚିହ୍ନିପାରେ-। କପାଳରେ କି ମୁଣ୍ଡ ସୁନ୍ଥାରେ ମୋର ସିନ୍ଦୂର ନଥାଏ । ଫୁଲପକା ବ୍ଲାଉଜ୍ ନଥାଏ କି ନାନା କିସମର ଧଡ଼ିଦିଆ ରଙ୍ଗୀନ୍ ଶାଢ଼ି ମୁଁ ପିନ୍ଧେନି । ହାତରେ କାଚ ନଥାଏ । ସେତବେଳକୁ ମୁଁ ବିଧବା-

 

ଏଗାର ବର୍ଷବେଳେ ପେଣ୍ଟ ଫ୍ରକ ଖଣ୍ଡେ ପିନ୍ଧି ଯେତେବେଳେ ମୁଁ ଡିଆଁମାରୁଥିଲି ସେତେବେଳେ ମୋର ବାହାଘର ହୋଇଗଲା । ବୋଉ, ଝିଅ ତା’ର ସୁଖରେ ରହିବ ବୋଲି ଆର ସାହିର ଜଣେ ପଚାଶବର୍ଷର ପାକୁଆବୁଢ଼ା ସାଙ୍ଗେ ମତେ ବାହା କରିଦେଇଥିଲା । ପିଲା ପିଲି ତା’ର ପାଞ୍ଚଟା ଭେଣ୍ଡା ପୁଅ, ବାହା ହବାକୁ ହେଲେଣି । ଝିଅମାନେ ଶାଶୁଘରକୁ ଯାଇ ବୁଢ଼ା ନାତି ନାତୁଣୀ ବି ଦେଖିଲାଣି । ଘର ଭାଙ୍ଗିଯିବ ବୋଲି ବୁଢ଼ା ଦୋଅଡ଼ ପକ୍ଷ ବାହା ହେ।ଇଥିଲା । ବାହା ହବାର ବରଷ ଗୋଟେ ପୂରିଛି କି ନାହିଁ, ତାକୁ ଏ ଦୁନିଆରୁ ବିଦାୟ ନବାକୁ ପଡ଼ିଲା । ସେତିକିବେଳେ ମୋ ହାତରୁ କାଚ କାଢ଼ି ନିଆଗଲା । ମୁଣ୍ଡରୁ ସିନ୍ଦୂର ଲିଭେଇ ଦିଆଗଲା । ବରଷକେ ଚବିଶ ଏକାଦଶୀ ଓ କାର୍ତ୍ତିକ ମାସରେ ହବିଷ କରିବା ମୋର କାମ । ମତେ ଆଇଁଷ ମନା । ମରଦ ଲୋକଙ୍କ ସାଙ୍ଗରେ କଥା ହବାକୁ, ବାହାରକୁ ବାହାରିବାକୁ, ବାଜେ ବହି ପଢ଼ିବାକୁ, ମନଖୁସି କରିବାକୁ ଏପରିକି ଟିକିଏ ହସିଦବାକୁ ବି ମନା । ବାହାରକୁ ବହ।ରିବା ଭିତରେ, କେବଳ କାହା ସାଙ୍ଗରେ ଦେଉଳକୁ ଯାଇ ଦିଅଁଙ୍କୁ ମୁଣ୍ଡିଆଟିଏ ମାରି ସିଧା ଆସି ଘରେ ପହଞ୍ଚିବାକୁ ହୁଏ । ରାମାୟଣ, ମହାଭାରତ ଓ ଗୀତା ଭାଗବତ ପଢ଼ିବାକୁ ମତେ ଦିଆଯାଏ । ଷୋଳ ବର୍ଷ ହେଲାବେଳକୁ ଏଥିରେ ମୁଁ ଅଭ୍ୟସ୍ତ ହୋଇ ସାରିଲିଣି । ସମସ୍ତଙ୍କ ସାଙ୍ଗେ ଜଣେ ବୋଲି ମୁଁ ଗଣିତା ନୁହେଁ । ବାଟ ମୋର ଅଲଗା ।

 

ବୋଉର ମୁଁ ଗୋଟେ ବୋଲି ଝିଅ । ମତେ ଚାରି ପାଞ୍ଚ ବର୍ଷ ହେଲାବେଳେ ବାପା ମୋର ମରିଗଲେ । ମଲାବେଳେ ତାଙ୍କୁ ବାଆନେ ବରଷ । ବାଆନେ ବର୍ଷରେ ତାଙ୍କର ଘାଟି ଥିଲା-। ସେତେବେଳେ ବୋଉକୁ ମୋଟେ ତିରିଶିଟା ବୋଲି ବରଷ । ବୋଉ ମୋର ଦୋଅଡ଼ ପକ୍ଷ ସ୍ତ୍ରୀ । ବାପାଙ୍କର ପ୍ରଥମ ଭାରିଯା ବାହାହବାର ବରଷ ଦି’ ତିନିଟାରେ ମରିଗଲା । ବୋଉଠୁ ଶୁଣିଛି–ସେ କୁଆଡ଼େ ଦିବ୍ୟ ସୁନ୍ଦର ପୁଅଟିଏ ଜନ୍ମ କରିଥିଲା । ମା’ ପଛେ ପଛେ ପୁଅ ବି ଚାଲିଗଲା । ବାପା ଆଉ ଥରେ ବାହାହବାକୁ ଅମଙ୍ଗ ଥିଲେ । ବାହା ନ ହେଲେ ଘର ଚଳିବନି । କୁଳରେ ପାଣି ଦବାକୁ କେହି ହେଲେ ନଥିଲେ । ବାପା, ମୋ ବୋଉକୁ ବାହା ହବା ଆଗରୁ ପିଲାଦିନେ ଅନେକ ଥର ତାକୁ ଦେଖିଥିଲେ । ବ୍ରାହ୍ମଣଘରର ଝିଅ । ଗୋରା ତକତକ ଦିହ, ଖଣ୍ଡାପରି ନାକ, ଠିକ୍ ଚିତ୍ରପ୍ରତିମା ପରି-। ବୋଉଠୁ ମୁଁ ଶୁଣିଛି–ବାହାଘର ସରିଲା ପରେ ଆମ ଘରେ ଉଜୁତିରୁ ଉଜୁତି ହେଲା । ବାପାଙ୍କର ରୋଜଗାର ବଢ଼ିଗଲା । ଜମିବାଡ଼ି ଖର୍ଦ୍ଦି ଚାଲିଲା । ଘରତୋଳା ଆରମ୍ଭ ହେଲା-। ବାପା ଥିଲାବେଳେ ବୋଉ ଯାହାସବୁ ସୁଖ ପାଇଛି ତାକୁଇ ସେ ଅନେକ ସମୟରେ ବସି ଝୁରି ହୁଏ । ତା’ପରେ କି ଗୋଟେ ଦୁର୍ଯୋଗ ପଡ଼ିଲା–ବାପା ସାଇ ପଡ଼ିଶାର ଜଣେ ଲୋକ ସାଙ୍ଗରେ ଗୋଟେ ଜମି ଗଣ୍ଡଗୋଳରେ ମକଦ୍ଦମା ଲଢ଼ି ଲଢ଼ି ସବୁତକ ହରେଇ ବସିଲେ । ଆଗ ଭଳି ଆଉ ରୋଜଗାର ହେଲାନି । ତା’ ସାଙ୍ଗକୁ ପିଲାପିଲି ବି କିଛି ନଥାନ୍ତି । ଅନେକ ଦିଅଁ ଦୁବ କରି ବାହାଘରର ଦଶ ବର୍ଷ ପରେ ମୁଁ ଜନ୍ମ ହେଲି । । ଏଡ଼ିକି ଅଲକ୍ଷଣୀ ମୁଁ ! ବରଷ ଚରିଟାରେ ବାପାଙ୍କୁ ଖାଇକରି ବସିଲି । ବାପା ଯାହା କିଛି ସମ୍ପତ୍ତିବାଡ଼ି ଅରଜି ଥିଲେ, ଆମ ବେଳକୁ ସେସବୁ କିଛିହେଲେ ରହିଲାନି । ତାଙ୍କ ମଲାବେଳକୁ ଥିଲା–ଘର ଡିହ ଓ ଖଣ୍ଡେ ଜମି ତିନି ଚାରିମାଣର-। ବୋଉ ଭାବିଥିଲା–କୁଆଡ଼ୁ ଗୋଟିଏ ପୁଅପତି ଆଣି ଘରେ ଥାପନା କରିବ । ଘରଜୋଇଁଆ କରି ରଖିବ । ପୁଅ କୁଆଡ଼ୁ ଅଇଲା ଜୋଇଁ କୁଆଡ଼ୁ ଅଇଲା ? ତା’ ସାଙ୍ଗକୁ କେତେ ଖଳ ଲୋକ ଆସି ମିଶିଗଲେ । ମଣିଷ ଗରିବ ହେଲେ, ଅସହାୟ ହେଲେ ଏଇ ଖଳ ଲୋକଙ୍କ କବଳରୁ ନିଜକୁ ରକ୍ଷା କରିବା ଅସମ୍ଭବ ହୋଇପଡ଼େ । ସେମାନେ ବଳେ ପଶି ମଙ୍ଗଳବାର କରନ୍ତି । ନିଜର ଫାଇଦା ଉଠାନ୍ତି । ମୁଣ୍ଡ ପୋତି ସେମାନଙ୍କ କଥା ମାନିଗଲେ, ସେମାନଙ୍କୁ ନିଜର ମଣିଷପଣିଆ ସମର୍ପି ଦବାକୁ ହୁଏ । ନ ମାନିଲେ ସେମାନେ ହିଂସ୍ର ହୋଇ ଉଠନ୍ତି । ଅପରର ସର୍ବନାଶ କରନ୍ତି । ଦାଣ୍ଡରେ ଭିକାରୀ ହୋଇ ବୁଲିଲେ ସେମାନଙ୍କର ତୃଷା ମେଣ୍ଟେ । ମଣିଷ ନିଜର ଅସହାୟ ଅବସ୍ଥାକୁ ଯେତେ ଭୟ କରେନି, ବେଶି ଭୟ କରେ ସେଇ ସମୟରେ ଅନ୍ୟ କିଏ ଦୟା ଦେଖେଇଲେ, ତା’ ସମ୍ବନ୍ଧରେ କଥା ହେଲେ, ତା’ର ଅଭାବ ଅସୁବିଧାକୁ ଦରଦ ଦେଖାଇବା ଛଳରେ ବାରଲୋକଙ୍କ ଆଗରେ ଚର୍ଚ୍ଚା କଲେ ଓ ମନ ଭିତରେ ସ୍ଵାର୍ଥ ରଖି ପରୋପକର କରିବା ନାଁରେ ପ୍ରଲୋଭନ ଦେଖାଇଲେ । ବୋଉ ସେତେବେଳେ ଚାଳିଶ ବର୍ଷରେ ଆସି ଧାପ ଦେଇଥିଲେ ବି ଦିହ ତା’ର ଭାଙ୍ଗି ନଥାଏ । ଗୋଟିଏ ପିଲାର ମା’ । ପୁଣି ଦୋଅଡ଼ ପକ୍ଷ ସ୍ତ୍ରୀ । ତା’ ସାଙ୍ଗକୁ ତା’ର ଷୋଳବରଷୀ ଝିଅ । ଦିହରେ ମୋର ରକତ ଥୋପି ପଡ଼ୁଥାଏ । ପାତେଳା ଚମଢଙ୍କା କଅଁଳ ଗୋଲାକାର ଶରୀର ମୋର । ଘରେ ପୁଣି ମରଦ ବୋଲି କେହି ନାହାନ୍ତି । ଏମିତି ସୁବିଧା ଜାଗାକୁ ଅବା ଛ।ଡ଼େ କିଏ ? ଅନେକ ଲୋକ ମୋର ବାହାଘର ନେଇ ଆମ ଘରକୁ ଯା’ଆସ କରନ୍ତି । ମୁଁ ଠିକ୍ ଅନୁମାନ କରିଛି––ସେଥିରୁ ଜଣେ ହେଲେ ବି ମୋର ବାହାଘର କି ଭବିଷ୍ୟତ ନେଇ ଭାବୁ ନଥିଲେ । ବାହାଘର ବୁଝିବା କେବଳ ଛଳନା, ସ୍ଵାର୍ଥ ଅନ୍ୟ ଜାଗାରେ । ବୋଉ ବିଚାରୀ ମାଇପି ଲୋକ । ଲୋକଙ୍କ ବୋଲରେ ପଡ଼ି ସେ ବୁଢ଼ା ସାଙ୍ଗରେ ମୋତେ ଖଞ୍ଜିଦେଲା । ଭାବିଥିଲା–ବରଷ କେଇଟା ଘର କରିସାରିଲା ପରେ ଝିଅ ତା’ର ମାଲିକାଣୀ ହେଇଯିବ । ମାଇକିନିଆ ଝିଅ । ବାହାହବାର ବରଷ ଦି’ ତିନିଟାରେ ଗୋଟେ ଯୋଡ଼େ ଜନ୍ମ କରିସାରିଲେ ବୁଢ଼ୀ । ଥିଲାବାଲା ଲୋକଟିର ହାତ ଧରିଥିଲେ ତାକୁ ଆଉ ଜୀବନ ସାରା ଦହଗଞ୍ଜ ହବାକୁ ପଡ଼ିବନି । ପୁଅ ପୋଷିବ ନୋହିଲେ ସମ୍ପତ୍ତି ପୋଷିବ । ଜୀବନଟା ଅନ୍ତତଃ ସୁରୁଖୁରୁରେ କଟିଯିବ ବୋଲି ବୋଉ କେତେ ଆଶା କରିନଥିଲା ? କିନ୍ତୁ ବିଧାତାର ଘଟଣ ଅବା ସେ ଜାଣିବ କେମିତି ? ଫଳ ହେଲା ଓଲଟା । ମତେ ତ ହୀନି ଅବସ୍ଥା ଯୋଗ ଅଛି । ଭାଗ୍ୟରେ ମୋର ସୁଖ ଆସିବ କୁଆଡ଼ୁ ?

 

ଏଇ ପିଣ୍ଡା ଉପରେ ଆପଣ ଯୋଉଠି ବସିଛନ୍ତି ସେଇଠି ଆମରି ଘର । ଭଙ୍ଗାରୁଜା ହୋଇ ପଡ଼ିରହିଛି । ପୁରୁଣାକାଳିଆ ପଥର ଘର, ପଥର ପିଣ୍ଡା, ପଥର ଖୁମ୍ବ । ଦି’ପୁରୁଷ ଉଚ୍ଚର ପିଣ୍ଡା । ପଥର ଖୁମ୍ବରେ ଖୋଳା ମୟୂର, ଶୁଆ, ଶାରୀ ଓ ନାନା କିସମର ଫୁଲ । ଚାଳଘର ହେଲେ କ’ଣ ହେବ, ଓରା ଓ ଚାଳସାର। ଲମ୍ବା ଲମ୍ବା ଶାଳୁଆ ପଟାରେ ଭର୍ତ୍ତି । ସେଥିରେ ପୁଣି କେତେ କମକୁଟ, ଫୁଲ କାମ । ପୁରୀ ସହରରେ ଆମର ଏଇ ପୁରୁଣାକାଳିଆ ଘର । ସହରର ଆମେ ସ୍ଥାୟୀ ବାସିନ୍ଦା । ଦେଉଳରେ ଜଗନ୍ନାଥଙ୍କ ପାଖରେ ଆମର ସେବା ପୂଜା । ସେଇ ଆମର ଭାତହାଣ୍ଡି । ବାପ, ଅଜା ଚଉଦ ପୁରୁଷ ଆମର ସେଥିରେ ଚଳିଆସିଛନ୍ତି । ମୁଁ ଶୁଣିଛି–ତିନି ଚାରିପୁରୁଷ ତଳେ ରାଜାଘରୁ ଆମେ ଶାଢ଼ି ପାଉଥିଲୁ । ସହରରେ ନାମଜାଦା ଘର ଆମର । ବାପାଙ୍କ ସମୟରେ ସେ ଦେଉଳରେ ସେବାପୂଜା କରିବାର ଅଧିକାରକୁ ମାଲିକସ୍ଵତ୍ଵ ଆକାରରେ ଆଉ ଜଣେ କାହାକୁ ବିକି ଦେଇଥିଲେ । ସେବାପୂଜା ଜମିବାଡ଼ିରେ ମାଲିକସ୍ଵତ୍ଵ ଭଳି । ମୁଁ ଜନ୍ମ ହେଲାବେଳକୁ ଆମ ଘରର ସେ ଆଗ ସୁନାମ ନାହିଁ କି ସହରରେ ଆମର ସେ ଟେକ ନାହିଁ । ପୁରୀ ସହରର ସ୍ଥାୟୀ ପୁରୁଣା ବାସିନ୍ଦାଙ୍କ ମଧ୍ୟରୁ ଆମେ ଗୋଟିଏ ଗରିବ ପରିବାର । କର୍ପୂର ଯାଇ କନା କେବଳ ପଡ଼ି ରହିଛି । ଆମର ପୁରୁଣାକାଳିଆ ପଥର ଘର, ପଥର ଖୁମ୍ବ ଓ ଚ।ଳ ଓରାର କମକୁଟ କହିବ, ଆମେ ଆଗେ କ’ଣ ଥିଲୁ କ’ଣ ଆସି ହେଲୁଣି ।

 

ବାପା ଥାଉ ଥାଉ ଘରର ଅବସ୍ଥା ଆମର ଖରାପ ହୋଇ ସାରିଥିଲା । ତାଙ୍କ ପରେ, ବୋଝ ଉପରେ ନଳିତା ବିଡ଼ା ପରି ଅବସ୍ଥା ଆଉରି ଖରାପ ହେବାକୁ ଲାଗିଲା । ଜମି ବୋଲି ଯୋଉ ତିନି ଚାରିମାଣ ଥିଲା, ବାପାଙ୍କ ଶୁଦ୍ଧ କ୍ରିୟାକୁ ସେଥିରୁ ଦି’ମାଣ ବାଧ୍ୟ ହୋଇ ବିକିଦେବାକୁ ପଡ଼ିଲା । ମିଶ୍ରଙ୍କ ଘର, ଲୋକଙ୍କୁ ଖାଇବାକୁ ଦବାରେ ସାତପୁରୁଷି ସୁନାମ ଅଛି । ଭାଗ୍ୟକୁ ସିନା ଅଣ୍ଟିଲାନି । ‘ବୁଢ଼ା ନାରାୟଣ ମିଶ୍ର ତାଙ୍କ ଜୀବନରେ କ’ଣ କମ ପଇସା କମେଇ ଥିଲେ?’ ଏ ହେଲା ଲୋକମାନଙ୍କର ଯୁକ୍ତି । ସେମାନେ ଥିଲା ନଥିଲା ଭଲ ମନ୍ଦ କିଛିହେଲେ ବୁଝିବେନି । କେବଳ ତାଙ୍କୁ ସନ୍ତୋଷ କରିବା ଦରକାର । ତା’ପରେ ପରେ ଲୋକ ପଛେ ଛତରକୁ ଯାଉ, ସେଥିରେ ଯାଏ ଆସେ ବା କ’ଣ ଅଛି ? ବାପାଙ୍କ ପରେ ଘରେ ଟିକିଏ ଚୂନ ସିମେଣ୍ଟ ଲଗେଇବା ତ ଦୂରର କଥା, ଘରର କାନ୍ଥ ସବୁ ଫାଟି କରି ଆଁ କରିବାକୁ ଲାଗିଲା । ହାତୀଶାଳ ଭାଙ୍ଗିଲେ ଘୋଡ଼ାଶାଳକୁ ନିଅଣ୍ଟ । ମରାମତି ଓ ହେପାଦସ୍ତ ଅଭାବରୁ ଘର ସବୁ ଆସ୍ତେ ଆସ୍ତେ ଭାଙ୍ଗି ପଦା ହୋଇଗଲା । ମାଟି କାନ୍ଥ ଓ ବାଉଁଶ ଢିରାଦେଇ କେତେ ଦିନ ବା ଭଙ୍ଗାଘରକୁ ରଖି ହବ ? ଆମେ ଚଳାଚଳି ହବାକୁ ଭାଗ୍ୟବଶତଃ ଦି’ବଖରା ଘର ଓ ସାନ ରୋଷାଇ ଘର ବଖୁରିଟିଏ ହବ ଥିଲା । ବାପା ଥିଲାବେଳେ ସେ ତୋଳା ଯାଇଥିଲା । ଅନ୍ୟ ଘର ଅପେକ୍ଷା ସେ ଦମ୍ଭିଲା ଓ ମଜଭୁତ୍ ଥିଲା । ମା’ଝିଅ ଆମେ ଦି’ଜଣ ଚଳିଯିବା ପାଇଁ ଯଥେଷ୍ଟ ।

 

କିନ୍ତୁ ବାପାଙ୍କ ପରେ ପରେ ଆମ ଘରେ ରୋଜଗାରିଆ ଲୋକ କେହି ହେଲେ ନଥିଲେ-। କଞ୍ଚାପଇସା ଆସି ଘରେ ନପଶିଲେ, ଯେତେ ଦଶହଜାରିଆ ଘରଟିଏ ହେଲେ ବି ଭାଙ୍ଗିପଡ଼ିବ । ମାଣେ ଦି’ମାଣ ଜମି ଓ ବୋଉ ଦିହରେ ଥିବା ପାଞ୍ଚ’ଛ ଭରି ସୁନା, ଆଉ ଯାବତୀୟ ଆସବାବପତ୍ର–ସେଇଥିରେ ଆମେ ସଂସାର ଚଳେଇବୁ ।

 

ତା’ ସାଙ୍ଗକୁ ପୁଣି ମୋ’ ବାହାଘର । ବୋଉର ସେ ଥିଲା ଅଘୋର ଚିନ୍ତା । କେମିତି କୁଳକୁ ଲଗେଇଦେଲେ ସେ ଆଖିବୁଜନ୍ତା । ଏଇ ସବୁ ଭାବିଚିନ୍ତି ବୋଉ ସାଇ ପାଖରେ ଜ୍ଵାଇଁ ଘରଟିଏ ଠିକ୍ କରିଥିଲା । ଜ୍ଵାଇଁ ବୁଢ଼ାହଡ଼ା ହଉ, କି ଟୋକା ହଉ, ସେଥିରେ ଯାଏଆସେ ନାହିଁ । ଝିଅ ସୁଖରେ ରହିବ, ଏଇ ହେଲା ପ୍ରଥମ କଥା । ଶରୀରର ଭୋକକୁ ଦବେଇ ହେବ । ମାଡ଼ିମକଚି, ଗୀତା ଭାଗବତ ପଢ଼ି, ମାଳା ଗଡ଼େଇ, ଆଖିବୁଜି, ଦୁନିଆର ରଙ୍ଗଢଙ୍ଗକୁ ନଜର ନ ପକେଇ, ଓଷାଉପାସ ଓ ଗଣ୍ଠିପକା ନିୟମ ଭିତରେ ମଣିଷ ଶରୀରର ଭୋକକୁ ଦବେଇଦେଇ ପାରିବ । ତାକୁ ପ୍ରକାଶ କରିବାକୁ କେତେ କେତେ ବାଟ ରହିଛି । ନିଜେ ବିଧବା ହୋଇ ସଂସାରସୁଖରୁ ବଞ୍ଚିତ ହୋଇଥିଲେ, ଅନ୍ୟର ସଂସାର ଗଢ଼ିବାକୁ ନିଜେ ବ୍ୟସ୍ତ ହେଲାବେଳେ, ଗେଲ କରିବା ନାଁରେ କିଶୋର ପୁଅ ପିଲାମାନଙ୍କୁ କାଖରେ ବସେଇ ଗେଲକଲାବେଳେ, ସେମାନଙ୍କୁ ଛାତିରେ ଭିଡ଼ି ଧରିଲାବେଳେ, ଚୁମା ଦେଲାବେଳେ, ସମବୟସ୍କ ଲୋକଙ୍କ ସାଙ୍ଗରେ ବଙ୍କେଇ ବଙ୍କେଇ କଥା ହେଲାବେଳେ, ଦିଅଁ ଉପାସନା ସମୟରେ ରାମ, କୃଷ୍ଣ ଆଦି ଅବତାର ଭିତରେ ତାରୁଣ୍ୟର ପୂଜା କଲାବେଳେ, ପିଲାଝିଲା ଥିଲେ ସେମାନଙ୍କର ସୁଖମୟ ସାଂସାରିକ ଜୀବନର କଳରୋଳ ସମୟରେ ଓ ଘରେ ବାହାରେ ଯେତେ ଯୁଆଡ଼େ ଅନ୍ୟ ଲୋକର ଶାରୀରିକ କ୍ଷୁଧା ମେଣ୍ଟନ କରିବା ଦେଖି ଆଉ ଜଣେ ସେଥିରୁ ନିଜର ଖାଦ୍ୟ ସଂଗ୍ରହ କରିଥାଏ । କେତେ ଉପାୟରେ ଶରୀରର ଭୋକକୁ ଦବେଇ ଦବାର ବାଟ ରହିଛି, କିନ୍ତୁ ପେଟର ଭୋକ ଏସବୁ ଅପେକ୍ଷା ବଡ଼ ସାଙ୍ଘାତିକ । ଅନ୍ୟ କୌଣସି ଉପାୟରେ ତାକୁ ଦବେଇ ହବନି । ତାକୁ ଏଡ଼ିଦେଇ ଚଳି ହବନି । ଜୀବନ ଅଥବା ମରଣ–ଯୋଡ଼ିକରୁ ଗୋଟିଏ କିଛି ବାଛିବାକୁ ପଡ଼ିବ । ପେଟ ପୂରିସାରିଲେ ଯାଇ ଆଉ ଯାହା ବିଚାର । ସବୁ ବୁଦ୍ଧିବିଦ୍ୟା ଏଇ ଭୋକବେଳେ ହିଁ ହଜମ ହୋଇଯାଏ । ବୋଉ ମୋର ସେଥିପାଇଁ ଭାବିଚିନ୍ତି ଠିକ୍ କରିଥିଲା–ଝିଅ ତା’ର ଖାଇ ପିନ୍ଧି ଆଗ ଚଳିଯିବା ଦରକାର । ତେଣୁ ବୋଉକୁ ମୁଁ ଦୋଷ ଦେଇ ପାରିବିନି । ସେ ଜାଣିଶୁଣି ମତେ ଭସେଇ ଦେବାକୁ ଇଚ୍ଛା କରିନଥିଲା । ମା’ କ’ଣ କେବେହେଲେ, ଝିଅର ଅମଙ୍ଗଳ ପାଞ୍ଚିପାରେ ? ସେ ଭାବିଥିଲା ଯାହା, ଫଳ ହେଲା ଓଲଟା । ଏଗାର ବରଷରେ ବାହା । ବାର ବର୍ଷ ବେଳକୁ ବିଧବା ।

 

ବାହା ହବା ଓ ବିଧବା ହବା ଦୁଇଟି ଅଲଗା ଅଲଗା କଥା । ବାହା ହବା ସମୟରେ ସମସ୍ତଙ୍କ ମନରେ ଆନନ୍ଦ ଥାଏ । ହସ ଖୁସି ଓ ଖା’ପିଅ । ବିଧବା ହବାଟା ବଡ଼ ଦୁଃଖର କଥା । ପୁଣି ପିଲା ବୟସରେ ଏଇ ଦୁଇଟି ସୁଖ ଦୁଃଖର କଥା କେବଳ ପିଲାଦିନେ ମୁଁ ଜାଣିଥିଲି । ଜୀବନ ସହିତ ତା’ର କ’ଣ ଯେ ସମ୍ପର୍କ ସେ କଥା କେବଳ ମୋର ଅନୁମାନରେ ସୀମାବଦ୍ଧ ଥିଲା । ମତେ ଷୋଳ ବର୍ଷ ହେଲାବେଳେ ଆଖି ଓ ଓଠରେ ମୋର ଯେତେବେଳେ ଶାଣ ଦିଆ ହେଲାଭଳି ଜଣାପଡ଼ିଲା, ମାଂସଳ ଶରୀରର ଗୁରୁଭାରରେ ମୁଁ ସେତେବେଳେ ଉଲୁସି ଉଠୁଥିଲି । ଶରୀରରେ ଓ ନିଃଶ୍ଵାସ ପ୍ରଶ୍ଵାସରେ ଅସ୍ଵାଭାବିକ ତାତି ଅନୁଭବ କରୁଥିଲି । ତା’ପରେ ପରେ ଯାଇ ମୁଁ ବୁଝିଲି, ମତେ ଜୀବନସାରା କିପରି ଖଣ୍ଡାଧାରରେ ଚାଲିବାକୁ ପଡ଼ିବ । ମଲା ପର୍ଯ୍ୟନ୍ତ କିପରି ଦହଗଞ୍ଜ ହେବାକୁ ପଡ଼ିବ । ବୁଢ଼ୀ ବୋଉଟି ମରିଗଲେ ଦୁନିଆରେ ଆହା କରିବାକୁ କେହି ମୋର ନଥିବେ । ସେତେବେଳେ ଭାବନାର ବସ୍ତୁ ଥିଲା–ମୋର ଲମ୍ବାଳିଆ ଭବିଷ୍ୟତ ଜୀବନ । ଭବିଷ୍ୟତ ଜୀବନର ଶତ୍ରୁ ମୋର ଦିହ । ହଳଦିଆ ରଙ୍ଗର ପୂରନ୍ତା ଦିହ ଓ ମୋର ବୟସ । ବୟସ ଗଡ଼ିଯାଇଥିଲେ ପାଣି ଦେଇ କି କାହାଘରେ କୁଟାକୁଟି କରି ମୁଁ ଜୀବନଟା କଟାଇ ଦେଇ ପାରିଥାନ୍ତି । ଯେକୌଣସି ଘରେ ଯାଇ ବାସିପାଇଟି କଲେ, ଗୋହିରା ଗୋଟେଇଥିଲେ, କଂସାବାସନ ମାଜିଦେଲେ କି ପିଲା କାଖେଇଥିଲେ ପେଟ ମୋର ଅପୋଷା ରହି ନଥାନ୍ତା । ପିଲାଦିନରୁ କେତେ କେତେ ଲୋକଙ୍କୁ ମୁଁ ଏମିତି ଦେଖିଆସିଛି । ତାଙ୍କ ଭିତରେ ମୁଁ ଜଣେ ବୋଲି ମନେମନେ ଭାବି ନେଇଥାଆନ୍ତି । କିନ୍ତୁ ଶତ୍ରୁହୋଇ ମୋ ଆଗରେ ଆସି ଠିଆହେଲା, ମୋର କଅଁଳ ବୟସ ଓ କଞ୍ଚାଳିଆ ପୂରନ୍ତା ଦିହ ।

 

ଆମ ଘରପାଖରେ ରାଜୁବାବୁ ବୋଲି ଜଣେ ଭଦ୍ରଲୋକ, ବୟସ ତାଙ୍କର ଚାଳିଶ, ବୟାଳିଶ ଭିତରେ । କିରାନୀ ଚାକିରି କରନ୍ତି । ପିଲାଝିଲା ଯୋଡ଼ିଏ । ଗାଁରେ ଅପର୍ଯ୍ୟାପ୍ତ ସମ୍ପତ୍ତି ପଡ଼ିଛି । କମେଇ ପାରିଲେ ବର୍ଷକର ଫସଲ ତିନି ଚାରି ବର୍ଷ ବିତିଯିବ । ଭାଇଆଳୀ ତାଙ୍କର କେହି ବୋଲି କେହି ନାହାନ୍ତି । ରାଜୁବାବୁ ରହିଲେ ସହରରେ ଚାକିରି ଜଗିବାପାଇଁ । ବର୍ତ୍ତମାନ ସମୟ ଯାହା ହେଲାଣି, ପରକୁ ଆପଣାର କରିବାକୁ ଚେଷ୍ଟା କଲେ ପଦେ ପଦେ ବିପଦ । ଯେତେ କଲେ ବି କାଣିଚାଏ ହବ ପ୍ରଶଂସା ଶୁଣିବାର ସୁଯୋଗ ମିଳିବ ନାହିଁ । ବରଂ ଯାହାପାଇଁ କରିବ ସେ ନିଜେ ଗୋଛି କାଟିଦେବା ପାଇଁ ପଛେଇବନି । ଗାଁରେ ଯୋଉ ପ୍ରଜାମାନେ ରାଜୁବାବୁଙ୍କର ସମ୍ପତ୍ତିରେ ଏବେ ଘରଦୁଆର କଲେଣି ସେମାନେ ୟାଙ୍କର ପିଲାପିଲିଙ୍କି ପଚାରିବା କଥା ତ ଛାଡ଼ିଦିଅ, ସର୍ବନାଶ କରିବାକୁ ବି ପଛେଇ ନାହାନ୍ତି । କିନ୍ତୁ କେହି ହେଲେ ଗାଁରେ ନ ରହିଲେ ଜମି ବାଡ଼ିର ଆଶା ଏକଦମ୍ ଛାଡ଼ିଦବାକୁ ପଡ଼ିବ । କେବଳ ଖଜଣା ଗଣିବାଇ ସାର ହେବ । ଏଇଥିପାଇଁ ରାଜୁବାବୁ ପିଲାପିଲିଙ୍କୁ ଗାଁରେ ଛାଡ଼ିଦେଇଥାନ୍ତି । ରୋଷେଇ କରିଦବାକୁ ପୁରୀ ବସାରେ ବୁଢ଼ୀ ଚାକରାଣୀଟିଏ ଥାଏ । ରାଜୁବାବୁ ପ୍ରତି ଶନିବାର ରବିବାର ଗାଁକୁ ଯାନ୍ତି । ପୁରୀ ସହରଠୁ ବାଟ ଦଶ ବାର ମାଇଲ । ସାଇକେଲ ବାଟ । ସିଧା ସଡ଼କ ପଡ଼ିଛି ।

 

ରାଜୁବାବୁଙ୍କର ଆମ ଘର ସାଙ୍ଗେ ଅବାଧ ମିଳାମିଶା । ବୋଉଠୁ ଶୁଣିଛି ବାପା ଥାଉ ଥାଉ ସେ ଆମ ଘରର ସୁଖ ଦୁଃଖରେ ସବୁବେଳେ ଭାଗୀ । ତାଙ୍କ ଘରେ ଜିରାଟିଏ ଫୁଟିଲେ ଆମ ଘରକୁ ଶବ୍ଦ ହୁଏ । ଆମ ଘର କଥା ବି ତାଙ୍କୁ କିଛିହେଲେ ଅଛପା ନଥିଲା । ବାପାଙ୍କ ପରେ ତାଙ୍କ ଘର ସାଙ୍ଗେ ଆମର ସ୍ନେହସୌହାର୍ଦ୍ୟ ବେଶି ବଢ଼ିଗଲା । କାରଣ ଆମ ଘରେ ମରଦଲୋକ ବୋଲି କେହି ହେଲେ ନଥିଲେ । ବୋଉ ଯେକୌଣସି କଥାଟିଏ ହେଲେ ରାଜୁବାବୁଙ୍କୁ ନ ପଚାରି କରିବନି-। ତାଙ୍କୁ ମୁଁ ଦାଦା ବୋଲି ଡାକେ । ସ୍ତ୍ରୀ ତାଙ୍କର ଅତି ଉତ୍ତମ ଲୋକ । ତାଙ୍କୁ ଡାକେ ଖୁଡ଼ୀ-

 

ବର୍ଷକର ପ୍ରାୟ ଆଠ ମାସ ଖୁଡ଼ୀ ତାଙ୍କ ପିଲାପିଲି ଦିଟିଙ୍କି ସାଙ୍ଗରେ ନେଇ ଗାଁରେ ଥାନ୍ତି-। କେବଳ ଚତୁରମାସିଆ ଚାରିମାସ ଯେତେବେଳେ ଚାରିଆଡ଼ ଚିଲିକାମୟ ହୋଇଯାଏ, ସେତେବେଳେ ପିଲାପିଲିଙ୍କି ଧରି ପୁରୀ ଚାଲିଆସନ୍ତି । ସେ ଚାରିମାସ ରାଜୁବାବୁ ଆମ ଘରକୁ ବେଶି ଯା’ଆସ କରନ୍ତିନି । ବୋଉ ବି ପ୍ରତି କଥାରେ ତାଙ୍କୁ ଯାଇ ପଚରାଉଚରା କରେନି । ଯେମିତି ଅବା ସାଧାରଣ ସାଇ ପଡ଼ିଶା । ଯେତିକି ସ୍ନେହସୌହାର୍ଦ୍ୟ ନ ରଖିଲେ ନ ଚଳେ ସେତିକି ।

 

କିନ୍ତୁ ଖୁଡ଼ୀ ଗାଁକୁ ଚାଲିଗଲେ ରାଜୁବାବୁ ସଦାବେଳେ ଆସି ଆମ ଘରେ । ତାଙ୍କ ଘରେ ଭାତ ଖାଇ ଆମ ଘରେ ଆସି କୁଳୁକୁଞ୍ଚା ପକାନ୍ତି । ଅଫିସରୁ ଫେରିଲେ ବସ ଉଠ, କଥାବାର୍ତ୍ତା ଯାହା କିଛି ସବୁ ଆମରି ଘରେ । ବୋଉ ହାଣ୍ଡିଶାଳେ ରୋଷେଇରେ ବ୍ୟସ୍ତ ଥିବ, ସେ ସିଧା ସିଧା ଘର ଭିତରକୁ ପଶିଯିବେ । ପନିକି ଖଣ୍ଡକ ପକେଇ ଚୁଲି ମୁଣ୍ଡେ ବସି ପଡ଼ିବେ । ବୋଉର ତାଙ୍କର କେତେ କ’ଣ କଥାବାର୍ତ୍ତା ହସ କୁରୁଡ଼ି, ସୁଖ ଦୁଃଖ, ହସକାନ୍ଦ ଯେ ଚାଲେ ସେ କଥାର ଆଦିଅନ୍ତ ନାହିଁ । କଥା ତାଙ୍କର କେତେବେଳେ ହେଲେ ସରେନି । ବେଳେବେଳେ ରାଜୁବାବୁଙ୍କ ସାଙ୍ଗରେ ବୋଉ ଦେଉଳକୁ ଦିଅଁ ଦର୍ଶନ କରିବାକୁ ଯାଏ । ମୁଁ ବି ଥାଏ ସାଙ୍ଗରେ । ରାଜୁବାବୁ ମୋତେ ପିଲାଦିନରୁ ଭାରି ସୁଖ ପାଆନ୍ତି । ମୋ ପାଇଁ ନୂଆ ଜ।ମା, ଖେଳଣା ଓ ମିଠେଇ ସଦ।ବେଳ ପାଇଁ ଖଞ୍ଜା । ବାପ ବଦଳରେ ବାପ । ଚାରିବର୍ଷ ତଳେ ବାପ ଖାଇଥିଲି । ସେତେବେଳେ ମୋର ବଢ଼ିଲା ସମୟ । ମୁଁ ଯେତିକି ଯେମିତି ବଡ଼ ହେଲି, ରାଜୁବାବୁଙ୍କର ଭଲ ପାଇବା ମୋ ପ୍ରତି ସେତିକି ବଢ଼ୁଥିବା ମୁଁ ଅନୁଭବ କରିଛି । ମୋ ବାହାଘର ସମୟରେ ଉପରେ ଉପରେ ପଡ଼ି ସେ ପାକୁଆ ବୁଢ଼ା ସାଙ୍ଗରେ ମୋର ବିବାହ ପ୍ରସଙ୍ଗ ନେଇ ଅମଙ୍ଗ ଥିଲେ ବି ବୋଉ ସାଙ୍ଗରେ ଭିତରେ ଏକମତ ଥିଲେ । ଏଗାର ବର୍ଷରେ ମୋର ଯେତେବେଳେ ବାହାଘର ହୁଏ, ସେ ଆମକୁ ଅନେକ ସାହାଯ୍ୟ କରିଛନ୍ତି । କେବଳ ତାଙ୍କର ସାହାଯ୍ୟ ଯୋଗୁ ହିଁ ବାହାଘରଟା ସୁରୁଖୁରୁରେ ଉଠିପାରିଥିଲା । ବର୍ଷେ ପୂରୁ ନ ପୂରୁଣୁ ମୁଁ ହେଲି ବିଧବା । ବିବାହ କ’ଣ ଜାଣୁ ନଜାଣୁ ମୋର ଘର କରିବା ଆଉ ନଥିଲା । ଜୀବନ-ପଥରେ ପାଦ ଦଉ ନ ଦଉଣୁ ଜୀବନ ସରିଯାଇଥିଲା ।

 

ତା’ପରେ ପରେ ମୁଁ ଅନୁଭବ କରିଛି, ଆମ ଘର ପ୍ରତି ରାଜୁବାବୁଙ୍କର ଭଲ ପାଇବା ଗାଢ଼ରୁ ଗାଢ଼ତର ହେବାକୁ ଲାଗିଲା । ମୋର ହତଭାଗ୍ୟ ଜୀବନ କଥା ଭାବି ବୋଧହୁଏ ସେ ମ୍ରିୟମାଣ ହୋଇଉଠୁଥିଲେ । ମୋର ଯାହା ଯାହା ଦରକାର, ନ କହିବା ଆଗରୁ ସେ ଆଣି ଦିଅନ୍ତି-। ବୋଉ ବେଳେବେଳେ ଉପଲକ୍ଷ୍ୟ ଦେଇ କହେ–ଚଉଦ ଜନ୍ମ ତପସ୍ୟା କଲେ ଏମିତି ଦାଦାଟିଏ ପାଇବୁଟି କି ?

 

ଆଜି ବୁଝୁଛି–ରାଜୁବାବୁ ସେତେବେଳେ ମୋର ପୋଡ଼ା କପାଳ ପାଇଁ ଏତେ ବ୍ୟସ୍ତ ହୋଇ ମୋତେ ଭଲ ପାଉଥିଲେ, ନା–ମୋ ଦିହର ବର୍ଣ୍ଣ ତୋଫା ଫିଟି ଆସୁଥିଲା ବେଳେ, ଶରୀର ଗୋଲାକାର ବର୍ତ୍ତୁଳତାରେ ପରିଣତ ହେଉଥିବାବେଳେ, ମୁହଁ ପୂରି ଆସୁଥିଲାବେଳେ ସେ ମନେମନେ ଉଲୁସି ଉଠୁଥିଲେ ? ବଣର ହିଂସ୍ର ଜନ୍ତୁଟିଏ ମୋଟାସୋଟା ହରିଣ ଛୁଆଟିଏ ଆଗରେ ଡେଉଁଥିବାର ଦେଖିଲେ, ତାକୁ ଟାଆକୁକରି ଗିଳିବା ଆଗରୁ ଯେମିତି ତା’ ସାଙ୍ଗେ ଖେଳେ ଓ ଖେଳାଏ । ପିଲାଲୋକ ମୁଁ । ରାଜୁବାବୁଙ୍କୁ ପିଲାଦିନୁ ଦାଦା ବୋଲି ଡାକି ଆସିଛି । କାହିଁକି ଅବ। ଭାବିବି, ତାଙ୍କର ଏଇ ଭଲ ପାଇବା ଭିତରେ ହଳାହଳ ବିଷ ଭରି ରହିଛି ?

 

ବୋଉ ଦିନେ ଦିନେ ଜଗନ୍ନାଥ ଦର୍ଶନ କରିବାକୁ ସଞ୍ଜବେଳେ ଦେଉଳକୁ ଯାଏ । ଗଲାବେଳେ ସାଙ୍ଗରେ ରାଜୁବାବୁଙ୍କ ଘରର ଚାକରାଣୀଟିକୁ ଡାକିନିଏ । ମତେ କହିଦେଇ ଯାଏ ଦାଦାଙ୍କ ହେପାଦସ୍ତ କରୁଥିବୁ । ସେ ପାଣି ମାଗିଲେ କି ପାନ ମାଗିଲେ ଦବୁ । ସେତେବେଳେ ମୁଁ ଚଉଦ ପନ୍ଦର ବର୍ଷର କିଶୋରୀ । ଦିହ ଘୋଡ଼େଇବାକୁ ପିଲାଦିନର ଫ୍ରକ୍ ମତେ ଆଉ ପାଉ ନଥିଲା । ବର୍ଷେହେଲା ଶାଢ଼ି ପିନ୍ଧିବାରେ ମୁଁ ଅଭ୍ୟସ୍ତ ହୋଇଯାଇଥିଲି ।

 

ଦିନକର ବୋଉ ଚାକରାଣୀଟିକି ସଙ୍ଗରେ ନେଇ ଦେଉଳକୁ ଯାଇଛି । ଘରେ ମୁଁ ଏକଲା-। ବୋଉ ଗଲା ପରେ ପରେ ରାଜୁବାବୁ ଆସି ପହଞ୍ଚିଲେ । ମତେ ଏକାରେ ଦେଖି ଆଖି ଦି’ଟି ତାଙ୍କର ହସି ଉଠୁଥିଲା । ମୁହଁରୁ ଜଣାପଡ଼ୁଥିଲା–ସେ କ’ଣ ଗୋଟେ କଷ୍ଟ ଅନୁଭବ କରୁଛନ୍ତି-। ସିଧା ଆସି ଖଟ ଉପରେ ଗଡ଼ିପଡ଼ିଲେ । ବଡ଼ କଅଁଳ ଗଳାରେ ମତେ ଡାକି କହିଲେ–ହେମ, ମୁଣ୍ଡଟା ମୋର ଟିକିଏ ଚିପି ଦେବୁଟି । ଭାରି ବଥଉଛି । ମୁଁ ତାଙ୍କ ପାଖକୁ ଲାଗିକରି ବସି ମୁଣ୍ଡ ଚିପିବାରେ ଲାଗିଗଲି । ଦି’ ଆଣ୍ଠୁ ଉପରେ ଭରା ଦେଇ ତାଙ୍କ ଛାତି ଉପରକୁ ଝୁଙ୍କି ପଡ଼ି ମୁଁ ମୁଣ୍ଡ ଚିପି ଦଉଥାଏ । ଆସ୍ତେ ଆସ୍ତେ ତାଙ୍କର ଗୋଟିଏ ହାତ ମୋ ପିଠି ଉପରେ ଆସି ପଡ଼ିଲା । ରାଜୁବାବୁଙ୍କୁ ଦାଦା ବୋଲି ଡାକୁଥିଲେ ବି ତାଙ୍କର ଏହି ବ୍ୟବହାର ମୋତେ ଭାରି ଅଡ଼ୁଆ ଅଡ଼ୁଆ ଲାଗିଲା । ମୁଁ ଚଙ୍ଗ ଚଙ୍ଗ ହୋଇ ଦୁଆର ଆଡ଼କୁ ଅନଉଥାଏ । କାଳେ କିଏ ଚାଲି ଆସିବ । ମୁଁ ମୁଣ୍ଡ ଚିପିବା ଛାଡ଼ିଦେଇ ଚାଲିଗଲାବେଳକୁ ରାଜୁବାବୁ ମୋ ଦିହକୁ ତାଙ୍କ ଉପରେ ଅଳ୍ପ ଟିକିଏ ଲଗେଇ ଦେଇଥିଲେ । ଦିହ ସାଙ୍ଗେ ଦିହ ଲାଗିବା ଜୀବନରେ ମୋର ସେଇଟିକକ ପ୍ରଥମ ଅନୁଭୂତି । ମତେ ଭାରି ଡର ମାଡ଼ିଲା । କିଲିବିଲା ହୋଇ ତାଙ୍କ ପାଖରୁ ଖସି ଆସି ମୁଁ ଦାଣ୍ଡଦୁଆରେ ବସିଲି । । ବୋଉ ଦେଉଳରୁ ଫେରିଲା ପର୍ଯ୍ୟନ୍ତ ଅପେକ୍ଷା କଲି । ବୋଉ ଆସିଲାବେଳକୁ ରାଜୁବାବୁ ଛଳନା କରି ଶୋଇ ରହିଥାନ୍ତି । ସେହି ଦିନର ଏଇ ଘଟଣା ମୁଁ ବୋଉ ଆଗରେ କହିଲିନି । ମତେ ଲାଜ ମାଡ଼ିଲା ।

 

ଏହା ଭିତରେ ମୁଁ ବଡ଼ ଝିଅ ତାଲିକାରେ ଗଣତି ହୋଇଯାଇଥିଲି । ଘରେ ରଖିଲେ ମତେ ବିପଦ, କାହା ସଙ୍ଗେ ମିଶିବାକୁ କି କଥା ହବାକୁ ଅନୁମତି ଦେଲେ, ମତେ ପଦେ ପଦେ ଜଗିବାକୁ ପଡ଼ିବ ।

 

ସେ ସମୟକୁ ହାତରେ ମୋର କାଚ ନାହିଁ କି ମୁଣ୍ଡରେ ସିନ୍ଦୂର ନାହିଁ । ସେ ବି ଆଉ ଗୋଟିଏ ବିପଦ । ସବୁଠୁ ବଡ଼ ବିପଦ ଥିଲା–ମୋର ପୂରନ୍ତା ବଳିଦେଲା ଭଳି ହଳଦିଆ ରଙ୍ଗର ଦିହ ? ମତେ ଦେଖିଲେ ଯେକୌଣସି ଲୋକ ଚୁ-ଫୁଟେଇ କହୁଥିଲା–କେମିତି ଝିଅଟି ଜୀବନସାରା ନିରିମାଖି ହୋଇ ଚଳିବ କେଜାଣି ! ଜୀବନର ସୁଆଦ କ’ଣ ମୁଁ ଚାଖି ନଥିଲେ ବି ସମୟ ସମୟରେ ଠଉରେଇ ନଉଥିଲି–ଜୀବନସାରା ମତେ କେମିତି ଦହଗଞ୍ଜ ହୋଇ ଚଳିବାକୁ ପଡ଼ିବ । ଭବିଷ୍ୟତକୁ ମୋର ଆଖି ପାଉ ନଥିଲା । ସବୁଠାରୁ ବେଶି ଭାବିବାର ବସ୍ତୁ ଥିଲା–ବୋଉ ମରିଗଲା ପରେ ମୁଁ ଚଳିବି କେମିତି ?

 

ଦିନ ପରେ ଦିନ ଯେତିକି ଗଡ଼ିଚାଲିଲା ସେତିକି ସେତିକି ମୁଁ ତୋଫା ଦେଖାଗଲି । ଦିହମୁଣ୍ଡ, ଗୋଡ଼ହାତ ମୋର ପୂରି ପୂରିଗଲା । ମୁଁ ତ ବିଧବା, ଏସବୁରେ ମୋର ପ୍ରୟୋଜନ କ’ଣ ବା ଅଛି ? ଏସବୁ ଭାବି, ଏଥିରେ ମୁଣ୍ଡ ଖେଳେଇ ଅବା ଲାଭ କ’ଣ ? କର୍ମ ଆଦରି ମତେ ଜୀବନସାରା ବିତେଇବାକୁ ପଡ଼ିବ । ଏସବୁ ଭାବିଲା ବେଳେ ମୁଁ ନିଜକୁ କୁତ୍ସିତ କରିବାକୁ ଚେଷ୍ଟା କରେ । କଦାକାର ଦେଖାଗଲେ ମୋ ଆଡ଼କୁ ସମସ୍ତେ ଚାହିଁ ମୁହଁ ମୋଡ଼ିଦେବେ । ସେଇଥିଯୋଗୁ ମୁଁ ଜାଣିଶୁଣି ମୁଣ୍ଡ ଆଲୁବିଲା କରିଥାଏ । କୋଚଟ ମଇଳା ଲୁଗାଖଣ୍ଡେ ଦିହରେ ବେଢ଼େଇଥାଏ । ଆଖିରେ ମୋର ବିଜୁଳି ଖେଳେନି । ଭବିଷ୍ୟତ ଜୀବନର କଳାହାଣ୍ଡିଆ ବଉଦ ଘୋଟେଇ ଆସି ବେଳେବେଳେ ଆଖି ଦି’ଟିରୁ ମୋର ଝରିଆସେ ଧାରାଶ୍ରାବଣ । ରାଣ୍ଡମା’ର ଝିଅ । ପୁଣି ବାଳଶ୍ରୀ ବିଧବା । ଜୀବନର ସୁଖ କ’ଣ ମୁଁ ଜାଣେନି, ମୋତେ ଜଣାପଡ଼େ–ମୋ ଚାରିପଟର ଦୁନିଆ ଜିଭ ଲହ ଲହ କରି ସତେ ଅବା ମୋ ଆଡ଼କୁ ମାଡ଼ି ଆସୁଛି । ଆହା କରିବାକୁ ନିଜର ବୋଲି କେହି ହେଲେ ଆମର ନଥିଲେ ।

 

ମୁଁ ବିଧବା ହୋଇସାରିଲା ପରେ ବୋଉ ମୁଣ୍ଡରେ ଚିନ୍ତା ବୋଝ ଲଦିହୋଇ ତାକୁ ଦୋହଲେଇ ଦେଇଥିଲା । ଖିଆପିଆ ତା’ର ଠିକ୍ ନଥିଲା । ବେଳେବେଳେ ପାଗଳୀଙ୍କଭଳି ବସି କେତେ କ’ଣ ସେ ଗପେ । ବାପାଙ୍କ ବେଳର କଥା । ସେତେବେଳେ ଘରର ଚଳଣି । ଗୋଟେ କଥା ସାଙ୍ଗେ ଆଉ ଗୋଟେ କଥାର ଖିଅ ନଥାଏ । ଗୁଡ଼ିଆତୁଡ଼ିଆ ଭାବନା । ଗପି ଗପି ସେ କାମଦାମ ଓ ଖିଅପିଆ ଭୁଲିଯାଉଥିଲା । ଘରେ କାମ ବୋଲି କାଣିଚିଏ ନାହିଁ, ଅଥଚ ଖା’ପିଆ କରୁ କରୁ ଛାଇନେଉଟେ । ବୋଉ କ’ଣ କରୁଛି ତ କରୁଛି, ଗପୁଚ୍ଛି ତ ଗପୁଛି । ଏସବୁ ଦେଖି ମତେ ଭାରି ଭୟ ଲାଗେ । ବୋଉ କ’ଣ ପାଗଳୀ ହେଇଯିବ ନା କ’ଣ ? ଜଗନ୍ନାଥଙ୍କୁ ଡାକିବା ଛଡ଼ା ସେତେବେଳେ ମୋର ଆଉ କିଛିହେଲେ ସାହାଭରସା ନଥିଲା ।

 

ମଣିଷ ଅସହାୟ ହେଲେ, କେହି ତା’ର ସାହା ଭରସା ନ ଥିଲେ, ସେ ନିଜକୁ ବଡ଼ ଏକାକୀ ଅନୁଭବ କରେ । ତା’ ଚାରିପାଖର ଲୋକସମାଗମ, ମୁହଁଚିହ୍ନା ଲୋକ, ସାଇପଡ଼ିଶା, ନିକଟ ଓ ଦୂର ସମ୍ପର୍କୀୟ ବନ୍ଧୁ ସମସ୍ତେ ଦୂରେଇ ହୋଇ ରହିଯାଆନ୍ତି । ସାହାଯ୍ୟ କରିବା ତ ଦୂରର କଥା, ଆଡ଼େଇ ହୋଇ ରହିଗଲେ ଯାଇ ରକ୍ଷା । ଦାରିଦ୍ର୍ୟ ବନ୍ଧୁତାର ଦୂରତ୍ଵ ବଢ଼େଇଦିଏ । ଧନବଳ କି ଲୋକବଳ ନଥିଲେ ମଣିଷକୁ ନିଜ ଜୀବନ ସାଙ୍ଗେ ଲଢ଼ି ଲଢ଼ି ବାଟ ଚାଲିବାକୁ ପଡ଼େ । ଅସହାୟ ଓ ଦୁର୍ଦ୍ଦଶାଗ୍ରସ୍ତ ସାମାଜିକ ମଣିଷ କେତେ ବାଟ ଅବା ନିଜ ଗୋଡ଼ରେ ଠିଆହୋଇ ଚାଲିପାରିବ ?

 

ବୋଉ ଓ ମୁଁ । ଘରେ ଆମେ ଦି’ ଦି’ ଜଣ ବିଧବା ସ୍ତ୍ରୀଲୋକ । ବୋଉ ଭଲ ଭାବରେ ଜାଣିଥିଲା ରାଜୁବାବୁ କି ପ୍ରକାରର ମଣିଷ । କି ଉଦ୍ଦେଶ୍ୟ ନେଇ ସେ ଆମ ଘରକୁ ବେଶି ଯା’ଆସ କରନ୍ତି । ଆମ ସୁଖ ଦୁଃଖରେ ଭାଗ ନିଅନ୍ତି ଓ ନିଜର ଲୋକଭଳି ଚଳବିଚଳ ହୁଅନ୍ତି । ସେସବୁ ଜାଣିଶୁଣି ବି ବୋଉ ଆଖି ବୁଜି ଦଉଥିଲା ଓ ନ ଜାଣିବାର ଛଳନା କରୁଥିଲା । ବେଳେବେଳେ ସେ କହେ–କେତେବେଳେ ଆପଦବିପଦ ଅଛି କି ଭଲମନ୍ଦ ଅଛି । କିଛି ନ ହେଲେ ତ ଆମପାଇଁ ଆଗଭର ହୋଇ ସେ ବାହାରି ପାରିବେ । ଟଙ୍କାରେ କିଛି ସାହାଯ୍ୟ କରି ନ ପାରନ୍ତୁ ପଛକେ ତୁଣ୍ଡ ସାହାଯ୍ୟ ତ ଦେଇପାରିବେ ।

 

ତା’ଛଡ଼ା ବୋଉ ଆଉ ଗୋଟିଏ କଥା ସକାଶେ ମୋତେ ରାଜୁବାବୁଙ୍କ ସହିତ ଅବାଧ ମିଳାମିଶା କରିବାକୁ ସୁବିଧା ଦଉଥିଲା । ବୟସ୍କ ସ୍ତ୍ରୀଲୋକ–ସେ ବୋଉ ହଉ, ବଡ଼ ଭଉଣୀ ହଉ କି ବଡ଼ ଝିଅ ହଉ, ସମସ୍ତେ ଗୋଟିଏ ଉପାଦାନରେ ଗଢ଼ା । ସ୍ତ୍ରୀ ଜାତି । ସ୍ତ୍ରୀଲୋକ ହିଁ କେବଳ ଅନ୍ୟ ସ୍ତ୍ରୀର ପ୍ରକୃତ ଦୁଃଖ ଉପଲବ୍‍ଧି କରିପାରେ । ବୋଉ ମୋର ଭଲଭାବରେ ଜାଣିଥିଲା–ମୁଁ କେବେହେଲେ କୌଣସି ପୁରୁଷର ସଙ୍ଗଲାଭ କରି ନାହିଁ । ବିଧବା ହୋଇ ସାରିଲା ପରେ ମୋର ଭବିଷ୍ୟତ ଜୀବନରେ ବି ସେମିତି କୌଣସି ଆଶା ନଥିଲା । ଯେତେହେଲେ ତ ରକ୍ତମାଂସର ଶରୀର । ତେଣୁ ବୋଉର ନାରୀ-ମନ ହୁଏତ ବେଳେବେଳେ କାନ୍ଦି ଉଠୁଥିବ । ଯେତେଦିନଯାଏ ମଣିଷର ଭବିଷ୍ୟତ ଆଶା ଥାଏ, ଭବିଷ୍ୟତ ଜୀବନର ସୁନେଲି ସ୍ଵପ୍ନ ସେ ଦେଖୁଥାଏ, ସେତେଦିନ ଯାଏ ସେ ନିଜକୁ ଭଲ ବାଟରେ ଚାଲିବାକୁ ଦିଏ । ଯେତେ ପ୍ରକାର ଅନ୍ୟାୟ ଅସଦାଚରଣ ଓ ଅସାଧୁତା ସହିତ ସେ ଯୁଦ୍ଧ କରିବାରେ ଲାଗିଥାଏ । ଯେତେବେଳେ ସେସବୁର ଆଶା ମଣିଷ ହରେଇବସେ, ସେତେବେଳେ ଜୀବନ ତାକୁ ନିରର୍ଥକ ବୋଧହୁଏ । ଚରିତ୍ରବତ୍ତା, ସାଧୁତା, ଓ ନ୍ୟାୟପଥରୁ ଆପେ ଆପେ ସେ ବିଚ୍ୟୁତ ହୋଇଯାଏ । ଜାଣିଶୁଣି ଗୋଡ଼ ଖସାଇଦିଏ । ପରିଣାମ ପ୍ରତି ତା’ର ଭ୍ରୂକ୍ଷେପ ନଥାଏ । ଏଇଥିପାଇଁ ବୋଉ ହୁଏତ ବେଳେବେଳେ ଆମ ଦୁହିଙ୍କି ଘରେ ଏକାକୀ ଛାଡ଼ିଦେଇ ବାହାରକୁ ଚାଲିଯାଏ । ଦେଉଳକୁ ଯାଇ ଦିଅଁ ଦର୍ଶନ କରିବା ବୋଧହୁଏ ବାହାନା । ରାଜୁବାବୁଙ୍କ ପିଲାପିଲି ଏଣେ ଗାଁରେ ଥାଆନ୍ତି ।

 

ଖାଲି ରାଜୁବାବୁ ନୁହଁନ୍ତି, ଆମ ଘର ପାଖର ଆଉ କେତେ କେତେ ଲୋକଙ୍କର ବି ମୋ ଉପରେ ଆଖିଥାଏ । ଯିଏ ଯାହା ଉପାୟରେ ସୁଯୋଗ ଉଣ୍ଡୁଥାନ୍ତି । ଆଖି ଓ ମୁହଁରୁ ମୁଁ ସେମାନଙ୍କର ମନର କଥା ଭଲ ଭାବରେ ବୁଝିପାରେ । ଏପରିକି ଆମ ଘର ପାଖର ରମେଶବାବୁ–ତାକୁ ଆସି ପଚାଶ ପାଖାପାଖି ହବ । ନାତି ନାତୁଣୀ ଦେଖିଲେଣି । ସେ ବି ବୋଉକୁ ଖୋଜିବା ନାଁରେ ଆମ ଘରକୁ ପଶି ଆସନ୍ତି । ମୁଁ ବଡ଼ ସତର୍କ ଥାଏ । କାହା ମୁହଁକୁ ଚାହିଁ କଥାବାର୍ତ୍ତା କରେନି ବୋଲି ସେମାନେ ଆପେ ଆପେ ଆଡ଼େଇ ହୋଇ ଯାଆନ୍ତି । ମୁଣ୍ଡରେ ଓଢ଼ଣା ଓ ମନରେ ବଳ ଥିଲେ କେତେ କେତେ ଲୋକ ଆଡ଼େଇଯିବେ ।

 

ଏମିତି କେତେଦିନ ଅବା ଚଳେଇବାକୁ ପଡ଼ିବ ? ମଣିଷ ତ ଦେବତା ନୁହେଁ ? କେତେ ଦିନ ଅବା ଖଣ୍ଡା ଧାରରେ ସେ ଚାଲିପାରିବ ?

 

ଥରେ ବୋଉ ଗୋଟିଏ ବଡ଼ ଧରଣର ବେମାରରେ ପଡ଼ିଲା । ମୁଣ୍ଡ ଭ୍ରମହେଲା ଓ ଦିନଭିତରେ ଚାରି ପାଞ୍ଚ ଥର ସେ ମୂର୍ଚ୍ଛାଗଲା । ଆଗରୁ ବେଶ୍ ଭଲ ଥିଲା । ହଠାତ୍ ଦିନେ ଏଇ ପ୍ରକାର ମୂର୍ଚ୍ଛାଯିବା ଆରମ୍ଭ ହେଲା ଓ ସେ କ୍ରମେ କ୍ରମେ ଦୁର୍ବଳ ହୋଇପଡ଼ିଲା । ଦିହରେ କେବଳ ହାଡ଼ ଛ’ଖଣ୍ଡି । ଶେଷକୁ ନାକଦଣ୍ଡାରେ ଆସି ପ୍ରାଣ ରହିଲା । ତାକୁ ପଚାରିଲେ ସେ ରୋଗ ବିଷୟରେ କୌଣସି ଚିକିତ୍ସା କରିବାକୁ ମନାକରେ । କହେ–କେବଳ ଜଗନ୍ନାଥ ଭରସା । ଦିଅଁଙ୍କୁ କେବଳ ଡାକ । ତୋର ଯେବେ ନିଶ୍ଵାସ ପଡ଼ିଯିବ ତା’ହେଲେ ଅବା ରହିଯାଇପାରେ ।

 

ରାଜୁବାବୁଙ୍କ କପାଳକୁ ଶିକା ଛିଣ୍ଡିଲା । ଅବଶ୍ୟ ବୋଉ ବେରାମ ନେଇ ସେ ଚିନ୍ତିତ ଥିଲେ ଓ ପଇସାପତ୍ର କିଛି ବି ଖର୍ଚ୍ଚ କରୁଥିଲେ । କିନ୍ତୁ ବୋଉ ଦେହ ବ୍ୟସ୍ତହବାଟା ତାଙ୍କୁ ସୁବିଧା ଯୋଗେଇଦେଲା । ଅନ୍ୟ କିଏ କହିବାକୁ ନାହିଁ, କି କରିବାକୁ ନାହିଁ । ବରଂ ପ୍ରଶଂସା–ରାଜୁବାବୁ ନ ଲାଗିଥିଲେ, କୋକେଇ ବନ୍ଧା ସରନ୍ତାଣି । ଏ ହେଲା ତାଙ୍କପାଇଁ ଘୋଡ଼ଣି । ଲୋକନିନ୍ଦାରୁ ରକ୍ଷା ପାଇବାର ଉପାୟ । ତା’ପରେ ବୋଉର ରୋଗ ନାଁରେ ପ୍ରଚୁର ସୁବିଧା ରହିଛି । ରାଜୁବାବୁ ସେସବୁ ସୁବିଧା ହାସଲ କରିବାକୁ ଦାବିକରି ବସିଲେ । ଡାକ୍ତର କହି ଯାଇଛି–ଅମୁକ ଔଷଧ ଆସିବ, ଅମୁକ ଇଞ୍ଜେକ୍‍ସନ ଦିଆଯିବ କି ଫିସ୍ ଦିଆଯିବ । ମୁଁ ବେଳେବେଳେ ରାଜୁବାବୁଙ୍କୁ ଛଳ ଛଳ ଆଖିରେ ଆସି କହେ–ପଇସା ନାହିଁ, ସେସବୁ ଆସିବ କେମିତି ? ରୋଗୀ ବା ଭଲ ହେବ କେମିତି ? ରାଜୁବାବୁ ବଡ଼ ଆମାୟିକ ଭାବରେ ସେସବୁ କରିଯାଆନ୍ତି । ଅଫିସ ପରେ ପରେ ଦିନରାତି ଆସି ଖଟନ୍ତି । ସବୁ ବୁଝାସୁଝା କରନ୍ତି, କିନ୍ତୁ ଦାଉ ସାଧନ୍ତି ମୋ ଉପରେ । ମୋର ଶରୀର ଉପରେ । ମୋର ମାଂସଳ ଶରୀରରୁ ସେ ଯେପରି କଡ଼ାକ୍ରାନ୍ତି ଅଦାୟ କରନ୍ତି । ମୁଁ ବି ତାଙ୍କୁ କିଛି କହିପାରେନି-। ଟିକିଏ ସଙ୍ଗଲାଭ କରିବାକୁ ସେ ଯେପରି ଅନୁନୟ ବିନୟ କରନ୍ତି, ସେଇଥିରେ ମୁଁ ମୋର ଅବସ୍ଥା, ମୋର ବୈଧବ୍ୟ, ମୋର ଦୁଃଖଦୁର୍ଦ୍ଦଶାମୟ ଜୀବନ ସବୁକିଛି ଭୁଲିଯାଏ । ବୋଉ ଦିହ ଭଲ ହବାକୁ ତାଙ୍କର ଯେଉଁ ସ୍ଵାର୍ଥ-ତ୍ୟାଗ, ସେ କଥା ମନେ ପଡ଼ିଗଲେ ମୋର ମନ ଓ ଶରୀର ସବୁକିଛି ତାଙ୍କ ପାଖରେ ସମର୍ପଣ କରିଦେବାକୁ ମୁଁ ପଛାଏନି । ଔଷଧ ଖାଇ ବୋଉ ଦିହ ଟିକିଏ ଭଲ ଅଛି, ଟିକିଏ ସିଏ ଆଖିପକେଇ ଦେଇଛି । ଏଇ ଅବସରରେ ରାଜୁବାବୁ ଗୋଳମାଳ କରନି ବୋଲି କହି ଆର ଘରକୁ ମତେ ଡାକି ନିଅନ୍ତି । ତାଙ୍କ ସାଙ୍ଗରେ ମୁଁ ଭାସିଯାଏ ।

 

ମୋର ନୀରସ ଜୀବନ ଆସ୍ତେ ଆସ୍ତେ ସରସ ବୋଧହେଲା । ଆଗେ ଯେକୌଣସିମତେ ମନକୁ ଓ ଦିହକୁ ଶୁଖେଇବା ଥିଲା ମୋର କାମ । ମନ ଭିତରେ ଜୁଆରକୁ ବନ୍ଧ ପକେଇ ବାନ୍ଧି ରଖିବାର ଯୋଜନା ସଦାବେଳେ ମୁଁ କରୁଥିଲି । ବନ୍ଧରେ ଥରେ ଗଳିଆ ଦେଖାଦେଲେ, ଗଳିଆ ଦେଇ ଥରେ ପାଣି ଚାଲିଲେ ତାକୁ ଆଉ ରୋକିପାରିବା ସମ୍ଭବପର ହୁଏନି-। ଠିକ୍ ସେହିପରି ରାଜୁବାବୁ ମୋ ମନ ଭିତରେ ଜୁଆର ସୃଷ୍ଟି କରୁଥିଲେ । ଫଳରେ ମୁହଁ ମୋର ଦିନକୁ ଦିନ ତେଜୀୟାନ୍ ଦେଖାଗଲା । ଆଖିରେ ଲାଗିଗଲା ଆସି ବିଜୁଳି । ଦିହରେ କାହିଁ କୁଆଡ଼ୁ ବଳ ମାଡ଼ି ଆସିଲା । ଆଗ ଭଳି ମତେ ଆଉ ନିର୍ଜୋର ଜଣାପଡ଼ିଲାନି କି ମୁଁ ଆଉ ହତୋତ୍ସାହ ବୋଧ କଲିନି । ଆଗ ଭାବୁଥିଲି–ବୋଉ ଆଉ ଭଲ ହେଇ ପାରିବନି । ଇଆଡ଼ିକି ମନରେ ମୋର ଦମ୍ଭ ଆସିଲା–ରାଜୁବାବୁ ଅଛନ୍ତି, କାଲିକି କାଲି ବୋଉର ଦିହ ଭଲ ହୋଇଯିବ । ଆଗେ ଲୋକନିନ୍ଦାକୁ ଭୟ ଥିଲା । କେତେବେଳେ ବି ବିପଦ ଆସି ପଡ଼ିବ ।

 

ଲୋକ ଉପରେ ପଡ଼ି ଅନର୍ଥ ସୃଷ୍ଟି କରିବେ । ଯେକୌଣସି ପ୍ରକାରେ ଥରେ ଖାପଚରେ ପକେଇଦେଲେ ତେଣିକି ସ୍ଵାର୍ଥସିଦ୍ଧି କରିବା ସହଜ ହୁଏ । କିନ୍ତୁ ସେ ସବୁକୁ ମୁଁ ଆଉ ଭ୍ରୂକ୍ଷେପ କଲିନି । ରାଜୁବାବୁ ମତେ ଆଗରୁ କହିଥାନ୍ତି–ମାଡ଼ିମକଚି ଆଗକୁ ନ ଚାଲିଲେ ଦୁନିଆରେ ଚଳିପାରିବା ମୁସ୍କିଲ । ବାରଲୋକଙ୍କ କଥା ଶୁଣୁଥିଲେ ଘର କଣରେ କେବଳ ଲୁହ ଗଡ଼ାଇବା ହିଁ ସାର ହେବ ।

 

ରାଜୁବାବୁ ଘରେ ଥିଲେ ମତେ ବେଶି କିଛି ଭାବିବାକୁ ପଡ଼େନି । ମୁଁ ବେଶି କିଛି ଭାବିବାକୁ ସେ ସୁଯୋଗ ଦିଅନ୍ତିନି । ମୋ ମନ ଖରାପ ହେଇଥିବାର ଦେଖିଲେ ନାନା ଆଡ଼ର ଜିନିଷ ଆଣି, ନାନା କଥା କହି ମୋ ମନକୁ ଭୁଲେଇ ରଖନ୍ତି । ବୋଉ ରୋଗବିଷୟରେ ପଚାରିଲେ କହନ୍ତି–ସେମିତି କିଛି ସାଙ୍ଘାତିକ ନୁହେଁ । ବେଶି ବୟସ ହେଲେ ସେମିତି ହେଇଥାଏ । ଭାବିବାର ଦରକାର ନାହିଁ । ଅଳ୍ପ କେଇ ଦିନରେ ଭଲ ହେଇଯିବେ । ମୁଁ ବି ରୋଗ ବଇରାଗ ସମ୍ବନ୍ଧରେ କିଛି ଜାଣିନଥିଲି । ବେଳେବେଳେ ସନ୍ଦେହ ଆସୁଥିଲା–ବୋଉର ଏ ଶେଷ ଅବସ୍ଥା ନୁହେଁ ତ ?

 

ରାଜୁବାବୁ ଘରେ ନ ଥିଲାବେଳେ ମତେ ଅଘୋର ଚିନ୍ତା ଆସି ମାଡ଼ିବସେ । ମୁଣ୍ଡ ଉପରୁ ଆକାଶ ଛିଣ୍ଡି ପଡ଼ିଲା ଭଳି ଜଣାପଡ଼େ । ମୋର ଅବସ୍ଥା ଓ ମୋର ଚାରିପାଖର ଆବହାଓ୍ୟା ଭିନ୍ନ ଭିନ୍ନ ରୂପରେ ରାକ୍ଷସ ସାଜି ଯେପରି ଅବା ମୋ ଆଡ଼କୁ ମାଡ଼ି ଆସୁ ଥାଆନ୍ତି । ବୋଉ ମରିଗଲେ ମୁଁ କରିବି କ’ଣ? ଆହା ଟିକିଏ କରିବାକୁ କେହି ହେଲେ ନାହାନ୍ତି । ଚଳିବାକୁ ଜମି ଗୁଣ୍ଠେ ହେଲେ ନାହିଁ । ଯାହା ମାଣେ ଅଧେ ଅଛି ସେ ସମୁଦ୍ରକୁ ଶଙ୍ଖେ ବୋଲି ପାଣି । ତା’ ସାଙ୍ଗକୁ ମୋର କଞ୍ଚା ବୟସ । ଭିତରେ ବାହାରେ ସବୁଆଡ଼େ ବିପଦ । ବୋଉପାଇଁ ବାର୍ଲି କି ସାଗୁ କରିବା, ସମୟ ଉଣ୍ଡି ଔଷଧ ଦବା, ନିଜେ ଘର ଗୋଟାକର କାମ କରିବା ଓ ରାଜୁବାବୁଙ୍କର ମନ ଜଗିବା ଇତ୍ୟାଦି କାମ କରିବା ବାରପ୍ରକାର ଗୁଡ଼ିଆ ତୁଡ଼ିଆ ଭାବନା ମୋ ମନ ଭିତରେ ପଶିଯାଇ ମତେ ଦୋହଲେଇ ଦିଏ । ବେଳେବେଳେ ଭାବେ–ରାଜୁବାବୁ ମତେ ଖରାପ ବାଟକୁ ନେଇଯାଉ ନାହାନ୍ତି ତ ? ଯଦି କିଛି ସୁବିଧା ଅସୁବିଧା ଥାଏ, ସେ କ’ଣ ମତେ ସାହାଯ୍ୟ କରିପାରିବେ ? ଜୀବନ ସାରା କ’ଣ ମତେ ଭଲ ପାଇ ପାରିବେ ? ମୋର ଭଲ ମନ୍ଦ ବୁଝିପାରିବେ ? ତାଙ୍କର ତ ପୁଣି ପିଲାମାଇପ ଅଛନ୍ତି । ସେମାନେ ସିନା ଗାଁରେ ଅଛନ୍ତି । ପୁଣି ତ ପୁରୀ ଆସିବେ ? ଏମିତି ଅନେକ ଭାବନା ମୋ ମନରେ ଆସି ଧକ୍‍କା ଖାଏ ।

 

ବୋଉ ଦିହବେସ୍ତ ହବାର ପନ୍ଦର ଦିନ ବିତିଯାଇଥାଏ । ୟା ଭିତରେ ତା’ ଆଗ ଅବସ୍ଥାରେ କିଛି ପରିବର୍ତ୍ତନ ହୋଇଥିଲା ଭଳି ମୁଁ ଜାଣିପାରୁ ନଥିଲି । ଏତିକି ଜାଣୁଥିଲି–ବୋଉ ଔଷଧପତ୍ର ଖାଉଛି ଓ ରାଜୁବାବୁଙ୍କ ଦୟାରୁ ଚିକିତ୍ସାରେ ଅଛି । ଅନ୍ୟ ଲୋକ ଯିଏ ଯେତେ ସାହାଯ୍ୟ କରୁ ନା କାହିଁକି, ଏମିତି କେତେଗୁଡ଼ିଏ ଛୋଟକାଟର ଅଭାବ ଅସୁବିଧା ଅଛି ଯାହାକୁ ଅନ୍ୟ ଆଗରେ ପ୍ରକାଶ କରି ହୁଏନି । ସେସବୁ ନିଜ ଛଡ଼ା ଆଉ କେହି ହେଲେ ଜାଣି ପାରନ୍ତିନି । ସେମିତି କେତେ କେତେଟା ଅସୁବିଧା ଥିଲା । ବୋଉ ଦିହର ଜିନିଷ କେଇଟା ସାଇ ପଡ଼ିଶାର ଜଣେ ଲୋକ ହାତରେ ମୁଁ ବିକ୍ରି କରିବାକୁ ପଠେଇ ଦେଇଥିଲି । ବନ୍ଧା ପକେଇ ଥିଲେ କାମଟା ହୁଏତ ଚଳିଯାଇ ଥାଆନ୍ତା । କିନ୍ତୁ ମୁଁ ଭାବିଲି–ସେ ଜିନିଷ ତ ଆଉ ଫେରେଇ ଆଣିବା ସୁଯୋଗ ଜୁଟିବନି । ବିକି ଦେବା ହିଁ ଭଲ । ଏ ବିଷୟ ବୋଉକୁ ମୁଁ କହିନଥିଲି । ସେ ଜାଣିବାରେ ରାଜୁବାବୁ ଯାବତୀୟ ଖର୍ଚ୍ଚବାର୍ଚ୍ଚ ତୁଲଉଛନ୍ତି ।

 

ଜର ଟିକିଏ କମି ଆସିଲେ ବୋଉ ବେଳେବେଳେ ମତେ ତା’ପାଖରେ ବସିବାକୁ ଡାକେ-। ମୋ ମୁଣ୍ଡର ବାଳ ଆଉଁଷେ । ପିଠି ଓ ଦିହମୁଣ୍ଡରେ ହାତ ବୁଲେଇ ଆଣେ । ଚାଳ ଆଡ଼ିକି ଚାହିଁ, କେତେ କ’ଣ ଭାବେ । ମୋ ମୁହଁକୁ ବକ୍ ବକ୍ କରି ଅନାଏ । ଭାବୁଛି–ବୋଉ ବୋଧେ ସେତେବେଳେ କେବଳ ରାଜୁବାବୁଙ୍କ ସଙ୍ଗେ ମୋର ସମ୍ପର୍କ କଥା ହିଁ ଭାବୁଥାଏ । ରାଜୁବାବୁ ପରପୁରା ଲୋକ । ତାଙ୍କର ପିଲାକବିଲା ଅଛନ୍ତି । କ’ଣ ବା ତାଙ୍କର ସ୍ଵାର୍ଥ ଅଛି ? ହାତରୁ ଏତେ ଟଙ୍କା ପଇସା ଦେଇ କାହିଁକି ଅବା ସେ ସାହାଯ୍ୟ କରୁଛନ୍ତି ? ସେ ଭଲ ଭାବରେ ଜାଣିଥିଲା–ରାଜୁବାବୁଙ୍କ ସ୍ତ୍ରୀ ରୋଗିଣୀ । ସଦାବେଳେ ସେ ଥାଆନ୍ତି ଗାଁରେ । ସବୁ ମାସରେ ତାଙ୍କ ପାଇଁ ଔଷଧ ଖର୍ଚ୍ଚ । ବାହାହବା ଦିନଠୁ ଘରର ଡାଲି ଚାଉଳ ଖର୍ଚ୍ଚ ଭଳି ସବୁ ମାସରେ ତାଙ୍କ ପାଇଁ ଔଷଧ କିଣା ଚାଲିଛି । ରାଜୁବାବୁଙ୍କୁ ସେତେବେଳେ ଚାଳିଶି ଡେଇଁ ଯାଇଥିଲା । ତଥାପି ତାଙ୍କ ଆଖିରୁ ଜଣାପଡ଼େ, ଯେପରି ବା ସେ ଭୋକିଲା ଅଛନ୍ତି । ମତେ ପାଇବାକୁ ତାଙ୍କୁ ବେଶି କିଛି ପରିଶ୍ରମ କରିବାକୁ ପଡ଼େନି । ବଡ଼ ଶସ୍ତା ଓ ସୁବିଧାରେ ବି ମୁଁ ମିଳିଯାଉଥିଲି । ଏସବୁ ବୋଉ ବୋଧେ ଭଲ ଭାବରେ ଜାଣିପାରୁଥିଲା । ପାଟିରେ ନ କହିଲେ ବି ତା’ ଆଖିରୁ ମୁଁ ଏସବୁ ବୁଝିପାରୁଥିଲି । କିନ୍ତୁ କେତେ ଦିନ ଏମିତି ଚାଲିବ ? ଆପଦ ବିପଦ ଅଛି । କେତେ ଦିନ ବା ରହିଥିବ ଏ ଭରା-ଯୌବନ-। ଥନ୍ତରା କଟୁରୀଭଳି ସେଥିରୁ ତ ପୁଣି ଧାର ଖସିଯିବ । ରୂପର ଧାସ ପୁଣି ମଳିନ ପଡ଼ିଯିବ । ତା’ପରେ ଆଶା ଭରସା-ଶୂନ୍ୟ ଏକେଲା ଜୀବନ । ନିଜର ବୋଲି କେହି ହେଲେ ନାହାନ୍ତି । ମନେ ଅଛି–ବୋଉ ମୋର ଦିହ ମୁଣ୍ଡ ଆଉଁଷିଆଣି ମୋ ଆଡ଼ିକି ଚାହିଁ ଅନେକ ସମୟ ଧରି କେତେ କ’ଣ ଭାବି ସାରିଲା ପରେ ଅସରେ ଅସରେ କାନ୍ଦେ । କାନ୍ଦିଲେ ସେ ଦୁର୍ବଳ ହୋଇ ପଡ଼େ । ମନା କଲେ ବି ସେ ଶୁଣେନି ।

 

ଦିନେ ରାଜୁବାବୁ କୁଆଡ଼ୁ କିଛି ଟଙ୍କା ପଇସା ପାଇଥାଆନ୍ତି । ସେଦିନ କି ଗୋଟିଏ ପର୍ବ ଦିନ । ଆମ ଘରକୁ ଆସି କହିଲେ–ଭଲ ଭାବରେ ରନ୍ଧାବଢ଼ା କର । ଖିଅପିଆଟା ଆଜି ତୁମ ଆଡ଼େ । ତାଙ୍କ ଘରର ଚାକରାଣୀକି ସେଦିନ ରାନ୍ଧିବାକୁ ସେ ମନା କରିଦେଇଥାନ୍ତି । ବୋଉ ଦିହ ଆଗ ଅପେକ୍ଷା ଟିକିଏ ଭଲ ଥାଏ । ଆରାମରେ ସେ ଶୋଇ ରହିଥାଏ । ଡାକ୍ତରଙ୍କ ମତରେ ରୋଗୀକି ନିଦ ହବାଟା ଭଲ ଲକ୍ଷଣ । ଶୀଘ୍ର ସେ ଆରୋଗ୍ୟ ଲାଭ କରେ । ମୁଁ ବି ସେଇଥି ପାଇଁ ଆସ୍ଵସ୍ତ ଅନୁଭବ କରୁଥିଲି । ସେଦିନ ମୁଁ ରନ୍ଧାବଢ଼ାରେ ବ୍ୟସ୍ତ ଥିଲାବେଳେ ରାଜୁବାବୁ କେବଳ ସାନ୍ତ୍ୱନା ଦବାରେ ଲାଗିଥାନ୍ତି । ଜର ଶୀଘ୍ର ଭଲ ହେଇଯିବ । ଯାହା କିଛି ଭଲ ମନ୍ଦ ମୁଁ ବୁଝିବି । ବ୍ୟସ୍ତ ହବା କିଛି ଦରକାର ନାହିଁ । ଏହିପରି ଅନେକ ଅନେକ କଥା ସେ କହୁଥାନ୍ତି । ରୋଗୀ ଔଷଧ ନଖାଇ କେବଳ ତାଙ୍କର କଥା କେଇପଦ ଶୁଣିଲେ ରୋଗ ଆପେ ଆପେ ଭଲ ହେଇଯିବ-

 

ସଞ୍ଜବେଳୁ ରନ୍ଧାବଢ଼ା ସରିଗଲା । ରୋଗୀଘର । ଝିଅଟେ କାହିଁକି ଅବା ରାତିରେ ହଇରାଣ ହବ । ରନ୍ଧାରନ୍ଧି ସରିଲା ପରେ ରାଜୁବାବୁ ଖାଇ ବସିଲେ । ମୋ ରନ୍ଧାବଢ଼ାକୁ ସେଦିନ ସେ ଏତେ ପ୍ରଶଂସା କଲେ ଯେ ମୁଁ ଆତ୍ମବିଭୋର ହୋଇଗଲି । ମୁଁ ଯେ ନିଜେ ଏତେ ଭଲଭାବରେ ରାନ୍ଧି ଜାଣେ, ସେ କଥା ଆଗରୁ ଜାଣି ନଥିଲେ । ତାଙ୍କ ମୁହଁରୁ ନିଜର ପ୍ରଶଂସା ଶୁଣି ମନ ମୋର ଉଲୁସି ଉଠୁଥାଏ । କିନ୍ତୁ ଆଜି ଜାଣୁଛି–ସେଦିନ ରାଜୁବାବୁ ମତେ କାହିଁକି ଏତେ ପ୍ରଶଂସା କରୁଥିଲେ । ସେ ଭଲ ଭାବରେ ଜାଣିଥିଲେ–ସ୍ତ୍ରୀଲୋକଟିର ମନ ନବାକୁ ହେଲେ କି ତାକୁ ନିଜର କରିବାକୁ ଇଚ୍ଛା କଲେ, ପ୍ରଧାନ ଅସ୍ତ୍ର ହେଉଛି–ତା’ର ପ୍ରଶଂସା, ତା’ର କାମଦାମ, କଥା, ଚାଲି, ଓ ରୂପଯୌବନ ସବୁ ଏକାଠି କରି ତୂଳି ଉପରେ ନେଇ ଥୋଇଦବା । ସେସବୁ ଶୁଣିଲେ ଯେଡ଼େ ପଥର-ହୃଦୟର ସ୍ତ୍ରୀଲୋକଟିଏ ହଉନା କାହିଁକି, ସେ ନିଜର ହେଇଯିବ । ସୁବିଧା ସୁଯୋଗ ନପାଇ ଶରୀରଟିକି ଉପରେ ଆଣି ଅଜାଡ଼ି ନଦେଲେ ବି ତା’ର କଅଁଳ ସ୍ତ୍ରୀ ମନଟିକି ପ୍ରଶଂସାମୁଖର ପୁରୁଷ ଦିହରେ ଲଟେଇଦବ । ସୁବିଧାଥିଲେ ଶରୀରଟିକି ବି ଢାଳିଦବ ।

 

ସେ ନିଜେ ଖାଇସାରିଲା ପରେ ମତେ ଶୀଘ୍ର ଖିଆପିଆ ଶେଷ କରିବାକୁ କହିଲେ । କାଳେ ତାଙ୍କ ଆଗରେ ମୁଁ ଖାଇବାକୁ ସଙ୍କୋଚ ବୋଧ କରିବି, ସେଇଥିପାଇଁ ବୋଉ ପାଖକୁ ଯାଇ ସେଠାରେ ବସି ରହିଲେ । ବୋଉକୁ ସେତେବେଳେ ନିଘୋଡ଼ ନିଦ । ତା’ଖଟ ପାଖରେ ପଡ଼ିଥିବା ଗୋଟିଏ ଟୁଲରେ ବସି ରହି କି ଗୋଟେ ବହି ପଢ଼ିବାରେ ଲାଗିଗଲେ । ମୁଁ ଖିଆପିଆ ସାରି ଯେତେବେଳେ ବୋଉ ପାଖକୁ ଆସେ, ବୋଉକୁ ଡାକିବାକୁ ମୋତେ ସେ ମନା କଲେ । ସେ ଶୋଇ ପଡ଼ିଛନ୍ତି ତାଙ୍କୁ ଉଠାଅନି । ପାଖରେ ଗଣ୍ଡଗୋଳ କଲେ କାଳେ ଉଠିପଡ଼ିବେ ଏତିକି କହି ମୋତେ ଆର ଘରକୁ ଡାକିନେଲେ । ସେଦିନ ଆମେ ଏକାକୀ ଅନେକ ସମୟ ଧରି କଥା ହେଲୁ । କଥା ଭିତରେ ସେ ବେଶି କହୁଥାନ୍ତି–ଧାଈ, ନର୍ସ, ଗ୍ରାମସେବିକା, ସୂତାକଟା ଶିଖି ଅମ୍ବର ଚରଖାରେ ଚାକିରି କରିବା, ମାଷ୍ଟ୍ରାଣୀ ହବା କି ନାରୀ ଶିକ୍ଷାଶ୍ରମରେ ବୁଣାବୁଣି ଶିଖି ମାସକୁ ମାସ କିଛି ଉପାର୍ଜନ କରିବାକୁ କ୍ଷମ ହବା । ଯେକୌଣସି ପ୍ରକାରେ କିପରି ମୁଁ ଜୀବନସାରା ପୋଷି ହେବି, ସେହି ଥିଲା ଆମର ଆଲୋଚନାର ବସ୍ତୁ । ରାଜୁବାବୁଙ୍କ କଥାରେ ଯେ ମୋ ପ୍ରତି ତାଙ୍କର ଆନ୍ତରିକତା ନଥାଏ ଏକଥା, ମୁଁ କହୁନି । ତାଙ୍କର ପ୍ରତ୍ୟେକ କଥାକୁ କେବଳ ମୁଁ ମନା କରୁଥିଲି । ଭୟ ଥିଲା ଆମର ସମାଜ । ରକ୍ଷଣଶୀଳ ହିନ୍ଦୁ ବ୍ରାହ୍ମଣ ପରିବାରର ଝିଅ । ଦେଉଳରେ ସେବା ପୂଜା ପୁଣି ଆମର ସାତପୁରୁଷି କାରବାର । କୁଆଡ଼େ କେତେ ବ୍ରାହ୍ମଣ ଘରର ଝିଅ ଦୁତୀୟ ହୋଇ ଚାଲିଗଲେଣି । ପିଲାବାହ। ଉଠି ଯୁବତୀ ଝିଅ ବାହା ହେଲେଣି । କିନ୍ତୁ ଆମର ଗୋଷ୍ଠୀ ଭିନ୍ନ ଧରଣର । କେହିହେଲେ ଜଣେ ଆମ ଭିତରୁ ବାହାରି ଯାଇ ନାହାନ୍ତି । କେତେ କେତେ ବାଳଶ୍ରୀ ବିଧବା ଶୁଖି ଶୁଖି ମରିଯାଇଛନ୍ତି । ଏକାଦଶୀ ଦିନ ମରିଗଲେ କାନରେ ତାଙ୍କର ପାଣି ଦିଆ ହେଇଛି ଅଥଚ ଘରୁ ସେମାନେ ଗୋଡ଼ କାଢ଼ି ନାହାନ୍ତି । ଭିତରେ ଯାହା କିଛି ଗଲତି ଥାଉ ନା କାହିଁକି, ବାହାରକୁ ଆମ ଗୋଷ୍ଠୀର ନିୟମ କାନୁନ୍ ବଜ୍ରଠାରୁ ବି ଆଉରି କଠୋର । ରାଜୁବାବୁ ବେଳେବେଳେ ଆମ ଘରେ ଆସି ବସ ଉଠ କରନ୍ତି ବୋଲି ଆମକୁ କେତେ ଟାହିଟାପରା ସହ୍ୟ କରିବାକୁ ପଡ଼େ । ଆମ କୁଳର କୋଉ ଝିଅ କୋଉଠି ନିଜ ଗୋଡ଼ରେ ନିଜେ ଠିଆ ହବା, ଚାକିରି କରି ନିଜେ ପୋଷି ହବା ଦେଖା ନଥିଲା । ମୁଁ ଯାଇଥିଲେ ହୋଇଥାନ୍ତି ପ୍ରଥମ । ଲୋକନିନ୍ଦା ଓ ଅପବାଦକୁ ସମ୍ଭାଳି ପାରିଲେ ତ ?’’

 

ପ୍ରାୟ ଘଣ୍ଟେ ଖଣ୍ଡେ ହବ ଆମର କଥାବାର୍ତ୍ତା ଏମିତି ଚାଲିଥାଏ–

 

କହୁଛି ବୋଲି ଆପଣ ଖରାପ ଭାବିବେନି । ମୁଁ ମର୍ମେ ମର୍ମେ ଅନୁଭବ କରୁଛି । ଆପଣଙ୍କର ହୃଦୟ ଅଛି । ପରର ଦୁଃଖ ଆପଣ ସହି ପାରନ୍ତିନି । ପରପିଲାଟିଏ କାନ୍ଦୁଥିବାର ଦେଖିଲେ ଆପଣ ଲୁହ ପୋଛିଦବାକୁ ଦୌଡ଼ି ଆସନ୍ତି । ମୋଭଳି ଜଣେ ଅସହାୟା ମାଇପିର କଥା ଶୁଣିବାକୁ ଆପଣ ଯେ କେତେ ବ୍ୟଗ୍ର ସେ କଥା ମୁଁ ଆପଣଙ୍କ ଆଖିରୁ ହିଁ ଜାଣିପାରୁଛି । ତେଣୁ କୌଣସି କଥା ଆପଣଙ୍କୁ ଲୁଚେଇ ରଖିପାରୁନି । ଯାହା ସବୁ ଅଙ୍ଗେ ନିଭେଇଛି, ଗୋଟି ଗୋଟି କହି ଯାଉଛି । ମୋର ଯାହା କିଛି ସବୁ ଆଜି ମୁଁ କହିଯିବି । ନିଜ ବିଷୟରେ ଏସବୁ କହୁଛି ବୋଲି ଆଜି ମୁଁ ଲଜ୍ଜା ବୋଧ କରୁନି । କରୁନି କେବଳ ଆପଣଙ୍କ ପାଖରେ । ଆପଣଙ୍କ ସାଙ୍ଗେ ମୋର ବେଶି କିଛି ଆଳାପ ନଥିଲେ ବି ମୁଁ ଭଲରୂପେ ଆପଣଙ୍କ ହୃଦୟକୁ ଚିହ୍ନିପାରିଛି ।

 

ସେଇ ସ୍ତ୍ରୀଲୋକଟିର ମୁହଁକୁ କେବଳ ମୁଁ ଅନେଇ ରହିଥାଏ । ବେଳେବେଳେ ତା’ ଆଖି ଭିତରେ ମୁଁ ତାକୁ ବୁଝିବାକୁ ଚେଷ୍ଟା କରୁଥାଏ । ସେ ସଙ୍କୋଚ ନକରି ସବୁକିଛି କହି ଯାଉଥାଏ ।

 

ସ୍ତ୍ରୀଲୋକ ଜଣଙ୍କ କହି ଚାଲିଲା–

 

“ରାଜୁବାବୁଙ୍କ ସାଙ୍ଗେ ମୋର ଏଇ କଥାବାର୍ତ୍ତା ଚାଲିଥିଲା ବେଳେ ସେ ମୋ ଦିହକୁ ଲାଗିକରି ବସିଥାଆନ୍ତି । କହୁ କହୁ ମୁଁ କହିଦେଲି–ଦେଖିବା, କେତେଦିନ ଆମକୁ ଆପଣ ମନେ ରଖୁଛନ୍ତି । ସାଙ୍ଗେ ସାଙ୍ଗେ ଦି’ ବାହୁକୁ ମୋ ବେକ ଚାରିପାଖେ ବେଢ଼େଇ ଦେଇ ମତେ ସେ ଚିପି ଧରିଲେ ।’’

 

ଆପଣଙ୍କ ଆଗରେ ସବୁକିଛି ଲାଜ ସରମ ମୁଁ ଛାଡ଼ି ଦେଇଛି । ସମସ୍ତେ ଜାଣନ୍ତି ମୁଁ ଚରିତ୍ରହୀନା । ଆପଣ ଆଉ ଜଣେ ଲୋକ । ସେଇ କଥାଇ ଜାଣିବେ । ସେଥିପାଇଁ ମୋର ଆଜି ଭ୍ରୂକ୍ଷେପ ନାହିଁ ।

 

ରାଜୁବାବୁ ସେଦିନ ମୋତେ ଏତେ ଜୋରରେ ଚିପି ଧରିଲେ ଯେ, ମୁଁ ଆକତାମାକତା ହୋଇଗଲି । ଦେହସାରା ଉଷୁମ ଶିହରଣ ଅନୁଭବ କଲି । ଖସିଯିବାକୁ ଚେଷ୍ଟା କଲେ ବି ପାରିଲିନି-। ସେ କ’ଣ ଛାଡ଼ିବା ଜନ୍ତୁ ? ସେତେବେଳେ ମୋତେ ଜଣା ପଡ଼ିଲା–ଆମକୁ ଯେତିକି ପରିମାଣରେ ସେ ସାହାଯ୍ୟ କରନ୍ତି, ସେ ସବୁକୁ ମୋ ଶରୀରରୁ କଡ଼ାକ୍ରାନ୍ତି ହିସାବ କରି ଆଦାୟ କରିବାକୁ ଚାହାନ୍ତି । ସବୁକିଛି ଚିପୁଡ଼ି ନବାକୁ ଇଚ୍ଛା କରନ୍ତି । ପ୍ରଥମେ ପ୍ରଥମେ ମୋର ତାଙ୍କପ୍ରତି ଘୃଣା ଆସିଲା । ତାଙ୍କୁ ଗୋଟିଏ ପଶୁ ଭଳି ମୁଁ ଭାବିଲି । ସେତେବେଳେ ମୋ ଆଖିରେ ସେ ରାଜୁବାବୁ ଭଳି ଦେଖାଗଲେନି । ସତେ ଅବା ଗୋଟିଏ ମହାବଳ ବାଘ । ସତେ ଅବା ଲମ୍ବା ଲମ୍ବା ଲୋମ ଓ ନଖ ଦନ୍ତଥିବା ଗୋଟିଏ ବନ୍ୟ ଜନ୍ତୁ । ଅଳ୍ପ ସମୟ ପରେ କିଛି ନଜାଣିଲା ଭଳି ସେ ବାହାରକୁ ଚାଲିଆସିଲେ । ଦେଖିଲେ–ବୋଉ ଆଗଭଳି ନିଘୋଡ଼ ନିଦରେ ଶୋଇରହିଛି । ବାହାରେ ଥାଇ କହିଲେ–ରାତିରେ ଅମୁକ ଔଷଧ ଦବୁ, ନିଦରୁ ଉଠେଇ କମଳା, ବେଦନା, ବାର୍ଲି କି ସାଗୁ କିଛିହେଲେ ଖାଇବାକୁ ଦବୁ । ବୋଉକୁ ଭୋକରେ ଶୋଇବାକୁ ଦବୁନି । ମୁଁ ଯାଉଛି । ସକାଳେ ଆସିବି । ଦୁଆର ଦେ ।

 

ଦୁଆର ଦେଇ ସାରି କିଛି ବେଳଯାଏ ସେହି ଘରେ ମୁଁ ବସି ରହିଲି । ଫିଟି ପଡ଼ିଥିବା ଗଣ୍ଠିଟି ବାନ୍ଧିଦେଲି । ମୁଣ୍ଡ ବାଳରେ ହାତ ବୁଲେଇ ସାଉଁଳେଇ ଆଣିଲି । ଲୁଗାପଟା ଭଲ ଭାବରେ ସଜାଡ଼ି ନେଲି । ଦର୍ପଣରେ ଯାଇ ଦେଖିଲି–ମୁହଁ ମୋର ଛେଚେରା ପଡ଼ି ଯାଇଛି । କିନ୍ତୁ ଦର୍ପଣଦେଇ ଲକ୍ଷ୍ୟ କରିଛି–ମୋର ସାରା ଶରୀର ସତେ ଯେମିତି ଉଲୁସି ଉଠୁଥିଲା । ମୋର ସେଇ ଅସଜଡ଼ା ଦିହକୁ ଦର୍ପଣ ଭିତରେ ଅନେଇ ସେଦିନ ମୁଁ ଚମକି ପଡ଼ିଲି । ନିଜକୁ ଏତେ ସୁନ୍ଦର ଭାବରେ କେବେହେଲେ ତ ମୁଁ ଦେଖି ନଥିଲି ? ଦିହକୁ ମୋର ଶୁଖେଇ ଶୁଖେଇ ଖିନ କରିଦେବି ବୋଲି ଆଗେ ମୁଁ ଭାବି ନେଇଥିଲି । କିନ୍ତୁ ହାଠାତ୍ ମୋର ମନେ ହେଲା–ମୁଁ ଭଲ କରିଛି । ମୋ ଦିହକୁ ବଦଳ ଦେଇ ଅନେକ କିଛି ମୁଁ ପାଇପାରିବି । ଆଖି କଣରେ ଦୁନିଆକୁ ବାନ୍ଧି ରଖିପାରିବି । କଥା କହି ସମସ୍ତଙ୍କୁ ଭୁଲେଇ ଦେଇପାରିବି । ଅନ୍ୟର ଅନୁରୋଧକୁ ମନାକରି, ଅନ୍ୟ ଉପରେ ବେଳେବେଳେ ରାଗ ହୋଇ, ଅଭିମାନ କରି, ତା’ ପାଖରେ ନିଜ ମନକୁ ସମର୍ପଣ କରିଦେଇ ପାରିବି । ଅନ୍ୟ ଲୋକକୁ ଘୃଣା କରି ତାକୁ ଭଲ ପାଇପାରିବି । ଭୁଲିଯିବାକୁ ଚେଷ୍ଟା କରି ଗଳାମାଳୀ କରି ବସିବି । ସେତିକିବେଳେ ମୋ ମନରେ କାହିଁ ଧାରଣା ହେଲା–ଦୁନିଆଁରେ ଖାଇପିଇ ବଞ୍ଚି ରହିବା ମୋ ପକ୍ଷରେ ବେଶି କିଛି କଷ୍ଟକର ହବନି । ମରି ମରି ବଞ୍ଚିରହିବା ଅପେକ୍ଷା ଯୋଉ କେତେଟା ଦିନ ଏ ଦୁନିଆରେ ଅଛି, ଯେକୌଣସି ପ୍ରକାରେ ମଲା ପର୍ଯ୍ୟନ୍ତ ମଣିଷ ଯେବେ ସୁଖରେ ଚଳିପାରିଲା, ସେଥିରେ ଦୋଷ ବା କ’ଣ ଅଛି ? ରାଜୁବାବୁ ଆଜି ଅଛନ୍ତି–କାଲି ହୁଏତ ଚାଲିଯିବେ । ପୂରନ୍ତା ଦିହ ଥିଲେ, ଆଖି କୋଣରେ ହସ ଥିଲେ ଓ ଓଠରେ ମହୁ ଥିଲେ କେତେ କେତେ ରାଜୁବାବୁ ଆସି ଗୋଡ଼ତଳେ ଲୋଟିଯିବେ ।

 

ସାଙ୍ଗେ ସାଙ୍ଗେ ମନେପଡ଼ିଲା ଆସି ବୋଉ । ଆର ଘରେ ସେ ଶୋଇ ରହିଛି । ତାକୁ ଔଷଧ ଦବାକୁ ପଡ଼ିବ । ବାର୍ଲି କି ସାଗୁ ଖୁଆଇବାକୁ ପଡ଼ିବ । ମନେମନେ ଭାବୁଥିଲି–ବୋଉ ମୋର ଆଉ କେତେଟା ବର୍ଷ ବଞ୍ଚିଯା’ନ୍ତା କି ହେଲେ ? ସେଇ ମୋର ଗୋଟିଏ ଲୋକ, ଯିଏ ମୋ ଦୁଃଖରେ ଭାଗି ହୋଇପାରିବ । ଆହା ବୋଲି କହିପାରିବ । ଦିହରୁ ଧୂଳି ଝାଡ଼ିଦେବ । ସେଇ ମୋର ବୋଉ ।

 

ମଣିଷ ଭାବେ ଗୋଟେ ପ୍ରକାର । କିନ୍ତୁ ଫଳ ଫଳେ ତା’ର ଓଲଟା । ସୁଅକୁ ବନ୍ଧପକେଇ ଗୋଟିଏ ଆଡ଼କୁ ନେଇ ଯିବାକୁ ମଣିଷ ଭାବେ । କିନ୍ତୁ ଗଳିଆ ପଡ଼ି ସୁଅ ଛୁଟେ ଆଉ ଗୋଟେଆଡ଼େ । ତାକୁ ନିଜ ଇଚ୍ଛା ଅନୁସାରେ ନେଇପାରିବା ମଣିଷର ଯେପରି ସାଧ୍ୟାତୀତ ।

 

ମୁଁ ଭାବୁଥିଲି–ବୋଉର ଆଉ ଅଳ୍ପ କେଇଟା ଦିନ । ମତେ ଏକେଲା ଛାଡ଼ିଦେଇ ବୋଉ ବୋଧେ ଆଖି ବୁଜିବ । ତା’ର ଅବସ୍ଥା ବି ସେହି ରକମର ହୋଇଥିଲା । କିନ୍ତୁ ଏମିତି ଆଶ୍ଚର୍ଯ୍ୟ ଭାବରେ ତା’ ଦିହ ଭଲ ଆଡ଼କୁ ଗତିକରିବ ବୋଲି ମୁଁ ଆଶା କରିନଥିଲି । ରାଜୁବାବୁ କି ଗୋଟେ ଔଷଧ ଆଣିଦେଲେ ଓ ସେଇଟା ଏମିତି ଭାବରେ କାମ ଦେଲା ଯେ, ବୋଉ ତା’ର ପୂର୍ବ ଅବସ୍ଥାକୁ ଫେରି ଆସିଲା । ମୁଁ ବି ଆଶ୍ଵସ୍ତ ହେଲି । ଯା’ ହଉ, ଦୁନିଆରେ ମତେ ଏକେଲା ହୋଇ ଚଳିବାକୁ କେତେଟା ଦିନ ଆଉ ବାକି ଅଛି ।

 

ଦିନେ ମା’ ଝିଏ ଆମେ ବସି କଥା ହଉଛୁ–ରାଜୁବାବୁ ଖରାବେଳିଆ ଆମ ଘରେ ଆସି ପହଞ୍ଚିଗଲେ । ଝାଳରେ ସାର୍ଟଟା ତାଙ୍କର ଭିଜି ଯାଇଥିଲା । ଓଠ ମୁହଁ ଶୁଖି ସେ କଳାକାଠ ଦେଖା ଯାଉଥାନ୍ତି । ଟେଲିଗ୍ରାମଟେ ଆଣି ଆମକୁ ଦେଖେଇଲେ । ଗାଁରେ ତାଙ୍କ ସ୍ତ୍ରୀ ଭୀଷଣ ବେରାମ । ବେହୋସ୍ ହେଇ ପଡ଼ିଛନ୍ତି । ଚେତା ଆସୁନି । ଏ ଖବର ଶୁଣି ଆମେ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡ଼ିଲୁ । ବୋଉ କହିଲା–ଡାକ୍ତର ସାଙ୍ଗରେ ନେଇ ଅତି ଶୀଘ୍ର ଗାଁକୁ ଯାଅ । ଦିହବେସ୍ତ କଥା ଆଗରୁ କିଛି ଶୁଣା ନଥିଲା । ହଠାତ୍ ଏସବୁ ଘଟିଲା ବା କେମିତି ? ରାଜୁବାବୁ କହିଲେ–ତାଙ୍କ ବାହା ହବାର ଦି’ତିନି ବର୍ଷ ପରେ ଏମିତି ଗୋଟିଏ ରୋଗ ତାଙ୍କର ଦେଖା ଦେଇଥିଲା । କିନ୍ତୁ ଝିଅଟିଏ ଜନ୍ମ ହେଇସାରିଲା ପରେ ସେ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲା । ସେ ରୋଗ ଆଉ ଥରେ ବାହାରିବା ଅର୍ଥ ବଡ଼ ବିପଦ୍‍ଜନକ । ପୁରୁଣା ରୋଗ ବୟସ ଗଡ଼ି ଯିବାବେଳେ ବାହାରିଲେ ଭଲ ହବା ମହାନ୍ କଷ୍ଟ । ସେ ଯାହାକିଛି ହଉ, ରାଜୁବାବୁ ଘଣ୍ଟାକ ଭିତରେ ମଟର ଖଣ୍ଡେ ଠିକ୍ କରି ସାଙ୍ଗରେ ଡାକ୍ତର ନେଇ ଗାଁକୁ ବାହାରି ପଡ଼ିଲେ ।

 

ରାଜୁବାବୁ ଗାଁକୁ ଚାଲିଗଲେ । କିନ୍ତୁ ମା’ ଝିଏ ଆମେ ବଡ଼ ଅଣନିଶ୍ଵାସୀ ହୋଇ ଅପେକ୍ଷା କରିଥାଉ । କ’ଣ ହେଲା ? ଜାଣିବାର ଆମର ଉପାୟ ନାହିଁ । କେବଳ ଦାଣ୍ଡଦୁଆରକୁ ବାଡ଼ିଦୁଆର ହଉଥାଉ । ଏମିତି ଦିନଟି ବିତିଗଲା । ଆର ଦିନ ସକାଳେ ମୁଁ ଉଠି ମୁହଁ ଧୋଉଛି, ଦେଖିଲି–ରାଜୁବାବୁଙ୍କ ଚାକରାଣୀ ଲୁହ ଛଳ ଛଳ କରି ଆମ ଘର ଆଡ଼କୁ ଆସୁଛି । ତାକୁ ପଚାରିବାକୁ ଆଉ କିଛି ବାକି ନଥିଲା । ମତେ ଓ ବୋଉକୁ ଦେଖିଲାମାତ୍ରେ ସେ ଭୋ କରି କାନ୍ଦି ଉଠିଲା । ଗାଁରୁ ଲୋକ ଆସିଛି । କାଲି ସଞ୍ଜବେଳେ ସାଆନ୍ତାଣୀ ଚାଲିଗଲେ । ରୋଗ ବଇରାଗ କିଛି ବୋଲି କିଛି ନାହିଁ । କେତେଟା ଦିନ ହେଲେ ଭୋଗ କରିଥାନ୍ତେ, ଗୁହ ମୂତ ହେଇଥାନ୍ତେ ? ଜାଣିଥାଆନ୍ତୁ–ରୋଗ ଭଲ ହୋଇ ପାରିଲାନି । ପାରୁପର୍ଯ୍ୟନ୍ତ ଚେଷ୍ଟା ହେଲା, ମାସେ ପନ୍ଦର ଦିନ ପଡ଼ିଲେ । ସଜ ଫୁଟନ୍ତା ମଣିଷ, ଚାହୁଁ ଚାହୁଁ ଟଳି ପଡ଼ିଲେ ।

 

ଏ ଖବର ଶୁଣି ମୁଁ କେତେ ସମୟଯାଏ ଗୁମ୍ ମାରି ଆଗ ବସିଗଲି । ହାଡ଼ କେଇଖଣ୍ଡ ଉପରେ ଚମ ମାଉଁସ ଘେରା ସୁନ୍ଦର ମଣିଷ ଶରୀର । ତାକୁଇ ନେଇ ଭିଡ଼ାଓଟରା, କେତେ ମାନ ଅଭିମାନ, ହସ କାନ୍ଦ, କଳି ତକରାଳ ଓ ହଣାକଟା । ପାଉଁଶ ମୁଠିକ ହିଁ କେବଳ ସାର । ମାଟିର ଶରୀର ଦିନେ ନା ଦିନେ ମାଟିରେ ମିଶିଯିବ, ଅଥଚ ସେଇ ଶରୀରଟି ପାଇଁ ମଣିଷର କେତେ ଯତ୍ନ ଓ ଦିନ ରାତି ଭାବନା । କେମିତି ତାକୁ ସଜେଇ ରଖିବ ।

 

ପ୍ରକୃତରେ ରାଜୁବାବୁଙ୍କର ସ୍ତ୍ରୀଙ୍କ ମଲା ଖବର ଶୁଣି ମୋର ଗୋଟେ ପ୍ରକାର ସଂସାର ପ୍ରତି ମାୟାମମତା ତୁଟିଗଲା । ଭାବୁଥିଲି–ମୋର ପୂରନ୍ତା ଦିହକୁ ବିକି ଭାଙ୍ଗି ଜୀବନଟା ଅନ୍ତତଃ ସୁରୁଖୁରୁରେ ବିତେଇଦେଇ ପାରିବି । ଏ ଖବର ଶୁଣିସାରିଲା ପରେ ସଂସାରଟା ମୋତେ ଅଳୀକ ବୋଧ ହେଲା । ବୋଉ ଅନେକ ସମୟ ଧରି ଲୁହ ଗଡ଼େଇ କାନ୍ଦିଲା । କାନ୍ଦୁ କାନ୍ଦୁ କହି ପକେଇଲା–ଆମର ଆଶାଭରସା ଟିକକ ଆଜିଠୁ ତୁଟିଗଲା । କିନ୍ତୁ ମୁଁ କେବଳ ଆଣ୍ଠୁ ଉପରେ ଓଠ ରଖି ଗୁମ୍‍ମାରି ଅନେକ ସମୟ ଧରି ବସି ରହିଲି । ସେଦିନ ଆମର ରୋଷେଇ ବନ୍ଦ । ଦୁନିଆରେ ଅଢ଼େଇ ଦିନପାଇଁ ମଣିଷର ଏଇ ଲୀଳାଖେଳା କଥା ଭାବୁ ଭାବୁ ମୋ ଜୀବନ କଥା ବି ଭାବନା ଭିତରେ ଧକ୍‍କା ଖାଇଲା । ଭାବି ଭାବି ମୁଁ ବଡ଼ ହାଲିଆ ବୋଧ କଲି । ହାଇ ଉପରେ ହାଇ ଆସି ମତେ ବିଛଣା ଉପରେ ଶୁଆଇଦେଲା ।

 

ଉଠିଲାବେଳକୁ ଛାଇ ନେଉଟି ଗଲାଣି । ଉଠୁ ଉଠୁ ମନରେ ସେଇକଥା । ମୁଁ ବସିରହି କେବଳ ଆକାଶଟା ଆଡ଼କୁ ଅନେଇଥାଏ । ଆକାଶରେ ସେତେବେଳେ ଘୂରି ବୁଲୁଥିଲା ନାଲି ନାଲି ଚେକା ବଉଦ । ଫଗୁରେ ବୋଳା । ଘନ କଳାହାଣ୍ଡିଆ ବଉଦ ଯେବେ ଆକାଶସାରା ସବୁବେଳେ ଛେଇ ହୋଇ ରହୁଥାନ୍ତା, ତା’ହେଲେ ଜୀବନ କ’ଣ ସମ୍ଭବପର ହୁଅନ୍ତା ? ଫଗୁଆ ଚେକି ଚେକି ମାଛକାତିଆ ମେଘର ଫାଙ୍କରେ ଖୋଲା ଲଙ୍ଗଳା ଆକାଶ । ମନ ମୋର ସେମିତି ଆସ୍ତେ ଆସ୍ତେ ସଫା ଫିଟି ଆସୁଥିଲା । ମନେପଡ଼ିଲା–ସକାଳ ପହରୁ କିଛିହେଲେ ଖାଇନି । ବୋଉ କେତେ ଥର ବଳେଇବାରୁ ତାକୁ ମନା କରିଦେଇଛି । ବୋଉକୁ ଔଷଧ ଦବା କଥା ବି ମୁଁ ଭୁଲିଯାଇଥିଲି । କାମରେ ମନଲଗେଇଲେ ଅବା ରାଜୁବାବୁଙ୍କ କଥା ଭୁଲିଯାଇପାରିବି । ତା’ ନହେଲେ କିଛି କରିବା ମୋ ପକ୍ଷରେ ସମ୍ଭବପର ହେଲାନି । ଅଳ୍ପେ ବହୁତେ କିଛି ଭୁଲିଯିବାରୁ ଅନ୍ୟ କିଛି କାମ ମୁଁ କରିପାରିଲେ । ଯେବେ ଏଇ ଭୁଲିଯିବାଟା ସମ୍ଭବପର ନ ହୁଅନ୍ତା, ତା’ହେଲେ ମଣିଷ ଆଉ କିଛି କରିପାରନ୍ତା କି ନାହିଁ ସନ୍ଦେହ । କାମ କରି ଯାଉ ଯାଉ ବେଳେବେଳେ ରାଜୁବାବୁ ମୋ ମନ ଭିତରେ ଆସି ହାବୁଡ଼ି ଯାଆନ୍ତି । ହାତ ମୋର ଶିଥିଳ ହୁଏ । ମନର ଗଣ୍ଠି ହୁଗୁଳିଯାଏ । ମତେ ତ ପୁଣି ବଞ୍ଚିରହିବାକୁ ପଡ଼ିବ । ବଞ୍ଚି ରହିଲେ ନିଶ୍ଚେ ହେଲେ ମଣିଷ ଠୋକର ଖାଇବ ଓ ତା’ର ଆଣ୍ଠୁ ଗଣ୍ଠି ଛିଣ୍ଡିବ । ସେସବୁକୁ ଭୁଲି ଆଗେଇ ନ ପାରିଲେ ମଣିଷ ପଙ୍ଗୁ ହୋଇ ପଡ଼ିରହିବ, ଚାଲି ପାରିବନି ।

 

ରାଜୁବାବୁଙ୍କର ସ୍ତ୍ରୀଙ୍କୁ ମୁଁ ଖୁଡ଼ୀ ବୋଲି ଡାକୁଥିଲି । ମୋର ହେତୁ ହେଲାଦିନୁ ସେ ରୋଗିଣୀ । ମାସକେ ପଚିଶ ଦିନ ତାଙ୍କପାଇଁ ପଥି ସଜାଡ଼ିବାକୁ ପଡ଼େ । କୋଉଦିନ ପେଟମରା ତ କୋଉଦିନ ଅଧିକପାଳୀ, କମ୍ପ ମିଶା ଜର ଓ ନାଳଝାଡ଼ା । ଅର୍ଶ ଓ ଆମ୍ବଗୁଡ଼ୁମ ଆଦି ସବୁ ରୋଗର ଖଣି ସେଇ ଖୁଡ଼ୀ । ସେ ଘର ଚଳେଇବେ କ’ଣ ? ତାଙ୍କ ପିଛା ଗୋଟେ ଲୋକ ଅନବରତ ଦରକାର । ସଦାବେଳେ ତାଙ୍କର କଣ୍ଟା ଦୋହଲୁଥାଏ । ଫୁଙ୍କିଦେଲେ ପଡ଼ିଯିବେ । ଶୁଣୁଥିଲି–ତାଙ୍କ ଅଭିଆଡ଼ି ବେଳେ ମେଲେରିଆ ଭୋଗି ଭୋଗି ସେ ଶାଶୁ ଘରକୁ ଆସିଥିଲେ । ବାହା ହବାର ବର୍ଷ ଦି’ ତିନିଟା ପର୍ଯ୍ୟନ୍ତ ସେ ଭଲ ଥିଲେ । ପୁଅ ଝିଅ ତାଙ୍କର ଦି’ଟି । ପୁଅ କୈଳାଶକୁ ସାତ ବର୍ଷ ଓ ଝିଅ ଗୀତାକୁ ପାଞ୍ଚ ବର୍ଷ । ଆଉ ପିଲାପିଲି ହବାକୁ ତାଙ୍କର ଇଚ୍ଛା ନଥିଲା । ଶରୀରରେ ବଳ ବି ନଥିଲା । କେବଳ ସେଇଥିପାଇଁ ସେ ରାଜୁବାବୁଙ୍କଠାରୁ ଦୂରେଇ ହୋଇ ରହିବାକୁ ସବୁବେଳେ ସୁଖ ପାଉଥିଲେ । ଗାଁରେ ରହିବା ସୁବିଧା । ପିଲା ଝିଲା ଜନ୍ମ ହୋଇଗଲା ପରେ ମା’ମାନଙ୍କର ଚେର ଶାଶୁଘର ପରିବାରରେ କାହିଁ କେତେ ଗହୀରକୁ ମାଡ଼ିଯାଏ । ତେଣିକି ସ୍ଵାମୀ ଉପରେ ବେଶି ଆଖିଦବା ଦରକାର ପଡ଼େନି । ସେମାନେ ଜାଣନ୍ତି–ପୁରୁଷମାନେ ନିଜ ପିଲାଙ୍କୁ ଛାଡ଼ି ଆଉ କୁଆଡ଼େ ମନ ବଳେଇ ପାରିବେନି । ଯେତେ ଯୁଆଡ଼େ ଗଲେ ବି ପିଲାଝିଲାଙ୍କର ଗୁଲୁଗୁଲିଆ କଥା, ତାଙ୍କର ଖେଳ ତାମସା, ରୋଗ ବଇରାଗ, ପଢ଼ାପଢ଼ି, ଡିଆଁଡେଇଁ ଓ ହସକାନ୍ଦ ସଦାବେଳେ ତାଙ୍କୁ ଘରକୁ ଡାକିଆଣିବ । ସେମାନେ ଲଗାମଛଡ଼ା ହୋଇପାରିବେନି । ଯେତେ ଯୁଆଡ଼େ ମୁହଁ ପୂରେଇଲେ ବି ଅଳ୍ପ ସମୟ ପାଇଁ । ସେଇଥିପାଇଁ ମାଇପେ ପିଲାପିଲି ନହେଲାଯାଏଁ ସ୍ଵାମୀକି ଗୋଡ଼େ ଗୋଡ଼େ ଜଗିଥାନ୍ତି । ଷଠୀଦୋସେଈ, କୋଳରେ ଖଣ୍ଡେ ଦି’ଖଣ୍ଡ ଦେଇଦେଲେ ସିଆଡ଼ିକି ତାଙ୍କର ଆଉ ନଜର ନଥାଏ । ରାଜୁବାବୁଙ୍କର ସ୍ତ୍ରୀ ବି ଠିକ୍ ସେଇକଥା ଭାବିଥିବେ । ପୁଅ ଝିଅ ଦିହିଙ୍କି ସାଙ୍ଗରେ ଧରି ବିଲବାଡ଼ି ବୁଝିବା ନାଁରେ ସେ ଗାଁରେ ଯାଇ ରହୁଥିଲେ । ତାଙ୍କର ଦିହବେସ୍ତ ହେଲେ ନୋହିଲେ ପିଲାଝିଲାଙ୍କୁ ଦେଖିବାକୁ ରାଜୁବାବୁ ଶନିବାରିଆ ରବିବାରିଆ ଦେଖି ଗାଁକୁ ଧାଇଁ ଆସୁଥିଲେ ।

 

କଅଁଳା ପିଲା ଦି’ଟି ଛାଡ଼ି ଅସମୟରେ ତାଙ୍କ ବାଟେ ସେ ଚାଲିଗଲେ । ବିଚାରାଟିମାନେ ବଡ଼ ହଇରାଣ ହରକତ ହେବେ । ମା’ତ ଆଉ ସେମାନଙ୍କ ସୁଖ ଦୁଃଖ ଦେଖିବାକୁ ଆସିବନି ? କ’ଣ କରାଯିବ ? ତା’ହେଲେ ରାଜୁବାବୁ କ’ଣ ଆଉ ଥରେ ବାହା ହେବେ ? କନିଆ ମା’ ଆସି ପିଲାମାନଙ୍କୁ ଯେବେ ହୀନି ଛୋକରା କରେ ? ବାହା ନ ହବାଟା ବରଂ ଭଲ । ଚାଳିଶ ବୟାଳିଶଟା ବର୍ଷ । ସମୟ ବେଶି କିଛି ଗଡ଼ିଯାଇନି । ପରଝିଅଟିଏ ଘରକୁ ନ ଆଣିଲେ ଫୁଟେଇ କରି ମୁଠେ ଖାଇବାକୁ ଦବ କିଏ ? ସବୁ ଜିନିଷ ନିଜର କରି ଘର ସମ୍ଭାଳିବ କିଏସେ ? ଜର ରୋଗ ହେଲେ ଦିହରେ ମୁଣ୍ଡରେ ଦବ କିଏସେ ? ଏସବୁ ତ ପରଲୋକ କରିପାରିବେନି ? ଏମିତି ଆକାଶ ପାତାଳ ଭାବିବାରେ ମୁଁ ଲାଗିଗଲି । ମା’ ଛେଉଣ୍ଡ ପିଲା ଦିହିଙ୍କ କଥା ଭାବି ଭାବି ସେଦିନ ସନ୍ଧ୍ୟା ଗଡ଼ିଯାଇ ତା’ ଆରଦିନ ସକାଳ ହେଲା । ପ୍ରତି ମୁହୂର୍ତ୍ତରେ ମୁଁ ଅପେକ୍ଷା କରୁଥାଏ–ରାଜୁବାବୁଙ୍କ ଗାଁର କିଏ ନା କିଏ ଆସିବ । ସେ ବି ନିଜେ ଯେକୌଣସି ମୁହୂର୍ତ୍ତରେ ଆସି ଯାଇପାରନ୍ତି । ବୋଉ ବି ମୋ ସାଙ୍ଗେ ଚାତକ ଭଳି ଅନେଇ ରହିଥାଏ ।

 

ଭାବିଥିଲି ରାଜୁବାବୁ ପିଲା ଦିହିଙ୍କି ଧରି ଗାଁରୁ ଶୀଘ୍ର ଫେରିଆସିବେ । ପୁରୀ ଆସି ପିଲାମାନଙ୍କୁ ଆମ ଜିମା ଛାଡ଼ି ଦେବେ ବୋଲି ମା’ ଝିଏ ଆମେ ଆଶା କରିଥିଲୁ । ତା’ ହେଲେ କିଛି ଅସୁବିଧା ହବନି । ଆମେ ସେମାନଙ୍କୁ ହେପାଜତରେ ଅନ୍ତତଃ ଚଳେଇନବୁ । ମା’ ଛେଉଣ୍ଡ ପିଲା । ଯେମିତି ମା’ କଥା ଆଉ ମନେ ନ ପକାନ୍ତି । ମୁଁ ବି ମନେମନେ ଠିକ୍ କରିଥିଲି–ଯେକୌଣସିମତେ ମୁଁ ରାଜୁବାବୁଙ୍କ ମନକୁ ବୁଝେଇବାକୁ ଚେଷ୍ଟା କରିବି । ମୋର ଯାହା କିଛି ସର୍ବସ୍ଵ ଦେଇ ଘରଟାକୁ ତାଙ୍କର ସଜାଡ଼ିଦେବି । ଯେମିତି ସେ ବେଶି କିଛି ଚିନ୍ତିତ ନ ହୁଅନ୍ତି । ସ୍ତ୍ରୀଙ୍କ ସଙ୍ଗେ ରାଜୁବାବୁଙ୍କର ବେଶିକିଛି ସମ୍ପର୍କ ନଥିଲା । ପୁରୀରୁ ତାଙ୍କ ପାଇଁ ଔଷଧ ପଠେଇବା, ଶନିବାର ରବିବାର ଦେଖି ଗାଁଆଡ଼େ ବୁଲି ଆସିବା, ଘରକଥା ଜମିବାଡ଼ି କଥା, ଟଙ୍କା ପଇସା କଥା ଓ ପିଲାପିଲିଙ୍କ କଥା ବୁଝିବା ତାଙ୍କର ଥିଲା କାମ । ପିଲା ଦିହିଙ୍କୁ ମନେଇ ପାରିଲେ ରାଜୁବାବୁ ଆଉ ଯିବେ କୁଆଡ଼େ ? ତା’ ସାଙ୍ଗେ ସାଙ୍ଗେ ମୋ’ ମନରେ ବି ଦମ୍ଭ ଆସୁଥିଲା–ପିଲା ଦିହେଁ ବଡ଼ ହେଲାଯାଏଁ ଅନ୍ତତଃ ମୁଁ ଚଳିଯିବି ।

 

ବୋଉ ଯଦିଓ କେବେହେଲେ ମୋ’ଆଗେ ଫିଟେଇ କରି କହିନି, ତଥାପି ସେ ବୋଧହୁଏ ମୋରିଭଳି ଭାବୁଥିଲା । ରାଜୁବାବୁଙ୍କର ସ୍ତ୍ରୀ-ହରା ଜୀବନକୁ ମୁଁ ହେବି ଖାଦ୍ୟ । ମତେ ଛାଡ଼ି ଅନ୍ୟତ୍ର ସେ ଯାଇ ପାରିବେନି । ତା’ ସାଙ୍ଗକୁ ପିଲାଦିହେଁ ବି ଅଛନ୍ତି । ଯିଏ ଅଡ଼ୁଆ ଥିଲେ, ସେ ତ ଚାଲିଗଲେ । ବାଟରୁ କଣ୍ଟା ଗଲା । ମୁଁ ଭାବୁଛି ବୋଉ ସେତେବେଳେ ରାଜୁବାବୁ ସ୍ତ୍ରୀଙ୍କର ଅକାଳମରଣରେ ସମବେଦନା ଜଣାଉଥିଲା ଯେତିକି, ମନେମନେ ବୋଧହୁଏ ସେ ଖୁସି ହେଉଥିଲା ବି ସେତିକି । ବୋଧହୁଏ ସେ ଭାବୁଥିବ, ଝିଅ ତା’ର ଅନାଥ ହଉନି କି ଛତରକୁ ଯାଉନି-। ରହିଲା ତ ଜୀବନସାରା ଜଣଙ୍କ ପାଖରେ ରହୁ । ବାରଦୁଆର ଶୁଣ୍ଢିପିଣ୍ଡା ହେଲେ ଫଳ କିଛି ଭଲ ହୁଏନି । ଜଣକ ପାଖରେ ପଛକେ ନିଜର ଯାହା କିଛି ସର୍ବସ୍ଵ ଅଛି ଅଜାଡ଼ି ଦଉ, କିନ୍ତୁ କାଉ ଶାଗୁଣା ଭଳି ସମସ୍ତେ ତା’ ମନ ଓ ଶରୀରକୁ ଭିଡ଼ି ନ ଖାଆନ୍ତୁ । ଭେକାନି ସାଜି ବାରଦୁଆର ନ ହଉ । ତା’ପରେ କୋଉ ନଳାରେ କି ରାସ୍ତାକଡ଼ରେ ପଡ଼ି ଝିଅ ତା’ର ଗଡ଼ିନଯାଉ । ମୁଁ ଲକ୍ଷ୍ୟ କରିଛି–ବୋଉ ଯଦିଚ ରାଜୁବାବୁଙ୍କର ଦୁଃଖରେ ସମବେଦନା ଜଣାଇ କାନ୍ଦବୋବା କରୁଥିଲା, ଦୁଃଖ କରୁଥିଲା, ତଥାପି ତା’ ଆଖି ଦି’ଟିରେ ଭରି ରହିଥିଲା–ଶତ ଶତ କଳ୍ପନା ଓ ଆଗାମୀ ଦିନର ସ୍ଵପ୍ନ–ତା’ ଝିଅର ଭବିଷ୍ୟତର ସୁରୁଖୁରିଆ ଜୀବନ ।

 

ରାଜୁବାବୁ ପିଲାଝିଲାଙ୍କୁ ଧରି ପୁରୀ ଚାଲି ଆସିବେ ବୋଲି ଭାବୁଥିଲି । କିନ୍ତୁ ଫଳ ହେଲା ଓଲଟା । ଗାଁରେ ରହି ସେ ଲମ୍ବା ଛୁଟି ନେଲେ । ଦଶାହ କ୍ରିୟା ଗାଁରେ କରେଇଲେ । ମାସକ ପରେ ସେ ପୁରୀ ଆସିଲେ । ଆସିଲା ପରେ ଆମ କଥା ସେ ତାଙ୍କ ମନରୁ ଏକଦମ୍ ପାସୋରି ପକାଇଥିଲେ । ଯେପରି ଅବା ବୋଉକୁ କି ମତେ ସେ ଚିହ୍ନନ୍ତିନି । ବେଳେବେଳେ ଆମେ ତାଙ୍କ ଘରକୁ ପଶିଗଲେ ସେ ବଡ଼ ବିରକ୍ତି ବୋଧକରନ୍ତି । ପାଟି ଖୋଲି କିଛି କହି ନପାରିଲେ ବି ତାଙ୍କ ହାବଭାବରୁ ଜଣାପଡ଼େ ଯେ ଆମେ ତାଙ୍କ ଘରକୁ ଗଲେ ତାଙ୍କୁ ଭଲ ଲାଗେନି । ତାଙ୍କର ଆଖି ଦି’ଟି ଆମ ବେକରେ ଅବା ଧକ୍‍କା ଦେଇ ତାଙ୍କ ଘରୁ ବାହାର କରିଦିଏ । ରାଜୁବାବୁଙ୍କୁ ମୁଁ କିଛି ପଚାରି ବସିଲେ–ସେ ହଁ ନାଇଁ କରି ଜବାବ୍‍ ଦିଅନ୍ତି । ତାଙ୍କ ପିଲାଙ୍କୁ ବୋଉ ବେଳେବେଳେ କାଖ ଟିକିଏ କରି ପକେଇଲେ ସେ ସାଙ୍ଗେ ସାଙ୍ଗେ ପିଲାଙ୍କୁ ଡାକଟିଏ ଛାଡ଼ିଦେଇ ପାଖରେ ନେଇ ବସାନ୍ତି । ପିଲାଙ୍କୁ ଆମ ଘର ନ ମାଡ଼ିବାକୁ ତାଗିଦା କରି ଦେଇଥାଆନ୍ତି । ଆମକୁ ଦେଖିଲେ ତାଙ୍କର ଆଗଭଳି ସେ କଥା ନ ଥାଏ କି ସେ ବୁକୁଫଟା ହସ ନଥାଏ । ଆମର ଉପସ୍ଥିତି ତାଙ୍କୁ ଅଡ଼ୁଆ ଅଡ଼ୁଆ ଲାଗେ । ଯେପରି ଅବା ଆମ ସାଙ୍ଗେ ତାଙ୍କର ମୋଟେ ହେଲେ ପରିଚୟ ନାହିଁ । ଇଆଡ଼ୁ ସିଆଡ଼ୁ ଅନେକ କଥା ପଚାରି ଦିନେ ମୁଁ ତାଙ୍କର ମନ ଭୁଲେଇବାକୁ ଚେଷ୍ଟା କରିଥିଲି । କଥା ଭିତରେ ତାଙ୍କୁ ପଚାରି ଦେଇଥିଲି–ଆଉ ଥରେ ବାହା ନ ହେଲେ ତ ମୋଟେ ହେଲେ ଚଳିବନି ? ବଳ ବୟସ ତ ଚାଲିଯାଇନି । ପିଲା-ଝିଲା ପୁଣି ମଣିଷ ହେବେ କେମିତି ? ଘର ସମ୍ଭାଳିବ କିଏ ? ସେଦିନର ତାଙ୍କର ଆଖିତରଟା ମୋର ଏବେ ବି ମନେଅଛି । ମୋ ଆଡ଼ିକି ସେ ଅନେଇଲେ ନାହିଁ କି ମୋ କଥାର ଜବାବ୍ ବି ଦେଲେନି । କିଛିହେଲେ ସେଦିନ ମତେ ସେ କହି ନାହାନ୍ତି । ତଥାପି ତାଙ୍କ ଆଖିରୁ ସେଦିନ ଯୋଉ ନିଆଁ ଝୁଲ ରାଗ ଆକାରରେ ବାହାରି ଆସୁଥିଲା, ଏବେ ବି ସେସବୁ ମୋ’ ମନରେ ଗାର ଟାଣି ହୋଇ ରହି ଯାଇଛି । ପନ୍ଦର ଦିନଯାଏ ମୁଁ ଭାତ ବି ଖାଇପାରିନି । କଣ୍ଟା ଫୋଡ଼ି ହେଲା ଭଳି ତାଙ୍କର ସେଦିନର ଆଖି ଦି’ଟି ମୋ ମନ ଭିତରେ ସଦାବେଳେ ଆସି ବିଦ୍ଧ କରେ ।

 

ଶୋଇଲା ଘରେ ରାଜୁବାବୁ ତାଙ୍କ ସ୍ତ୍ରୀଙ୍କର ତିନି ଚାରୋଟି ବିଭିନ୍ନ ସମୟର ଫଟୋ ଆଣି ମାରିଥାଆନ୍ତି । ପ୍ରତିଦିନ ଫୁଲମାଳ ଆଣି ସେ ଫଟୋରେ ଝୁଲାନ୍ତି । ଘଣ୍ଟା ଘଣ୍ଟା ଧରି ତା’ ଆଡ଼ିକି ଚାହିଁ ରହନ୍ତି । କେତେ କ’ଣ ଗୁଣୁରୁ ଗୁଣୁରୁ ହୁଅନ୍ତି । ପିଲାଝିଲାଙ୍କର ଗୁହ ମୂତ ପୋଛାଠାରୁ ଆରମ୍ଭ କରି ସେମାନଙ୍କୁ ଖୋଇଦେଲା ପର୍ଯ୍ୟନ୍ତ ସବୁକିଛି ନିଜ ହାତରେ ସେ କରିଥାଆନ୍ତି । ଘରେ ଥିବା ଚାକରାଣୀଟି ବି ତାଙ୍କୁ ଏସବୁ କାମରେ ସାହାଯ୍ୟ କରେ । ରାଜୁବାବୁ ରାସ୍ତାରେ ଚାଲି ଯାଉଥିବାବେଳେ ମୁଁ ଝରକା ଦେଇ ଅନେକ ଥର ଲକ୍ଷ୍ୟ କରିଚି–ସେ ବଡ଼ ଅନ୍ୟମନସ୍କ ଥାଆନ୍ତି । ମନେମନେ କେତେ କ’ଣ ଭାବୁଥାନ୍ତି । ଆମ ଘରୁ ଅନେଇଲେ ତାଙ୍କ ଘର ଭିତର ସବୁ ଦେଖାଯାଏ । ମୋର ଅନୁମାନ ତାଙ୍କ ସ୍ତ୍ରୀ ପ୍ରତି କିଛି କ’ଣ ଅବହେଳା କରିଥିଲେ ବୋଲି ସେକଥା ବୋଧହୁଏ ମନେମନେ ସେ ଘାରି ହଉଥାଆନ୍ତି ଓ ଭାବୁଥାଆନ୍ତି । ତାଙ୍କ ସ୍ତ୍ରୀଙ୍କି ଯେବେ ସେ ଅବହେଳା କରିଥାଆନ୍ତି, ତାହା କେବଳ ଆମରି ଯୋଗୁ । କେବଳ ମତେ ସେ ଭଲ ପାଉଥିଲେ ବୋଲି ମୋ’ ଉପରେ ତାଙ୍କର ଏତିକି ରାଗ । ମଣିଷ ପୁଣି ଏଭଳି ବଦଳିଯାଆନ୍ତି । ଯୋଉ ମଣିଷ କିଣାକିଙ୍କର ଭଳି ପାଦତଳକୁ ସବୁ ଆଣି ଯୋଗେଇ ଦଉଥିଲା, କଥା ପଦେ ଶୁଣିବ ବୋଲି ନିଜର ଯାହା କିଛି ଖର୍ଚ୍ଚ କରି ପାରୁଥିଲା, ସେଇ ମଣିଷ ପୁଣି କାଠ ପାଲଟି ଗଲା ?

 

ମୁଁ ଭଲ ଭାବରେ ଜାଣେ–ରାଜୁବାବୁଙ୍କର ନିରାଶ ଓ କ୍ଷତବିକ୍ଷତ ଜୀବନ ନିଜର ରୋଗିଣୀ ସ୍ତ୍ରୀ ପାଇଁ ହା-ହୁତାଶମୟ ହୋଇ ଉଠୁଥିଲା । ବିବାହିତ ଜୀବନରେ ରାଜୁବାବୁ ଯେ ଖୁସି ନୁହନ୍ତି, ଏ କଥା ତାଙ୍କ ମୁହଁରୁ ମୁଁ ଅନେକ ଥର ଶୁଣିଛି । ଲୋକେ ଭାବନ୍ତି–ଗୋଟେ ଦି’ଟି ପିଲାଝିଲା ହେଇଗଲେ ଆଉ ଭାବିବା କିଛି ଦରକାର ନାହିଁ । ବାପା ମା’ଙ୍କର ସ୍ନେହ ସୋହାଗ ପିଲାଝିଲାଙ୍କ ଉପରେ ଢାଳିଦବାକୁ ପଡ଼େ ଓ ସେମାନଙ୍କୁ ଭଲ ମଣିଷ କରି ତିଆରି କରିବା ହୁଏ ସର୍ବପ୍ରଥମ କାମ । ନିଜ ଜୀବନ ସୁଖରେ କଟିଲା କି ଦୁଃଖରେ କଟିଲା, ନିଜର ସ୍ତ୍ରୀ ଆପଣାର ମନୋନୀତ ହେଲା କି ନ ହେଲା ସେସବୁ ଭାବିବାକୁ ଆଉ ଅବସର ନଥାଏ । ସେତେବେଳେ ଜଣାପଡ଼େ–ନିଜ ଜୀବନ ଯେପରି ଅବା ନିଜର ନୁହେଁ । ତାକୁ ପିଲାଝିଲାମାନେ ଅକ୍ତିଆର କରିସାରିଲେଣି । ସେଇମାନଙ୍କର ସ୍ନେହସୋହାଗ ଓ ହସକାନ୍ଦରେ ମଣିଷ ବନ୍ଧା ହୋଇସାରିଲାଣି । ଠିକ୍ କଥା । କିନ୍ତୁ ମଣିଷ ମନ ଭିତରେ ବେଳେବେଳେ ଭାବନାର ଜୁଆର ଉଠେ । ତାକୁ ପିଲାଝିଲାଙ୍କ ସ୍ନେହସୁହାଗ, ସ୍ତ୍ରୀର ଲୁହଭରା ଆଖି, ଟଙ୍କା ସୁନାର ଲୋଭ କି କ୍ଷମତାଲାଳସା ରୋକି ପାରେନି । ଅରଣାମଇଁଷି ଭଳି ବାଟ ତା’ର ଅଲଗା । କିନ୍ତୁ ଖସିଯିବାର କ୍ଷମତା ଆଉ ନଥାଏ । ହଲଚଲ ହବାର ସମୟ ଗଡ଼ି ଯାଇଥାଏ । ସେଇଥିପାଇଁ ଗଭୀର ନୀଳଜଳରାଶି ଉପରେ ଖିଲିଖିଲିଆ ପବନ ଟିକିଏ ବାଜିଗଲେ, ଛୋଟ ଛୋଟ ଲହରୀ କେଇଟା ଉଠପଡ଼ ହେଲା ଭଳି ପିଲାଝିଲାର ବାପମା’ଙ୍କର ମନରେ ସେମିତି କେତେ କେତେ ଭାବନା ଉଙ୍କିମାରି ପୁଣି ଲିଭିଯାଏ ।

 

ଏଇ ରାଜୁବାବୁଙ୍କ କଥା, ଦିନ ଦିନ, ମାସ ମାସ ଧରି ମୁଁ ଭାବିଛି । କିନ୍ତୁ କୌଣସି ହେଲେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ । ସେଇ ଲୋକ ପୁଣି ବଦଳିଗଲେ କେମିତି ? ବଞ୍ଚିଥିଲା ବେଳେ ଯୋଉ ସ୍ତ୍ରୀ ଥିଲା ଘୃଣାର ପାତ୍ର, ଯାହାକୁ ଆଡ଼ଆଖିରେ ସେ ଚାହୁଁ ନଥିଲେ, ମଲା ପରେ ସେ ହେଲେ ଜପାମାଳୀ । ରାଜୁବାବୁ ଆମକୁ କ’ଣ ବୋଲି ଯେ ଭାବୁଥିଲେ ମୁଁ କହିପାରିବିନି । କିନ୍ତୁ ଆମେ ହେଲୁ ବିଷବଳିତା । କାଇଁ କେବେହେଲେ ତ ମୁଁ ତାଙ୍କୁ କହିନି ଯେ ସେ ତାଙ୍କ ସ୍ତ୍ରୀଙ୍କ ପାଖକୁ ନ ଯାଆନ୍ତୁ । ଆମପାଇଁ ଅମୁକ ନା ସମୁକ କିଣିଆଣନ୍ତୁ । ସେ ନିଜେ ତାଙ୍କ ମନଇଛା ଯାହା ଭାବନ୍ତି, କରନ୍ତି । ତାଙ୍କର ମନ ପାଇଲା କରୁଥିଲେ, ଏବେ ନ କଲେ, ସେଥିରେ ଭାବିବାର କ’ଣ ଅଛି ? ମନେମନେ ତାଙ୍କ ଉପରେ ମୋର ରାଗ ଆସିଲା । ତାଙ୍କ ସାଙ୍ଗେ ସମ୍ପର୍କ ଆପେ ଆପେ ତୁଟିଗଲା । ବୋଉର ଆଶାର ସୌଧ ଭାଙ୍ଗିପଡ଼ିଲା । ଭବିଷ୍ୟତ ଭାବନା ଜଳିପୋଡ଼ି ପାଉଁଶ ହୋଇଗଲା ।

 

ତା’ଠୁ କଥା ଶୁଣୁ ଶୁଣୁ ସେଦିନ ବେଶି ରାତି ହେଇଯାଇଥିଲା । କଥା ତା’ର ସରୁ ନଥିଲା କି ରାତି ବେଶି ହେଇଯାଇଥିଲେ ବି ମୁଁ ସେଠାରୁ ଆସି ପାରୁନଥିଲି । ଛୋଟ ପୁଅ ବାବୁଲିଟି ତା’ର ଶୋଇଯାଇଥିଲା । ଆଜି ଏତିକି ଥାଉ ବୋଲି କହି ସେ ଠିଆ ହେଲା । ତା’ ଆଡ଼ିକି ଥରେ ଅନେଇଦେଇ ମୁଁ ଅବା ତାକୁ ଚିହ୍ନିବାକୁ ଚେଷ୍ଟା କରୁଥାଏ ।

 

ବାଟ ଯାକ ତା’ କଥା ଭାବି ଭାବି କେତେବେଳେ ଆସି ଯେ ମୁଁ ଘରେ ପହଞ୍ଚିଗଲି, ଜାଣିପାରିନି ।

 

ରବିବାର

ନଭେମ୍ବର ୯ ତାରିଖ ୧୯୫୯

 

ସକାଳେ ଆଖି ଖୋଲିଲାମାତ୍ରେ ଗଲା ରାତିର ସେଇ ସ୍ତ୍ରୀଲୋକଟି ମୋ’ ଆଖି ଆଗରେ ଆସି ନାଚିଗଲା । ତା’ଜୀବନର ଗତ କଥା ସବୁ ମୋ’ କାନପାଖରେ ଆସି ପ୍ରତିଧ୍ୱନିତ ହେଲାଭଳି ଜଣାପଡ଼ିଲା । ନିଦରୁ ଉଠି ଅନେକ ବେଳଯାଏ ଶେଯ ଉପରେ କେବଳ ବସିରହିଲି । ଯୁଆଡ଼ିକି ଅନେଇଲି, ଯାହା ଶୁଣିଲି ବା ଦେଖିଲି, ସବୁ କେବଳ ତା’ରି କଥା ଓ ତା’ରି ରୂପ । ରବିବାର । କାମଦାମ କିଛି ନଥାଏ । ସକାଳ ଯାଇ କେତେବେଳେ ସଞ୍ଜ ହବ । ତା’ପାଖକୁ ଯାଇ, ସବୁକଥାଯାକ ତା’ର ଶୁଣିବି–ଏଇ କଥା ମୋର ଭାବନାର ବସ୍ତୁ । ଭାବୁଥିଲି–ଦିନବେଳେ ତା’ଘରକୁ ଯିବି । ଛୁଟିଦିନ । କଥା ହବାକୁ ସମୟ ମିଳିବ । ସବୁକିଛି ତା’ଠୁ ଶୁଣିପାରିବି । ପରମୁହୂର୍ତ୍ତରେ ମନରେ ଆସିଲା–ନାଇଁ, ଦିନବେଳା ଯିବିନି । ଘରଜଞ୍ଜାଳ, ବିକାକିଣା, ମୋର ନିତ୍ୟନୈମିତିକ କାମରେ ଲାଗିଗଲି । କିନ୍ତୁ ସଦାବେଳେ ମନରେ ଥାଏ–କେମିତି ସଞ୍ଜ ହବ । ଦିନସାରା ମୁଁ ବଡ଼ ବ୍ୟଗ୍ର ହୋଇପଡ଼ିଲି । ଗତ ରାତିରେ କେବଳ ଘଣ୍ଟେ କି ଦି’ ଘଣ୍ଟା ପାଇଁ ତା’ ସଙ୍ଗେ ଯାହା କଥାବାର୍ତ୍ତା । କିନ୍ତୁ ଏଇ ଅଳ୍ପ ସମୟ ଭିତରେ ସେ ଯେପରି ମୋ ମନର କେଉଁ ଏକ ଗଭୀରତମ ପ୍ରଦେଶରେ ଯାଇ ପ୍ରବେଶ କରିଥିଲା ।

 

ସଞ୍ଜ ଯେତେ ଯେତେ ପାଖେଇ ଆସିଲା, ତା’ କଥା ସବୁ ମୋ’ କାନ ପାଖରେ ସେତିକି ଆସି ଦୁମ୍ ଦୁମ୍ ବାଜିବାକୁ ଆରମ୍ଭକଲା । ସଞ୍ଜବେଳ । ଅଳ୍ପ ବୁଲାଚଲା ସାରିଦେଇ ମୁଁ ତା’ ପିଣ୍ଡା ଉପରକୁ ଉଠିଗଲି । ଆଲୁଅ ଲିଭି ଅନ୍ଧାର ଘୋଟି ଆସିବାର ସେ ସମୟ ।

 

ଜାଣିପାରିଲି–ମତେ ଅବା ସେ ଅପେକ୍ଷା କରି ବସିରହିଥିଲା । ପାହାଚ ଉପରେ ଗୋଡ଼ ଦେଇଛି କି ନାହିଁ ସାଙ୍ଗେ ସାଙ୍ଗେ ସେ ଠିଆହୋଇପଡ଼ିଲା ଓ ମତେ ନମସ୍କାର କଲା । ପୁଅକୁ ଇଙ୍ଗିତ ଦେବାରୁ ସେ ବି ଆସି ମୋ’ ଗୋଡ଼ତଳେ ମୁଣ୍ଡିଆଟିଏ ମାରିଲା । ପୁଅକୁ ହାତଧରି ଉଠେଇନେଇ ମୁଁ ଜଙ୍ଘ ପାଖରେ ଅଳ୍ପ ଚିପିଧରିଲି । ମୋ ‘ବିଜୁ’ର ପରଶ ଅବା ମୁଁ ଅନୁଭବ କଲି । ସାର୍ଟର ତଳ ପକେଟରୁ ଗୋଟିଏ ପୁଡ଼ିଆ ବାହାର କଲି । ସେଥିରେ ଥାଏ ମିଠେଇ ଓ ବିସ୍କୁଟ । ଖାଲି ହାତରେ ପିଲାଟିକୁ କିପରି ଯାଇ ଦେଖିବି, ଏଇ କଥା ଭାବି ଆସିବା ଆଗରୁ ବଜାରରୁ କିଣି ଆଣିଥିଲି ।

 

ଆର ଦିନ ଭଳି ବସିବାକୁ ସେ ଆସନ ଖଣ୍ଡିଏ ପକେଇଦେଲା । ପଚାରିଲା–ଅଳ୍ପ କେଇଟି କଥା । କୁଆଡ଼େ ଯାଇଥିଲେ ? ଆପଣଙ୍କ ଘର କେଉଁଠି ? ଘରେ ଆଉ କିଏ କିଏ ଅଛନ୍ତି-? ପିଲାଝିଲା କେତୋଟି ? ଭାଇ ଭଉଣୀ ଓ ବାପାମା’ଙ୍କ ବିଷୟରେ ବି ସେ ଅନେକ କଥା ପଚାରିଲା । ତା’ର କଥାଗୁଡ଼ିକ ଏତେ କଅଁଳ, କଥା କହିବାର ଭଙ୍ଗି ଏତେ ମାର୍ଜିତ ଓ ବ୍ୟବାହାର ତା’ର ଏତେ ଭଦ୍ର ଯେ ମୁଁ ମନେମନେ ଆଶ୍ଚର୍ଯ୍ୟ ହେଲି । ତା’ ଅବସ୍ଥାରେ ଥିବା କୌଣସି ସ୍ତ୍ରୀଲୋକଠୁ ଏସବୁ ମୁଁ ଆଶା କରୁନଥିଲି । ଆଗରୁ ମୋର କିପରି ଗୋଟେ ଧାରଣା ଥିଲା–ଲୋକ ଭଦ୍ରସମାଜରେ ନ ମିଶିଲେ କି ଏସବୁ ବିଷୟରେ ତା’ର ପାରିବାରିକ ସଂସ୍କାର ନଥିଲେ ସେ ଏସବୁ ଗୁଣର ଅଧିକାରୀ ହୋଇପାରିବନି । କିନ୍ତୁ ସେଦିନ ମୁଁ ବୁଝିଲି–ଗରିବ, ଦୁଃଖୀ ଓ ଅସହାୟ ଲୋକ ହିଁ କେବଳ ଭଦ୍ର ବ୍ୟବାହାର ଦେଖାଇବାରେ ସମର୍ଥ । କେବଳ ସେଇମାନଙ୍କଠୁ ଲୋକ ଯାହା ଶୁଣିବ, ସେସବୁ ତାଙ୍କର ହୃଦୟର କଥା । ପେଟରେ ଗୋଟେ କଥା ରଖି, ସେମାନେ ଆଉ ଗୋଟିଏ କଥା କହି ପାରନ୍ତିନି । ସେ ଯାହା କିଛି ହଉ, ସେ ସ୍ତ୍ରୀଲୋକଟି ବିଷୟରେ ମୋର କେମିତି ଗୋଟିଏ ଉଚ୍ଚ ଧାରଣା ହୋଇଯାଇଥିଲା ।

 

ବଡ଼ ଶୋଷ କରୁଥିଲା । କହିବାରୁ ସେ ଗ୍ଲାସେ ପାଣି ଆଣି ପିଇବାକୁ ଦେଲା । ଦି’ ଖଣ୍ଡ ପାନ ବି ଆଣିଦେଲା । ଦୂରରେ ହୋଇ ଗୋଟିଏ ଖୁମ୍ବକୁ ଆଉଜି ସେ ବସିରହିଲା । ପୁଅଟି ଆରପଟ ଘରେ ପଢ଼ୁଥାଏ । ବେଳେବେଳେ ମା’ ପାଖକୁ ବି ଆସୁଥାଏ । ମୋର ଶୁଣିବାର ପ୍ରବଳ ଇଚ୍ଛା । ସେ ବି ତା’ର ସବୁକଥା କହିଯିବାକୁ କମ୍ ଉତ୍ସାହିତ ହେଉ ନଥିଲା । ଅଳ୍ପ ସମୟ ଯାଏ ଆମେ ତୁନି ରହିଲୁ ।

 

ମୁଁ ପଚାରିଲି–ତା’ପରେ....

 

ସେ ଆରମ୍ଭ କଲା–

 

କହିବାକୁ ଯାଉ ଯାଉ ସେ ଅଳ୍ପ ତୁନି ରହିଲା । କ’ଣ ଅବା ତା’ ତଣ୍ଟିପାଖରେ ଆସି ଧକ୍‍କା ଖାଉଥିଲା । ମୋ’ ଆଡ଼ିକି ଅଳ୍ପ ଅନେଇ ସେ କହିଲା–ଆପଣ ଯେବେ କିଛି ନ ଭାବନ୍ତି, ମୋ’ ସାଙ୍ଗେ ଟିକିଏ ଆସିବେ କି ?

 

ମୁଁ ସାଙ୍ଗେ ସାଙ୍ଗେ ଠିଆ ହୋଇପଡ଼ିଲି । ସେ ଆଗେ ଆଗେ ଚାଲିଲା । ମୁଁ ଚାଲିଲି ପଛେ ପଛେ ।

 

ଅଳ୍ପ କେଇହାତ ଆଗେଇ ଯାଇ ମତେ ସେ ଗୋଟିଏ ଭଙ୍ଗାରୁଜା ପୁରୁଣା କୋଠା ନିକଟକୁ ନେଇଗଲା । ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ସାରିଲାଣି । କୁଢ଼େଇ ହେଇପଡ଼ିଛି । ସେଇ ଭଙ୍ଗାଇଟା ଓ ଚୂନର ସ୍ତୂପ ଭିତରେ ଗହୀରିଆ ଗିରିଗୁହା ଭଳି ଗୋଟିଏ ଜାଗାକୁ ମତେ ସେ ଦେଖେଇଦେଲା । ତା’ଭିତରେ ଆଲୁଅ ନଥିଲା । ଚନ୍ଦ୍ରଆଲୁଅ ଓ ବତୀଖୁଣ୍ଟର ମିଞ୍ଜି ମିଞ୍ଜି କିରାସିନୀ ଆଲୁଅରେ ଯାହା କିଛି ମୁଁ ଦେଖିପାରିଲି । ସ୍ତ୍ରୀଲୋକଟିଏ । ପାଖରେ ତା’ର ଗୋଟିଏ ଚାରି ପାଞ୍ଚ ବର୍ଷର ଛୁଆ । କନା ଖଣ୍ଡିଏ ପାରି ସ୍ତ୍ରୀଲୋକଟି ପିଲାଟିକି ଶୁଆଇ ଦେଇଛି । ବସିରହି ଜଟା ହୋଇଯାଇଥିବା ତା’ମୁଣ୍ଡରୁ ଉକୁଣୀ ବାହାର କରିବାରେ ଲାଗିଯାଇଛି । ମୁଣ୍ଡରୁ ଗୋଟିଏ ଗୋଟିଏ ଝଡ଼ିପଡ଼ିଲେ ସେମାନଙ୍କୁ ମାରିଲାଗିଛି । ଆଲୁଅ ଦଉଛି ଆକାଶର ଚନ୍ଦ୍ର । ସେମାନଙ୍କର ଦୁଃଖ ସହି ନପାରି ସେଦିନର ଚନ୍ଦ୍ର ସତେ ଅବା ବଙ୍କା ହୋଇଯାଇଥିଲା ।

 

ସେଇ ଭଙ୍ଗାସ୍ତୂପ ଭିତରେ ଥିବା ଗୋହିରୀରେ ଥିଲା ଗୋଟିଏ କନା ବୁଜୁଳି । ପାଖରେ ଗଡ଼ୁଥିଲା ଦି’ଚାରିଟା ଭଙ୍ଗାରୁଜା ହାଣ୍ଡି କୁଡ଼ିଆ ଓ ଦି’ତିନିଖଣ୍ଡ ଭଙ୍ଗାଇଟା । ପାଖକୁ କରି କାଳିଆ କୁକୁରଟିଏ ଜିଭ ଲହ ଲହ କରି ଶୋଇରହିଥିଲା । ମା’ପୁଅଙ୍କୁ ବୋଧେ ଜଗିଥିଲା । ଆମକୁ ଦେଖି ଭୁକିଉଠିଲା । ସେମାନେ ହାଲିଆରେ ଶୋଇଯାଇଥିଲେ । ଦିନସାରା କୁଆଡ଼େ ବୋଧେ ବୁଲାଚଲା କରିଛନ୍ତି । କାହା ଅଇଁଠା ପତର ଟୁଙ୍କି କିଛି ଖାଦ୍ୟ ହୁଏତ ସେମାନେ ପାଇଥିବେ । ଭୋକରେ ଆଉଟୁପାଉଟୁ ହବାର ଯୋଗ ସେଦିନ ତାଙ୍କର ନଥିଲା । ଆମକୁ ଦେଖି ସେ ସ୍ତ୍ରୀଲୋକଟି ତା’ର ଉକୁଣୀ ବଛା ବନ୍ଦ କରିଦେଲା । ଜୁଳୁ ଜୁଳୁ କରି କେବଳ ଅନେଇଲା । କିଛିହେଲେ ଆମକୁ କହିପାରୁ ନଥିଲା । କୁକୁରଟା ତେଣେ ଭୁକି ଲାଗିଥିଲା । କେହି କାଳେ ଆସି ଆମ ପାଖରେ ଜମା ହୋଇଯାଆନ୍ତି ? ବେଶି ସମୟ ଠିଆହୋଇ ରହିବା କିଛି ଦରକାର ନଥିଲା ।

 

ସ୍ତ୍ରୀଲୋକ ଜଣକ କହିଲା–ଆସନ୍ତୁ, ଯିବା । ଦେଖିଲେ ତ–

 

ମୁଁ ହଁ କଲି । କିନ୍ତୁ କାଇଁକି ମତେ ସେ ସେଠେଇକି ଅବା ଆଣିଲା ? ୟାଙ୍କୁ ମତେ ଦେଖେଇବାରେ କ’ଣ ବା ତା’ର ମତଲବ ଅଛି । କିଛିହେଲେ ମୁଁ ବୁଝିପାରିଲିନି । ତା’ ପଛେ ପଛେ ଯନ୍ତ୍ରଚାଳିତ ଭଳି କେବଳ ଚାଲିଲି ।

 

କହିଲା–ଭଙ୍ଗାକୋଠାର ସ୍ତୂପ ଭିତରେ ଯୋଉ ମା’ପୁଅ ଦିହିଙ୍କି ଦେଖିଲେ, ସେମାନେ ଏଇ ପୁରୀସହରର ବାସିନ୍ଦା । ଆର ସାଇରେ ଥିଲା ତାଙ୍କର ଘର । ସେମାନେ ବି ଦିନେ ଭଲରେ ଚଳୁଥିଲେ । ସେଇ ସ୍ତ୍ରୀଲୋକର ବର ବଞ୍ଚିଥିଲା ବେଳେ ଶଗଡ଼ ବୋହୁଥିଲା । ବଳଦ ବଦଳରେ ମଣିଷ । ନିଜେ ଶଗଡ଼ ଭିଡ଼ି ଲୋକଙ୍କ ଦୁଆରେ ଓ ଦୋକାନରେ ନେଇ ସେ ମାଲ ପକାଏ । ଅଳ୍ପେ ବହୁତେ ସେ ଚଳିଯାଉଥିଲେ । ବାରଣା ଟଙ୍କେ ରୋଜାଗାରରୁ ଗୁଲି, ଅଫିମ ଓ ଚାହାଆଦି ଆଠଣା ଦଶଣାର ହବ ସେ ଖାଇଯାଉଥିଲା । ଦିନେ ଅଫିମ ପକେଇ ସେ ଷ୍ଟେସନରୁ ଶଗଡ଼ ଆଣୁଥିଲା । ଡେଣା ଲଗେଇ ଶଗଡ଼ ଭିଡ଼ିବା କଥା । ଭିଡ଼ିପାରିଲାନି । ବୋଝେଇ ଶଗଡ଼ । ବେହୁସିଆରରେ ସେ ତଳେ ପଡ଼ିଗଲା । ବୁଢ଼ା ଉପରେ ଶଗଡ଼ ଚକ ଚଢ଼ିଗଲା । ଧରାଧରି କରି ତାଙ୍କୁ ଡାକ୍ତରଖାନାକୁ ନିଆଗଲା । ଯିବାର ଦି’ଘଣ୍ଟା ପରେ ସଂସାରରୁ ସେ ବିଦାୟ ନେଲା । ସେତେବେଳେ ପିଲାଟି ଥିଲା ତା’ ମା’ ପେଟରେ । ଘରଡିହ ଖଣ୍ଡିକ କାହାପାଖରେ ବନ୍ଧା ପଡ଼ିଥିଲା । ସେଇଟି ନିଲାମ ହୋଇଗଲା । ତା’ପରେ ସେ ସ୍ତ୍ରୀଲୋକ ଜଣକ ବାରଦୁଆର ଶୁଣ୍ଢିପିଣ୍ଡା ହୋଇ ଛୁଆଟିକି ତା’ର କୋଉ ଗୋଟିଏ ନଳା ପାଖରେ ଜନ୍ମ କଲା । ସମସ୍ତେ ଭାବିଲେ ପିଲାଟି ଅବୈଧ । ଛୁଆଟିର ତୋଟି ଚିପି ଦେଇଥିଲେ ସେ ବୋଧହୁଏ ସୁଖରେ ରହିପାରିଥାଆନ୍ତା । ମା’ମନ । ଦଶମାସ କଷ୍ଟସହିଛି । କେମିତି ଅବା ସେ ପାରିଥାଆନ୍ତା ? ପିଲାଟିକି ହାତରେ ଧରି ଦୁଆରେ ଦୁଆରେ ସେ ଭିକମାଗି ବୁଲିଲା । ଦିହଯାକ ତା’ର ଚେକା ଚେକା ଧଳା ଛଉରେ ଭର୍ତ୍ତି । ହାତ ଗୋଡ଼ ଆଙ୍ଗୁଠି କେଇଟା ଛିଣ୍ଡି ସାରିଲାଣି । ସେଥିରେ ମାଛି ଭଣଭଣ ବେଢ଼ନ୍ତି । ପିଲାଟି କିନ୍ତୁ ନିଖୁଣ । ଚାରି ପାଞ୍ଚ ବର୍ଷର ହାଡ଼ୁଆ ଛୁଆଟିଏ । ମା’ ତା’ର ରୋଗଗ୍ରସ୍ଥ । ପିଲାଟିକି ମଣିଷ କରିବ କିଏ ସେ ? କିଏ ତାକୁ ଏଥିରୁ ଉଦ୍ଧାର କରିବ ? ମା’ଟି ହେଲେ ଭଲ ହୋଇଥାଆନ୍ତା ? କିଛି ଚିନ୍ତା ନଥିଲା । ମେଢ଼ିଆ ବାରବୁଲା କୁକୁର ଛୁଆଟିଏ ପଛପଟେ ଗୋଡ଼େଇଲେ ଯେମିତି ବିରକ୍ତ ଲାଗେ, ବେଳେବେଳେ ଗୋଇଠେ ମାରିଦବାକୁ ଇଚ୍ଛା ହୁଏ, ପିଲାଟି ହେଲେ ସେମିତି ବିଧା ଗୋଇଠା ଖାଇ କି ବାର ହୀନିଛାକେରା ଭୋଗି ହେଲେ ବଞ୍ଚିଯାଇ ଥାଆନ୍ତା ? ପିଲାଟି ରୋଗଗ୍ରସ୍ଥ । ମା’ପାଖରେ ରଖିଲେ ବିପଦ, ନ ରଖି ଚଳି ହଉନି । ତାକୁ ଛାଡ଼ି ଅବା ସେ ଯିବ କୁଆଡ଼େ ? ଏମାନଙ୍କର ହିସାବ କେହି କ’ଣ କେବେ ଆସି ନେବେନି ? ସେମାନଙ୍କର କାନ୍ଦ କ’ଣ କାହା କାନରେ ବାଜିବନି ? ସେମାନଙ୍କ ହୀନିଅବସ୍ଥା ଦେଖି କାହା ଆଖିରେ କ’ଣ ପାଣି ଜମି ଆସିବନି ? ସେମାନଙ୍କୁ ରାସ୍ତାରୁ ଗୋଟେଇ ଆଣି ମଣିଷ କରିବାର ଦାୟିତ୍ୱ ନେଲେ, ଦେବତା ଯେବେ ଥାଆନ୍ତି, ସେ କ’ଣ ହସିଉଠିବେନି ? ଏମିତି ଗୋଡ଼ିମାଟିରେ ପଡ଼ି ଧୂଳିଧୂସରିଆ ହୋଇ ପଚିସଢ଼ି ମରିବାକୁ କ’ଣ ଏମାନେ ଦୁନିଆକୁ ଆସିଥିଲେ ? ତା’ହେଲେ ଦୁନିଆର ସବୁ ଅସହାୟ, ଅକ୍ଷମ, ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁ ସମସ୍ତଙ୍କୁ ଏକାଦିନେକେ ମାରିଦେଲେ ହୁଏତ ଚଳନ୍ତା । ସମାଜରୁ କଳଙ୍କ ଲୋପ ପାଇଯାଆନ୍ତା । ସେମାନେ ବି ତାଙ୍କର ଭାରାକ୍ରାନ୍ତ ଜୀବନରୁ ରକ୍ଷା ପାଇଯାଆନ୍ତେ ।

 

କହିଲାବେଳେ ଓଠ ଦି’ଟି ତା’ର ଥରି ଉଠୁଥିଲା । ପୁଅଟି ଆର ଘରେ ବସି ପଢ଼ୁଥିଲା । ଏ ଘରେ ଚାଲିଥିଲା ଆମର ଗପ ।

 

ସ୍ତ୍ରୀଲୋକଟିର ମୁହଁକୁ ଅନେଇ ମୁଁ ଅବା ତାକୁ ଚିହ୍ନିବାକୁ ଚେଷ୍ଟା କରୁଥିଲି । ତା’ରି ମୁହଁ ଭିତରେ ମୁଁ ଦେଖୁଥିଲି–ଦୁନିଆର ଲକ୍ଷ ଲକ୍ଷ ଅସହାୟ ଦରିଦ୍ର ଲୋକଙ୍କର ଦୁରବସ୍ଥା । ତାକୁ କହିବାକୁ ମୋର କିଛିହେଲେ ନଥିଲା । ଥିଲା କେବଳ ତା’ଠୁ କେତେ କ’ଣ ବସି ଶୁଣିବା ।

 

କିଛି ସମୟଯାଏ ସେ ତୁନି ରହିଲା । ତଳକୁ ମୁହଁ କରି ନଖରେ ମୁଁ ମାଟି ଉପରେ ଗାରକାଟିବାରେ ଲାଗିଯାଇଥାଏ । ତା’ କଥାଗୁଡ଼ାକ ମୋ’ ମନ ଭିତରେ ପଶିଯାଇ ଭିତରଟା ମୋର କେଜାଣି କାହିଁକି ଭାରି ଜଣାପଡ଼ୁଥିଲା । ସେଇଥିପାଇଁ ବୋଧହୁଏ ମୁଣ୍ଡ ମୋର ତଳକୁ ନଇଁପଡ଼ିଥିଲା । ସିଧା କରି ତା’ ମୁହଁକୁ ମୁଁ ଚାହିଁପାରୁ ନଥିଲି ।

 

ବାଁଆଡ଼ିକି ଆଙ୍ଗୁଠି ଦେଖେଇ ସେ ସ୍ତ୍ରୀଲୋକଟି ମତେ ଗୋଟିଏ ଦୋମହଲା କୋଠା ଦେଖେଇଦେଲା । କହିଲା–ଦେଖନ୍ତୁ ବାବୁ ! ଏଇ କୋଠାଟି କେଡ଼େ ସୁନ୍ଦର ଭାବରେ ତିଆରି ହୋଇଛି । ଭିତରେ ଶଙ୍ଗମଲମଲ ପଥରର ଚଟାଣ । ଘର ଆଗରେ ବଗିଚା । ଗୋଲାପ, ହେନା ଓ କ୍ରୋଟନ ଇତ୍ୟାଦି ଫୁଲଗଛରେ ଭରା । ପାଖକୁ ଲାଗି ମଟର ଗ୍ୟାରେଜ୍‍ । ଚାକର, ପୂଜାରୀ ପଣ ପଣ । ଅନବରତ ସେ ଘରୁ ରେଡ଼ିଓ ଗୀତ ଭାସିଆସି କାନ ଆମର ତାବ୍‍ଦା କରିଦିଏ । କେତେ ହସଖୁସି ଖା’ପିଅ ଯେ ଦିନରାତି ସେ ଘରେ ଚାଲିଥାଏ, ତା’ର କଳନା କରିହବନି । ଭୋକରେ ଆମେ ଆଉଟୁପାଉଟୁ ହଉଥିଲାବେଳେ ପାଖଘରୁ ଭାସିଆସେ ଖିରୀପିଠା, ମାଛମାଂସ ଓ ମିଷ୍ଟାନ୍ନର ସୁଗନ୍ଧ । ସେ ଆସି ଆମ ନାକରେ ବାଜିଲେ ଭୋକ ଆମର ଦ୍ୱିଗୁଣିତ ହୁଏ । ମୋ ପିଲାଟିକି ଭଲ ପ୍ୟାଣ୍ଟ କୁରୁତା ଖଣ୍ଡିଏ ମୁଁ ଦେଇପାରେନି । କୁଆଡ଼ୁ ଅବା ଆଣିବି ! ବହୁତ କଷ୍ଟରେ ତାକୁ ମୁଁ ସ୍କୁଲକୁ ଛାଡ଼ୁଛି । କିନ୍ତୁ ସେଇ ଘରର ପିଲେ କେଡ଼େ ସୁନ୍ଦର ସୁନ୍ଦର କନାର ପ୍ୟାଣ୍ଟ ଜାମା ପିନ୍ଧି, ଯୋତା ମୋଜା ମାଡ଼ି, ଟୋପି ପିନ୍ଧି, ମଟର ଚଢ଼ି ସ୍କୁଲକୁ ପଢ଼ିବାକୁ ଯାଆନ୍ତି । ଦି’ଓଳି ସେମାନଙ୍କପାଇଁ ମାଷ୍ଟ୍ର ଖଞ୍ଜା । ଭଲ ଖାଇବା ପିନ୍ଧବାକୁ ପାଇ ଓ ହେପାଜତରେ ଚଳି ଚେହେରା ତାଙ୍କର କେଡ଼େ ଛନଛନିଆ ଦେଖାଯାଏ । ଆପଣ ବୋଧେ ଭାବୁଥିବେ–ସେମାନଙ୍କୁ ଦେଖି ମୋର ଈର୍ଷା ହୁଏ । ସେମାନଙ୍କୁ ଦେଖିଲେ ମତେ ବରଂ ଖୁସି ଲାଗେ । ଆଖିରେ ମୋର ନିଆଁ ଜଳିଉଠେ ଓ ମନ ମୋର ମରିଯାଏ ସେତିକିବେଳେ, ଯେତେବେଳେ ମୋର ହାଡ଼ୁଆ ବାବୁଲାଟିକି ତାଙ୍କ ସଙ୍ଗେ ମୁଁ ତୁଳନା କରି ବସେ । ତାଙ୍କର ହସ ହସ ମୁହଁ ଦେଖି, ବାବୁଲାଟିକି ମୋର ମୁହଁ ଶୁଖେଇ ବସିଥିବାର ଦେଖିଲେ ରକ୍ତମାଉଁସ ମୋର ଦଳିଚକଟି ହୁଏ । ଜୀବନ ମତେ ନୀରର୍ଥକ ବୋଧହୁଏ ସେତିକିବେଳେ ଯେତେବେଳେ ବାବୁଲି କିଛି ଗୋଟିଏ ଜିନିଷ ଆଣିଦବାକୁ ମୋପାଖରେ ଅଳିକରେ ଓ ତା’ପାଇଁ ମୁଁ କିଛି ଆଣିଦେଇ ପାରେନି ।

 

କିନ୍ତୁ କୋଡ଼ିଏ ପଚିଶ ବର୍ଷ ତଳେ କୋଠାଟି ଏ ଜାଗାରେ ନଥିଲା । ସଦେଇ ଦାସ ବୋଲି ଜଣେ ଲୋକର ଏ ଜାଗା । ବୋଉଠୁ ମୁଁ ଶୁଣିଛି ସଦେଇ ଦାସର ବାପ ଏଠାର ବଡ଼ ନାମଜାଦା ଲୋକ ଥିଲା । ପୁରୀର ଲୋକ । ରଜାଘରେ କାମ କରୁଥିଲା । ଦେଉଳରେ ଥିଲା ତା’ର ସେବାପୂଜା । ପୁଅ ସଦେଇ ଦାସ ବଡ଼ ଅଲିଅଳରେ ବଢ଼ିବାକୁ ଲାଗିଲା । ପିଲାଦିନୁ ଚାଲିଲା ଭାଙ୍ଗପାଚକ ଓ ମଉଜମଜଲିସ୍‍ । ପଇସାଟିଏ କେମିତି ଘରେ ଆସି ପଶିବ ସେ କଥା ତାକୁ ମାଲୁମ୍ ନଥିଲା । କିନ୍ତୁ ଖା’ପିଆଟା ସଦାବେଳେ ତାଙ୍କର ଜଭର୍ । ସରୁ ଚାଉଳ ଓ ଗୁଆଘିଅ ସାଙ୍ଗକୁ ବଡ଼ ଭାକୁର କି ରୋହି ଖଣ୍ଡେ ନ ହେଲେ ସଦେଇ ଦାସଙ୍କର ଗୁଣ୍ଡା ଚଳେନି । ଉପର ଓଳିଟା ଛଣା ଖଳିରୁଟି, ସରଗୁରୁନ୍ଦା ଓ ଛେନା । କାନ୍ଧରେ ପଡ଼ିଥିବ ପାଚିଲା ଗାମୁଛା । ଭାଙ୍ଗରେ ଆଖି ସବୁବେଳେ କୁକୁଡ଼ା ଚୂଳଭଳି ଲାଲ ଟୁକ୍‍ଟୁକ୍ ଦେଖାଯାଉଥିବ । ସଦାବେଳେ ଚାଲୁଥିବ ପଖଜମାଡ଼ । ଏମିତି ଘରେ ବସି ଉଡ଼େଇଲେ ପିତୃଅର୍ଜିତ ସମ୍ପତ୍ତି କେତେଦିନ ଅବା ରହିପାରିବ ? କ’ଣ ପାଇଁ ଥରେ ଟଙ୍କା ଦରକାର ପଡ଼ିଲା । ଘର ପାଖର ଜଣେ ଲୋକ ତାଙ୍କ ଘରପାଖକୁ କରି ଜଳଖିଆ ଦୋକାନଟିଏ ଦେଇଥିଲା । ତା’ପାଖରେ ହାଣ୍ଡ୍‍ ନୋଟ୍ ଲେଖି ସେ ଦି’ଶ ଟଙ୍କା ଆଣିଲା । କେତେ ବର୍ଷ ଯାଏ ସେ ଟଙ୍କା ଶୁଝିପାରିଲାନି । ସେଇ ଜଳଖିଆ ଦୋକାନୀ ଏବେ ଜଣେ ବଡ଼ କଣ୍ଟ୍ରାକ୍ଟର । ସଦେଇ ଦାସ ନାଁରେ ମକଦ୍ଦମା କରି ଟଙ୍କା ବାବଦକୁ ସେ ଘର ଖଣ୍ଡକ ଦଖଲ କଲା । ସଦେଇ ଦାସ ତା’ର ଦି’ପୁଅ, ଝିଅଟିଏ ଓ ସ୍ତ୍ରୀକୁ ଧରି ବଡ଼ଦାଣ୍ଡକୁ ଗଲା । ବଡ଼ଦାଣ୍ଡରେ ଗଲାବେଳେ ଝୋଟଭଳି ଦାଢ଼ିଥିବା ଗୋଟିଏ ବୁଢ଼ା, ଅଣ୍ଟା ଚାରିପାଖେ ଗୁଡ଼େ କନାଗୁଡ଼େଇ ଏଠେଇ ସେଠେଇ ବସି, ଆକାଶକୁ ଅନେଇ ବେଳେବେଳେ ଗାଳି ଦଉଥାଏ । ବେଳେବେଳେ ଆପେ ଆପେ ବି ସେ କଥା ହୁଏ । ସେଇ ହଉଛି ସଦେଇ ଦାସ । ସ୍ତ୍ରୀ ତା’ର କାହାଘରେ କୁଟାକୁଟି, ବାସନ ମଜାମଜି କରି ଚଳୁଛି । ପୁଅ ଯୋଡ଼ାକ ଇଆଠୁ ତା’ଠୁ ପଇସେ ଅଧଲେ ମାଗି ଟାଉନ୍‍ସାରା ଘୂରି ବୁଲୁ ଥାଆନ୍ତି । ଶୁଣାଯାଏ–ଝିଅଟାକୁ କେହି ଜଣେ ନେଇଯାଇ ଥୋଇଲି କରି ରଖିଛି । ସେଇ ପରିବାରଟି ତାଙ୍କ ଜନମମାଟି ଛାଡ଼ିଯିବାର ବରଷେ ପୂରିଛି କି ନାହିଁ, ସେ ଜାଗାରେ ଠିଆହେଲା ଏଇ ଦୋମହଲା କୋଠା । ସଦେଇ ଦାସ ପରିବାର କଥା ଲୋକେ ଆସ୍ତେ ଆସ୍ତେ ଭୁଲିଗଲେ । ସମସ୍ତେ ଚାହାନ୍ତି ଚାକ୍‍ଚିକ୍‍ଣ ଓ ଆଖିଝଲସିଆ କାରବାର । ସମସ୍ତେ ପଇସାର ପିଆରା । ସଦେଇ ଦାସ ପରିବାର ଭଳି ଅଭାଗା ଗରିବଗୁରୁବାଙ୍କ କଥା କିଏ କ’ଣ କେବେ ହେଲେ ଭାବୁଥାଏ ?

 

ଏଇ କୋଠାଘରର ମାଲିକ ଆଗେ ଦଶ ପଚାଶ ଟଙ୍କାର ଜଳଖିଆ ଦୋକାନଟିଏ ଦେଇଥିଲା । ବର୍ଷ ତିନି ଚାରିଟାରେ ଏତେ ଟଙ୍କା ସେ କମେଇଲା କୁଆଡ଼ୁ ? ଯେତେ ବୁଦ୍ଧି ଖଟେଇ ଲାଗିଥିଲେ ବି ଲୋକ ଏତେ ଅଳ୍ପ ସମୟ ଭିତରେ ଏସବୁ କମେଇ ପାରିବନି । ଲୋକଟା ଏଠାରେ ସ୍ଥାୟୀ ବାସିନ୍ଦା ନୁହେଁ । ବଡ଼ ହୀନିଅବସ୍ଥାରେ ଦକ୍ଷିଣ ଆଡ଼ୁ ଚାକିରି ଖଣ୍ଡିଏ କରିବ ବୋଲି ଧାଇଁ ଆସିଥିଲା । ତା’ର ଦିବ୍ୟସୁନ୍ଦର ଡଉଲ ଡାଉଲ ଝିଅ ତିନୋଟି ଥିଲେ । ସେତେବେଳେ ଯୁଦ୍ଧ ସମୟ-। ପୁରୀ ସମୁଦ୍ରକୂଳେ ଶହ ଶହ ଗୋରା ମିଲିଟାରୀ ପୋଲିସ୍ ଆସି ଆସ୍ଥାନ ଜମେଇ ଥାଆନ୍ତି । ବିଦେଶୀ ଲୋକ । ମାନସମ୍ମାନକୁ ଖାତିରି ନାହିଁ । ଶୁଣାଯାଏ–ଝିଅ ତିନିଙ୍କ ଜରିଆରେ ମିଲିଟାରୀ ଲୋକଙ୍କଠୁ ଟଙ୍କା କୋଡ଼ିଏ ପଚିଶ ହଜାର ସେ ପକେଇ ଦେଇଥିଲା । ସେଥିଯୋଗୁ ଏତେ କମ୍ ସମୟ ଭିତରେ ସେ ଟେକିଗଲା । ଯୋଉ ମୋଟା ଟଙ୍କାତକ ସେ କରଗତ କରିଥିଲା, ତାକୁ ବ୍ୟବସାୟରେ ଲଗେଇ ତା’ ଆସନ ସୁଦୃଢ଼ କଲା । ବହୁତ ଦିଆ ନିଆ କରି ଝିଅ ତିନିହିଁଙ୍କି ଭଲ ଭଲ ଜାଗାରେ ବାହା ଦେଇଛି । ଟଙ୍କା ପାଇଲେ ସମସ୍ତଙ୍କ ମୁହଁ ଆପେ ଆପେ ବନ୍ଦ ହେଇଯାଏ । ଯାହା କିଛି ଗଇ ଥାଉ ନା କାହିଁକି ଅଣ୍ଟିରେ ଟଙ୍କା ପଇସା ଆସି ପଡ଼ିଗଲେ ସେ ଦୁନାମ ସବୁ ଆପେ ଆପେ ଲିଭିଯାଏ । ଟଙ୍କା ପଇସା ଓ ଚାକ୍‍ଚିକ୍‍ଣ ଆଗରେ ସେସବୁ ହେୟ ବୋଧହୁଏ । ସେସବୁ କଥା କିଏ ଯେବେ ତୁଣ୍ଡରେ ଧରିଲା ସେ ହେଲା ଅସଭ୍ୟ ଓ ସଂକୀର୍ଣ୍ଣମନା । କିନ୍ତୁ ନଥିଲା ଘରର ଝିଅଟିଏ କାହା ପାଖରେ ହସି ହସି କଥା ପଦିଏ କହିଦେଲେ ତା’ ନାଁରେ କେତେ କେତେ ଅପକୀର୍ତ୍ତି ରଟିଯାଏ । ଅପବାଦର ନାଗରା ପିଟା ହୁଏ । ତାକୁ ସମାଜର କଳଙ୍କ ବୋଲି ଆଖ୍ୟା ଦିଆଯାଏ ।

 

ଅନ୍ୟ ଲୋକର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଏସବୁ କହିଯାଉଛି ବୋଲି ଆପଣ ଖରାପ ଭାବିବେନି । କେବଳ ଟଙ୍କା ପଇସା ହେତୁ ସେମାନଙ୍କର ଆସନ ସମାଜରେ ଏତେ ସୁଦୃଢ଼ ଯେ ମୋ’ ଭଳି ହଜାର ହଜାର ଲୋକ ତାଙ୍କ ସମ୍ବନ୍ଧରେ କିଛି କହିଲେ ତାଙ୍କ ମାନ ସମ୍ମାନରେ ମୋଟେ ହେଲେ ଆଞ୍ଚ ଆସିବନି । ମତେ ଆପଣ ଯାହା ଭାବିଲେ ଭାବନ୍ତୁ ପଛକେ, ଏସବୁ କଥା ଆପଣଙ୍କ ଆଗେ ନ କହିଲେ ମୁଁ ଯେପରି ସନ୍ତୁଷ୍ଟ ହେଇ ରହିପାରିବିନି । ଏସବୁ ଶୁଣିଲେ ଆପଣ ମୋର ତଥା ମୋ’ ଭଳି ଯେତେ ଯେତେ ଲୋକ ଏ ଦୁନିଆରେ ଅଛନ୍ତି ସେ ସମସ୍ତଙ୍କର କଥା ଭଲରୂପେ ଜାଣିପାରିବେ । ସେଥିଯୋଗୁ ଏସବୁ ମୁଁ କହିଯାଉଛି ।

 

ଏଇ ଦେଖନ୍ତୁ–ସେଇ କୋଠାଘରର ଡାହାଣ କରକୁ ଲାଗି ଗୋଟିଏ ଚାଳଘର । ଘରର ମାଲିକ ମାନ ରାଉତରା ସିପେଇ କାମ କରେ । ଦେଉଳ ଭିତରକୁ ପଶିଗଲା ବେଳେ ଲୋକେ ଦୁଆରମୁହଁ ପାଖରେ ଜୋତା, ଚମଡ଼ା ମନିବ୍ୟାଗ୍ କି ଚମଡ଼ା ବେଲ୍‍ଟ ଥୋଇଦେଇ ଯାଆନ୍ତି । ମାନ ରାଉତରା ସେ ସବୁକୁ ହେପାଦସ୍ତରେ ରଖେ । ଦିନରାତି ଦେଉଳ ମୁହଁରେ ସେ ପହରା ଦିଏ । ଦରମା ଦଶ ପନ୍ଦର ଟଙ୍କା । ସେଥିରେ ପୁଣି ଦି’ତିନି ବର୍ଷର ଦରମା ଏବେ ସୁଦ୍ଧା ବାକି ପଡ଼ିଛି । ଦିନକେ ପଇସା ଛଅଣା କି ଆଠଣା ଉପୁରି ରୋଜଗାର ଅଛି । କିଏ ଜୋତା ଥୋଇ ଦେଇଯାଇଛି, ଦର୍ଶନ ସାରି ଦି’ଚାରି ପଇସା ସିପେଇ ବାପୁଡ଼ାକୁ ଦେଇଯାଏ । ବେଳେବେଳେ ଯାତ୍ରା ତୀର୍ଥସମୟରେ ଯାତ୍ରୀଙ୍କଠୁ ଚାରଣା ଆଠଣା ନେଇ ସେମାନଙ୍କୁ ଦେଉଳ ଭିତରକୁ ଛାଡ଼ିଦିଏ । ମାନ ରାଉତରା ବେଶ୍‍ ଦି’ପଇସା ପାଏ–ରଥଯାତ୍ରା, ସ୍ନାନଯାତ୍ରା କି ଅନ୍ୟାନ୍ୟ ଯାତ୍ରାତୀର୍ଥମାନଙ୍କରେ । ସହରରେ ହଜାର ହଜାର ଲୋକଙ୍କର ଭିଡ଼ । ଦିନ କେଇଟାର କାରବାର-। ସେଇ ସମୟରେ ମାନ ରାଉତରା ସବୁକିଛି ଚହମହ । ପିଲେ ତା’ର ଖାଇବା ପିଇବାକୁ ଭଲ କରି ମୁଠେ ପାଇପାରନ୍ତି । ହାତକୁ କଞ୍ଚାପଇସା ଆସେ । ଅତି ବେଶି ହେଲେ ମାସ ଗୋଟେ ଦି’ଟା-। ବାକି ଦଶ ଏଗାର ମାସ ମାନ ରାଉତରାର ପିଲାପିଲି ଓଳିଏ ଖାଇଲେ ଦି’ଓଳି ଉପାସ ରହନ୍ତି । ଘରେ ତା’ର ସାତପ୍ରାଣୀ କୁଟୁମ୍ବ । ଜମି ବୋଲି ଗୁଣ୍ଠେ ହେଲେ ନାହିଁ । ନିତି ଚାଉଳ କିଣିଲେ ହାଣ୍ଡିରେ ପଡ଼େ । ମାନ ରାଉତରାକୁ ପଚାଶ ପାଖାପାଖି । ପୁଅ ତିନୋଟି, ଝିଅ ଯୋଡ଼ିଏ । ବଡ଼ପୁଅ ଫକିରା ଯାତ୍ରୀ ଗୁମାସ୍ତା କାମ କରେ । କୁସ୍ତି କରି ଦିହରେ ଅକଳନ ବଳ କମେଇଛି । କୋଉ ଜଣେ ନାମ୍‍ଜାଦା ପଣ୍ଡାଙ୍କର ସେ ଗୁମାସ୍ତା । ଦିନକୁ ପାଏ ଦେଢ଼ଟଙ୍କା । ଷ୍ଟେସନକୁ ଯାଇ ନିଜ ପଣ୍ଡା ନାଁରେ ଯାତ୍ରୀଙ୍କି ମନେଇ ଆଣିବା ତା’ର କାମ । ବେଳେବେଳେ ସେ କଟକ, କଲିକତା ଯାଇ ବି ଯାତ୍ରୀ ନେଇ ଆସେ । ଦିହରେ ବଳଥିବାରୁ ହିଁ ସେ ନିଜ ସପକ୍ଷରେ ଆକାଶ ଫଟେଇ ପାଟି କରିପାରେ । ଯାତ୍ରୀର ମନ ଥାଉ ବା ନଥାଉ ସେ ସେ ଫକିରା ଆଡ଼ିକି ଆଉଜିଯାଏ । ଯେ କୌଣସି ଉପାୟରେ ଯାତ୍ରୀକି ମଙ୍ଗେଇ ପାରିଲେ ହେଲା । ସକାଳ ଓଳିଟା ଫକିରା ଘରେ ଖାଏ । ଘରକୁ ପ୍ରତିଦିନ ସେ ଦିଏ ବାରଣା ପଇସା, ବାକି ବାରଣାରେ ତା’ର ଭଲମନ୍ଦ ଖିଆ, ପାଚିଲା ଗାମୁଛା, ମେଳାମଉଜ ଓ ଭାଙ୍ଗପାଚକ । ଫକିରା ପାଞ୍ଚ ବର୍ଷ ହେଲା ବାହା ହେଲାଣି । ପିଲାଝିଲା କିଛି ହେଇ ନାହାନ୍ତି । ସ୍ତ୍ରୀ ତା’ର ସବୁବେଳେ ଯାଇ ବାପଘରେ । ଏମାନେ ଯେତେ ଡାକିଲେ ବି ସେ ଆଉ ଶାଶୁଘରକୁ ଆସୁନି । ୟାଙ୍କ ଘରେ ଚାରି ପାଞ୍ଚ ବର୍ଷ ଭିତରେ ମାସ ତିନି ଚାରିଟା ଅବା ସେ ରହିଥିବ । ତା’ ବାପଘରେ ସେ ଯାଇ କହିଛି–ତାଙ୍କ ଘରେ ସେ ଚଳିପାରିବନି । ତାଙ୍କ ଘରେ ଏତେ ଅଭାବ ଅସୁବିଧା ଯେ ଦିନେ ଦିନେ ଚୁଲି ଲାଗିପାରେନି । ଶୁଣାଯାଏ ଫକିରା ସ୍ତ୍ରୀକି ଆଉ କିଏ ଜଣେ ରଖିଛି । ଅଭିଆଡ଼ୀ ଦୋଷ ତ କଟିଯାଇଛି, ସେଥିରେ ଆଉ ଭାବିବାର କ’ଣ ଅଛି ।

 

ମଝିଆଁ ପୁଅ ହରିଆ ଦେଉଳରେ କୋଉ ଜଣେ ସୁଆରର ଅଭଡ଼ା ଡାଲି ପସରାରେ ବିକ୍ରି କରେ । ଦିନକୁ ପାଏ ଆଠଣା । ତା’ସାଙ୍ଗକୁ ଖାଣ୍ଡିଏ ଅଭଡ଼ା । ଯାହା ପାଏ ସେତକ ତାକୁ ନିଅଣ୍ଟ । କୁଆଡ଼େ ଯେ ଫୁସ୍ କରି ସେତକ ଉଡ଼େଇଦିଏ, ଜଣା ପଡ଼େନି । ନିହାତି ଅସୁବିଧା ପଡ଼ିଲେ ବେଳେବେଳେ ବୋଉ ହାତରେ ଟଙ୍କେମସେ ଦିଏ । ହରିଆଟା ଭାରି ମେଳାପୀ ପିଲା । ତା’ର ସାଙ୍ଗସାଥୀ ଅନେକ । ମନେମନେ କେତେ କେତେ ଫନ୍ଦିଫିକର କରେ । କହେ–ସେ ବିଦେଶ କରିବ । ଟଙ୍କା ପଇସା କମେଇବାକୁ ଇଚ୍ଛା ଥିଲେ ବିଦେଶ କରିବା ଦରକାର । ଚବିଶ ଘଣ୍ଟାରୁ ଅଠରଘଣ୍ଟା ସେ ବାହାରେ ରହେ । ବେଳେବେଳେ ସାତ ଆଠଦିନ ଧରି ସେ ଘରକୁ ଆସେନି । ଘର ସାଙ୍ଗେ ସମ୍ପର୍କ କେବଳ ଖାଇବା ସମୟରେ ।

 

ସାନ ପୁଅ ଶାମିଆଟା ଏକବାରେ ଛତରା । ବୟସ ବାର, ତେର ଭିତରେ । ମାର୍ବୁଲ, ଡାହୁପୁଆ, ଚକିଉଡ଼ା, ଜୁଆଖେଳ, ପାନ ବିଡ଼ିଖିଆ, କୁସ୍ତିକସରତ ଓ ମାଡ଼ ମରାମରି ହବାରେ ସେ ସିଦ୍ଧହସ୍ତ । ଦାଣ୍ଡ କଳି ଘରେ ଆଣି ପୂରାଏ । ଚାଲିଲା ଶଗଡ଼ରେ ହାତ ମାରେ । ନାନା ପ୍ରକାର ଅଭଦ୍ର ଗାଳିଗୁଳଜ ଶିଖି ସମସ୍ତଙ୍କୁ ମୁହେଁ ମୁହେଁ ବତେଇଦିଏ । କିଏ ଜବତ କରି କହିଲେ ଗାଳିଫଜିତ କରେ । ତା’ର ଚଉଦ ପୁରୁଷ ଉଦ୍ଧାର କରେ । କାହାକୁ ଟେକା ଫିଙ୍ଗେ । ତା’କୁ ବାଟକୁ ଆଣି ପାରିବା ଯେପରି ଏକ ଅସମମ୍ଭବ ବ୍ୟାପାର ।

 

ଦି’ ଝିଅଙ୍କ ଭିତରୁ ବଡ଼ ଝିଅଟି ବିଧବା, ନାଁ ତା’ର ଶଶୀ । ମାସ କେଇଟା ଘର କରିଛି କି ନାହିଁ ବିଧବା ହେଲା । ଶାଶୁ ଘରେ ସମ୍ପତ୍ତି ବୋଇଲେ କିଛି ନାହିଁ । ବିଧବା ହବା ପରେ ବାପଘରେ ଆସି ରହିଛି । କୋଡ଼ିଏ ଏକୋଇଶିଟା ବୋଲି ବରଷ । ବୟସର ଭାରାରେ ଦିହ ତା’ର ଫାଟି ପଡ଼ୁଛି । ସାନ ଝିଅ ସର ଚାରି ପାଞ୍ଚବର୍ଷ ହେଲା ଘରେ ରହିଲାଣି । ବର ଘରଟିଏ ଖୋଜି ଖୋଜି ମିଳୁନି । କିଛି ବୋଇଲେ କିଛି ଏମାନେ ଦେଇ ପାରିବେନି । ବର୍ତ୍ତମାନ ସମୟରେ ମଙ୍ଗୁଛି ଅବା କିଏ ସେ ? ମା’ ଖୋଜୁଛି କୁଆଡ଼େ ଗୋଟିଏ ଦୋଅଡ଼ ପକ୍ଷ ଦେଖି ଟେକିଦେଲେ ତାଙ୍କ ଉପରକୁ ଭାରା ଆସିବନି । ବରପକ୍ଷ ଖର୍ଚ୍ଚବାର୍ଚ୍ଚ କରି ବାହା ହେବେ । ଉପରେ ଉପରେ କାମ ଉଠିଯିବ । ମାନ ରାଉତରାର ସ୍ତ୍ରୀଙ୍କି ଆସି ପଇଁଚାଳିଶ ହବ । ଦି’ଓଳି ତାଙ୍କର ଆଠଣାର ଅଫିମ ଦରକାର । ଏ ଅଫିମଖିଆ ତାଙ୍କର ଆଜିର ଅଭ୍ୟାସ ନୁହେଁ । ଶାଶୁଘରକୁ ଆସିବାର ବରଷ ଗୋଟେ ଦି’ଟା ପରେ ଏ ଅଭ୍ୟାସ । ପ୍ରଥମେ ପ୍ରଥମେ ପଇସେରୁ ଆରମ୍ଭ ହେଇ ଏବେ ଆଠଣାରେ ଆସି ପହଞ୍ଚିଲାଣି । ଘିଅ, ଦୁଧ କି ଆଇଁଷପାଣି ଟିକିଏ ନ ହେଲେ ତାଙ୍କର ଚଳେନି । ବଡ଼ ଖୁସି ମିଞ୍ଜାସର ଲୋକ । ସାଇର ସମସ୍ତଙ୍କ ସଙ୍ଗେ ତାଙ୍କର ଭଲ ସମ୍ପର୍କ । କିଏ ପୁଅ ତ କିଏ ପୁତୁରା, କାହାକୁ ଭଣଜା, କାହାକୁ ନାତି ହିସାବ କରି ସମସ୍ତଙ୍କୁ ଆଣି ସେ ଘରେ ପୂରାନ୍ତି । ଥଟ୍ଟା ମୁସକିଲରେ ଧୂଳା ଉଡ଼େ ।

 

ଝିଅମାନଙ୍କ ସାଙ୍ଗେ ହସ ଖୁସି ଓ ଖା’ପିଅ । ଦେଉଳ ଦର୍ଶନ, ସିନେମା ଓ ସମୁଦ୍ରକୂଳ ବୁଲା । ଏତେ ଅସୁବିଧାରେ ବି ସେ ଅଭାବ କ’ଣ ଜାଣିନାହାନ୍ତି । ଜୀବନଯାକ ମଉଜ ମଜଲିସରେ କଟିଲାଣି । ଝିଅ ଦି’ଟି ପାଖରେ ଥିଲେ ଭାବିବାର କିଛିହେଲେ ନାହିଁ ।

 

ଏଇ ଦେଖନ୍ତୁ–ସେ ଚାଳଘରଟିକି । ସେ ଘରର ଇତିହାସ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦିନରାତି ଚବିଶି ଘଣ୍ଟା ସେ ଘରୁ ଖୋଳ କରତାଳର ଶବ୍ଦ ଭାସିଆସେ । ଦିଅଁଙ୍କ ମୂର୍ତ୍ତି, ଶାଳଗ୍ରାମ, ଫଟୋ ଓ ଦିଅଁଙ୍କ କଂସା ବାସନ ଆଦି ମିଶେଇଦେଲେ ଶଗଡ଼େ ହବ ବାହାରିବ । ସକାଳ ପାଇଲେ ଅବକାଶ, ବଲ୍ଲଭ, ଚାରିଧୂପ, ଆଳତୀ ଓ ହରେକ୍ ରକମର ସେବାପୂଜା । ଦିଅଁଙ୍କ ନୀତି ସାରି ଶୋଇଲାବେଳକୁ ରାତି ବାର କି ଗୋଟେ । କେତେ କେତେ ଭକ୍ତ ଆସି ସେ ଘରେ ରୁଣ୍ଡ ହୁଅନ୍ତି । ସଞ୍ଜ ହେଲେ କେତେ କେତେ ପୁରୁଷ ଓ ସ୍ତ୍ରୀଙ୍କର ମେଳା ବସେ । ସମସ୍ତଙ୍କ ମନ ଭଗବତ୍ ପ୍ରେମରେ ଅବା ଭିଜିଯାଏ । ଘରଟି ନବଘନ ମହାନ୍ତି ବୋଲି ଜଣେ ଭଦ୍ର ଲୋକଙ୍କର ଘର-। ବୌଷ୍ଣବ ସଂପ୍ରଦାୟରେ ପଶି ଏବେ ନାଁ ତାଙ୍କର ହୋଇଛି ବାବାଜୀ ରାମରତ୍ନ ଦାସ । ଘର ତାଙ୍କର ଗୋଟିଏ ମଠରେ ପରିଣତ ହେଲାଣି । କୋଉ ଗୋଟିଏ ଅଫିସରେ ସେ କାମ କରୁଥିଲେ-। ସେଠାରେ ତହବିଲ୍ ତୋଷରପ ନେଇ ଭିଡ଼ାଓଟରା ଲାଗିଲା । ନବଘନ ବାବୁ ଧରାପଡ଼ିଲେ । ଚାକିରି ଗଲା । ରୋଜଗାରର ଆଉ କିଛି ଫନ୍ଦି ଫିକର ନାହିଁ । ନବଘନ ବାବୁ ଓରଫ୍ ବାବାଜୀ ରାମରତ୍ନ ଦାସ ସଦାବେଳେ ଏଇ କଥା ସବୁ ସମସ୍ତିଙ୍କ ଆଗେ ଗପି ହୁଅନ୍ତି । ତାଙ୍କୁ ଯିଏ ଚାକିରିରୁ କାଢ଼ିଛି ତା’ର ବଂଶ ଲୋପ ହଉ । କି କାଳ ଆସି ହେଲା ? ଲୋକେ ଏବେ ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ କି ଭଲ ମନ୍ଦର ହିସାବ ରଖୁନାହାନ୍ତି । ଯାହା ମନକୁ ପାଇଲା କରିଯାଉଛନ୍ତି । ପ୍ରତିଦିନ ଆଳତି ସମୟରେ ଅନେକ ଲୋକ ଆସି ଏକଜୁଟ୍‍ ହେଲେ, ତାଙ୍କୁ ଯିଏ ଚାକିରିରୁ ବାହାର କରିଛି, ତାରି ଉଦ୍ଧେଶ୍ୟରେ ଗୁଡ଼ାଏ ଗାଳି ଫଜିତ୍ କରି ସେ ନିଜର ସଚ୍ଚୋଟପଣିଆ ଦେଖେଇ ହୁଅନ୍ତି । ତାଙ୍କର ସ୍ତ୍ରୀ ବାସନ୍ତୀ ଦେବୀ ସୁନ୍ଦରୀ, ତନ୍ଵୀ, ମିଷ୍ଟାଳାପୀ ଓ ବେଶ୍‍ ମେଳାପୀ । ତାଙ୍କ ସାଙ୍ଗରେ ଥରେ ଯିଏ କଥା ହେଇଛି, ସେ ସଦାବେଳେ ଇଚ୍ଛା କରୁଥିବ–ତାଙ୍କ ଗୋରା ତକ୍‍ତକ୍ ମୁହଁର ପାତେଳା ଓଠରୁ କଥାପଦିଏ ଶୁଣିବାକୁ । କଥା ଭିତରେ ଗୀତା, ଭାଗବତ ପଢ଼ା ଓ ଭଗବାନଙ୍କ ଚର୍ଚ୍ଚା । ପିଲାଝିଲା ନାହାନ୍ତି । ବୟସ ପଚିଶ ଭିତରେ । କିନ୍ତୁ ଦେଖିଲେ କେହି ତାଙ୍କୁ ପଚିଶ ବର୍ଷର ବୋଲି କହିବନି । ସତେ ଅବା ସତର ଅଠର ବର୍ଷର ଗୋଟିଏ ଅଭିଆଡ଼ି ଝିଅ । କାମ କେବଳ ତାଙ୍କର ଦିନରାତି ବସି ଦିଅଁଙ୍କ ପାଇଁ ମାଳା ଗୁନ୍ଥିବା । ବାସନ୍ତୀ ଦେବୀଙ୍କର ଚାରୁ ବୋଲି ଗୋଟିଏ ନଣନ୍ଦ । ଅବିବାହିତା । ଅଳ୍ପେ ବହୁତେ ପାଠ ପଢ଼ିଛି । ଦିହ ତା’ର ବଳିଦେଲା ଭଳି । ସୁନ୍ଦରୀ ଯେମିତି ସବୁ କାମ ବି ସେମିତି । ତା’ ବ୍ୟବହାରରେ ଲୋକ ମୁଗ୍‍ଧ ହୋଇଯିବ । ସଞ୍ଜବେଳେ ଆଳତୀ ଦେଖିବା ଲାଗି ଲୋକେ ଆସି ଯେତେବେଳେ ଘରେ ରୁଣ୍ଡ ହୁଅନ୍ତି, ଚାରୁ କାହାକୁ ପାନ, ଚାହା ନୋହିଲେ ସର୍ବତ ଦେଇ ସନ୍ତୋଷ କରେ । ଯିଏ ଦିଅଁ ଦର୍ଶନ କରିବାକୁ ଆସେ ସେ ସାଙ୍ଗରେ କିଛି ନା କିଛି ଭୋଗରାଗ ନେଇ ଆସିଥାଏ । ନୋହିଲେ ଦିଅଁଙ୍କ ଆଗରେ ଥୁଆ ଥାଳିରେ ପଇସା ପକେଇଦେଇ ଯାଏ । ଦିଅଁଙ୍କୁ ଭୋଗ ଲାଗିସାରିଲା ପରେ ପିଲାମାନଙ୍କୁ ବାଣ୍ଟି ଦିଆଯାଏ । ବେଳେବେଳେ କେହି କେହି ନିଜ ପିଲାପିଲିଙ୍କ ସାଙ୍ଗରେ ବାସନ୍ତୀ ଦେବୀଙ୍କୁ କହି ତାଙ୍କ ନଣନ୍ଦକୁ ସାଙ୍ଗରେ ଧରି ଦେଉଳରୁ ବାହାରନ୍ତି । ଭାଇ ଭାଉଜ ସାଙ୍ଗରେ ରହି ଚାରୁ ବି ଗୋଟିଏ ଭକ୍ତ ପାଲଟିଗଲାଣି । ନାନା ପ୍ରକାର ଧର୍ମ ଉପଦେଶ ଓ ଭଗବାନଙ୍କ ଉପାଖ୍ୟାନ ସବୁ ତା’ଠୁ ଶୁଣିବାକୁ ମିଳେ । କିନ୍ତୁ ନିଜ ଦିହଟିକି ବଡ଼ ହୁସିଆରରେ ସେ ସାଇତି ରଖିଥାଏ । ତା’ର ବେଶଭୂଷା ଚାଲିଚଳଣ ଓ କଥାଭାଷା ବଡ଼ ଗମ୍ଭୀର । ମନରେ କେତେ କେତେ ଭାବନାର ଜୁଆର ଭାଙ୍ଗେ । ତା’ ମୁହଁରେ ଭଗବାନଙ୍କ କଥା ଯେପରି ଅବା ଖାପ୍‍ଛଡ଼ା ଜଣାପଡ଼େ । ତଥାପି ତା’ ମୁହଁରୁ ସେସବୁ ଶୁଣିବାକୁ ଭାରି ଭଲ ଲାଗେ । ପାଖରେ ବସି ରହିବାକୁ ମନ ଡାକେ । ଗପ ସରେନି । ନବଘନବାବୁ ଓରଫ୍ ରାମରତ୍ନ ଦାସଙ୍କର ବାସନ୍ତୀ ଦେବୀ, ତାଙ୍କ ଭଉଣୀ, ଦିଅଁ ଓ ଦିଅଁଙ୍କ ସାଜ ସରଞ୍ଜାମ ଯେପରି ଅବା ତାଙ୍କର ସଂସାର । ଜମିବାଡ଼ି ନାହିଁ । ଘରକୁ ପଇସାଟିଏ ଆଣିବାକୁ ଆଉ କେହି ହେଲେ ନାହାନ୍ତି । ଚାକିରି ଯିବା ଦିନରୁ ସେ ପଙ୍ଗୁ ହୋଇ ବସି ରହିଛନ୍ତି । ସବୁକିଛି ଅଭାବ ମେଣ୍ଟାନ୍ତି ଘର ଦିଅଁ ଗୋପାଳଜୀ । ବାସନ୍ତୀ ଦେବୀଙ୍କର ଆରାଧ୍ୟ ଦେବତା । ତାଙ୍କ ଶ୍ରୀଚରଣରେ ଆଶ୍ରା କଲେ ଅଭାବ ରହେ ନାହିଁ । ଅଭାବ କ’ଣ ସେମାନେ ଜାଣି ନାହାନ୍ତି ବୋଲି କହନ୍ତି । ନିଜେ ଗୋପାଳଜୀ ଆସି ସବୁକିଛି ଅଭାବ ଅସୁବିଧା ଅବା ପୂରଣ କରିଦେଇ ଯାଆନ୍ତି ।

 

ଅଳ୍ପ ତୁନି ରହି ସେ ସ୍ତ୍ରୀଲୋକଟି ପୁଣି କହି ଚାଲିଲା–

 

ଏଇ ରାସ୍ତାର ଶେଷ ମୁଣ୍ଡକୁ ଯୋଉ ଘରଟି ଆପଣ ଦେଖିବାକୁ ପାଉଛନ୍ତି–ସେଥିରେ ରହନ୍ତି ଜଣେ କିରାନୀବାବୁ । ଘରଟିର ଦାଣ୍ଡ ପଟ ଓ ବାରି ପଟ ଭାଙ୍ଗିରୁଜି ଗଲାଣି । ଘରେ ତାଙ୍କର ସାତପ୍ରାଣୀ କୁଟୁମ୍ବ । ବାପ ମା’, ବୁଢ଼ା ବୁଢ଼ୀ, ଭାଇ ଭଉଣୀ ହେଇ ପାଞ୍ଚ ଜଣ । ତିନି ଭାଇ, ଦି’ ଭଉଣୀ । ସାନ ଭାଇ ଯୋଡ଼ିକ ପଢ଼ୁଛନ୍ତି । ଭଉଣୀ ଯୋଡ଼ିକ ବାହା ହବାକୁ ଆସି ହେଲେଣି । ବଡ଼ ଭଉଣୀ ଦଶ ବର୍ଷ ଓ ସାନ ଭଉଣୀ ସାତ ବର୍ଷ ହେଲା ବଡ଼ହେଇ ଘରେ ରହିଲେଣି । ବାହା କରିଦବାକୁ ସମ୍ବଳ ନାହିଁ । ଦି ଭଉଣୀଙ୍କ ତଳକୁ ଯୋଉ ଭାଇ, ନାଁ ତାଙ୍କର ନାରଣବାବୁ । ମାଟ୍ରିକ୍ ଖଣ୍ଡିକ ଯତ୍ରେ କତ୍ରେ ପାସ୍ କରିସାରିବା ପରେ କିରାନୀ ଚାକିରିଟିଏ କରୁଛନ୍ତି । ସତୁରୀ ଅଶୀ ଟଙ୍କା ଦରମା । ଚଳିବାକୁ ସାତପ୍ରାଣୀ କୁଟୁମ୍ବ । ନିଜେ ସେ ବାହା ହେବେ ଅବା କେମିତି ? ଘରେ ଦି’ ଦି’ଟା ବଢ଼ିଲା ଭଉଣୀ । ବୟସ ତାଙ୍କର ବଢ଼ି ବଢ଼ି ଆସୁଛି । ବଡ଼ ଭଉଣୀ ବୁଢ଼ୀ ଭଳି ଦେଖାଗଲାଣି-। ପୁରୀ ଭଳି ମହରଗିଆ ଜାଗା ପୁଣି ମହଙ୍ଗା ବଜାର । ପାଞ୍ଚ ଛ ଏକର ଜମି ଅଛି । ଯେ କୌଣସି ଉପାୟରେ ଜମି ଫସଲରୁ ସେମାନେ ଚଳି ଯାଉଥିଲେ । ଗାଁ ଲୋକେ ଧୂଳିଭାଗ ଜମିରୁ ଅଧେ ହବ ଭାଗ ମନ ଖୁସିରେ ଘରେ ଆସି ଦେଇ ଯାଉଥିଲେ । ସେଥିରେ ଜମିଦାର ଖାତକ କି ଚାଷୀ ଓ ଜମିମାଲିକର ସମ୍ପର୍କ ନ ଥିଲା । ନିଜ ଘର ଭଳି ଦିହେଁ ଦୁହିଁଙ୍କର ଅଭାବ ଅସୁବିଧା ବୁଝୁଥିଲେ । ସେ ସମୟ ଥିଲା ଅଲଗା ।

 

ବର୍ତ୍ତମାନ ଆସିଛି ଅତି ଅଦ୍ଭୁତ ସମୟ । ତାଙ୍କ ଘରକୁ ଅନେକ ସମୟରେ ମୁଁ ଯା’ଆସ କରେ । ତାଙ୍କ ଘରର ସମସ୍ତେ ବଡ଼ ଭଲ ମଣିଷ । ମତେ ଓ ମୋ’ ପୁଅକୁ ବଡ଼ ଭଲ ପାଆନ୍ତି । ଯେତେବେଳେ ହେଲେ ମୋ’ ପୁଅ ହାତରେ କିଛି ନା କିଛି ଖାଇବା ଜିନିଷ ଗୁଞ୍ଜି ଦିଅନ୍ତି । ଅଭାବ ଅସୁବିଧା ପଡ଼ିଲେ ସେମାନେ ମତେ ସାହାଯ୍ୟ କରନ୍ତି । ଏପରିକି ପାଖରେ ନ ଥିଲେ ଅନ୍ୟଠୁ ଆଣି ବେଳେବେଳେ ମୋର ଅଭାବ ପୂରଣ କରନ୍ତି । ତାଙ୍କରିଠୁ ମୁଁ ଶୁଣିଛି–ପଞ୍ଚୋ ଲୋକେ କହୁଛନ୍ତି–ଲୋକଙ୍କ ହାତରେ ଅତି ବେଶି ହେଲେ ମୁଣ୍ଡପିଛା ତେତିଶ ଏକର ଜମି ରହୁ । ଉପରୁ ଖବର ଆସିଲା ଜମିର ପରିମାଣ ବେଶି ହୋଇଗଲା । ଆଉ ଦଳେ କହିଲେ କୋଡ଼ିଏ ଏକର । ସେମାନଙ୍କୁ ଟିକିଏ ଆଗେଇ ଯାଇ ଆଉ ପଞ୍ଚୋ କହିଲେ ଅଠର ଏକର । ତାଙ୍କ ଦେଖାଦେଖି ଆଉ ଦଳେ କହି ବୁଲିଲେଣି ପନ୍ଦର ଏକର । ଅନ୍ୟ ଦଳଙ୍କର ବସିଲା ସଭା । ସେମାନେ ରାୟ ଦେଇ ଦେଲେ…...ଚଉଦ ଏକର । ଏମିତି କମି କମି ଆସିଯିବ ଦଶ ଏକର, ପାଞ୍ଚ ଏକର, ଦି’ଏକର ଓ ଏକରେ । ଯିଏ ଯେତିକି କମ୍ ଜମି ବୋଲି ପାଟି କରିପାରିଲା, ସେ ହେଲା ଲୋକଙ୍କର ସେତିକି ସୁଖ ଦୁଃଖର ଭାଗୀ । ଲୋକଙ୍କ ଅବସ୍ଥା ସେତିକି ଜାଣିପାରିଛି ବୋଲି ଦାବି କରି ବସେ । ବକ୍ତୃତା ଦିଏ–ଜମି ସମସ୍ୟା ଉପରେ । ସହରର କେଉଁ ଏକ କୋଠା ଉପରୁ ଅନଗଳ ଜମିଜମା ସମସ୍ୟା ଉପରେ ସେ କହିଯାଏ । ସେହି ବିଷୟରେ କଥାବାର୍ତ୍ତା ଚଳେଇବା ପାଇଁ କୌଣସି ଗୋଟିଏ ରୁଦ୍ଧ କୋଠୋରୀରେ ସମସ୍ତେ ଆସି ଏକଜୁଟ୍‍ ହୁଅନ୍ତି । ବହିପଢ଼ି ଆଲୋଚନାରେ ଭାଗ ନିଅନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଗାଁଗଣ୍ଡା ହୁଏତ ଦେଖିଥିବେ କି ନାହିଁ ସନ୍ଦେହ । ସହରରେ ରହି, ହାତ ହଲେଇ କେବଳ ଲମ୍ବା ଚଉଡ଼ା ବକ୍ତୃତା ସେମାନେ ଦେଇପାରନ୍ତି । ଲୋକଙ୍କ ସାଙ୍ଗେ ନ ମିଶି, ଲୋକଙ୍କ ଅସଲ ଅସୁବିଧାଟା କୋଉଠି ନ ଜାଣି, ଲୋକଙ୍କ ପାଇଁ କାମ କରୁଛନ୍ତି ବୋଲି ସବୁଆଡ଼େ କହି ବୁଲନ୍ତି । ଲୋକଙ୍କ ଜୀବନ ସାଙ୍ଗେ ସେମାନେ ଖେଳ ଖେଳନ୍ତି ।

 

ନାରଣବାବୁଙ୍କ ଘର ତାଙ୍କ ଜମିରୁ ଏବେ ଧାନ ଭରଣେ ହେଲେ ପାଉନାହାନ୍ତି । କେତେ ଜମି ଅବା ତାଙ୍କର । ଯୋଉମାନଙ୍କର ଶହ ଶହ, ହଜାର ହଜାର ଏକର ଜମି ଅଛି ସେମାନଙ୍କ କଥା ସିନା ଅଲଗା । କିନ୍ତୁ ଗରିବ କିରାନୀ ବିଚାରା । ଯୋଉ ଚାଷୀମାନେ ନାରଣବାବୁଙ୍କର ଜମି ଧରିଥିଲେ ସେମାନେ ଏବେ ଶତ୍ରୁରେ ପରିଣତ ହେଲେଣି । ଜମି ଧାନ ଯୋଗୁ ସେମାନେ ଚାଉଳ ନକିଣି ବର୍ଷକେ ସାତ ଆଠମାସ ଚଳି ଯାଉଥିଲେ । ଯେ କୌଣସି ପ୍ରକାରେ ଢୋକେ ପି’ ଦଣ୍ଡେ ଜି’ କରି ତାଙ୍କ ଦିନଗୁଡ଼ିକ କଟିଯାଉଥିଲା । ଏବେ ନିଜ ଜମିର ଧାନତକ ସେମାନେ ହରେଇ ବସିଲେ-। ସେମାନଙ୍କ ସାଙ୍ଗେ ବରାବର ହବାକୁ କାହାର ସମୟ ଅଛି ନାଁ ଇଚ୍ଛା ଅଛି ? ଗାଁଲୋକ ଏବେ ଏଡ଼େ ମାମଲାଖୋର ହେଲେଣି ଯେ ସେମାନଙ୍କ ସାଙ୍ଗେ କଥାହବାକୁ ଡର ମାଡ଼ିଲାଣି । କଥା କଥାକେ ମାଲିମକଦ୍ଦମା, ଫଉଜଦାରୀ ଓ ଦଙ୍ଗାହାଙ୍ଗାମା । ତାଙ୍କ ଭିତରୁ ମଣିଷପଣିଆ ଅବା ଲୋପ ପାଇଲାଣି । ସେମାନଙ୍କ ସାଙ୍ଗେ ମାଲିମକଦ୍ଦମା କରି ନପାରି ନାରଣବାବୁଙ୍କ ଘର ଏବେ ସେମାନଙ୍କର ଦୟା ଉପରେ ନିର୍ଭର କଲେଣି । ଜମିତକ ବିକିଦେଇ ଝିଅ ଯୋଡ଼ିଙ୍କୁ ବାହା କରିଦେଲେ ବି ଚଳନ୍ତା । ତା’ମଧ୍ୟ ସମ୍ଭବ ହୋଇପାରୁନି । ଜମି ବିକିବା ଏବେ କାଠିକର ପାଠ ହେଲାଣି । ଲୋକେ ଭାବିଲେଣି–ଜମିସବୁ ଆପେ ଆପେ ତ ତାଙ୍କର ହେଇଯିବ, ଏମାନଙ୍କୁ ଯେତିକି ହଇରାଣ କରିବୁ ଜମି ସେତେ ଶ୍ରୀଘ ଆମ ହାତକୁ ଆସିଯିବ । ବିଚାରା ନାରଣବାବୁ କ’ଣ ଅବା କରିବେ ? ଭଉଣୀ ଦିହିଁଙ୍କି ସେ ବାହାଦେବେ କେମିତି ? ଏ ମହରଗିଆ କାଳରେ ଘର ଚଲେଇବ କେମିତି ? ଭାଇ ଦିହିଁଙ୍କି ପାଠ ପଢ଼େଇ ମଣିଷ କରିବ କେମିତି ? ତାଙ୍କ ଅବସ୍ଥା ବୁଝିବ ଆସି କିଏ ସେ ?

 

ତାଙ୍କ ଘରକୁ ଅନେକଥର ମୁଁ ଯା’ଆସ କରିଛି । ଏଇ କଥା ସବୁ ତାଙ୍କ ଘରେ ଅନବରତ ଚର୍ଚ୍ଚା ହଉଥାଏ । ନାରଣବାବୁଙ୍କର ବାପା ବୋଉ ସଦାବେଳେ ମୁଣ୍ଡରେ ହାତଦେଇ ବସିଥାଆନ୍ତି । ମୁଁ ଜାଣିଛି–ଅନେକ ସମୟରେ ସେମାନଙ୍କୁ ବକତେ ଲେଖେଁ ଖାଇବାକୁ ପଡ଼େ । ଏଣେ ବାହାରେ ଟିକିଏ ଚାକ୍‍ଚିକ୍‍କଣ ନ ଦେଖେଇଲେ ନଚଳେ । ସେତକ ନକଲେ ଚଳିହବନି । ଲୋକେ ପତିଆରା କରିବେନି । ହାଣ୍ଡି ଘରେ ମାଙ୍କଡ଼ଚିତ୍‍ ମାରୁଥିଲେ ବି ଲୁଗାପଟାରେ ଦିହ ସଜେଇ ବଡ଼ଲୋକଙ୍କ ଭଳି ନିଜକୁ ଖାପ ଖୁଆଇ ନ ପାରିଲେ ପଦେ ପଦେ ଅସୁବିଧା । ଭେକ ନଥାଇ ଭେକାନି ହେଇ ବୁଲିଲେ ଏ ସମୟରେ କେହି ପାନଖଣ୍ଡେ ବି ଦେବେନି ।

 

ପଚାରିଲି–ତା’ପରେ,

 

ତା’ ପାଖକୁ ଯେଉଁ ଦୋମହଲା କୋଠାଟି ଠିଆ ହୋଇଛି, ସେଇଟି ତିଆର ହବାର ବେଶିହେଲେ ଛ’ ମାସ ହବ । ହଳଦିଆ ରଙ୍ଗରେ ସେଇଟା ଧଉଳା ହୋଇଛି । ଘର ଭିତର ମେଘା ରଙ୍ଗର ଧଉଳା । ଶାଗୁଆନ ଓ ପିଆଶାଳର ଦୁଆର ଝରକା । ଠିକ୍ ଭିତରକୁ କୁଶନ୍‍ ବେଞ୍ଚ ଚଉକି ଆଦିରେ ଘର ଭରା । ସେ ଘରଟି ହଉଛି ଜଣେ ନାମଜାଦା ନେତାଙ୍କର । ଲୋକଙ୍କ ଭିତରେ ସେ ବେଶ୍‍ ଜଣାଶୁଣା । ସମସ୍ତଙ୍କ ଦୁଃଖ ସୁଖରେ ଭାଗନିଅନ୍ତି । ନିଜର ଭଳି ସବୁକଥା ବୁଝନ୍ତି । ସଭା ସମିତିରେ ଘଣ୍ଟା ଘଣ୍ଟାଧରି ବକ୍ତୃତା ଦିଅନ୍ତି । ତାଙ୍କଠୁ କଥା ଶୁଣିଲେ ଆଉ କେହି ହେଲେ ସେଠୁ ଉଠି ପାରିବନି । କୁଲି ମଜୁରିଆ ଓ ସର୍ବହରା ମଣିଷ ସମାଜର ମଙ୍ଗଳସାଧନ କରିବାକୁ ସେ ଜୀବନର ପଣ କରିଛନ୍ତି । କାହାର କ’ଣ ଅସୁବିଧା ପଡ଼ିଲା, ଖବର ପାଇଲା ମାତ୍ରେ ସେ ହାକିମ-ହୁକୁମା ନୋହିଲେ ମନ୍ତ୍ରୀଙ୍କି ଧରି ଅସୁବିଧା ଆଦି ଆଖିପିଛୁଳାକେ ଦୂର କରିଦେଇ ପାରନ୍ତି ।

 

କିନ୍ତୁ ପାଞ୍ଚ ବର୍ଷ ତଳେ ସେ ବାବୁଙ୍କ ଅବସ୍ଥା ବଡ଼ ଖରାପ ଥିଲା । ପିଲେ ତାଙ୍କର ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ । ସେ ବହୁତ କଷ୍ଟରେ ବି.ଏ. ଖଣ୍ଡିକ ପାସ୍ କରିଥିଲେ । ଲୋକଙ୍କୁ ନେହୁରା ହେଇ, ମାଗିଯାଚି ଓ ନାନା ହୀନିଅବସ୍ଥା ହୋଇ ସକାଳେ ସଞ୍ଜେ ଟିଉସନ କରି, ମଠବାଡ଼ିରୁ ଭିକ୍ଷା ଆଣି, ଥିଲା ଲୋକଙ୍କୁ ସାହାଯ୍ୟ ମାଗି, ଭୋକ ଉପାସରେ ସେ ବି.ଏ. ପାସ୍ କରିଥିଲେ । ସେତେବେଳେ ସେ ଥିଲେ ସର୍ବହରା ଓ ନଥିଲା ଲୋକଙ୍କର ନେତା । ବକ୍ତୃତା ଦେଲାବେଳେ ଦୁନିଆ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା କଥା କହି ସେ ନିଜକୁ କେବଳ ସେମାନଙ୍କ ଭିତରେ ପ୍ରକାଶ କରୁଥିଲେ । ଦିନ ରାତି ଲୋକଙ୍କପାଇଁ ଖାଟୁଥିଲେ । କିନ୍ତୁ ଅଳ୍ପ କେତେ ବର୍ଷ ଭିତରେ ତାଙ୍କ ଅବସ୍ଥା ଓଲଟି ପଡ଼ିଲା । ସେ ହେଲେ ସହର ଖାଉଟି ସଙ୍ଘର ସଭାପତି । କିଣିଖିଆଙ୍କର ନେତା । ମେହେନ୍ତର ଇଉନିୟନର ଅଗ୍ରଣୀ । ଶଗଡ଼ିଆ, ରିକ୍‍ସାବାଲା, ବିଡ଼ି ବଳାଳୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ସଙ୍ଘର କର୍ମକର୍ତ୍ତା । ଟାଉନ ଭିତରେ ନାମଜାଦା ଲୋକ ହୋଇ ସେ ବାହାରି ପଡ଼ିଲେ । ଚିନି, ସିମେଣ୍ଟ, ଲୁହାଛଡ଼, କିରାସିନି ଆଦି ଜିନିଷ ମହଙ୍ଗାହୋଇ ବଜାରରେ ନ ମିଳିଲାବେଳେ, ଲୋକେ ସୁବିଧାରେ ପାଇପାରିବା ପାଇଁ ତାଙ୍କରି ଜରିଆରେ ବାଣ୍ଟି ଦିଆଯାଏ । ସେ ସମୟରେ ତାଙ୍କୁ ନିଶ୍ଵାସ ମାରିବାକୁ ସମୟମିଳେନି । କେତେବେଳେ କଟକ, ଭୁବନେଶ୍ଵର ଓ କେତେବେଳେ ବା କଲିକତା ଦଉଡ଼ା । ଘରୁ ତାଙ୍କର କେବେହେଲେ ଲୋକ ଛାଡ଼ିହୁଅନ୍ତିନି । ସକାଳ ପାଇଲାବେଳକୁ ପାଞ୍ଚ ଦଶଜଣ ଲୋକ ତାଙ୍କର ଦୁଃଖ ଅସୁବିଧା ନେଇ ଦୁଆରେ ବସିଥାନ୍ତି-। ଘରେ ବାହାରେ ସବୁବେଳେ ଖାଲି ଲୋକଙ୍କର ଭିଡ଼ । ଖବରକାଗଜରେ ଓ ଲୋକମୁଖରେ ତାଙ୍କର ପ୍ରଶଂସା ।

 

ଫଳ ହେଲା, ତାଙ୍କ ବାପ ଅଜା ଅମଳର ଭଙ୍ଗାରୁଜା କୁଡ଼ିଆ ଖଣ୍ଡିକ ବର୍ଷ ଦି’ଟାରେ ସୁନ୍ଦର ଦୋମହଲା କୋଠାରେ ପରିଣତ ହେଲା । ମାଇପ ବେକରେ କଳା ଫିତା ନଥିଲା । ଏବେ ବେଙ୍କା ବେଙ୍କା ଚାରିସୋରିଆ ହାର ଝୁଲୁଛି । ଦିହସାରା ସୁନା ଅଳଙ୍କାରରେ ଭରା । ଆଗେ ତାଙ୍କ ଘରକୁ କେହି ଜଣେ ପଶି ଆସିଲେ ପାରିଦେବାକୁ ଭଲ ମସିଣା ଖଣ୍ଡିଏ ନଥିଲା । ଏବେ ଗଡ଼ରେଜ୍ ଚଉକି ଆଲମାରୀରେ ଘର ଭର୍ତ୍ତି । ଟଙ୍କା କେଇଟା ପାଇଁ ଆଗେ ସେ କେତେ କେତେ ଲୋକଙ୍କୁ ସେ ନେହୁରା ହଉଥିଲେ । ଏବେ ପୋଷ୍ଟଅଫିସ୍ ଓ ବ୍ୟାଙ୍କରେ ତାଙ୍କର ହଜାର ହଜାର ଟଙ୍କା ଗଚ୍ଛିତ ଅଛି । ଚିନି, କିରାସିନି ଲୁହାଛଡ଼ ଚାଉଳ କି ସିମେଣ୍ଟ ସହରରେ ମିଳୁନି, ତାଙ୍କୁ ଖାଲି ଟିକିଏ ଖବର ଦେଇଦେଲେ ଯେତେ ଇଚ୍ଛା ତେତେ ଆଖିପିଛୁଳାକେ ଆସି ଜମା ହେଇଯିବ । ଶୁଣାଯାଏ–ତାଙ୍କ ଘରତିଆରି ହେଲାବେଳେ ବଡ଼ହେଲେ ଟଙ୍କା ହଜାରେ ସେ ଖର୍ଚ୍ଚ କରିଥିବେ । କାହାକୁ କିଛି ସେ କହିନାହାନ୍ତି । କିଏ କାଠ, କିଏ ସିମେଣ୍ଟ, କିଏ ଇଟା ମନକୁ ମନ ଆଣି ଜମେଇଦେଇ ଚାଲିଯାଆନ୍ତି-। ଯେତେ ମନାକଲେ ବି ଶୁଣନ୍ତିନି । ଏଇ ଅଳ୍ପ କେଇମାସ ତଳେ ତାଙ୍କର ଗୋଟିଏ ଭଉଣୀର ବାହାଘର ହେଲା । ସହର ଓ ସହର ବାହାରରେ ବଡ଼ ବଡ଼ ବ୍ୟବସାୟୀ, ଶେଠ, ଜମିଦାର ଓ ନାମଜାଦା ଲୋକଙ୍କଠୁଁ ସେ ଯେଉଁସବୁ ଉପହାର ପାଇଥିଲେ ତାକୁ ଦେଖିଲେ ଆଖି ଖୋସି ହୋଇଯିବ । ଲୋକେ କହନ୍ତି–ସେ ଏତେ ବଡ଼ ଲୋକ ଆସି ହେଲେଣି । କିନ୍ତୁ ବଦ୍‍ଖର୍ଚ୍ଚ ବୋଲି ତାଙ୍କର କିଛିହେଲେ ନାହିଁ । କାହାକୁ ପର ଆପଣାର ସେ ଭାବନ୍ତିନି । ଉଚ୍ଚନୀଚର ଭେଦାଭେଦ ନାହିଁ । ଯେତେ ନୀଚ ସ୍ତରର ଲୋକ ହେଲେ ବି ତା’ କାନ୍ଧ ଉପରେ ହାତପକେଇ ସେ କଥା ହୁଅନ୍ତି-। ତା’ର ଦୁଃଖ ଅସୁବିଧା ବୁଝନ୍ତି । ତାଙ୍କୁ ଭାଇ ଭାଇ ବୋଲି ଡାକନ୍ତି । ଯେକୌଣସି ଲୋକ ତାଙ୍କ ଘରକୁ ଆସିଲେ ତାଙ୍କୁ ପାଖ ଚୌକିରେ ବସାନ୍ତି । କିଛିହେଲେ ନ ଖୁଆଇ ଛାଡ଼ନ୍ତିନି । ଲୋକର କାମ ହଉ ବା ନହଉ, ତା’ପାଇଁ ସେ କିଛି କରନ୍ତୁ ବା ନ କରନ୍ତୁ, ବିପଦ ବେଳେ ତାଙ୍କୁ ଆହାବ୍ ଦିଅନ୍ତି । ସହରରେ ଲୋକପ୍ରିୟ ନେତା । ଲୋକେ କହନ୍ତି–ଆସନ୍ତା ପାଞ୍ଚବର୍ଷ କାହିଁକି ଆସନ୍ତା ପଚାଶ ବର୍ଷ ଧରି ସେ ବଞ୍ଚିଥିଲା ପର୍ଯ୍ୟନ୍ତ ଲୋକଙ୍କଠୁ ଏମିତି ଭୋଟ ପାଉଥିବେ ।

 

ସ୍ତ୍ରୀ ଲୋକଟିର ମୁହଁରୁ ଏସବୁ ଶୁଣିବି ବୋଲି ମୁଁ ମୋଟେ ହେଲେ ଆଶା କରି ନଥିଲି । ଗୋଟିଏ ଗୋଟିଏ ଘର ଦେଖେଇ ଦେଇ ସେ ଯୋଉ ଯୋଉ ସବୁ କଥା ମୋ ଆଗେ କହି ଯାଉଥିଲା ସେ ଯେପରି କାହାର ବ୍ୟକ୍ତିଗତ ଜୀବନ ବା ସାମାଜିକ ସମ୍ମାନ ଉପରେ ଆଘାତ କଲା ଭଳି କୌଣସି କଥା ସେ କହୁ ନଥିଲା । ଲୋକଙ୍କର ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଜୀବନ ଯେପରି ଥିଲା, ସେ ସବୁର କଥା ବସ୍ତୁ । ନିର୍ବାକ୍ ଓ ନିଶ୍ଚଳ ହୋଇ ମୁଁ ତା’ ଆଡ଼ିକି କେବଳ ଚାହିଁ ରହିଥାଏ । ମନେମନେ ଏଣେ ଭାବି ଲାଗିଥାଏ ସେଇ ସ୍ତ୍ରୀ ଲୋକଟିର କଥା । ତା’ର ବୟସ ଥିଲା, ମୁହଁରେ ରୂପର ଲହରୀ ଲହଡ଼ା ମାରୁଥିଲା, ଆଖିରେ ଭାଷା ଥିଲା, ଓଠରେ ହସ ଥିଲା ଓ କଥାରେ ତା’ର ମହୁ ଭରି ରହିଥିଲା । ସବୁକିଛି ତା’ର ଥିଲା । କିନ୍ତୁ ସବୁକଥା ତା’ଠୁ ଶୁଣିଲାବେଳେ ମୋର ଆଖି ହଳକ ଯେପରି ତା’ ଗୋଡ଼ ତଳେ ଯାଇ ଲୋଟିଯାଉଥିଲା । ତା’ ମୁହଁ ଆଡ଼ିକି ଏକ ଲୟରେ ଚାହିଁ ପାରୁନଥିଲି ।

 

ସାଧାରଣ ସ୍ତ୍ରୀ ଲୋକ ଜଣେ ! ଏସବୁ ସେ କହି ଶିଖିଲା କେମିତି ? ଏସବୁ ଅବା ସେ ଭାବି ପାରିଲା କେମିତି ? ମନେମନେ ଆଶ୍ଚର୍ଯ୍ୟ ହେଲି । ତା’ଠୁ କଥା ଶୁଣି ମୁଁ ତୃପ୍ତି ବୋଧ କରୁ ନଥିଲି । ଯେତେ ଶୁଣିଲେ ବି ଆଉରି ଶୁଣିବାକୁ ଇଚ୍ଛା ହଉଥିଲା । ଇଚ୍ଛା ହଉଥିଲା–ତା’ଠୁ ଦିନରାତି କେବଳ ବସି କଥା ଶୁଣୁଥାଆନ୍ତି ।

 

କ’ଣ ଗୋଟିଏ ତା’ର କାମ ଥିଲା । ମତେ ଅଳ୍ପ ସମୟପାଇଁ ବସିବାକୁ କହିଦେଇ ସେ ଆର ଘରକୁ ଚାଲିଗଲା । ପୁଅଟି ସେତେବେଳେ ଘୁମେଇ ପଡ଼ିଥିଲା । ମଶିଣା ଖଣ୍ଡେ ପକେଇ ତାକୁ ଶୁଆଇଦେଇ ସାରିଲା ପରେ ପାନ ଦି’ଖଣ୍ଡ ଭାଙ୍ଗିଆଣି ମତେ ବଢ଼େଇ ଦେଲା ।

 

ମୁଁ ଆଗଭଳି ସେମିତି ବସିରହିଥାଏ । ଅଳ୍ପ ବ୍ୟସ୍ତ ହେଇ ସେ କହିଲା–ରାତି ବେଶି ହେଲାଣି । ଆପଣ ଯାଆନ୍ତୁ । ହଁ, ଆଉ ଗୋଟିଏ କଥା । ସେଇଟି ନ କହିଲେ ମତେ ଭଲ ଲାଗିବନି । ଏଇ କହୁଛି, ଆପଣ ଏଇନେ ଚାଲିଯିବେ ।

 

ସେ ଠିଆ ହୋଇ ଆରପଟ ସାଇର ଗୋଟିଏ ଘର ମତେ ଦେଖାଇଦେଲା । ଘରଟି କେଉଁଠି, କାହା ଘର ପାଖରେ, ସେଠୁ କେତେ ହାତ ଦୂର ଏସବୁ କହିସାରିଲା ପରେ ଚାଳକୁ ଢିରା ଦିଆ ଗୋଟିଏ କାଠ ଖୁମ୍ବକୁ ଆଉଜି ସେ ବସି ପଡ଼ିଲା । କହିବାକୁ ପୁଣି ସେ ଆରମ୍ଭ କରିଦେଲା ।

 

ଯାହା କଥା କହିବି, ନାଁ ତା’ର ବିଷ୍ଣୁ । ଘରେ ତା’ର ଛ’ ସାତ ବର୍ଷର ପୁଅଟିଏ । ବିଷ୍ଣୁର ବୋଉକୁ ମିଶେଇ ସେମାନେ ତିନି ଜଣ । ବିଷ୍ଣୁ ବେଶ୍ୟା ଘରର ଝିଅ । ବୟସ ଥିଲାବେଳେ ଯାହାକିଛି ପଇସାପତ୍ର ସେ ପାଇଥିଲା, ସେଥିରେ ସେମାନେ ଭଲରେ ଚଳି ଯାଉଥିଲେ । ବିଷ୍ଣୁ ବୋଉକୁ ଏକୋଇଶି ବାଇଶି ହେଲାବେଳେ ବିଷ୍ଣୁ ଜନ୍ମ ହୋଇଥିଲା । ମା’ ଭଳି ଝିଅ ବି ଥିଲା ସୁନ୍ଦର-। ବିଷ୍ଣୁର ବୋଉ ସହରର ବଡ଼ ଲୋକମାନଙ୍କ ମଧ୍ୟରେ ବେଶ୍ ଜଣାଶୁଣା । ଝିଅ ବଡ଼ ହେଲା ପରେ ମା’ ତାକୁ ସ୍କୁଲକୁ ପଠେଇ ପାଠ ପଢ଼େଇଲା । ଝିଅକୁ ନରକ ଭିତରକୁ ଟାଣି ନ ଆଣିବାକୁ ବୋଉର ଥିଲା ଏକାନ୍ତ ଇଚ୍ଛା । ପାଠ ପଢ଼ିଥିଲେ ସିଏ ତା’ ନିଜ ଗୋଡ଼ରେ ଠିଆ ହୋଇପାରିବ । ବିଷ୍ଣୁ ମାଇନର ପାସ୍ କରି ମାଟ୍ରିକ୍ ପଢ଼ୁଥିଲା । ସହରର ଯୋଉ ନାମଜାଦା ମଦୁଆ ବଡ଼ଲୋକମାନେ ତା’ ବୋଉ ପାଖକୁ ଯା’ଆସ କରୁଥିଲେ, ସେମାନେ ଝିଅ ଉପରେ ବି ଆଖି ପକେଇଲେ । ତାକୁ ପାଠ ପଢ଼ିବାକୁ ସାହାଯ୍ୟ କଲେ । ନାନା କିସମର ଶାଢ଼ି ଓ ଅଳଙ୍କାର ଆଣିଦେଲେ । ବିଷ୍ଣୁ ବୋଉକୁ ଏସବୁ ଭଲ ଲାଗୁ ନ ଥିଲା । ପ୍ରଥମେ ପ୍ରଥମେ ଏସବୁକୁ ସେ ଫେରେଇ ଦଉଥିଲା । କିନ୍ତୁ ସେମାନଙ୍କୁ ଓ ନିଜକୁ ରକ୍ଷା କରିବା ତେଣିକି ଅସମ୍ଭବ ହୋଇ ପଡ଼ିଲା-। ବିଷ୍ଣୁର ଶରୀରରେ ଯେତେବେଳେ ରୂପର ଜୁଆର ଉଜାଣି ଉଠିଲା, ସେତେବେଳେ ତାଙ୍କ ଘରର ଚଳଣି ଆଗ ଅପେକ୍ଷା ଆସ୍ତେ ଆସ୍ତେ ଭଲ ହେବାକୁ ଲାଗିଲା । ଖାଇ ପିନ୍ଧି ବଡ଼ ମଉଜରେ ସେମାନେ ସେ ସମୟରେ ରହୁଥିଲେ । ସହରର ନାମଜାଦା ବଡ଼ ବଡ଼ ଲୋକ, ଯେଉଁମାନଙ୍କର ସମାଜରେ, ଦେଶର ଓ ଲୋକମାନଙ୍କ ଆଗରେ ସୁନାମର ଡିଣ୍ଡିମ ପିଟା ହୁଏ, ସେଇମାନେ ସେତେବେଳେ ତାଙ୍କ ଘରକୁ ଯା’ଆସ କରୁଥିଲେ ।

 

ଯୋଉମାନେ ସମାଜରେ ଓ ଦେଶରେ ନିୟମ କାନୁନ୍ ତିଆରି କରନ୍ତି, ଲୋକଙ୍କର ଭଲ ମନ୍ଦ ବୁଝନ୍ତି, ସେଇମାନେ ଲୋକଙ୍କ ଆଖିରୁ ନିଜକୁ ଲୁଚେଇ ରଖି ଏଇସବୁ ହୀନ ପ୍ରବୃତ୍ତିରେ ଜଡ଼ି ରହିଥାଆନ୍ତି । କିଏ କାଇଁକି ଜାଣିବ ଏମାନଙ୍କ ଭିତରର କଥା । ଯୋଉମାନେ ବିଷ୍ଣୁ ବୋଉର ସମ୍ପର୍କରେ ଆସିଥିଲେ ସେଇମାନଙ୍କ ଆଗରେ ବିଷ୍ଣୁକୁ ଶିକାର ହବାକୁ ପଡ଼ିଲା । ବିଷ୍ଣୁ ବୋଉର ଭବିଷ୍ୟତ କଳ୍ପନା ଓ ଦମ୍ଭ ଭାଙ୍ଗି ପଡ଼ିଲା । ଯିଏ ଗରିବ, ଅନ୍ୟ ଦୟା ଉପରେ ଯିଏ ବଞ୍ଚି ରହେ, ନିଜକୁ ଅନ୍ୟ ଲୋକଙ୍କଠାରୁ ଦୂରେଇ କରି ରଖିବା ତା’ ପକ୍ଷରେ ଅସମ୍ଭବ ହୋଇପଡ଼େ । ନିଜର ଟାଣପଣ ସବୁଦିନ ପାଇଁ ସେ ରଖି ପାରିବ ଅବା କୁଆଡ଼ୁ ? ତାଙ୍କ ଘରକୁ ଆସୁଥିବା ଲୋକେ ସଉକ୍ କରି ବିଷ୍ଣୁର ପଢ଼ାପଢ଼ି ପାଇଁ ସବୁକିଛି ସାହାଯ୍ୟ ଦେଲେ । ନାନା କିସମର ଶାଢ଼ି, ବ୍ଲାଉଜ୍‍, ବହିପତ୍ର ଓ ଦରମାପତ୍ର ସବୁକିଛି ସେମାନେ ବହନ କଲେ । କିନ୍ତୁ ତା’ ବଦଳରେ ବିଷ୍ଣୁର ଶରୀରରୁ ସେମାନେ ତାଙ୍କ ଦେୟ ଆଦାୟ କରୁଥିଲେ । ସେଇ ମଦୁଆ ଭଦ୍ର ଲୋକମାନଙ୍କ କବଳରେ ଏମିତି ବର୍ଷେ ଦି’ ବର୍ଷ ବିତିଗଲା । ବିଷ୍ଣୁ ସ୍କୁଲରୁ ଉଠି ଆସିଲା । ପାଞ୍ଚ ସାତ ବର୍ଷ ପରେ ବୟସ ତା’ର ଗଡ଼ିଗଲା ଓ ମହୁ ମରିଗଲା । ମଦୁଆମାନେ ମୁହଁ ମୋଡ଼ି ଅନ୍ୟ ଆଡ଼େ ଚାଲିଗଲେ । ସେମାନଙ୍କ ଭିତରୁ ଜଣେ ବିଷ୍ଣୁ କୋଳରେ ଦେଇ ଯାଇଥିଲା ଗୋଟିଏ ପୁଅ । ପୁଅଟିକି ଏବେ ସାତ ବର୍ଷ ଆସି ହେଲାଣି । ବିଷ୍ଣୁର ଦିହ ଭାଙ୍ଗି ଗଲାଣି । କିନ୍ତୁ ଦିହର ତେଜ ତା’ର ଏବେ ବି ଭାଙ୍ଗିନି । ଯୋଉ ଲୋକେ ନାନା କିସମର ଶାଢ଼ି ଓ ଅଳଙ୍କାରରେ ତାକୁ ମଣ୍ଡଣି କରି ଦେଇଥିଲେ, ସେମାନେ ବେଳ ପଡ଼ିଲେ ତା’ର ସୁଯୋଗ ବି ଆସି ନେଇଯାଆନ୍ତି । ବିଷ୍ଣୁ ବି ତା’ର ସୁବିଧା ନେଇଛି । ଏହା ଭିତରେ ନର୍ସିଂ ପଢ଼ି ସେଇ ଜଣାଶୁଣା ଲୋକମାନଙ୍କ ଜରିଆରେ ଡାକ୍ତରଖାନାରେ ସେ ରହିଯାଇଛି । ଦରମା ଓ ଅନ୍ୟାନ ବାବଦରୁ ସବୁ ମିଶି ଏବେ ମାସକୁ ଶହେ ଟଙ୍କା ହିସାବରେ ରୋଜଗାର କରେ-। ବିଷ୍ଣୁକୁ ଡାକ୍ତରଖାନାରେ ରଖେଇ ଦେଇଛନ୍ତି ବୋଲି ସେମାନେ ତା’ର ସୁଯୋଗ ନିଅନ୍ତି । ତାଙ୍କ କଥା ମାନି ନ ଚଳିଲେ ବିଷ୍ଣୁର ଆଉ ଚାରା ନାହିଁ । ସେମାନଙ୍କୁ ଅସନ୍ତୋଷ କଲେ, କଥା ନ ଶୁଣିଲେ ଚାକିରି ଖଣ୍ଡିକ ଚାଲିଯିବ । ବୟସ ତା’ର ଗଡ଼ି ଗଲାଣି । ବିଷ୍ଣୁ ପୁଣି ଚଳିବ କେମିତି-?

Unknown

ତା’ ସାଙ୍ଗକୁ ତା’ର ସାତବର୍ଷର ପୁଅଟି । ତାକୁ ପୁଣି ସେ ମଣିଷ କରିବ । କେବଳ ତାହାରି ପାଇଁ ଏ ଚାକିରିଟି ସେ ବାଛି ନେଇଛି । ପୁଅଟିକି ତା’ର ଛତରା ବଜାରି ହବାକୁ ସେ ଛାଡ଼ିଦବନି । ଭଲ ମଣିଷଟିଏ କରି ତାକୁ ଠିଆ କରିପାରିବ ।

ବିଷ୍ଣୁ ମୋର ପ୍ରାଣ ଦିଆଦେଇ ସାଙ୍ଗ । ବେଳେବେଳେ ସେ ଆସି କହେ, ସହରର ତଥାକଥିତ ଏଇ ବଡ଼ବଡ଼ିଆ ଲୋକଙ୍କ କଥା–ଯୋଉମାନେ ବଡ଼ ନାମଜାଦା ଲୋକ ବୋଲି ତାଙ୍କ ନାଁରେ ଡିଣ୍ଡିମ ପିଟାଯାଏ–ଲୋକେ ଯେଉଁମାନଙ୍କୁ ଖାତିରି କରନ୍ତି । କିନ୍ତୁ ତାଙ୍କ ଭିତରଟା ପରୀକ୍ଷା କଲେ ଦେଖିବେ–ସେମାନେ କେଡ଼େ ହୀନ ପ୍ରକୃତିର । କେତେ ପରିମାଣରେ ସେମାନେ ଅମଣିଷ-

ସେମାନେ ଭାବନ୍ତି ଟଙ୍କା ପଇସା ବଳରେ ସମସ୍ତଙ୍କୁ ଆୟତ୍ତ କରିଦେବେ । ଟଙ୍କା ପଇସା ଖରଚ କରି ନିୟମ ଭାଙ୍ଗିବେ । ନିଜେ ପଥଭ୍ରଷ୍ଟ ହେବେ ଓ ଅନ୍ୟକୁ ଭୁଲ ବାଟରେ ଚାଲିବାକୁ ବାଧ୍ୟ କରିବେ । ଟଙ୍କାର ବଡ଼େଇ କରିବେ । କିନ୍ତୁ ମଣିଷର ମନକୁ ବୁଝିବାକୁ ସେମାନେ କେବେହେଲେ ଚେଷ୍ଟା କରନ୍ତିନି । ଟଙ୍କାଟିଏ କେବେ ଦେଇଥିଲେ କଡ଼ାକ୍ରାନ୍ତି କରି ଆଦାୟ କରି ପଇସାର ପତିଆରା ଦେଖେଇ ଅନ୍ୟ ଲୋକଙ୍କର ମଣିଷପଣିଆକୁ ସେମାନେ ଦଳି ଚକଟି ଧ୍ଵଂସ କରନ୍ତି ।

ବିଷ୍ଣୁ ସବୁ ଦିନ ଆମ ଘରକୁ ଯା’ଆସ କରେ । ଅନେକ ସମୟ ଧରି ମୋ ସାଙ୍ଗରେ ସହିତ କଥା ହୁଏ । ମତେ ଅନେକ ଦିନ ଧରି ଲଗେଇଲାଣି ନର୍ସିଂ ପଢ଼ି ଚାକିରି କରିବାକୁ । ବାବୁଲାଟିକି ମଣିଷ କରିବାକୁ କେବଳ ସେ ଅନେକ ଥର ଆସି ମତେ ଲଗେଇଛି । ମୁଁ ବି ବେଳେବେଳେ ଭାବେ, ନିଜ ଗୋଡ଼ରେ ନିଜେ କିପରି ଠିଆ ହୋଇପାରିବି । ସେ ସମୟ ତ ଆସି ନାହିଁ, ଦେଖାଯାଉ । ବିଷ୍ଣୁ ଆମ ଘରକୁ ଯା’ଆସ କରେ ବୋଲି ସାଇଲୋକେ ଆମକୁ ବଡ଼ ଘୃଣା ଚକ୍ଷୁରେ ଦେଖନ୍ତି । ଦେଖେଇଶିଖେଇ ଅନେକ କଥା କହିଯାଆନ୍ତି । ଆମ ଘରକୁ ତାଙ୍କ ପିଲାପିଲିମାନଙ୍କୁ ଛାଡ଼ନ୍ତିନି । ମୋ ସାଙ୍ଗରେ ଖୁବ୍ ଅଳ୍ପ କଥାବାର୍ତ୍ତା ହୁଅନ୍ତି–ଯେତିକି ଦରକାର କେବଳ ସେତିକି । ଆମକୁ ଏକଘରକିଆ କରି ସେମାନେ ରଖିଥାଆନ୍ତି । କେତେ କେତେ ହେଞ୍ଜେଡ଼ାଟୋକା ଆମ ଘର ଆଗରେ ସଞ୍ଜ ହେଲେ ଯା ଆସ କରନ୍ତି । ହୁଇସିଲ୍ ମାରନ୍ତି । ମୁଁ ଅସୁବିଧାରେ ପଡ଼ିଲେ କେବେ ହେଲେ ଯାଇ ସେମାନଙ୍କ ଖାପଚରେ ପଡ଼ିଯିବି–ଏହି ଆଶାରେ ପ୍ରଥମେ ଅନ୍ୟ ଲୋକମାନଙ୍କ ଜରିଆରେ ପ୍ରଲୋଭନ ଦେଖାନ୍ତି । ପ୍ରଥମ ମୁଁ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । କେତେ ବିପଦର ସୁଅ କାଟି କାଟି ମୁଁ ଏଇ ଅବସ୍ଥାରେ ଆସି ପହଞ୍ଚି ପାରିଛି । ସେଇଥି ପାଇଁ ମତେ କେହି କେବେ ହେଲେ କିଛି ଅବାଗିଆ କଥା କହିବାକୁ ସାହସ କରନ୍ତିନି । ମୋ ବାବୁଲା ଭଲ ତ ମୁଁ ଭଲ । ମା’ ପୁଅ ଦିହେଁ ନିଜ ଦୁଃଖରେ ଆମ କୁଡ଼ିଆଟିରେ ପଡ଼ି ରହିଥାଉ-

ସ୍ତ୍ରୀଲୋକଟିଠାରୁ ଏସବୁ ଶୁଣୁଥିଲା ବେଳେ ହଠାତ୍ ମୋ ମନରେ ଆସିଲା–ଏମାନେ ଚଳନ୍ତି କେମିତି ? ପଇସା ଏମାନଙ୍କ ପାଖକୁ ଆସେ କେମିତି ? କିଏ ତାକୁ ପୁଣି ସାହାଯ୍ୟ କରେ-? ଏମିତି ନାନା ପ୍ରକାର କଥା, ନାନା କିସମର ଭାବନା ମୋ ମନରେ ଆସି ଧକ୍‍କା ଖାଇଲା; କିନ୍ତୁ ସେସବୁ ତାଙ୍କୁ ପଚାରିବାକୁ ମୋର ପାଟି ଖୋଲିଲାନି । ଭାବିଲି–ଆପେ ଆପେ ତା’ଠୁ ମୁଁ ସବୁ ଶୁଣିପାରିବି । ପଚାରିବି ଅବା କାହିଁକି ?

 

ସେତେବେଳକୁ ରାତିଆସି ଏଗାରଟା ପାଖାଆଖ ହୋଇଯାଇଥିଲା । ସେଦିନ ତା’ବିଷୟରେ କିଛିହେଲେ ଶୁଣିପାରିଲିନି । ଶୁଣିଲି–କେବଳ ଅନ୍ୟମାନଙ୍କ କଥା । ଅନ୍ୟମାନଙ୍କର ଦୁଃଖ ଦୁର୍ଦ୍ଦଶାମୟ ଜୀବନ । ସମାଜରେ କିଏ କେମିତି ବଡ଼ ହେଇଛି । କାହାର କେମିତି ଚଳଣି, କାହା କାହା ପରିବାରର ଭିତିରି ରହସ୍ୟ, ଗରିବ ନିଃସହାୟ ଲୋକଙ୍କର କାତର କ୍ରନ୍ଦନ, ବଞ୍ଚିରହିବାର ପିପାସା, ନାମଜାଦା ବଡ଼ ଲୋକଙ୍କର ଲୋକଦେଖାଣିଆ ସାମାଜିକ ସମ୍ମାନ, ଧନ ଦଉଲତ ଦେଖେଇ ସେମାନଙ୍କର ବଡ଼େଇ, ଧନ ପଛଆଡ଼େ ଲୁଚିରହିଥିବା ସେମାନଙ୍କର ଅତ୍ୟାଚାର ଓ ଶୋଷଣ । ଏମିତି ଗୁଡ଼ାଏ ଗୋଳିଆ ଗୋଳିଆ କଥା । ସେସବୁ ମୋ ମନଭିତରେ ପଶି ମତେ ବଡ଼ ବ୍ୟସ୍ତ କରୁଥିଲା । ତଥାପି ଇଚ୍ଛା ହେଉଥିଲା–ତା’ଠୁ କେତେ କ’ଣ ଏମିତି ଶୁଣିବ । ତା’ର ଗୋରା ତକ ତକ ଚକାମୁହଁରୁ କଅଁଳିଆ କଥା ପଦିଏ ଶୁଣିଲେ ମତେ ସମୟ ଜଣାପଡ଼ୁ ନଥିଲା । କିନ୍ତୁ କଥାଗୁଡ଼ିକ ତା’ର ଯେମିତି ଅବା ବଜ୍ରଠାରୁ କଠୋର । ଠିକ୍ ଶାଳଗ୍ରାମ ଭଳି । ଉପରଟି କେତେ ସୁନ୍ଦର, ଚିକ୍‍କଣ, ସାଉଁଳିଆ, ଗୋଲାକାର ଅଥଚ ଭିତରଟା କେଡ଼େ ଶକ୍ତ । ତା’କଥା ମୋ ଛଡ଼ା ହୁଏତ ଆଉ କେହି ହେଲେ ଶୁଣି ନଥିବେ । ଶୁଣିବାର ଅବକାଶ ବି ନଥିଲା । ତଥାପି ମୋ ମନର କେଉଁ ଏକ ନିଭୃତ କୋଣରେ ସେସବୁ ଯାଇଁ ଆଘାତ କରୁଥିଲା । ଭାବୁଥିଲି–ବସିରହି ସଦାବେଳେ ଏମିତି ତା’କଥା ଶୁଣୁଥିବି ।

 

ଫେରିଯିବା ସକାଶେ ହଠାତ୍ ଠିଆହୋଇପଡ଼ିଲି । ତା’ ପିଣ୍ଡାଉପରେ ଠିଆହୋଇ ସବୁ ଘରଆଡ଼ିକି ଥରେ ଥରେ ମୁଁ ଦୃଷ୍ଟି ନିକ୍ଷେପ କଲି । ସେ ଘରମାନଙ୍କ ଇତିହାସ ସବୁକିଛି ସେ ସ୍ତ୍ରୀଲୋକଙ୍କଠାରୁ ଶୁଣି ସାରିଥିଲି । ସାମ୍ନାର ଘରଗୁଡ଼ିକ ସତେ ଯେପରି ମୂର୍ତ୍ତିମନ୍ତ ହୋଇ ମୋ ଆଗରେ ଆସି ଠିଆହେଲେ । କଥା କହିବାକୁ ସତେ ଅବା ଆରମ୍ଭ କରିଦେଲେ । ସ୍ତ୍ରୀଲୋକଟିର କଥା ସେ ଘରର କାନ୍ଥରେ ବାଜି ପ୍ରତିଧ୍ଵନିତ ହେଉଥିଲା । ଥରେ ଚାରିଆଡ଼କୁ ଆଖିବୁଲେଇ ଆଣି ପଚାରିଲି–ଯାଉଛି ?

 

ସ୍ତ୍ରୀଲୋକଟି ବି ସେତେବେଳକୁ ଠିଆହୋଇ ସାରିଥିଲା । ମୌନରହି କେବଳ ତା’ର ସମ୍ମତି ଜଣାଇଲା । କହିଲା, “କାଲି ଆସିବେ ।’’

 

ମୁଁ ହଁ କଲି ।

 

ପିଲାଟି ଆରଘରେ ଶୋଇଯାଇଥିଲା । ସେମାନେ ଖିଆପିଆ କରି ନଥିଲେ । ସେଦିନ ବେଶି ଡେରି ହୋଇଗଲା । ସହରର ରାସ୍ତାର ଲୋକଗହଳି ଆସ୍ତେ ଆସ୍ତେ ପାତେଳା ହୋଇଆସୁଥିଲା । ରାସ୍ତାରେ ଗାଡ଼ିଘୋଡ଼ାର ଦେଖା ନଥିଲା ।

 

ବଡ଼ ବଡ଼ ପାହୁଲ ପକେଇ ମୁଁ ଘରଆଡ଼େ ମୁହେଁଇଲି । ପାଦ ଦୁଇଟି ମୋର ଘରଆଡ଼େ ଚାଲିଥିଲେ ବି ମୁଁ ଅନୁଭବ କରିଛି ମୋ ମନର କଅଁଳ କଅଁଳ ଡଙ୍କ ସତେ ଯେପରି ତା’ ଦେହରେ ଯାଇ ଗୁଡ଼େଇ ହୋଇଯାଇଥିଲା ।

 

ସହରର ପ୍ରଧାନ ପ୍ରଧାନ ରାସ୍ତା ଦେଇ କିଛି ବାଟ ଆଗେଇଲେ ପଡ଼େ ଗୋଟିଏ ଅଣଓସାରିଆ ଗଳି । ସେଇ ବାରବଙ୍କା ଗଳିଭିତରେ କେତେ ବାଟ ଚାଲିଗଲେ ଆଉ ଗୋଟିଏ ଲୋକଗହଳିଆ ବଜାରକୁ ରାସ୍ତା ପଡ଼ିଛି । କିଛି ବାଟ ଚାଲିଗଲେ ପଡ଼େ ଗୋଟିଏ ବତିଖୁଣ୍ଟ ।

 

ଚାରିଆଡ଼ିକି ଚାରିଟି ରାସ୍ତା । ନାନା କିସମର ଦୋକାନ ବଜାରରେ ଭରା । ତାକୁ ଡେଇଁ ବାଁହାତି ଗଲେ ଯେଉଁ ଗଳିଟି ପଡ଼େ ତା’ ଶେଷମୁଣ୍ଡକୁ କରି ଆମ ଘର । ଶୀଘ୍ର ଯାଇ କିମିତି ଘରେ ପହଞ୍ଚିବି । ଏଇ କଥା ଭାବି ମୁଁ ବଡ଼ ବଡ଼ ପାହୁଲ ପକେଇ ଚାଲିଗଲି ।

 

ବଜାରର ଶେଷମୁଣ୍ଡକୁ ଯେଉଁଠି ଆମ ଅଣଓସାରିଆ ଗଳିଟି ଭିତରକୁ ଯିବାକୁ ପଡ଼େ, ସେଇଠି ଗୋଟିଏ ବଡ଼ ହୋଟେଲ । ଦିନରାତି ଚବିଶ ଘଣ୍ଟା ସେଇଠି ଲୋକ ଗହଳି ଓ ବିକାକିଣା । ହୋଟେଲର ରହିବାର ବି ବନ୍ଦୋବସ୍ତ ଅଛି । ରାତି ଅଧରେ ପୁରୀରେ ଆସି ଯାତ୍ରୀ ଓହ୍ଲେଇଲେ ସେ ହୋଟେଲରେ ଭିଡ଼ ହୁଏ । ତା’ରି ପାଖ ଦେଇ ମୁଁ ଘରଆଡ଼େ ଫେରୁଥିଲି ।

 

ହୋଟେଲ କରକୁ ଗୋଟିଏ ଅନ୍ଧାରିଆ ରାସ୍ତା । ଶେଷମୁଣ୍ଡକୁ ଟିଣର ବଡ଼ ଡବାଟାଏ ଥୁଆ ହୋଇଥିଲା । ହୋଟେଲର ଅଇଁଠା ଖଲି ଓ ଅଳିଆ ଅସକରା ଆଦି ସବୁକିଛି ସେଥିରେ ପଡ଼େ । ମାଛି ଭଣଭଣ ବେଢ଼ୁଥାଆନ୍ତି । ନାକଫଟା ଦୁର୍ଗନ୍ଧ ବାହାରେ ।

 

ଦେଖିଲି–ସ୍ତ୍ରୀଲୋକଟିଏ ସେଇ ଟିଣ ଡବାଟିକି ତଳକୁ ଗଡ଼େଇ ଦେଇ ଅଇଁଠା ଖଲିପତ୍ରରୁ ଭାତ ଗୋଟିଏ ଗୋଟିଏ ଟୁଙ୍କୁଛି । ତା’ପାଖରେ ଠିଆହୋଇ ରହିଛି ତା’ର ଛୁଆଟିଏ । ସେଇ ଅନ୍ଧକାର ଭିତରେ ମୁଁ ତାକୁ ଦେଖିବାକୁ ଚେଷ୍ଟାକଲି । ପିଲାଟିର ଆଖି ବି ସେଇ ଖଲିଉପରେ । ଭାତ କଣିକାଟିଏ, ରୁଟି ଖଣ୍ଡିଏ ଡାଲି କି ତରକାରୀରୁ ପରିବା ସିଝା ଖଣ୍ଡିଏ ଖଲିପତରରେ କାଳେ ଲାଗି ରହିଥିବ । ତାଙ୍କ ପାଖରୁ ଖଣ୍ଡେଦୂର ଛାଡ଼ି କୁକୁରଟିଏ ଶୋଇ ରହିଥିଲା । ଏମାନଙ୍କ ସାଙ୍ଗେ ବାଦକରି କଳି ଲଗେଇବାକୁ ସତେ ଯେପରି ସେ ଇଚ୍ଛା କରୁନଥିଲା-। କୁକୁରଟି ଭଲଭାବରେ ଜାଣିଥିବ ପତରରେ ଆଉକିଛି ଲାଗିନି । ସେଇ ବାଟ ଦେଇ ମୁଁ ଘରଆଡ଼େ ଫେରୁଥିଲି ।

 

କେତେ ବାଟ ଆଗେଇଛି କି ନାହିଁ ଦେଖିଲି–ରାସ୍ତାକଡ଼ରେ ଲୋକ ତିନି ଚାରିଜଣ ସେଇ ଧୂଳି ଉପରେ ଶୋଇ ଯାଇଛନ୍ତି । କିଏ କିଏ ଖଣ୍ଡେ ଖଣ୍ଡେ ଅଖାଉପରେ, ଆଉ କିଏ ଖାଲି ମାଟିରେ ରେ ବି ଗଡ଼ିଯାଇଛନ୍ତି । ମୁଣ୍ଡତଳକୁ କରି ଗୋଟିଏ ଗୋଟିଏ କନାବୁଜୁଳା । ବଡ଼ ଆରାମରେ ସେମାନେ ନିଦ୍ରା ଯାଇଥିଲେ । ଆଉ ଟିକିଏ ଦୂରକୁ ଗୋଟିଏ ଜାଗାରେ ‘ହରେକୃଷ୍ଣ ହରେରାମ’ ବି ଚାଲିଥାଏ । ସମସ୍ତେ ସମସ୍ଵରରେ ବଡ଼ପାଟି କରି ଭଗବାନଙ୍କୁ ଡାକ ଛାଡ଼ିଥାଆନ୍ତି । ଭାବିଲି–ଏମାନଙ୍କୁ ବୋଧେ ଭୀଷଣ ଭୋକ ହେଉଛି । ଭୋକକୁ ଭୁଲିଯିବା ପାଇଁ ଏମାନେ ‘ହରେକୃଷ୍ଣ ହରେରାମ’ ବୋଲୁ ନାହାନ୍ତି ତ ?

 

ତା’ପରେ ଆସି ସିଂହଦ୍ଵାରରେ ପହଞ୍ଚିଲି । ରାତି ଏଗାରଟା ବେଳକୁ ବି ଦଳେ ଲୋକ ଦେଉଳ ଆଗରେ ବସି ଖୋଳ କରତାଳ ବଜଉଥାଆନ୍ତି । ଦେଉଳ ଭିତରକୁ ବେଶି ଲୋକ ଯା’ଆସ କରୁନଥାଆନ୍ତି । ରାସ୍ତାରୁ ଗହଳି ଭାଙ୍ଗିଯାଇଥାଏ ।

 

ସିଂହଦ୍ଵାର କରକୁ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି । ଚାଲି ଯାଉ ଯାଉ ବିଜୁଳି ଆଲୁଅରେ ତାଙ୍କ ଆଡ଼କୁ ଅଳ୍ପ ଅନେଇ ଦେଇ ଆଖି ବୁଲେଇ ଆଣିଲାବେଳକୁ ଦେଖିଲି ତାଙ୍କ ପ୍ରତିମୂର୍ତ୍ତି ତଳେ ଧାଡ଼ି ଧାଡ଼ି କରି ଶୋଇ ଯାଇଛନ୍ତି–ମାଗିଖିଆଙ୍କର ଦଳ, କୁଷ୍ଠରୋଗୀ, ବାପ ମା’ ଛେଉଣ୍ଡ ଛତରାଟୋକା । ଦିନଯାକ କାହା ପଛରେ କି କେଉଁ ରିକ୍‍ସା ପଛରେ ଗୋଡ଼େଇ ଗୋଡ଼େଇ ହାଲିଆରେ ସେମାନେ ଶୋଇଯାଇଛନ୍ତି । ସେମାନଙ୍କ ଭିତରୁ କେତେ ଜଣ ଭୋକରେ ଆଉଟୁପାଉଟୁ ହଉଥାଆନ୍ତି । ନିଦ ଆସିନି । ଖାଲି ପେଟରେ ନିଦ ଆସିବ କୁଆଡ଼ୁ ? ତାଙ୍କ ଗୋଡ଼ହାତ ଛଟାରୁ ସେମାନଙ୍କ ମନର ଅବସ୍ଥା ବେଶ୍ ଜଣା ପଡ଼ୁଥିଲା । ସେମାନଙ୍କ ଭିତରେ ମଧ୍ୟ ଶୋଇଥିଲେ କେତେ ବାବାଜୀ ମାତା । ସକାଳ ହେଲେ ଯେଉଁମାନେ ଚିତା ତିଳକ କାଟି ଟାଉନସାରା ଭିକ ମାଗନ୍ତି । ପେଟ ଚାଖଣ୍ଡକ ପାଇଁ ‘ହରେକୃଷ୍ଣ ହରେରାମ’ ର ଆଶ୍ରା ନିଅନ୍ତି । କେଉଁଠି ମୁଠିଏ ଫୁଟେଇ ଦେଇ ନୋହିଲେ କାହାର ଭୋଜି କି ପଙ୍ଗତରେ ବସିଯାଇ ରାତିରେ ଆସି ସେଠେଇ ଆଶ୍ରାନେବା ତାଙ୍କର କାମ ।

 

ଆକାଶର ଅଗଣିତ ତାରା ରାତିସାରା ଏମାନଙ୍କୁ ସତେ ଅବା ଜଗି ବସିଥାଆନ୍ତି ! ଆଖିରୁ ଥପ ଥପ ଲୁହ ବୁନ୍ଦା ଗଡ଼ି ଆସିଲାଭଳି ଏମାନେ ରାତିସାରା ସତେ ଅବା ହତଭାଗ୍ୟ ଲୋକଗୁଡ଼ାଙ୍କର ଦୁଃଖରେ ଲୁହ ଗଡ଼ଉଥାଆନ୍ତି । ଲୁହର ବାଟ ଏତେ ବାଟ ଗଡ଼ି ଆସୁ ଆସୁ ଅବା ଶୁଖି ଯାଇଥାଏ ! କେବଳ ସେଇଥିପାଇଁ ତାରାମାନଙ୍କର ଆଲୁଅ ଆମ ମାଟିଉପରକୁ ଆସିଲାବେଳକୁ ଏତେ ନିଷ୍ପ୍ରଭ ଦେଖାଯାଏ । ମନେମନେ ମୁଁ ଭାବୁଥାଏ–ଏ ଲୋକଗୁଡ଼ାଙ୍କର ଦୁଃଖ ଦୁର୍ଦ୍ଦଶା ଏବେ ବି ଘୁଞ୍ଚିଲାନି । ତା’ପଛକୁ କରି ବଡ଼ଦେଉଳ ଆକାଶ ଭିତରକୁ ପଶିଯାଇଛି । ବୀର ଦର୍ପରେ ଆଗରେ ଠିଆହୋଇ ରହିଥିଲା । ଏସବୁ ଉପରେ ଆଖି ଟିକିଏ ଟିକିଏ ପକେଇ ଦେଇ ମୁଁ ଘରଆଡ଼େ ପଳାଉଥିଲି ।

 

ବଜାର ଭିତର ଦେଇ ମୁଁ ଫେରୁଥିଲି । ଅଳ୍ପ କିଛି ବାଟ ଆଗେଇଛି କି ନାହିଁ ଦେଖିଲି–ଆଗଆଡ଼ୁ ଗୋଟେ ଶୋଭାଯାତ୍ରା ଆସୁଛି । ଡେ ଲାଇଟ ପନ୍ଦର କୋଡ଼ିଏଟା ମୁଣ୍ଡେଇ ଲୋକଆସୁଥାନ୍ତି ଆଗରେ ହାତି, ହାତି ପଛ ପଛେ ବ୍ୟାଣ୍ଡ୍‍ବାଜା । ତା’ପଛକୁ ଦଳେହବ ଲୋକ ଛାତି ଫୁଲେଇ, ବାହା ବୁଲେଇ ଚାଲିଥାଆନ୍ତି । ସମସ୍ତଙ୍କ ବେକରେ କେରେ କେରେ ଫୁଲମାଳ । କାନ୍ଧରେ ପାଚିଲା ଗାମୁଛା । ଦି’ତିନିଜଣ ଲୋକ ଦାନି ଧରି ଗୋଲାପ ଜଳ ଛିଞ୍ଚୁଥାଆନ୍ତି । ଲୋକ ପଚାଶ ଷାଠିଏ ଜଣ ହେବେ । ସମସ୍ତଙ୍କ ଦେହରେ ମଠା ପଞ୍ଜାବୀ । ବଡ଼ ମଉଜିଆ ଚେହେରା । ଭାଙ୍ଗରେ ସମସ୍ତଙ୍କ ଆଖି ଲାଲ ଦେଖାଯାଉଥିଲା । ରାତି ଅଧକୁ ଝୁଲି ଝୁଲି ବଡ଼ ଆଡ଼ାଚଉଡ଼ାରେ ସମସ୍ତେ ମଉଜ କରି ବାହାରିଥାଆନ୍ତି । ରାତି ଅଧରେ ପୋଖରୀରେ ଘଣ୍ଟେ ଦି’ଘଣ୍ଟା ଧରି ଗାଧୋଇବେ । ଖା’ପିଅ ସରିଲା ବେଳକୁ ରାତି ତିନ୍ । ଘରେ ପହଞ୍ଚିଲା ବେଳକୁ କୁଆଁତାରା ଉଠି ସାରିଥିବ । ତା’ ନ ହେଲେ ଆଉ ମଉଜ ହେଲା କ’ଣ ?

 

ମୋର ନଜର ପଡ଼ିଗଲା ଅଧୁଆ ଉପରେ । ଆମ ସାଇରେ ତା’ଘର । ସେ ବି ମଠା କାମିଜ ପିନ୍ଧିଛି । ଫୁଲମାଳ ପକେଇ ଝୁଲି ଝୁଲି ଚାଲୁଛି । ଭାଙ୍ଗ ତ ନିଶ୍ଚୟ ସେ ଖାଇଥିବ । ଏସବୁ ରାଜା ମହାରାଜାଙ୍କ କାରବାର । ଶୋଭାଯାତ୍ରା ଭିତରେ ଅଧୁଆ ବି ଚାଲିଥିଲା ।

 

ଅଧୁଆଟିର ଘର ଆମ ସାଇରେ । ମା’ ତା’ର କୁଟାକୁଟି କରି ଇଆ ତା’ ଘରେ ପାଣି ଦେଇ ଅଧୁଆଟିକି ମଣିଷ କରିଛି । ଅଧୁଆ ଏବେ ଦିନକୁ ବାରେଣା, ଟଙ୍କେ ରୋଜଗାର କରେ । ଯାହା କିଛି କମାଏ, ଗୁଡ଼େ ଲୋକଙ୍କ ସାଙ୍ଗେ ସାଙ୍ଗ ହୋଇ, ସେଥିରୁ ବାରପଣ ଉଡ଼େଇ ଦିଏ । ବୋଉକୁ ତା’ର ବେଶି କିଛି ଦିଏନି । ଏଡ଼ୁଟିଏ ଆସି ହେଲାଣି, ତଥାପି ମନ ତା’ର ଘର ଧରିନି । ବୋଉ ତା’ର ବେଳେବେଳେ ଆମ ଘରକୁ ଆସି ଟଙ୍କା ଧାରନିଏ । ଉଧାର ନେବାର କାରଣ–ଅଧୁଆ କୋଉଠି ଯାତ୍ରାତୀର୍ଥ କି ମଉଜ୍ ମଜ୍‍ଲିସରେ ମିଶିଛି । ଅଧୁଆ ବୋଉ ଏମିତି ତା’ଦିହର ଜିନିଷପତ୍ର ବିକିଭାଙ୍ଗି ସାରିଦେଇଛି । ପୁଅର ମନରେ କେବେହେଲେ କଷ୍ଟ ଦେଇନି ।

 

ମନେ ପଡ଼ିଗଲା–ଆଜି ସକାଳେ ଆମଘରକୁ ସେ ଟଙ୍କା ଉଧାର ମାଗି ଆସିଥିଲା । ଟଙ୍କା ନଥିଲା, ଆମେ ମନାକରି ଦେଇଥିଲୁ । ଦେଖିଛି, ତା’ପରେ ଅଧୁଆ ବୋଉ ତା’ଘରର ଗୋଟିଏ ବଡ଼ ଢାଳ ଓ ଥାଳିଟିଏ ଆଣି କାହାଘରେ ବନ୍ଧକ ରଖିଲା । ପୁଅ ତା’ର ମଉଜରେ ମିଶିବ-। ଅଧୁଆକୁ ସେ ଶୋଭାଯାତ୍ରାରେ ଦେଖି ମୋ ଆଖିଆଗରେ ଏସବୁ ଆସି ନାଚିଗଲା । ଭାରି ଦୁଃଖ ଲାଗିଲା । ଇଚ୍ଛା ହେଲା ଅଧୁଆକୁ ତା’ଭିତରୁ ଟାଣି ଆଣିବି । ଟାଙ୍କେ ହବ ଛେଚିବି । ମା’ ତେଣେ ଧାନ କୁଟୁଛି । ପୁଅ ଆସି ଏଣେ ମଉଜ କରୁଛି କଂସା ବାସନ ବନ୍ଧାପକେଇ । ମୋର ବା ସେଥିରେ କ’ଣ ଦରକାର ଅଛି ?

 

ତରତର ହେଇ ଘରଆଡ଼େ ମୁଁ ଫେରୁଥିଲି । ରାତି ବେଶି ହେଇଯାଇଥିଲା । ଯୋଉ ଛକମୁଣ୍ଡରୁ ଚାରିଆଡ଼ିକି ଚାରୋଟି ରାସ୍ତା ପଡ଼ିଛି, ସେଇଠୁ ପଚାଶ ଶହେ ପାଦ ଆଗେଇ ଗଲେ ଆମରି ଘର । ରାସ୍ତା କରରେ ଏସବୁ ଘଟଣା ଘଟିଯାଉଥିଲା । ସେ ସ୍ତ୍ରୀଲୋକର କଥାଗୁଡ଼ା ମନଭିତରେ ପଶି ମତେ ଅସ୍ତବ୍ୟସ୍ତ କରୁଥିଲା । କାନପାଖରେ ଆସି ଦୁମ୍ ଦୁମ୍ ବାଜୁଥିଲା । ମୋ ମନଭିତରେ ଭାବନାର ପ୍ରବାହ ଓ ମୋ ଚାରିପାଖେ ଘଟିଯାଉଥିବା ଘଟଣାର ପ୍ରବାହ–ଦୁହେଁ ଏକାଠି ମିଶି ମୋ ଭିତରଟା କେମିତି ଗୋଳମାଳିଆ କରିଦେଇଥିଲେ । ବେଶି ରାତି ହେଲାଣି ଭାବି ମୁଁ ଘରଆଡ଼େ ପଳାଇ ଆସିଥିଲି ।

 

ପାଖଦେଇ ଚାଲିଯାଉଥିଲା ଗୋଟିଏ ରିକ୍‍ସାବାଲା ଘଣ୍ଟି ବଜେଇ ବଜେଇ । ମନ ମଉଜରେ ଫାଙ୍କାରାସ୍ତାରେ ସେ ରିକ୍‍ସା ଛୁଟେଇ ଦେଇଥିଲା । ଭାବିଲି ସିଏତ ପୁଣି ମନ ମଉଜରେ ହସି ପାରୁଛି । ଗୀତ ଗାଇ ପାରୁଛି । ଭୋକରେ ରହି ଦୁଃଖ ଦୁର୍ଦ୍ଦଶା ଭୋଗକରି ଲୋକ କ’ଣ ଗୀତ ଗାଇପାରେ ?

 

ମୋ ମନଭିତରେ କିଏ ଅବା ଜବାବ ଦେଲା ପେଟ ପୂରେଇ ଖାଇବାକୁ ନପାଉଥିବା ମଣିଷ ହିଁ ନିଜ ହସରେ ତା’ କାନ୍ଦକୁ ଭୁଲିଯାଇପାରେ । ଗୀତ ଗାଇ ନିଜର ଦୁଃଖ ଭୁଲିଯିବା ଛଳରେ ଅନ୍ୟକୁ ଆନନ୍ଦ ଦେଇପାରେ । ଏମିତି କେତେ କ’ଣ ଭାବି ଘରେ ଆସି ମୁଁ ପହଞ୍ଚିଗଲି ।

 

ସୋମବାର

ନଭେମ୍ବର ତା୧୦ରିଖ ୧୯୫୯

 

ଗଲା ରାତିରେ ସେ ଯୋଉ ଯୋଉ କଥା ମତେ କହିଗଲା, ସେଥିରେ ତା’ର ନିଜକଥା ମୋଟେହେଲେ ନଥିଲା । ଥିଲା କେବଳ ଅନ୍ୟମାନଙ୍କ କଥା । କେତୋଟି ପରିବାରର କଥା । ନିଜ କଥାକୁ ଅଧାରଖି ଅନ୍ୟଲୋକମାନଙ୍କ କଥା କାହିଁକି ଯେ ସେ ମୋଆଗେ ଏତେ କହିଗଲା, ତା’ର କାରଣ ଭାବି ଭାବି ମୁଁ କିଛିହେଲେ ଠିକ୍ କରିପାରିଲିନି । ସେ ସ୍ତ୍ରୀଲୋକଟି ବିଷୟରେ ମୁଁ ଯେତିକି ଯେତିକି ଭାବିଲି, ମତେ ସେତିକି ତା’କଥା ରହସ୍ୟଜନକ ବୋଧହେଲା । ସବୁତକ କଥା ତା’ଠୁ ନଶୁଣିଲାଯାଏ ମୁଁ ଆଉ ଥୟ ଧରି ରହିପାରିଲିନି । ମତେ କିଛିହେଲେ ଭଲ ଲାଗିଲାନି । ମୋର ନିତ୍ୟନୈମିତିକ କାମ ମୁଁ ଯନ୍ତ୍ରଚାଳିତ ଭଳି କରିଯାଉଥାଏ । କିନ୍ତୁ ମନ ଥାଏ ସେଇ ସ୍ତ୍ରୀଲୋକଟି ପାଖରେ । ଦିନରାତି ଚବିଶ ଘଣ୍ଟା ଶୋଇଲେ କି ଚେଇଁଲେ, କାମ କରୁଥିଲେ କି ନକରୁଥିଲେ ସବୁବେଳେ ମୋ ଆଖିଆଗରେ ଆସି ସେ ଠିଆହୁଏ । ତାରି କଥା ଭାବି ଭାବି ମୁଁ ବଡ଼ ଅନ୍ୟମନସ୍କ ହୋଇପଡ଼ିଥିଲି । କୌଣସି ଏକ କାମରେ ମନ ଲାଗୁନଥିଲା । ଦିନ ଯାଇ ପୁଣି କେବେ ସଞ୍ଜ ହେବ ତା’କଥା ଯାଇ ଶୁଣିବି । ଦିନସାରା ମୋର ସେଇ ଥିଲା କେବଳ ଭାବନା, ଚିନ୍ତାର ବସ୍ତୁ । ଯୋଉ ଆଡ଼ିକି ଚାହିଁଲେ ତା’ ଛବି ମୋ ଆଖି ଆଗରେ ଆସି ନାଚିଯାଉଥିଲା । ଯିଏ ଯାହା କହିଲେ ତା’ରି କଥା ଶୁଣିଲାଭଳି ମନେହଉଥିଲା ।

 

ଦିନ ଯାଇ ରାତି ଆସିଲା । କାମଦାମ ଯାହାକିଛି ତରତରରେ ସାରି ଦେଇ ମୁଁ ମୁହେଁଇଲି ସେଇ ସ୍ତ୍ରୀଲୋକଟିର ଘରଆଡ଼େ । ମନେମନେ ଆଗରୁ ଠିକ୍ କରିଥିଲି–ଆଜି ପଚାରିବି, ତା’ର ଅବସ୍ଥା ଏପରି ହେଇଛି କାହିଁକି ? ଘରେ ତ ରୋଜଗାରିଆ ଲୋକ କେହି ହେଲେ ନାହାନ୍ତି । ଟଙ୍କା ପୁଣି ଆସୁଛି କୁଆଡ଼ୁ ? ସେ ଯେ କୌଣସି ଖରାପ ଆଚରଣ କରି ରୋଜଗାର କରୁ ନଥିବ, ଏ ବିଷୟରେ ମୁଁ ଏକବାର ସ୍ଵତଃସିଦ୍ଧ ହୋଇସାରିଥିଲି । ତା’ ଘରଆଡ଼େ ଆସିବାବେଳେ ମୁଁ କେବଳ ଏଇ କଥା ଭାବି ଭାବି ହିଁ ଆସୁଥିଲି । ଏଭଳି ଜଣେ ସ୍ତ୍ରୀଲୋକ ସର୍ମ୍ପକରେ ଆସିବା ଜୀବନରେ ମୋର ଏଇ ପ୍ରଥମ । ପୁଣି ଠିକ୍ କଲି–ତା’ଠୁ କେବଳ ସବୁକଥାଯାକ ଶୁଣିବି । କିଛିହେଲେ ତାକୁ ପଚାରିବିନି । କେଜାଣି ଯେବେ କୌଣସି ବିଷୟନେଇ ତା’ ମନରେ ଆଘାତ ଦିଏ ? ମୁଁ ଭଲରୂପେ ଜାଣିଥିଲି, ଲୋକ କଥା କହୁ କହୁ ଏମିତି କିଛି ଗୋଟେ କହି ପକାଏ ଯାହା ଅନ୍ୟ ମନରେ ଆଘାତ ଦିଏ । କୋଉ ଏକ ନିଭୃତ କୋଣରେ ଯାଇ ବାଜେ । ବିଶେଷତଃ ଯେଉଁମାନେ ଗରିବ ଓ ସର୍ବହରା ସେହିମାନେ ହିଁ ବେଶି ଭାବପ୍ରବଣ ହୋଇଥାଆନ୍ତି । ତାଙ୍କର ଅବସ୍ଥା ନେଇ ସେମାନଙ୍କ ସାଙ୍ଗେ କଥା ହେବା ନିରାପଦ ନୁହେଁ । ବେଳେବେଳେ ଟିକକ କଥାରେ ସେମାନେ ଗୁମ୍ ମାରି ବସିଯାଆନ୍ତି । କଥା କହିବା ବଦଳରେ କାନ୍ଦିପକାନ୍ତି । ରାଗରେ ବି ବେଳେବେଳେ ପାଚିଉଠନ୍ତି । କେବଳ ସେଇଥିପାଇଁ ମୁଁ ତାକୁ କିଛିହେଲେ ତା’ ବିଷୟରେ ନପଚାରିବା ପାଇଁ ଠିକ୍ କରିଥିଲି ।

 

ଆଳାପ ପରିଚୟ କିଛିହେଲେ ନାହିଁ । ପିଲାଟି ତା’ର ନକାନ୍ଦେ କି ମୁଁ ତା’ର ଦୁଆର ନଉଠେ । କେଜାଣି କାହିଁକି କିଛି ଲୁଚେଇ ନରଖି ସେ ମୋ ଆଗେ ତା’ର ସବୁ କଥାଯାକ କହିଯାଉଥିଲା । ସେ ଯେ ଗୋଟିଏ କଥା ମନରେ ରଖି ଆଉ ଗୋଟିଏ କଥା ମୋ’ଆଗେ କହୁଛି, ଏପରି ନୁହେଁ । ତା’ଭଳି ସିଧାସଳଖ କଥାବାର୍ତ୍ତା ମୁଁ କମ୍ ସ୍ତ୍ରୀ ଲୋକଙ୍କଠୁଁ ଶୁଣିଛି । ମୁଁ ବି ଏଇ ପ୍ରକାର କଥାବାର୍ତ୍ତାକୁ ଭଲ ପାଏ । କେଜାଣି କାହିଁକି ସେ ସ୍ତ୍ରୀଲୋକଟିକୁ ମୁଁ ମନେମନେ ଭଲ ପାଉଥିଲି । ତା’ର ଭଦ୍ର ବ୍ୟବହାର, ଚାଲିଚଳନ ଓ ଖୋଲା କଥା ମତେ ତା’ର ଅତି ନିକଟକୁ ଟାଣି ନଉଥିଲା ।

 

ଠିକ୍ ସେତିକିବେଳେ ମୁଁ ତା’ର ଘରେ ଯାଇ ପହଞ୍ଚିଗଲି । ଆଗ ଦି’ଦିନ ଭଳି ସେ ମତେ ଅପେକ୍ଷା କରିଥାଏ । ପାହାଚ ଉପରେ ପାଦ ଦେଇଛି କି ନାହିଁ ସେ ଆସନ ଖଣ୍ଡିଏ ଆଣି ପକେଇଦେଲା । ଥାଳିଆଟିରେ ଜଳଖିଆ ଆଣି ଖାଇବାକୁ ଦେଲା । ନଖାଇଲେ କାଳେ ତା’ର ମନ ମରିଯିବ, ଖୋଲାଖୋଲି କିଛି କହିପାରିବନି, ସେଇଥିପାଇଁ ମୁଁ ଖାଇବସିଲି । ଖାଉଥିଲାବେଳେ ସେ ଆରଘରେ ଯାଇ ଚା’କରି ବସିଲା । ଥାଳିଆଟିରେ ଦି’ଖଣ୍ଡ ସିଗାରେଟ୍‍ ଓ ଡିଆସିଲି ଆଣି ରଖିଲା । ମୁଁ କିଛିହେଲେ ନ କହି ସେ ସବୁକୁ ଗ୍ରହଣ କରିନେଲି । । ଉଦ୍ଦେଶ୍ୟ ଥିଲା ସବୁକିଛି ତାଠୁଁ ଶୁଣିବି ।

 

ମୁଁ ଖାଉଥାଏ, ମନେମନେ ବ୍ୟସ୍ତ ହଉଥାଏ । ବିଚାରିଟିକି ବଡ଼ ଖର୍ଚ୍ଚାନ୍ତରେ ପକେଇଲି । କ’ଣ ବା ତା’ର ଦରକାର ଥିଲା ? ଅଭାବ ଅସୁବିଧାରେ ଚଳୁଥିବ । ଏସବୁ କାହିଁକି ? ମନା କରିଦେଲେ ଭୁଲ ବୁଝିବାର ପଦେ ପଦେ ବିପଦ ରହିଛି । ନଥିଲା ଲୋକଟିଏ ବହୁତ ସରାଗରେ ଖାପିଅର ବନ୍ଦୋବସ୍ତ କରି ଲୋକଗୁଡ଼ିଏଙ୍କୁ ଡାକିଛି । ସେମାନଙ୍କ ଭିତରେ ତା’ର ସମାନସ୍କନ୍ଧ ଲୋକ ଥାଆନ୍ତି । ନୀଚ ସ୍ତରର ବି ଥାଆନ୍ତି । ତା’ଠୁଁ ଭଲରେ ଚଳିଲା ଲୋକକୁ ବି ସେ ଡାକିଥାଏ । କିନ୍ତୁ ବଡ଼ଲୋକ ଜଣେ ନଥିଲାବାଲା ଘରକୁ ଖାଇବାକୁ ଆସିଲେ ଭାବେ, ସେ ଯେପରି ତାକୁ ଦୟା ଦେଖଉଛି । ବେଳେବେଳେ ସେ ବି ତାକୁ ତିଆରି କରି କହେ–କାହିଁକି ମିଛରେ ଏତେ ଗୁଡ଼େ ପଇସା ଖର୍ଚ୍ଚ କରି ଏସବୁ କଲୁ, କାଲିକି କାଲି ତୋର ପିଲେ ଖର୍ଚ୍ଚବାର୍ଚ୍ଚ ପାଇଁ ହଇରାଣ ହରକତ ହେବେ, ନ କରିଥିଲେ ବି ଚଳି ଥାଆନ୍ତା । ଏସବୁ କେବଳ ଉପର ଦେଖାଣିଆ କଥା । କେବଳ ଗରିବ ବିଚାରାଟିକୁ ସହାନଭୂତି ଦେଖେଇବା ନାଆଁରେ ନିଜର ବଡ଼ଲୋକି ଦେଖେଇହବା । ଗରିବ ଲୋକକୁ ପଦେ ପଦେ ଉପହାସ କରିବା । ସେ ଜାଣି ପାରେନି, ନ ଥିଲାବାଲା ଲୋକଟି ଯେ ଏସବୁ କରିଥାଏ, ଏକଥା ସବୁ ତାକୁ କେଡ଼େ ଆଘାତ ଦିଏ । ତା’ର କୋଉ ଶିରାରେ ଯାଇ ବାଜେ-। କେବଳ ସେଇଥିପାଇଁ ସେ ସ୍ତ୍ରୀଲୋକଟି ଦେଇଥିବା ଜଳଖିଆ ଚା’ ପାନ ଓ ସିଗାରେଟ୍ ବିଡ଼ି ଆନନ୍ଦର ସହିତ ମୁଁ ଗ୍ରହଣ କରିନେଲି । କିଛିହେଲେ ତାକୁ କହି ପାରିଲିନି ।

 

ସେ ଦେଇଥିବା ସିଗାରେଟରେ ଅଗ୍ନିସଂଯୋଗ କରି ମୁଁ ବସି ରହିଲି । ମତେ ଜଳଖିଆ ଦେଇଥିବା ବାସନଟି ସେ ଉଠେଇଦେଇ ପିଛୁଳେଇ ଦେଲା । ପିଲାଟି ସେଦିନ ସଞ୍ଜବେଳୁ ଘୁମେଇ ପଡ଼ିଥିଲା । ତାକୁ ପଢ଼ିବାକୁ ବାଧ୍ୟ ନକରି ଆମରି ପାଖକୁ କରି ଖଣ୍ଡେ ମସିଣା ଉପରେ ସେ ଶୁଆଇ ଦେଲା । ବାବୁଲାକୁ ଅଳ୍ପ ସର୍ଦ୍ଦି ହୋଇ ଥିଲା । ଶୋଇଲା ଭିତରେ ରହି ରହି ସେ କାଶୁଥିଲା-। ନିଜ ପାଖକୁ କରି ଲଗେଇଦେଇ ସେ କହିବାକୁ ଆରମ୍ଭ କଲା–

 

ମୁଁ ତା’ପରେ କ’ଣ ହେଲା ବୋଲି ପଚାରିବାକୁ ଯାଉଥିଲି–

 

ମୋ ଆଖି କଣରୁ ବୋଧେ ସେ ମନକଥା ବୁଝିପାରିଲା । କହିଲା, ଆପଣ ବୋଧେ ଭାବୁଥିବେ ମୁଁ ନିହାତି ନିରର୍ଥକ ଭାବରେ କାଲି ଗୁଡ଼ାଏ ଇଆଡ଼ୁ ସେଆଡ଼ୁ କଥା କହିଗଲି । ଏତେ ଲୋକଙ୍କର ଘର କଥା, ସେମାନଙ୍କ ପରିବାରର କଥା, ସେସବୁ ନ କହିବା ଉଚିତ୍ । କିନ୍ତୁ ସେ ସବୁର ଇତିହାସ ସାଙ୍ଗେ ଯେପରି ମୋ ଜୀବନର ଇତିହାସ ଯୋଡ଼ିହୋଇ ରହିଛି । ସେସବୁ ନ କହିଥିଲେ ମୋ ଜୀବନର କଥା ବୋଧେ ଅସମ୍ପୂର୍ଣ୍ଣ ରହିଯାଇଥାନ୍ତା । ସେମାନେ ଯେତେ ଯାହା କଲେ ବି ସମାଜରେ ଆଞ୍ଚ ଆସେନି । କିନ୍ତୁ ଅସହାୟା ସ୍ତ୍ରୀଲୋକଟି ବୋଲି ମୋ ନାଆଁରେ ନାନା ପ୍ରକାର ଅପବାଦ ଉଠେଇ ସେମାନେ ମଉଜ କରନ୍ତି । ଏଇ ଆପଣ ଦି’ ତିନି ଦିନ ଆଗରୁ ଏ ଗରିବ କୁଡ଼ିଆରେ ପାଦ ଦେଇଛନ୍ତି । ଯଦିଓ କେହି କିଛି ଏପର୍ଯ୍ୟନ୍ତ କହି ନାହାନ୍ତି, ତଥାପି ମୁଁ ଭଲ ଭାବରେ ଜାଣେ, ସେମାନେ ମନେମନେ କେତେ କ’ଣ ଭାବି ସାରିବବେଣି । ବାର ପ୍ରକାର ଫୁସ୍‍ଫାସ୍ ବି ହେବେଣି । ଭାବିବେଣି–ଆଉ ଜଣେ କିଏ ଆସିଲା ।

 

ମୁଁ କହିଲି–ସେସବୁକୁ ମୁଁ ଖାତିର କାରେନି । ଯିଏ ଯାହା ଭାବୁଥାଉ ପଛକେ ନିଜେ ଭଲ ଥିଲେ ଦୁନିଆ ଭଲ । ଗରିବ ଗୁରୁବା ଲୋକେ ନିଜ ନିଜର ମାନ ଇଜତକୁ ବଜାୟ ରଖିବା ପାଇଁ କେବଳ ଅନ୍ୟ ଲୋକଙ୍କ କଥା ଉପରେ ବେଶି ଦୋଷ ଦେଇ ଥାଆନ୍ତି । ବାର ଲୋକଙ୍କ ତୁଣ୍ଡରୁ ନିଜକୁ ରକ୍ଷା କରିବାକୁ ପଦେ ପଦେ ହୁସିଆର ଥାନ୍ତି । ସଦାବେଳେ ଜଗି ଥାଆନ୍ତି–ଜଣେ କିଏ ହେଲେ ତାଙ୍କ ନାଁରେ ପଦେ ଅଧେ ନକହୁ ।

 

ହଁ–ପରଦିନ ଆପଣଙ୍କୁ କହିଥିଲି, ରାଜୁବାବୁଙ୍କର ସ୍ତ୍ରୀ ମରିଗଲା ପରେ ସେ ଆଡ଼ଆଖିରେ ଆମକୁ ଅନେଇଲେନି । ଆମର ଭଲ ମନ୍ଦ ବୁଝିଲେନି । ଆମ ଘର ସଙ୍ଗେ ସମ୍ପର୍କ ତୁଟେଇଦେଲେ । ଫଳରେ ବୋଉର ଦେହ ଆଉ ଥରେ ନେଉଟିଲା । ରାଜୁବାବୁ ଶହ ଶହ ଟଙ୍କା ଖର୍ଚ୍ଚ କରି ବଡ଼ ହେପାଦସ୍ତରେ ବୋଉ ଦେହ ଭଲ କରିଥିଲେ । ବୋଉର ରୋଗ ନେଉଟିବାକଥା ରାଜୁବାବୁଙ୍କ କାନକୁ ଯେ ନଯାଇଥିବା ଏମିତି ନୁହେଁ, କିନ୍ତୁ ସେ ଆମ ଘର ମାଡ଼ୁ ନଥାନ୍ତି । ଆମକୁ ଆଉ ପଚାରିବେ କ’ଣ ? ରାଜୁବାବୁଙ୍କୁ ବୋଉ ଦେହ ବ୍ୟସ୍ତ ହେବାକଥା ଆଉ ଥରେ ଯାଇ କହିଥିଲେ ସେ ବା କିଛି କରିଥାଆନ୍ତେ; କିନ୍ତୁ ତାଙ୍କ ପାଖ ମାଡ଼ିବାକୁ ମୋର ଆଉ କାହିଁକି ମନ ଡାକିଲାନି । ଠିକ୍ କଲି ବୋଉ ପଛକେ ମୋର ଅବହେଳାରେ ଶୁଖି ଶୁଖି ମରିଯିବ, ତାଙ୍କ ଦୁଆରକୁ ଆଉ ଯିବିନି । ତାଙ୍କ ଘରର ଚାକରାଣୀ ବେଳେବେଳେ ଆମ ଘରକୁ ବୁଲିଆସେ । ଆମ ଘରକୁ ଆସିବାକୁ ତାକୁ ମନା କରିଦେଲି ।

 

ଥରେ ବୋଉର ଅବସ୍ଥା ବଡ଼ ସାଂଘାତିକ ହେଲା । ଅଧଘଣ୍ଟେ ପର୍ଯ୍ୟନ୍ତ ତା’ର ହୋସ୍ ଆସିଲାନି । ରାଜୁବାବୁ ଯୋଉ ଡାକ୍ତର ଆଣି ଆମ ଘରକୁ ଆସିଥିଲେ ପଚରାଉଚରା କରି ତାଙ୍କ ପାଖକୁ ଗଲି । ପାଖରେ ମୋର ଫଟା ପାହୁଲାଟିଏ ବି ସେତେବେଳେ ନଥାଏ । ତଥାପି ମୁଁ ଡାକିଲେ ସେ ଯେ ନିଶ୍ଚୟ ଆସିବେ, ଏକଥା ମୁଁ ଭଲ ଭାବରେ ଜାଣିଥିଲି । ତାଙ୍କ ସଙ୍ଗେ ମୁଁ କେବେ କଥା ହୋଇ ନାହିଁ । ତାଙ୍କର ସଂସ୍ପର୍ଶରେ ଆସି ନାହିଁ । କି ପ୍ରକାର ଲୋକ ବୋଲି ଜାଣିନି । ତଥାପି, ରାଜୁବାବୁଙ୍କ ସାଙ୍ଗେ ଆସିଲାବେଳେ ଆଖି ଦିଟିରୁ ତାଙ୍କୁ ଭଲରୂପେ ଚିହ୍ନିଥିଲି । ମୁଁ ଯେ ତାଙ୍କୁ କିଛି ଟଙ୍କା ପଇସା ଦେଇ ଡାକି ପାରିବିନି, ଏକଥା ଜାଣିଲେ ବି ମୁଁ ଡାକିଲେ ସେ ଯେ ନିଶ୍ଚୟ ଆସିବେ, ଏ ବିଷୟରେ ମୁଁ ସ୍ଵତଃସିଦ୍ଧ ଥିଲି ।

 

ସେଦିନ ମତେ ତାଙ୍କ ଦୋକାନରେ ଏକାକୀ ଦେଖି ସେ ପ୍ରଥମେ ବଡ଼ ଆଶ୍ଚର୍ଯ୍ୟ ହେଲେ । ମୋଠୁ ସବୁକଥା ଶୁଣିସାରିବା ପରେ ଶୀଘ୍ର ଶୀଘ୍ର ତାଙ୍କର କାମ ଦାମ ସାରିଦେଇ ଆମ ଘରଆଡ଼େ ବାହାରି ପଡ଼ିଲେ । ସେତେବେଳେ ସନ୍ଧ୍ୟା ସାତଟା । ଖଣ୍ଡେ ରିକ୍‍ସା କରି ସେ ଆମ ଘରକୁ ଆସିଲେ । ମୁଁ କାଳେ ରିକ୍‍ସାବାଲାକୁ ପଇସା ଦେଇଦେବି ବୋଲି ସେ ଆଗୁଆ ପଇସା ଦେଇ ସାରିଥିଲେ । ସେ ଆସିଲାବେଳକୁ ମୁଁ ଘରକୁ ଆସି ସାରିଥିଲି । ବୋଉ ସେମିତି ଆଗ ଭଳି ବେହୋସ ହୋଇ ପଡ଼ିଥିଲା ।

 

ଡାକ୍ତର ବାବୁଙ୍କ ନାଁ ଶରତ ବାବୁ । ବାୟସ ଚାଳିଶ ପଞ୍ଚାଳିଶ ଭିତରେ । ରୋଜଗାର ମନ୍ଦ ନୁହେଁ । ହସ ହସ ମୁହଁ, ତାଙ୍କ ଆଖି ଦି’ଟିରୁ ମୁଁ ତାଙ୍କୁ ଭଲରୂପେ ଚିହ୍ନିନେଇଥିଲି । ବୟସ ବେଶି ହୋଇ ଯାଇଥିଲେ ବି ତାଙ୍କର ରସିକତା ଭାଙ୍ଗି ନଥିଲା ।

 

ଶରତବାବୁ ଘରକୁ ଆସିଲେ ପଇସା ତ ନଉ ନଥିଲେ, ବରଂ ଔଷଧପତ୍ର ଯୋଗଉଥିଲେ । ତାଙ୍କ ପତିଆରାରେ ଡାକ୍ତରଖାନାରୁ ବେହେରା ଘରେ ଆଣି ଓଷଦ ପହଞ୍ଚେଇ ଦଉଥିଲା । ତାଙ୍କ ଚିକିତ୍ସାରେ ବୋଉର ଦେହ ଆସ୍ତେ ଆସ୍ତେ ଭଲ ହୋଇ ଆସିଲା । କିନ୍ତୁ ସମ୍ପୂର୍ଣ୍ଣ ରୂପେ ଭଲ ହେଲାନି । ବୋଉର ଆବଭାବରୁ ମୁଁ ଅନେକ ସମୟରେ ଲକ୍ଷ୍ୟ କରେ, ସେ ରାଜୁବାବୁଙ୍କର ପରିବର୍ତ୍ତନ ଓ ଶରତବାବୁଙ୍କର ଚିକିତ୍ସା ସାଙ୍ଗେ ମୋ ଜୀବନକୁ ଗୋଳେଇଘାଣ୍ଟି ମନ ଭିତରେ କେତେ କ’ଣ ଭାବୁଥିଲା । ଶରତବାବୁ ବେଳେବେଳେ ବୋଉକୁ ଆସି ପଚାରନ୍ତି, ରାଜୁବାବୁ କାହିଁକି ଦେଖାଯାଉ ନାହାନ୍ତି ? ମୁଁ ଅନେକ ଥର କହେ ସେ ଆମ ଘରର କେହି ନୁହଁନ୍ତି । ସେ ନ ଆସିବାର କାରଣ ଆମେ କିଛି ଜାଣିନାହୁଁ । ସ୍ତ୍ରୀ ମରିଗଲା ପରେ ସେ ଏବେ ଆଉ ବାହାରକୁ ବାହାରନ୍ତିନି । ଏମିତି ନାନା ପ୍ରକାର କଥା କହି ଆମକୁ କଇଫିୟତ ଦବାକୁ ହୁଏ । ତାଙ୍କୁ ବି ବଡ଼ ସୁବିଧା ପଡ଼ିଲା । ପାଟିରେ ରାଜୁବାବୁଙ୍କ କଥା ପଚାରୁଥିଲେ ବି ମନ ଭିତରେ ରାଜୁବାବୁଙ୍କ ଉପସ୍ଥିତି ସେ ଯେ କେବେହେଲେ କାମନା କରୁ ନ ଥିବେ, ଏକଥା ମୁଁ ଭଲରୂପେ ଜାଣିଥିଲି ।

 

ଶରତବାବୁ ଅନେକ ଥର ମତେ ଅଭୟ ଦେଇଛନ୍ତି । ଯେ କୌଣସି ପ୍ରକାର ନର୍ସ ଧାଈ କି ଗ୍ରାମସେବିକାଟିଏ ହୋଇପାରିଲେ ମୋ ଜୀବନଟିକି ମୁଁ ସୁରୁଖୁରୁରେ ବିତେଇ ନେଇପାରିବି । ବାର ଦୁଆର ହବାକୁ କି ପରକୁ ହାତ ପତେଇବାକୁ ପଡ଼ିବନି । ସେ ବିଷୟରେ ସେ କ’ଣ ବୁଝାସୁଝା କରୁଥିଲେ । ପଢ଼ାପଢ଼ି ଆରମ୍ଭ ହବାର ସମୟ ଆସିଲେ ମୁଁ ନାଁ ଲେଖେଇବି । ସେତେବେଳଯାଏ ଆମ କୁଳରେ କେହି ହେଲେ ବିଧବା ହୋଇ ସାରିଲା ପରେ ବାହାରକୁ ଗୋଡ଼ କାଢ଼ି ନ ଥିଲେ । ମୁଁ ଯାଇଥିଲେ ହୋଇଥାନ୍ତି ପ୍ରଥମ । ଯେତେ ଯାହା ଲୋକ ନିନ୍ଦା ବା ଅସୁବିଧା ସେ ସବୁଥିରେ ଶରତବାବୁ ମତେ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ ।

 

ତାଙ୍କର ଉପଦେଶ, ଅଭୟ ଓ ସାହାଯ୍ୟ ସହାନୁଭୂତି ବିନିମୟରେ ମୋଠାରୁ ଅନେକ କିଛି ସେ ଆଦାୟ କରୁଥିଲେ । ମନା କରିବାକୁ ମୋର ଉପାୟ ନଥିଲା । ତା’ ଛଡ଼ା ମୋର ଭରସା ବି ଥିଲା । ସେ ସବୁକୁ ମନେମନେ ମୁଁ ଭାରି ଘୃଣା କରୁଥିଲି । ମୋର ଅସମୟ ନ ହୋଇଥିଲେ ଶରତବାବୁଙ୍କୁ ଆମ ଘର ମଡ଼ାନ୍ତିନି । ବାହାରକୁ ଭଦ୍ରଲୋକ ସାଜି ଭିତରେ ସେ ଏଇସବୁ କୁକାର୍ଯ୍ୟ କରିଥାଆନ୍ତି । ଅନ୍ୟ ଲୋକର ଦାରିଦ୍ୟର ସୁବିଧା ନେଇ ଏମିତି ସ୍ଵାର୍ଥ, ସିଦ୍ଧି କରନ୍ତି ଓ ଫାଇଦା ଉଠାନ୍ତି । ଅନ୍ତର ଭିତରେ ଶରତବାବୁଙ୍କୁ ଭୀଷଣ ଘୃଣା କରୁଥିଲେ ବି ବାହାରେ ଭଲ ବ୍ୟବହାର ଦେଖାଇବାକୁ ମୁଁ ବାଧ୍ୟ ହେଉଥିଲି । ହସି ହସି ନିଜକୁ ତାଙ୍କ ନିକଟରେ ସମର୍ପଣ କରିଦଉଥିଲି । ସ୍ତ୍ରୀଲୋକର ଯାହା ସବୁକିଛି ଦାନ କରିବା ଛଡ଼ା ମୋର ଅନ୍ୟ ଉପାୟ ନଥିଲା । ଉଦ୍ଦେଶ୍ୟ ଥିଲା, ମୋର ଗୋଟିଏ ବୋଉର ଦିହ କିମିତି ଅତି ଶୀଘ୍ର ଭଲ ହୋଇଯିବ । ସେ ଛୋଟୀ ହଉ କି କାଣୀ ହଉ ପଛେକେ ବସିଥାଉ । କିଛିହେଲେ ପଛେ ନ କରିପାରୁ ଅନ୍ତତଃ ସଂସାରରେ ଯେ ମୋର ହୋଇ ଜଣେ ଲୋକ ଅଛି, ଏ କଥା ମୁଁ ଅନୁଭବ କରିବି । ଜୀବନର ଯାହା କିଛି ସାହା ଭରସା ମୋର ବୋଉ । ଦଶ ମାସ ମତେ ଗର୍ଭରେ ଧରିଛି । ଏଡ଼ରୁ ଏଡ଼ୁଟିଏ କରିଛି । ଜୀବନରେ ସୁଖରେ ଚଳିବି ବୋଲି କେତେ କଷଣ ବା ସେ ନ ସହିଛି । କିନ୍ତୁ କିଛିହେଲେ ସେଥିରେ ଲାଭ ହେଲାନି । ଯୋଉ ଡାଳରେ ଗୋଡ଼ ଦେଲି ସେ ଡାଳ ଛିଣ୍ଡି ପଡ଼ିଲା ।

 

ସେଇ ରୋଗରେ ବୋଉ ଆଖି ବୁଜିଲା । ତା’ ପାଖେ ରହିବାର ସୁଯୋଗ ଆଉ ବେଶି ଦିନ ମୁଁ ଉପଭୋଗ କରିପାରିଲିନି । ତା’ ବାଟେ ସେ ଚାଲିଗଲା । ମତେ ଦେଖିବାକୁ ଆଉ କେଇଟା ବରଷ ହେଲେ ସେ ବଞ୍ଜି ଯାଇଥାନ୍ତା କି ? ବୋଧହୁଏ ଆମର ଦୁରବସ୍ଥା ଓ କେବଳ ମୋର ଚିନ୍ତାରେ ହିଁ ତନୁ ତା’ର ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲା । ଦିନେ ସଞ୍ଜବେଳେ ତା’ର କାଶ ଉଠିଲା । ଦି ତିନି ଘଣ୍ଟା ଆଗରୁ ମୋ ସାଙ୍ଗେ କଥା ହଉଥିଲା । ତା’ପରେ ତୋଟିପାଖ ତା’ର ଘଡ଼ଘଡ଼ ହେଲା । ଆଖି ଦି’ଟା ଉପରକୁ ହେଇଗଲା । ହେକା ଉଠିଲା । ଅକୁଳ ସାଗରରେ ମତେ ଭସେଇ ଦେଇ ସେ ଚାଲିଗଲା ।

 

ବୋଉ, ମରିଗଲା ପରେ ମୋ ଚଉପାଶର ଦୁନିଆ ସତେ ଯେପରି ଘୂରିବାକୁ ଆରମ୍ଭ କରିଦେଲା । ପ୍ରବଳ ଝଡ଼ ବତାସ ଭିତରେ କୁଟାଖିଏ ଯେପରି ଏଣେ ତେଣେ ଆଶ୍ରୟହୀନ ଭାବରେ ଘୂରି ବୁଲେ । ମତେ ଜଣାପଡ଼ିଲା–ଠିକ୍ ଯେପରି ମୋ ଚଉପାଶରେ ଝଡ଼ ବହି ଚାଲିଛି, ମୋ ମନଭିତରେ ବି ବହୁଥିଲା ଝଡ଼ । ଅଣଚାଶ ପବନ ଝଡ଼ ଭିତରେ ଉଡ଼ି ଉଡ଼ି କୁଆଡ଼େ ଯେ ଯାଇଁ ଲାଖିବ, କିଛିହେଲେ ତା’ର ଠିକଣା ନଥିଲା ।

 

ସେ ଅସମୟରେ ମତେ ଶରତବାବୁ ଖୁବ୍ ସାହାଯ୍ୟ କରିଛନ୍ତି । କେବଳ ତାଙ୍କରି ଯୋଗୁ ବୋଉର ଦଶାହ କ୍ରିୟା ମୁଁ ସାରିପାରିଲି । ନୂଆ ହାଣ୍ଡି ଆଟିକା କରି ଶୁଦ୍ଧ ହୋଇପଡ଼ିଲି । ମତେ ସାହାଯ୍ୟ କରିବା ପଛଆଡ଼େ ଶରତବାବୁଙ୍କର ଯାହା କିଛି ଅଭିପ୍ରାୟ ଥାଉନା କାହିଁକି, ତଥାପି ତାଙ୍କୁ ଏ ବିଷୟରେ ନିନ୍ଦା କଲେ ମତେ ନର୍କରେ ବି ଜାଗା ମିଳିବନି ।

 

ହଁ–ଆଉ ଗୋଟିଏ କଥା । ବୋଉ ମରିଗଲାବେଳେ ରାଜୁବାବୁ ଆସି ସାହାଯ୍ୟ କରିଥିଲେ । ସେତେବେଳେ କାନ୍ଦିବୋବେଇ ମୁଁ ଏଡ଼େ ଅସ୍ଥିର ହଉଥାଏ ଯେ କିଏ କ’ଣ କଲା ନ କଲା, ଏ ବିଷୟରେ ମୋର ଖିଆଲ ନ ଥାଏ । ବୋଉ ମରିଗଲା ପରେ ମୁର୍ଦାର ଉଠିବାକୁ ସେ କେତେ ଜ୍ଞାତି ଲୋକକୁ ଡକାହକା କରି କାମଟିକୁ ଖୁବ୍ ସୁରୁଖୁରୁରେ ଉଠେଇ ଦେଇଥିଲେ । ଆମ ଘରକୁ କିନ୍ତୁ ଆସନ୍ତି ନାହିଁ ନିଜ ଘରେ ଥାଇ ଏସବୁ କରେଇଛନ୍ତି । ଆମ ଦୁଆର ମାଡ଼ି ନାହାନ୍ତି ।

 

ଥରେ ତାଙ୍କର ଚାକରାଣୀ ହାତରେ ମୋ ପାଖକୁ ଟଙ୍କା ଶହେ ପଠାଇ ଦେଇଥିଲେ । ବୋଉ ଶୁଦ୍ଧି ସକାଶେ ଖର୍ଚ୍ଚ କରିବାକୁ । ସେତେବେଳ ଯାଏଁ ଶରତବାବୁ ମତେ କ’ଣ ଦେବେ ନ ଦେବେ ମୁଁ କିଛିହେଲେ ଜାଣି ନଥାଏ । ସେ ଯେ ମତେ ସାହାଯ୍ୟ କରିବେ ? ଏକଥା ମୁଁ କାହିଁକି ଅବା ଭାବିବି, ଭାବେ କିନ୍ତୁ ଶରତବାବୁଙ୍କୁ ପଚାରିପାରେନି । ସେତେବେଳେ ଶରତବାବୁ କେବଳ ଏକମାତ୍ର ଲୋକ ଯେ କି ଆମ ଘରକୁ ଯା ଆସ କରୁଥାଆନ୍ତି ।

 

ରାଜୁବାବୁ ଚାକରାଣୀଠୁ ଟଙ୍କା କଥା ଶୁଣି ମୁଁ ମନେମନେ ଶହେ କି ଦିଶହ ଥର ଭାବିଛି–ଟଙ୍କା ରଖିବି କି ଫେରେଇ ଦେବି । ରାଜୁବାବୁ ଆମ ଘରକୁ ଆସି ମତେ ଯେବେ ଅସମୟରେ ଟଙ୍କା ଦେଇଥାନ୍ତେ, ମୁଁ ନିଶ୍ଚୟ ହେଲେ ଗ୍ରହଣ କରିଥାଆନ୍ତି । କିନ୍ତୁ ସେ ପଠେଇଥିଲେ ତାଙ୍କ ଚାକରାଣୀ ହାତରେ । ଅନେକ ଆଗପଛ ଭାବି ଟଙ୍କାତକ ଫେରାଇ ଦେଲି । ସେଇତକ ଟଙ୍କାପାଇଁ ଯେ ମୁଁ ବାରଦୁଆର ବୁଲିବି ଏକଥା ମୁଁ ଭଲ ଭାବରେ ଜାଣିଥିଲି । କିନ୍ତୁ ରାଜୁବାବୁଙ୍କର ଏସବୁ କାରବାର ଦେଖି ମୋ ମନରେ ଭାରି ରାଗ ଆସିଲା । ଟଙ୍କା ଫେରେଇ ଦେଇ ଲକ୍ଷ୍ୟ କଲି–ରାଜୁବାବୁ ୟାପରେ କ’ଣ କରୁଛନ୍ତି ।

 

ଏ ଘଟଣାର ଦି’ଦିନ ପରେ ରାଜୁବାବୁ ଅଫିସରୁ ପନ୍ଦର ଦିନ ଛୁଟି ଆଣିଲେ । ପିଲା ଛୁଆଙ୍କୁ ଧରି ଗାଁକୁ ଚାଲିଗଲେ । ବିଲବାଡ଼ି ତାଙ୍କର ଉଜୁଡ଼ି ପଡ଼ୁଥିବାର ଖବର ମୁଁ ପାଇଲି । ଆଉ କେହି ଦେଖିବାକୁ ନାହାନ୍ତି । ନ ଗଲେ ଯେପରି ନ ଚଳେ।

 

ମୁଁ କିନ୍ତୁ ମନେମନେ ଠିକ୍ କରିନେଲି–ଏସବୁ କେବଳ ଛଳନା । ମତେ ଆଡ଼େଇବାକୁ ସେ ଇଚ୍ଛା କରୁଥିଲେ । ମତେ ପାଖରେ ଦେଖିଲେ, ବୋଉର ଦଶାହ କ୍ରିୟା ଇତ୍ୟାଦିର ଖର୍ଚ୍ଚ ନିମନ୍ତେ ମୁଁ ହଇରାଣ ହରକତ ହଉଥିବା କଥା ଆଉ କହାଠୁ ଶୁଣିଲେ ବୋଧହୁଏ ସେ ସହ୍ୟ କରିପାରିବେନି । ପାଖରେ ରହିଲେ ଲୋକର ଦୁର୍ବଳତା ହୁଏତ କୋଉ ମୁହୂର୍ତ୍ତରେ ଆସି ଯାଇପାରେ । ଲୋକ ଆଉ ଜଣଙ୍କୁ ଆଡ଼େଇ ଦେଇ ଚାଲିଯିବା ସହଜ ହୋଇପାରେ, କିନ୍ତୁ ମଣିଷ ମନଭିତରୁ ଆଉ ଜଣଙ୍କୁ ଭୁଲିଯିବାକୁ ଯେତେ ଚେଷ୍ଟା କଲେ ବି ପାରେନି । ଅନ୍ୟ କିଏ ଯେବେ ଦୁଃଖ ଅସୁବିଧାରେ ସଢ଼ୁଥାଏ, ସେସବୁ ଦେଖିଲେ ଅଭାବଗ୍ରସ୍ତ ମଣିଷଟିକି ଭୁଲି ହୋଇ ପାରେ, କିନ୍ତୁ ତା’ର ଦୁଃଖ ଅସୁବିଧାକୁ ଭୁଲି ହୁଏନି । ଭୁଲି ପାରିବା ଯେପରି ଅସମ୍ଭବ । ମଣିଷପଣିଆର କୋଉ ଏକ ନିଭୃତ କୋଣରେ ସେ ଯାଇ ଆଘାତ କରେ । ଅନ୍ୟର ଦୁଃଖ ଯେପରି ମଣିଷ ଗୋଷ୍ଠୀର ଅନ୍ତର୍ଭୁକ୍ତ । ହଜାର ହଜାର ବର୍ଷର ଗୋଷ୍ଠୀଗତ ସଂସ୍କାର ନେଇ ସେ ଜନ୍ମ ଗ୍ରହଣ କରିଛି-। ଅନ୍ୟ ଲୋକର ଦୁଃଖ କଷ୍ଟ ପଛରେ ପରଜନ୍ମ, ପୂର୍ବଜନ୍ମ ଓ ଭାଗ୍ୟଭଗବାନ ଦେଇ ଯାହା କିଛି ଯୁକ୍ତି ଖଞ୍ଜାଯାଉ ନା କାହିଁକି ମଣିଷ ଏସବୁ ସବୁଦିନ ସହ୍ୟ କରି ପାରିବନି ।

 

କେବଳ ସେଇଥିପାଇଁ ଦୁନିଆରେ ଆଜି ଏତେ ରକମର ଗଣ୍ଡଗୋଳ, ଏଡ଼େ ରକ୍ତମୁଖା ବିପ୍ଳବ । ଥିଲା ନଥିଲା ଲୋକଙ୍କ ଭିତରେ ସଘର୍ଷ, ସମାଜରେ ସୁଖୀ ଓ ଦୁଃଖୀ ଲୋକଙ୍କ ଭିତରେ କଳିତକରାଳ ।

 

ସେ ସ୍ତ୍ରୀଲୋକଟି ମୁହଁରୁ ଏସବୁ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲିନି । ଏସବୁ କଥା ସେ ଜାଣିଲା କିପରି ? ଶିଖିଲା ଅବା କାହାଠୁ ? ମୋ ମନ ଭିତରେ ଏହିକଥା ଆନ୍ଦୋଳିତ ହେଉଥିବା ବେଳେ ସେ କହିବାକୁ ଆରମ୍ଭ କଲା–

 

ଏସବୁ କଥା ମୁଁ କାହଠୁ ଶୁଣିଲି କିପରି ଅବା ଜାଣି ପାରିଲି, ଆପଣ ଏହା ଭାବି ବୋଧହୁଏ ଆଶ୍ଚର୍ଯ୍ୟ ହଉଥିବେ । ଯାହାଙ୍କ ଯୋଗୁ ଏ ବାବୁଲାଟିକୁ ମୁଁ ପାଇଛି, ଢଳଢଳ ଆଖି, କୁଞ୍ଚୁକୁଞ୍ଚିଆ ବାଳ ଓ ଇଆ ମୁହଁର ଛାପ ଯାହାଙ୍କର ଅବିକଳ ପ୍ରତିମୂର୍ତ୍ତି, ବାବୁଲିଟି ମୋର ପାଖରେ ଥିଲେ ଯାହାଙ୍କୁ ମୁଁ ପାଖରେ ଥିଲା ଭଳି ଅନୁଭବ କରେ, ତାଙ୍କରିଠୁ ମୁଁ ଏସବୁ ଶୁଣିଛି । ସେ ମୋର ଆଖି ଖୋଲିଦେଇଛନ୍ତି । ସେ ମୋର ଇହ କାଳ ପରକାଳର ସାଥୀ । ତାଙ୍କ କଥା କହିବାର ସମୟ ଆସିଗଲାଣି–କହୁଛି ।

 

ସ୍ତ୍ରୀଲୋକଟି ଅଳ୍ପ ସମୟ ତୁନି ରହିଲା ଓ ତାଙ୍କ ଉଦ୍ଦେଶ୍ୟରେ ନମସ୍କାର କଲା ।

 

ରାଜୁବାବୁ ଯାଇଥିଲେ ଶରତବାବୁ ବି ଗଲେ । ତାଙ୍କର ବଦଳି ହୋଇଗଲା । ବୋଉ ମଲା ପରେ ପରେ ଶରତବାବୁଙ୍କ ବଦଳି । ସେ ଭଲ ହୁଅନ୍ତୁ ବା ମନ୍ଦ ହୁଅନ୍ତୁ, ଅସତ୍ ଚରିତ୍ରର ହୁଅନ୍ତୁ, ମୋ ନିକଟରେ ଯାହା କିଛି ଦୋଷ କରିଥାନ୍ତୁ, ମୋର ଶରୀରକୁ ଲୁଣ୍ଠନ ପଛେ କରନ୍ତୁ, ସେ ମୋର ଆଶାଭରସା ଥିଲେ । ଅସମୟରେ ମତେ ଅଯାଚିତି ଭାବରେ ସାହାଯ୍ୟ କରୁଥିଲେ । ତାଙ୍କୁ ବି ମତେ ହରେଇବାକୁ ପଡ଼ିଲା । ମୋତେ ଆହା ବୋଲି କହିବାକୁ ସଂସାରରେ ମୋର ନିଜର ବୋଲି କେହି ହେଲେ ଆଉ ରହିଲେନି ।

 

କେଡ଼େ କେଡ଼େ ଲୋକ ମତେ ସାହାଯ୍ୟ କରିବା ନାଁରେ ଆସି ହାଜର ହୁଅନ୍ତି । ଅନେକ ବେଳଯାଏ ଏଆଡ଼ୁ ସିଆଡ଼ୁ ବାର ପ୍ରକାର କଥାବାର୍ତ୍ତା କରନ୍ତି । ଅନେକ କିଛି ଉପଦେଶ ଦିଅନ୍ତି । ମୁଁ ଭଲ ଭାବରେ ଜାଣି ରଖିଥାଏ, ତାଙ୍କର ଏ ଉପଦେଶ ପଛଆଡ଼େ କେବଳ ସ୍ଵାର୍ଥସିଦ୍ଧି ଛପି ରହିଥାଏ । କିଛି ନହେଲେ ମୋ ସଙ୍ଗେ ପଦେ ଦି’ପଦ କଥା ହୋଇ ସେମାନେ କିଛି ନା କିଛି ଆନନ୍ଦ ଉପଭୋଗ କରନ୍ତି । ସୁବିଧା ସୁଯୋଗ ପଡ଼ିଲେ ବଣ୍ୟ ପଶୁଭଳି ଯେ ସେମାନେ ମୋ ଶରୀର ଉପରେ ଲମ୍ଫ ପ୍ରଦାନ ନ କରିବେ, ଏ ଆଶଙ୍କା ବି ମନରେ ଯେ ମୋର ପୂରାପୂରି ନଥାଏ, ଏପରି ନୁହେଁ । ସେମାନେ ମୋର ଦୁଃଖର ଯାତ୍ରା ବଢ଼େଇବେ ପଛକେ କମେଇ ଦେବେନି । ସେମାନଙ୍କୁ ମୁଁ ଗୋଡ଼େ ଗୋଡ଼େ ଚିହ୍ନି ରଖିଥାଏ ।

 

କିନ୍ତୁ ସମସ୍ତଙ୍କ ସାଙ୍ଗେ ମିଳିମିଶି ନ ଚଳିବା ଛଡ଼ା ମୋର ଅନ୍ୟ ଉପାୟ ନଥିଲା । ମୁଁ ଭଲ ଭାବରେ ଜାଣେ–ଲୋକ ଯେତେବେଳେ ଦୁର୍ବଳ ଓ ଅସହାୟ ହୁଏ, ସେତେବେଳେ ଅନ୍ୟ ଲୋକ ତାକୁ ସମବେଦନା ଦେଖାନ୍ତି । କିନ୍ତୁ ତାଙ୍କର ଅବଚେତନ ମନରେ ଦୁଃଖୀ ଲୋକଟି ପ୍ରତି ହେୟଭାବ ଭରି ରହିଥାଏ । ବଡ଼ ଅବଜ୍ଞା ଦୁଷ୍ଟିରେ ସେମାନେ ତାକୁ ଦେଖି ଥାଆନ୍ତି । ଭଲ ବ୍ୟବହାର ଦେଖାଇବା କେବଳ ଛଳନା । ଭିତରେ ଦୁଃଖୀ ଲୋକଟି ପ୍ରତି ନିଛକ ଘୃଣା ଭରି ରହିଥାଏ । ଉତ୍ସାହ ଦବା କେବଳ ଲୋକ ଦେଖାଣିଆ । କିଏ ଅବା କାହା କଥା ମନେ ରଖିଛି ? କିଏ କାହିଁକି କାହା କଥା ଭାବିବ ? କାହା ଦୁଃଖ ଅବା କାହାର ? ବରଂ ସମବେଦନା ନାଁରେ ଗୁଡ଼ାଏ ଖରାପ କଥା ବା ନିନ୍ଦା କରିବାକୁ ସେମାନେ ଛାଡ଼ନ୍ତିନି । ଏମାନେ ଜାଣିଶୁଣି ଏସବୁ କରିନଥାଆନ୍ତି । ଏସବୁ ଭାବନା ସେମାନଙ୍କ ମନକୁ ସ୍ଵତଃ ଚାଲିଆସେ । ବ୍ୟବାହାର ଆପେ ଆପେ ବଦଳି ଥାଏ । ନିଜ ପାଖରେ ଯାହା ନଥାଏ, ଅନ୍ୟ ଲୋକ ପାଖରେ ତାକୁ ଦେଖିଲେ, ଲୋକ ତାକୁ ଭଲ ପାଇ ବସେ, ତାକୁ ସମ୍ମାନ କରେ, ବଡ଼ ବୋଲି ଭାବେ, ଭୟ କରେ । ସ୍ତ୍ରୀଲୋକ ଜଣେ ସୁରୂପ ପୁରୁଷଟିଏ ଦେଖିଲେ ତାକୁ ଭଲ ପାଇବସେ । ପୁରୁଷ ଜଣେ ସୁନ୍ଦର ତରୁଣୀଟିର ଅନୁଗାମୀ ହୁଏ, ତାକୁ ନିଜଠାରୁ ଅଧିକ ସୁନ୍ଦର କି ଗୁଣର ବୋଲି ବାଛିଲେ, ତା’ ପ୍ରତି ଆକୃଷ୍ଟ ହୁଏ-। ମନେମନେ ତା’ନିକଟରୁ ନିକଟତର ହୁଏ । ସୁବିଧା ସୁଯୋଗ ମିଳିଲେ ନିଜ ଶରୀରଟିକି ତା’ ଶରୀର ଉପରେ ଢାଳିଦିଏ । ଅନ୍ୟକୁ ଭୟ କରିବାର, ଭଲ ପାଇବାର, ସମ୍ମାନ ଦେଖାଇବାର ଓ ନିଜର କରି ଭାବିବାର ଏ ଗୋଟିଏ ଦିଗ । ମୋ ପାଖରେ ସେସବୁ କିଛି ନଥିଲା । ଥିଲା ମୋର ଢଳଢଳ ଶରୀର ଓ ଗହଳିଆ ଭ୍ରୂଲତା । ଯେତେ ଅସୁବିଧାରେ ଥିଲେ ବି ପାତଳା ଓଠରୁ ମୋର ଅଳତା ଲିଭି ନଥିଲା । ମୁଁ ଯେପରି ତାକୁ ଇଚ୍ଛା କରି ଅବା ପୋଛି ପାରୁନଥିଲି । ମୋ ଅଜାଣତରେ, ଅନିଚ୍ଛା ସତେ ବୟସ ଆଣି ବୋଳି ଦେଉଥିଲା । ଦୋଷ ମୋର ନୁହେଁ, ମୋ’ ବୟସର, ମୋ କଞ୍ଚା ଶରୀରର । ତେଣୁ ଲୋକେ ମତେ ଦୟା ଦେଖେଇବା ନାଁରେ ଲୁକ୍‍କାୟିତ ଭାବରେ ମତେ ଅବଜ୍ଞା କରୁଥିଲେ ଓ ଅଜାଣତରେ ଇଚ୍ଛା କରୁଥିଲେ ତା’ । କେମିତି ମୁଁ ଅସୁବିଧାରେ ପଡ଼ିଲେ ସେମାନେ ମତେ ଆସି ସାହାଯ୍ୟ କରିବେ ଓ ତାଙ୍କର ଫାଇଦା ଉଠେଇବେ ।

 

ଏସବୁ ଭିତରେ ନିଜକୁ ଜଗିରଖି ଚାଲିବା ମୋ’ ପକ୍ଷରେ ଅସମ୍ଭବ ହୋଇପଡ଼ିଲା । କ’ଣ କରିବି, କୁଆଡ଼ିକି ଯିବି, ଚଳିବି ଅବା କେମିତି ? ଏସବୁ ଭାବି ଭାବି ତନୁ ମୋର କ୍ଷୀଣ ହେବାକୁ ଲାଗିଲା । ଚାରିଆଡ଼େ ଅକାତକାତ ପାଣି, ଡଅଁର, ସୁଅ ଛୁଟିଛି । ତା’ ଭିତରେ ମୁଁ କୁଟାଖିଏ । ନିଜକୁ ବଞ୍ଚେଇ ରଖିବି କିପରି ? କାହା ସାହା ଭରସାରେ ?

 

ଏମିତି ମାସେ ଦି’ ମାସ ବିତିଗଲା । ଘରେ ଯାହା କିଛି ଥିଲା, ତାକୁ ବିକାଭଙ୍ଗା କରି ଖିଆପିଆ କରୁଛି । ଦିନେ ଦାମବାବୁଙ୍କ ସାଙ୍ଗେ ମୋର ଦେଖାହେଲା । ସେତେବେଳେ ମୁଁ ଘରଭିତରୁ ଝରକା ଦେଇ ବାହାରକୁ ଅନେଇଥାଏ । କ’ଣ ଗୋଟେ କାମ ଥିଲା । ଦାମବାବୁ ସେଇ ବାଟଦେଇ କୁଆଡ଼େ ପଲାଉଥାଆନ୍ତି । ଝରକା ଦେଇ ମତେ ସେ ଦେଖି ପକେଇଲେ । ମତେ ଦେଖି ଏକଦମ୍‍ ଆଶ୍ଚର୍ଯ୍ୟ ହେଇଗଲେ । ଝରକା ପାଖକୁ ଯାଇପାରିଲେନି କି ରହିପାରିଲେନି । ହାତଠାରି ମୁଁ ତାଙ୍କୁ ଘରକୁ ଡାକିଲି । ସବୁ କାମ ଦାମ ବନ୍ଦକରି ବଡ଼ ଅମାୟିକ ଭାବରେ ସେ ଆମ ଘରକୁ ପଶି ଆସିଲେ ।

 

ମୋର ମନେ ଅଛି–ମୁଁ ଯେତେବେଳେ ଲୋର୍‍ପ୍ରାଇମେରୀ ପଢ଼ୁଥିଲି, ଦାମବାବୁ ସେତେବେଳେ ଆମ ସ୍କୁଲରେ ମାଷ୍ଟର ଥାଆନ୍ତି । ସେତେବେଳେ ସେ ସତର ଅଠର ବର୍ଷର ପିଲା-। ମାଇନର ପାଶ୍‍କରି, ଅଭାବ ଅସୁବିଧାରେରେ ପଡ଼ି ମାଟ୍ରିକ୍ ଖଣ୍ଡିକ ପାଶ୍‍କରି ପାରିଲେନି-। ଶେଷକୁ ବାଧ୍ୟ ହୋଇ ଲୋର୍‍ପ୍ରାଇମେରୀ ସ୍କୁଲରେ ମାଷ୍ଟ୍ରଟିଏ ହେଲେ । ତାଙ୍କଠାରୁ ଶୁଣିଲି–ସେ ମାଷ୍ଟର ଚାକିରି କରି ଘରେ ଘରେ ପଢ଼ି ମାଟ୍ରିକ୍, ଆଇ.ଏ, ବି.ଏ, ପାସ୍‍ କଲେ । କିନ୍ତୁ ସେ ସ୍କୁଲଛାଡ଼ି ଆଉ କୁଆଡ଼େ ହେଲେ ଗଲେନି । ଚାକିରି ବାକିରୀ କରିବେନି ବୋଲି ପ୍ରତିଜ୍ଞା କଲେ-। ଯେତେ ଯୁଆଡ଼େ ଅରକ୍ଷ୍ୟ ଛୁଆପିଲା ଅଛନ୍ତି, ଅଭାବ ଅସୁବିଧାରେ ଯେଉଁମାନେ ପାଠ ପଢ଼ିପାରୁ ନାହାନ୍ତି, ସେମାନଙ୍କପାଇଁ ଯେ କୌଣସିମତେ ପାଢ଼ାପଢ଼ିର ସୁବିଧା କରେଇବା ତାଙ୍କର ହେଲା କାମ । କେଉଁ ପିଲାପାଇଁ କାହାଠାରୁ ଔଷଧ ଆଣି, ସରକାରୀ ସାହାଯ୍ୟ ମାଗି, କାହାପାଇଁ ଟିଉସନ ଯୋଗାଡ଼ କରି, କାହାପାଇଁ ପୁଞ୍ଜେ ଖାଇବାକୁ ସୁବିଧା କରିଦେଇ ସେ ଆନନ୍ଦ ଉପଭୋଗ କରନ୍ତି । ନିଜେ ପାଠ ପଢ଼ିବାକୁ ତାଙ୍କର ଜୀବନରେ ସେ ଯେପରି ଦହଗଞ୍ଜ ହୋଇଥିଲେ, ଅନ୍ୟ ପିଲାମାନଙ୍କୁ ସେଇତକ ସୁବିଧା କରିଦେଇପାରିଲେ ସେ ଯେପରି ଆଶ୍ଵସ୍ତି ଅନୁଭବ କରନ୍ତି-। କହନ୍ତି–ଏହାଦ୍ଵାରା ତାଙ୍କ ଅତୀତ ଜୀବନ ଉପରେ ସେ ପ୍ରତିଶୋଧ ନେଉଛନ୍ତି ।

 

ବଡ଼ ଆଶ୍ଚର୍ଯ୍ୟ ଲୋକ ସେ ଦାମବାବୁ । ଘର ଭିତରକୁ ଆସି ମୋର ସବୁକିଛି ଅଭାବ, ଅସୁବିଧା ବୁଝିଗଲେ । ଶୁଣି ସାରି ପ୍ରାୟ ଘଣ୍ଟେ ଯାଏ ଗୁମ୍ ମାରି ଆମ ଅଗଣାରେ ସେ ବସିରହିଲେ । ଯେତେ ଯାହା ପଚାରିଲେ କିଛିହେଲେ କହିଲେନି । କାଠପ୍ରତିମାଟି ଭଳି ଆକାଶକୁ ଚାହିଁ କେବଳ ତୁନିଟି ହେଇ ବସିରହିଲା ପରେ ନିଦରୁ ଉଠିଲା ଭଳି ସେ କହିଲେ–କିଛିହେଲେ ତୋର ଅସୁବିଧା ହବନି । ଏତକ କହିସାରି ତାଙ୍କ ତଳ ପକେଟରେ ଥିବା ଅଣତିରିଶ ଟଙ୍କା ଆଠଣା କି ଦଶଅଣା ମୋ ପାଖରେ ଥୋଇଦେଇ କେଉଁଆଡ଼େ ଚମ୍ପଟ କଲେ । ପଛରୁ ଯେତେ ଡାକିଲି ଶୁଣିଲେନି । କହିଲେ–ମୋର ଅନେକ କାମ ଅଛି । ଜଗିରଖି ଚଳୁଥିବୁ । ପରେ ଆସିବି ।

 

ପନ୍ଦରଦିନ ବିତିଗଲା । ତାଙ୍କର ଦେଖା ନାହିଁ କି ସାକ୍ଷାତ ନାହିଁ । ସେଦିନ ଦାମବାବୁ ଚାଲିଗଲେ । ଘରେ ଦୀର୍ଘ ପନ୍ଦରଦିନ ଧରି କେବଳ ତାଙ୍କରି କଥାଇ ବସି ମୁଁ ଭାବୁଥାଏ ।

 

ଦାମବାବୁଙ୍କ ବୟସ ତିରିଶ ଏପଟେ । ଡେଙ୍ଗାପାତେଳା ଟୁକ୍‍ଟୁକ୍ ମଣିଷ । ଖଣ୍ଡାନାକ, ଦେଖିବାକୁ ସାବ୍‍ନା । ପିନ୍ଧିଥାନ୍ତି ଖଣ୍ଡେ ଧଳାପାଇଜାମା, ଧଳା ହାପ୍‍ସାର୍ଟ ଖଣ୍ଡେ । ନୁଖୁରା ମୁଣ୍ଡ । ଗାଧୁଆ ଓ ଖା’ପିଅରେ ତାଙ୍କର ଠିକ୍ ବି ନଥାଏ । କୌଣସି ଗୋଟିଏ ଜାଗାରେ ସେ ସ୍ଥିର ହୋଇ ରହିପାରନ୍ତିନି । କୋଉଠି ରହନ୍ତି, କୋଉଠି ଶୁଅନ୍ତି, ତା’ର ଠିକଣା ନାହିଁ । ଦିନସାରା ଖବରକାଗଜ ଖଣ୍ଡେ ଦି’ଖଣ୍ଡ, କି ମାଗାଜିନ୍ ଖଣ୍ଡେ ଧରି ଚାହା କଫି ଦୋକାନ, ସାଙ୍ଗସାଥୀଙ୍କ ଘର ନୋହିଲେ କୋଉ କ୍ଲବ୍ କି ଲାଇବ୍ରେରୀରେ ବୁଲାଚଲା କରି ନିଜ ଘରେ ଆସି ଶୋଇଯାଆନ୍ତି । ମାଆବୁଢ଼ୀଟିଏ ଥିଲା, ମରିଯାଇଛି । ନିଜର ବୋଲି କେହି ନାହାନ୍ତି । ଜଞ୍ଜାଳ ବୋଲି କିଛି ନାହିଁ । ଦାମବାବୁ ବିବାହ କରି ନ ଥାଆନ୍ତି ।

 

ପନ୍ଦରଦିନ ପରେ ସଞ୍ଜବେଳେ ଦିନେ ମୁଁ ଏକୁଟିଆ ହେଇ ଆକାଶପାତାଳ ଭାବୁଛି–ଦାମବାବୁ ଘରେ ଆସି ପହଞ୍ଚିଗଲେ । ସାଙ୍ଗରେ ଆଣିଥାଆନ୍ତି ଜଣେ ବୟସ୍କା ସ୍ତ୍ରୀଲୋକ । ତାଙ୍କୁ ବୟସ ପଚାଶ ଉପରେ ହବ । ସେ ସ୍ତ୍ରୀଲୋକ ଜଣଙ୍କ କିଏସେ ମୁଁ ଚିହ୍ନିପାରିଲିନି । ଦାମବାବୁ ତାକୁ ସାଙ୍ଗରେ ଆଣି କାଇଁ ଯେ ଏଠେଇକି ଆସିଛନ୍ତି ମୁଁ କିଛିହେଲେ ସେଥିରୁ ଠଉରେଇ ପାରିଲିନି । ପନ୍ଦରଦିନ ହେଲା ସେ କୁଆଡ଼େ ଥିଲେ ? କାହିଁକି ବା ମତେ ସେଦିନ ଟଙ୍କାତକ ଦେଇ ଚାଲିଗଲେ-? ଏସବୁ ମତେ ରହସ୍ୟଜନକ ବୋଧ ହେଲା । ଦାମବାବୁ ଘରକୁ ଆସିଲା ପରେ ମୁଁ ତାଙ୍କୁ କିଛିହେଲେ ପଚାରିପାରିଲିନି । ତାଙ୍କର କହିବାକୁ କେବଳ ଅପେକ୍ଷା କଲି । କ’ଣ ସେ ଅବା କହୁଛନ୍ତି–

 

ଦାମବାବୁଙ୍କର ନିଜର ବୋଲି କେହି ହେଲେ ନଥିଲେ । ସାଙ୍ଗରେ ଯେଉଁ ସ୍ତ୍ରୀଲୋକ ଜଣକ ଆଣିଥିଲେ ସେ ତାଙ୍କର ଲେଖାଯୋଖାରେ ପିଇସୀ । ଆଳିଆ ଲେଖାରେ ବାଳିଆ ବନ୍ଧୁ । କୋଉ ଗାଁରେ ଅସହାୟ ଅବସ୍ଥାରେ ଥିଲେ । ଗୋଟିଏ ବୋଲି ପୁଅ ବିଦେଶ ଯାଇ ସେଆଡ଼େ ମାଇକିନିଆ ଧରି ରହିଲା । ମାଇପ ଦୁତୀୟ ହେଇଗଲା । ଯୋଉ ଜମି ମାଣେ ଦି’ମାଣ ହବ ଥିଲା, ତାକୁ ବିକିଭାଙ୍ଗି ଚଳାଚଳି ହଉଥିଲା । ଥିଲା କେବଳ ଘରଡିହ ପାଞ୍ଚହାତ । ଓଳିଏ ଖାଇଲେ ଦି’ଓଳି ଓପାସ । ଦାମବାବୁ ତାକୁ ଯାଇ ଗାଁରୁ ଧରିଆଣିଲେ କେବଳ ମୋରି ସୁବିଧା ପାଇଁ । ସେଥର ଆସି ଦେଖିଯାଇଥିଲେ ଘରେ ମୁଁ ଏକୁଟିଆ ରହୁଛି । ଭଲ ଅଛି, ମନ୍ଦ ଅଛି, ପାଖରେ ଜଣେ ପୁରୁଖା ଲୋକ ଥିଲେ ସବୁଆଡ଼ିକି ସୁବିଧା ।

 

ସାଙ୍ଗେ ସାଙ୍ଗେ ମୁଁ ସେମାନଙ୍କ ଖାଇବାପାଇଁ ସବୁ ବନ୍ଦୋବସ୍ତ କରିଦେଲି । ଘରେ ଯାହାକିଛି ଥିଲା, ସେଥିରେ କିପରି ତାଙ୍କୁ ସନ୍ତୁଷ୍ଟ କରିପାରିବି, ଏଇକଥା ଅନବରତ ମୁଁ ଭାବୁଥାଏ । ଦାମବାବୁ ଅଧଘଣ୍ଟେ ଖଣ୍ଡେ ବସିଛନ୍ତି କି ନାହିଁ ଦାଣ୍ଡଆଡ଼େ ଗଲେ । କହିଗଲେ ମୁଁ ସାଙ୍ଗେ ସାଙ୍ଗେ ଆସୁଛି । ମନରେ ମୋର ସନ୍ଦେହ ଆସୁଥାଏ । ସେଦିନଭଳି ଚାଲିଯିବେନି ତ ? ପଚାରିଦେବି ବୋଲି ମୋ ତୋଟିପାଖକୁ କଥା ଆସି ସାରିଥିଲା । ପଚାରିପାରିଲିନି । ଦାମବାବୁ ତାଙ୍କ ପିଇସୀଙ୍କି କହିଦେଇଗଲେ ହେଇ ମୁଁ ସାଙ୍ଗେ ସାଙ୍ଗେ ଆସୁଛି । ମୁଁ ନିଶ୍ଚିନ୍ତ ହେଲି । ଦାମବାବୁ ନିଶ୍ଚୟ ଆସୁଛନ୍ତି ।

 

ତା’ପରେ ପରେ ଘରକୁ ଆମର ଧାଡ଼ି ଲାଗିଲେ ସାହିପଡ଼ିଶାର ମାଇପିପଞ୍ଝା । ବୁଢ଼ୀଏ ଆସି ଦାମବାବୁଙ୍କର ପିଇସୀଙ୍କ ସାଙ୍ଗେ କଥା ହେଲେ । କେତେ କେତେ ମରଦଲୋକ ଘର ସାମ୍ନାରେ ଯା’ ଆସ କରୁଥାଆନ୍ତି । ବେଳେବେଳେ ଘର ଭିତରକୁ ଉଣ୍ଡିଦଉଥାଆନ୍ତି । ମାଇପେ ଆସି ମତେ ବାରଆଡ଼ୁ ବାର ପ୍ରକାର କଥା ପଚାରି ବ୍ୟସ୍ତ କରି ପକେଇଲେ । କିଏସେ ଏମାନେ ? କାହିଁକି ଆସିଛନ୍ତି ? କେତେ ଦିନ ରହିବେ ? ତାଙ୍କ ସାଙ୍ଗେ ସମ୍ପର୍କ କ’ଣ ? ଏମିତି ବାରଆଡ଼ୁ ବାର କଥା । କିନ୍ତୁ ଏଇ ଲୋକେ କେବେହେଲେ ମୋର ଦୁଆର ମାଡ଼ନ୍ତିନି । ମତେ ଆଡ଼ଆଖିରେ ଅନାନ୍ତିନି । ଦି’ ଦିନ ଓପାସରେ ପଡ଼ିଥିଲେ ଆହା ବୋଲି ପଦେ କହନ୍ତିନି । ସେଇମାନେ ଆସି ସେଦିନ ସଞ୍ଜବେଳେ ଆମ ଘରେ ଗହଳି କଲେ । କେମିତି ଅବା ସେମାନଙ୍କୁ କହିବି–ତୁମେସବୁ ଆସିବା ଦରକାର ନାହିଁ । ମୋ କଥାରେ ତୁମ୍ଭମାନଙ୍କର କ’ଣ ବା ପ୍ରୟୋଜନ ଅଛି ? ତୁମ୍ଭମାନଙ୍କର କୌଣସି କଥା ହେଲେ, ତୁମ ଘରକୁ କିଏ ବାହାର ଲୋକ ଆସିଲେ ମୁଁ କ’ଣ ସେମାନଙ୍କର ଖୋଜ ଖବର ନିଏ ? ପର କଥାରେ ତୁମର ସବୁ କାହିଁକି ମୁଣ୍ଡ ବଥଉଛି ? ଏଇସବୁ କଥା ମନେମନେ ମୁଁ ଭାବି ଯାଉଥିଲି । କିନ୍ତୁ ସେମାନଙ୍କୁ କିଛିହେଲେ କହିପାରୁ ନଥିଲି । ମନ ଭିତରେ ସେମାନଙ୍କୁ ଘୃଣା କରୁଥିଲି । ମନ କହୁଥିଲା–ଏମାନଙ୍କୁ କହିଦେବି, ସେମାନେ ମୋ ଘରୁ ଚାଲି ଯାଆନ୍ତୁ । କାମରେ କିନ୍ତୁ କିଛିହେଲେ କରିପାରୁ ନଥାଏ । ଲୋକ ଗରିବ ହେଲେ ତା’ର କଥା ସରିଗଲା । ନଥିଲା ଲୋକର ମାନମହତ ନାହିଁ, ତା’ର ଭଲ ମନ୍ଦ ନାହିଁ, ନିଜର ବୋଲି କହିବାକୁ ଦୁନିଆରେ ତା’ର କିଛିହେଲେ ନାହିଁ । ଶାଗଖିଆକୁ ପେଜଖିଆ ଦେଖିପାରେନି । କିଏ ଟିକିଏ ଭଲରେ ଚଳିଲେ, ଭଲ ଲୁଗାପଟା ପିନ୍ଧିଲେ କି ମନ ଖୁସି କଲେ ସେ’ କଥା ତା’ର ଅତି ଆପଣାର ଲୋକଙ୍କ ଦିହରେ ଯାଏନି । ହସି ହସି କଥା ହଉଥିଲେ ବି ଅନ୍ୟର ଭଲ ଅବସ୍ଥାକୁ ସେ ସହ୍ୟ କରିପାରନ୍ତିନି ।

 

ଅଧଘଣ୍ଟେ ପରେ ଗୋଟିଏ ବ୍ୟାଗରେ ଥୋଡ଼େ ପରିବା, ମାଛ ଖଣ୍ଡେ ଓ ଯାବତୀୟ ଜିନିଷ ସବୁ କିଣି ଆଣିଲେ । ଏସବୁ ଯେ ମୋର ଦରକାର ନଥିଲା, ଏପରି ନୁହେଁ । ତଥାପି ସେମାନେ ପ୍ରଥମ କରି ଆମ ଘରେ ପାଦ ଦଉଛନ୍ତି । ସେମାନେ ଦାଣ୍ଡରୁ ଜିନିଷ କିଣି ଆଣି ଖାଇବେ; ମୁଁ ସେଦିନ ପ୍ରକୃତରେ ଭାରି ଲଜ୍ଜାବୋଧ କଲି । ଦାମବାବୁଙ୍କୁ ବି କହିଲି–କାହିଁକି ଏସବୁ ଆଣିଲେ ? ପିଇସୀବୁଢ଼ୀ ଇଆଭିତରେ ହାଲିଆ ହୋଇ ଘରର ସିମେଣ୍ଟେ ଚଟାଣଟା ଉପରେ ଗଡ଼ିଯାଇଥାଆନ୍ତି । ବୁଢ଼ୀଲୋକ ନା, ବାଟରେ ହାଲିଆ ହୋଇପଡ଼ିଥିବେ । ମୁଁ ମାଛ କାଟୁଥାଏ । ଦାମବାବୁ ଗୋଡ଼ ହାତ ଧୋଇସାରି ମୋର ମୁହଁସିଧା ଅଗଣା ବାରଣ୍ଡାରେ ବସି ରହିଲେ । କହିଲେ ହେମ ! ଏ ପିଇସୀବୁଢ଼ୀଙ୍କି କାହିଁକି ଆଣିଛି ତୁ ଜାଣିଛୁ ? ଏଇଠି ତୁ ଏକା । ସାହା ଭରସା ତୋର କେହି ହେଲେ ନାହାନ୍ତି । ବୁଢ଼ୀଟି କିଛି କରୁ ବା ନକରୁ ମନରେ ତୋର ଦମ୍ଭ ଆସିବ, ଆହାବ ଆସିବ । ତୋର ଯାବତୀୟ ସୁବିଧା ମୁଁ ସବୁକିଛି କରିଦେବି । କିଛି ତତେ ଆଉ ଭାବିବାକୁ ପଡ଼ିବନି-। ମୁଁ ଲକ୍ଷ୍ୟ କରିଛି–ଏସବୁ କହିଲାବେଳେ ଦାମବାବୁ ଆକାଶକୁ ଅନେଇଥାଆନ୍ତି । ଆକାଶର ତାରାଗୁଡ଼ିଙ୍କୁ ଅବା ଛିହ୍ନିବାକୁ ସେ ଚେଷ୍ଟା କରୁଥାଆନ୍ତି । ବଡ଼ ଆବେଗରେ ଏସବୁ ସେ କହିଯାଉଥାଆନ୍ତି ।

 

ମାଛ କେଳଉଥିଲାବେଳେ ମନେମନେ ମୁଁ ଭାବୁଥାଏ, ପଚାରିଦେବି, କାହିଁକି ମୋ ପାଇଁ ତାଙ୍କର ଏତେ କରୁଣା । ଏତେ ଦୟା ମୋ’ ଉପରେ ଅଜାଡ଼ିବାକୁ ମୋ ପାଖରେ କ’ଣ ଯେ ଥିଲା, ମୁଁ ଜାଣିପାରୁ ନଥିଲି । ଦାମବାବୁ, ରାଜୁବାବୁ ଓ ଶରତବାବୁଙ୍କ ଭଳି ତ ନୁହନ୍ତି ? ସେଇ ଅଭିଳାଷ ନେଇ କ’ଣ ସେ ମୋ ପାଖକୁ ଆସିଛନ୍ତି ? କିନ୍ତୁ ମୁଁ ଭଲ ଭାବରେ ଲକ୍ଷ୍ୟ କରିଥିଲି–ରାଜୁବାବୁ ଓ ଶରତବାବୁଙ୍କ ଆଖିକୋଣରେ ଯୋଉ ନିଆଁ ହୁଲ ଜଳୁଥିଲା, ତାଙ୍କ ମୁହଁରୁ ଯୋଉ ଯୋଉ କଥା ସେ କିଛି ନ କହିଲେ ବି ଫୁଟି ବାହାରୁଥିଲା, ସେସବୁ ଦାମବାବୁଙ୍କ ପାଖରେ ତିଳେ ହେଲେ ନଥିଲା । ଗଭୀର ସାଗର ଭଳି ସେ ଥିଲେ ଗମ୍ଭୀର ଅଥଚ ସୁନ୍ଦର ! ତାଙ୍କ ବିଷୟରେ ଯେତେ ଯାହା ଭାବିଲେ ବି କିଛିହେଲେ ତାଙ୍କୁ ପଚାରି ପାରୁନଥିଲି । ତାଙ୍କ ଆଡ଼ିକି ଚାହିଁପାରୁ ନଥିଲି । ବେଳେବେଳେ ତାଙ୍କ ଆଡ଼ିକି ଅନେଇଦେଲେ ଦେଖେ–ସେ ଆକାଶ ପାତାଳ କେତେ କ’ଣ ଭାବୁଛନ୍ତି ।

 

ବଡ଼ ଅଦ୍ଭୁତ ଲୋକ ଦାମବାବୁ । କିଛିହେଲେ କଥା ନାହିଁ, ବେଶିକିଛି ଜଣାଶୁଣା ନାହିଁ । ହଠାତ୍ ଏମିତି କାହିଁକି ଅବା ସେ ନିଜର ହୋଇ ପଡ଼ୁଛନ୍ତି, ମୁଁ କିଛିହେଲେ ବୁଝିପାରୁ ନଥାଏ । ବେଳେବେଳେ କିଛି ଗୋଟିଏ ଆସନ୍ନ ବିପଦରେ ବି ମୁଁ କମ୍ପିଉଠେ । କପାଳରେ ଆଉ କିଛି ଅସୁବିଧା ଯୋଗ ନାହିଁ ତ ? କିନ୍ତୁ ଦାମବାବୁ ଯେ ଭଲ ମଣିଷ, ଏକଥା ମୁଁ ପ୍ରଥମ ଥର ଦେଖି ଚିହ୍ନି ପାରିଥିଲି ।

 

ରୋଷେଇ ସାରି ସେମାନଙ୍କୁ ଖାଇବାକୁ ଦେଲି । ସେମାନେ ଖାଇ ସାରିଲା ପରେ ମୁଁ ଖାଇ ବସିଲି । ଖିଆପିଆ ସରୁ ସରୁ ପ୍ରାୟ ରାତି ଦଶଟା । ଦାମବାବୁ ଦାଣ୍ଡଘରକୁ ମଶିଣା ଓ ମାଣ୍ଡି ଖଣ୍ଡେ ଧରି ଚାଲିଗଲେ । ପିଇସୀବୁଢ଼ୀ ଓ ମୁଁ ସାଙ୍ଗ ହୋଇ ଦୁଆର କିଳି ଆର ଘରେ ଯାଇ ଶୋଇଲୁ । ଦାଣ୍ଡଘରକୁ ଆମ ଶୋଇଲା ଘରୁ ଗୋଟେ ଝରକା ଥାଏ । ପିଇସୀବୁଢ଼ୀ ଶେଯ ଧରୁ ଧରୁ ମହାନିଶ୍ଚିନ୍ତାରେ ଘୁଙ୍ଗୁଡ଼ି ମାରି ଶୋଇଲେ । ଝରକାର ଛିଦ୍ର ଦେଇ ମୁଁ ଦେଖିଛି–ଦାମବାବୁ ଆଲୁଅଟେ ଜାଳି ରାତି ଗୋଟେ କି ଦି’ଟା ପର୍ଯ୍ୟନ୍ତ କ’ଣ ପଢ଼ାପଢ଼ି, ଲେଖାଲେଖି କରୁଥାଆନ୍ତି । ସିଗାରେଟ୍ ଓ ବିଡ଼ି ତା’ ସାଙ୍ଗେ ସାଙ୍ଗେ ଚାଲିଥାଏ । ରାତି ଦି’ଟା ବେଳକୁ ସେ ଯାଇ ଶୋଇବାକୁ ଗଲେ । ଘର ଭିତରେ ଦୁଆର କିଳି ମୁଁ ବି ରାତି ଅନିଦ୍ରା । ସେଇ ଝରକାର ଫାଙ୍କଦେଇ ମୁଁ ଦାମବାବୁଙ୍କ ମୁହଁରୁ ତାଙ୍କ ମନ ଭିତରଟା କଳିବାକୁ ଚେଷ୍ଟା କରୁଥିଲି । ସେ କି ପ୍ରକାର ଲୋକ ହୋଇଥିବେ । କେବଳ ଏଇ କଥା ମୁଁ ଭାବୁଥିଲି । ଆମକୁ ଏତେ ଅଯାଚିତ ସାହାଯ୍ୟ କରିବାରେ ତାଙ୍କର କି ମତଲବ ଥାଇପାରେ ? ତାଙ୍କ ବିଷୟରେ ମୁଁ ଯେତିକି ଯେତିକି ଭାବିଲି, ସେତିକି, ସେତିକି ଗଭୀର ଅନ୍ଧକାର ଭିତରକୁ ମୁଁ ଚାଲିଗଲି । ତାଙ୍କୁ ବୁଝି ପାରିବା ଯେପରି ମୋ’ ପକ୍ଷରେ ଅସହ୍ୟ ବୋଧ ହେଲା ।

 

ଦାମବାବୁ ଆଲୁଅ ଦାବିଦେଇ ସେଇ ଖାଲି ମସିଣା ଖଣ୍ଡକରେ ଶୋଇଗଲେ । ଅଳ୍ପ କିଛି ସମୟ ପରେ ତାଙ୍କର ଘୁଙ୍ଗୁଡ଼ି ମୁଁ ଏଠାରୁ ଶୁଣିବାକୁ ପାଇଲି । କିନ୍ତୁ ମୋ ଆଖିକି କେଜାଣି କାହିଁକି ମୋଟେ ହେଲେ ନିଦ ଆସିଲାନି । ଦାମବାବୁଙ୍କ କଥା ଭବିଲାବେଳେ ଆପେ ଆପେ ମୋ ମନ ଭିତରକୁ ଆସିଯାଆନ୍ତି ରାଜୁବାବୁ ଓ ଶରତବାବୁ । ବୋଉ କଥା ବି ମୋ’ ମନ ଭିତରେ ଆସି ଧକ୍‍କା ଖାଇଲା । ଏମିତି କେତେ କ’ଣ ଆକାଶ ପାତାଳ ଭାବି ଅନେକ ରାତିକି ମୁଁ ସେଦିନ ଶୋଇବାକୁ ଗଲି ।

 

ତା’ ଆରଦିନ ସକାଳେ ସଅଳ ସଅଳ ମୁଁ ଶେଯରୁ ଉଠି ବାସିପାଇଟିରେ ଲାଗିଗଲି । ପିଇସୀବୁଢ଼ୀ ମୋ ଆଗରୁ ଉଠି ଘର ଓଳିଆଓଳେଇରେ ବ୍ୟସ୍ତ ଥାଆନ୍ତି । ମୁଁ ତାଙ୍କୁ କିଛିହେଲେ କରେଇ ଦେଲିନି । ଦାମବାବୁ ଉଠୁଉଠୁ ସାଢ଼େ ସାତ । ସକାଳୁ ଉଠି ସେ ଯେ ନିଶ୍ଚୟ ଚା’ ଖାଇବେ, ଏ କଥା ମୁଁ ଠଉରେଇ ନେଇଥିଲି । ଦାମବାବୁ ଯେମିତି ଦାନ୍ତ ଘଷି ସାରିଛନ୍ତି, ମୁଁ ଆଡ଼ ଆଡ଼ ହୋଇ ତାଙ୍କ ପାଖରେ ଚା’ କପେ ନେଇ ଥୋଇଦେଲି । ଚା’ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହେଲାଭଳି ଜଣାପଡ଼ିଲେ । ତା’ପରେ ଚା’ ଖାଉ ଖାଉ ମତେ ପାଖକୁ ଡାକି କହିଲେ–ତତେ ଗୋଟେ କଥା ପଚାରିବି । ତୋ’ ଉତ୍ତର ଉପରେ ଅନେକ କିଛି ନିର୍ଭର କରେ । ତଥାପି ଏଇନେ ତତେ ପଚାରୁନି । ପଚାରିବାର ସମୟ ଆସିନି ।

 

ମନ ମୋର ଭାରି ବ୍ୟସ୍ତ ହେଲା । କହିଲି ପଚାରୁ ନାହାନ୍ତି । କଥା ଆରମ୍ଭକରି ଅଧାରଖିବା ଭଲ ନୁହେଁ । ଆପଣ ମୋର ଏ ଅସମୟରେ କାହିଁକି ଅବା ମତେ ଏତେ ସାହାଯ୍ୟ କରୁଛନ୍ତି, ଆଉ କିଛି ମୁଁ କହିପାରିଲିନି । କୃତଜ୍ଞତାରେ ଆଖି ମୋର ଭରିଗଲା । ତାଙ୍କ ପାଖରୁ ଆସି ଆର ଘରେ ମୁଁ ଲଥ୍‍କିନି ବସିଗଲି । ଆଖିଆଗରେ ମୋର ନାଚିଗଲା ଆସି ବୋଉ ।

 

ପିଇସୀବୁଢ଼ୀ ସେତେବେଳେ ବାରିଆଡ଼େ ଗାଧେଇବାରେ ବ୍ୟସ୍ତ ଥିଲେ । ମୁଁ ଅନେକବେଳଯାଏ ଘୁରୁତେଇ ହେଲି । କେତେ କ’ଣ ଭାବିଗଲି । କିଛିଗୋଟେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରିଲିନି । ରୋଷେଇରେ ଲାଗିଗଲି । ସବୁକିଛି ଜିନିଷ ଦାମବାବୁ ବଜାରରୁ କିଣି ଆସିଥିଲେ । କିଛିହେଲେ ଭାବିବାର ନଥିଲା । ମନଯାଇ ଥିଲା ଦାମବାବୁଙ୍କ କଥା ଉପରେ ।

 

ଦାମବାବୁ ସେଗାରେଟ୍ ଖଣ୍ଡେ ଟାଣି, ବାସିକାଗଜ ଖଣ୍ଡେ ହାତରେ ଧରି ବାହାରକୁ ଚାଲିଗଲେ । ଗଲାବେଳେ କହିଗଲେ ଏଇ ସାଙ୍ଗେ ସାଙ୍ଗେ ଆସୁଛି ।

 

ପିଇସୀବୁଢ଼ୀ ମୋ ସାଙ୍ଗରେ ଆସି କାମରେ ଯୋଗଦେଲେ । ଯେତେ ମନାକଲେ ମନା ଘେନିଲେନି ।

 

ରନ୍ଧାବଢ଼ା ସାରି ଦିନ ବାରଟା ଯାଏ ଆମେ ଅପେକ୍ଷା କଲୁ । ତଥାପି ଦାମବାବୁଙ୍କର ଦେଖା ନାହିଁ । ଗୋଟେ ବାଜିବାବୁ କେଇ ମିନିଟ ବାକି ଅଛି, ଦି’ଜଣ ଲୋକଙ୍କୁ ଧରି ଆସି ପହଞ୍ଚିଗଲେ । କିଛି ଗୋଟିଏ ବିଷୟରେ ସେମାନଙ୍କ ଭିତରେ ବାଦାନୁବାଦ ଚାଲିଥାଏ । ସାଙ୍ଗ ଦି’ଜଣ ଦାଣ୍ଡଘରେ ଅପେକ୍ଷା କଲେ । ଦାମବାବୁ ଘର ଭିତରକୁ ପଶିଆସି କହିଲେ–ଅନେକ ବେଳ ହୋଇଗଲାଣି, ନୁହେଁ ? ପିଇସୀବୁଢ଼ୀ ମନାକଲାରୁ ସେ ସାଙ୍ଗ ଦି’ଜଣଙ୍କୁ ଯିବାକୁ କହିଦେଲେ ।

 

ଦିହରେ ପାଣିମନ୍ଦିଏ ଢାଳିହୋଇ ଖାଇବାକୁ ବସିଗଲେ । ଖାଇସାରି ପୁଣି ତାଙ୍କ ପଢ଼ାପଢ଼ିରେ ଲାଗିଗଲେ । ଖାଲିରେ ବସିଥିବାର କେବେହେଲେ ମୁଁ ତାଙ୍କୁ ଦେଖିନି ।

 

ଖରାବେଳଟାଯାକ ବସିରହି ମୁଁ କେତେ କ’ଣ ଭାବି ଲାଗିଲି । ସେ କି କାମ କରନ୍ତି ? ମାସକୁ ତାଙ୍କର ରୋଜଗାର କେତେ ? ଆଉ କିଏ ତାଙ୍କର ବନ୍ଧୁବାନ୍ଧବ, ବାପ ମା, ଭାଇ ଭଉଣୀ ଅଛନ୍ତି କି ନାହାନ୍ତି ? ସମ୍ପତିବାଡ଼ି ଅଛି କି ନାହିଁ ? ଏମିତି ଫୁଲାଫାଙ୍କିଆ ହେଇ ବୁଲୁଛନ୍ତି କାହିଁକି ? ବାହା ହୋଇପଡ଼ିଲେ ତ ବେଶ୍‍ ଭଲ ହୁଅନ୍ତା ? ଏମିତି କେତେ କ’ଣ ସାଗରର ଉଜାଣୀ ଜୁଆର ଭଳି ମୋ’ ମନ ଭିତରେ ଆସି ଲହଡ଼ା ଭଙ୍ଗୁଥାଏ । ନିୟମ କରିଥିଲା ଭଳି ସମୁଦ୍ରର ଢେଉ ଯେପରି କୂଳ ଡେଇଁ ଆସିପାରେ ନାହିଁ, ଭିତରେ ବାଡ଼େଇ ଛେଚି ହଉଥିଲେ ବି କୂଳରେ ଆସି ମୁଣ୍ଡପିଟିବା ହିଁ ଯେପରି ତା’ର ସାର ହୁଏ, ଠିକ୍ ସେହିଭଳି ଦାମବାବୁଙ୍କ କଥା ଅନେକ ଭାବି ଭାବି ମନ ମୋର ଦଳାଚକଟା ହଉଥିଲେ ବି ତାଙ୍କୁ କିଛି ପଚାରିବାର ସାହସ କୁଳଉ ନ ଥାଏ ।

 

ଦିନ ପ୍ରାୟ ଚାରିଟାବେଳକୁ ସେ ବାହାରକୁ ଗଲେ । ଗଲାବେଳେ କିଛିହେଲେ କହି ନଥାନ୍ତି । ସଞ୍ଜବେଳକୁ ଫେରି ଆସିଲେ । ଧଡ଼୍‍ପଡ଼୍‍ ହେଇ କହିଲେ–ଜଳଖିଆ ଗଣ୍ଡେ କରିଦିଅ । ମୁଁ ଏଇ ଏକ୍‍ସପ୍ରେସ୍‍ଗାଡ଼ିରେ କଟକ ଯିବି । ଗୋଟେ ଜରୁରୀ କାମ ଅଛି ।

 

ଶୁଣିଲା ମାତ୍ରେ ମୁଁ ରୋଷେଇଘରକୁ ଯାଇ ପୁରି ଦି’ ଚାରିଖଣ୍ଡ ଛାଣିଦେଲି । ସକାଳର ଅଳ୍ପ ତର୍କାରୀ ଥିଲା । ଚିନି ମଡ଼େଇ ଆଖିପିଛୁଳାକେ ସେ ଖିଆ ଶେଷ କରିଦେଇ ବାହାରିପଡ଼ିଲେ । ମୋ ହାତକୁ ପଚାଶଟଙ୍କା ବଢ଼େଇ ଦେଇ କହିଲେ–ଯେଉଁ କାମରେ ଯାଉଛି, କେବେ ଫେରିବି କହି ହବନି । ଏପଟ ନୋହିଲେ ସେପଟ । ଦେଖାଯାଉ–

 

ପିଇସୀବୁଢ଼ୀଙ୍କି ଡାକି କେତେ କଥା ବି କହିଗଲେ । କହିଲେ–ହେମକୁ ଛାଡ଼ି କେଉଁଆଡ଼େ ହେଲେ ଯିବୁନି । ତା’ର ଭଲମନ୍ଦ ବୁଝିବୁ । ବଜାରରୁ ଯାହା ଯାହା ଦରକାର, ଯାଇ ନେଇ ଆସିବୁ । ଅଳ୍ପ କେଇଦିନ ଭିତରେ ମୁଁ ଫେରିଆସିବି । ଜଗିରଖି ଚଳୁଥିବ । କୁଆଡ଼େ ଯାଉଛନ୍ତି ବୋଲି ପଚାରିବି ପଚାରିବି ହେଲି ପଚାରିପାରିଲିନି । ଆଶ୍ଚର୍ଯ୍ୟ ହେଲି–ଦାମବାବୁ ମୋ’ ପ୍ରତି ଏଡ଼େ ଚିନ୍ତିତ କାହିଁକି ? କୌଣସି ନିଜର ଲୋକ ବି ଏମିତି ହବନି ।

 

ଦାମବାବୁ ଗଲାବେଳେ ମୋ ଆଡ଼ିକି ଥରୁଟିଏ କେବଳ ଚାହିଁଛନ୍ତି । ତାଙ୍କ ଚାହାଣୀରେ ଭରି ରହିଥିଲା ଅଭୟ । ଭାବିଲି–ଦାମବାବୁ ଅବା ମୋର ଅତି ଆପଣର । ମୋ ପାଖରୁ ସେ ଚାଲିଗଲେ; ତଥାପି ମୋ’ମନ ଭିତରେ ସେ ଥିଲେ ଅତି ନିକଟତର ।

 

ପିଇସୀବୁଢ଼ୀ ଅତି ଭଲ ମଣିଷ । ସାଙ୍ଗହୋଇ ଆମେ ଚଳିଲୁ । କେବେହେଲେ ମୋର ପାଖ ଛାଡ଼ନ୍ତିନି । ରାତିରେ ମତେ କୋଳରେ ପୂରେଇ ଶୁଅନ୍ତି। ମୁଁ ଯେତେ ମନାକଲେ ବି ଘରର ଯାବତୀୟ କାମ ସେ କରନ୍ତି । ଘରେ ଲୋକ ଥିଲେ ସିନା ଘରର କାମ ବଢ଼େ । ଘରେ ମଣିଷ ଥିଲାଭଳି ଜଣାପଡ଼େ ।

 

ଦିନେ ରାତିରେ ଆମେ ଦିହେଁ ସଞ୍ଜବେଳୁ ବେଳୁ ଖା’ପିଅ ସାରି ଦେଇ ଶୋଇଯାଇଛୁ । ବାରଆଡ଼ୁ ବାରକଥା ଆମର ପଡ଼ିଛି । ମୋର ବୋଉ ଥିଲାବେଳର କଥା । ମୋର ଜୀବନର ଅନେକ କଥା ତାଙ୍କୁ କହୁଥାଏ । ଅଧେ କହୁଥାଏ, ଅଧେ ଲୁଚଉଥାଏ । ବୁଢ଼ୀ ବି ତାଙ୍କ ଜୀବନର କାହାଣୀ ମୋ’ଆଗେ କହିଯାଉଥାଆନ୍ତି । ହଠାତ୍ ତାଙ୍କୁ ମୁଁ ପଚାରିଦେଲି–ଆଚ୍ଛା କହି ପାରିବେ; ଦାମବାବୁ କାହିଁକି ଏଠିକି ଅଣେଇଛନ୍ତି ? କାହିଁକି ସେ ବାହା ହେଇନାହାନ୍ତି ? କ’ ଣ କରୁଛନ୍ତି ? ଏମିତି ବୁଲୁଛନ୍ତି କାହିଁକି ? ଏମିତି ଅକୁଣ୍ଠିତ ଭାବରେ ଆମକୁ ସାହାଯ୍ୟ କରୁଛନ୍ତି କାହିଁକି ?

 

ବୁଢ଼ୀ ମୋ’ଠୁ ଏସବୁ ଶୁଣି ଅନେକ ବେଳଯାଏ ଆଗ ତୁନି ରହିଲା । ପରେ କହିଲା–ଦାମ ମତେ କହିବାକୁ ମନା କରିଛି । ମୋ’ କଥା ଯେବେ କାହାକୁ ନ କହୁ ତା’ହେଲେ କହିବି । ତତେ ସେ କଥା ଲୁଚେଇ ମୁଁ ରଖିପାରୁନି । ହଁ, ଦାମ ଯେପରି ନଜାଣେ ।

 

ଇଆ ଭିତରେ ଜଗନ୍ନାଥଙ୍କ ରାଣ ମୁଁ ବି ପକେଇ ସାରିଲଣି । କହିଲି–କେହି ହେଲେ ଆଉ ଜାଣିବେନି । ମୋ’ କଥା ପେଟରେ ତାଲା ପଡ଼ି ରହିଯିବ ।

 

ପିଇସୀଙ୍କି ମୁଁ ଅପା ବୋଲି ଡାକୁଥାଏ । ତୁନି ରହିବାରୁ ମୁଁ ତାଙ୍କୁ ଦି’ତିନି ଥର ହଲେଇ ଦେଲି । ସେ ଯାହା କହିଲେ ତା’ଶୁଣି ମୁଁ ତଟସ୍ଥ ହେଇଗଲି । ପାଟିରୁ ମୋର କଥା ବାହାରିଲାନି । ଦିହସାର ଝାଳେଇ ଗଲା । ଅପାବୁଢ଼ୀ କ’ଣ ଯେ କହୁଛନ୍ତି ମୁଁ ବୁଝି ପାରିଲିନି ।

 

–ତତେ ଦେଖିଲା ଦିନଠୁ ଓ ତୋର ଦୁଃଖ କଥା ଶୁଣି ତୋତେ ବାହା ହବ ବୋଲି ମନସ୍ଥ କରିଛି । ଅବଶ୍ୟ ଏଥିରେ ତୋର ରାଜି ଦରକାର । ଏ ଯାଏ କ’ଣ ତୋତେ ସେ ପଚାରିନି ? ତୁ ତ ଜାଣୁ ସେ କେଡ଼େ ଭଲଲୋକ । ସଦାବେଳେ ଗରିବଗୁରୁବାଙ୍କପାଇଁ ଲାଗିଥିବ । ଦିନ ନାହିଁ, ରାତି ନାହିଁ ଇଆଡ଼େ ସିଆଡ଼େ ବୁଲୁଥିବ । କେଜାଣି, ଦି ହାତ ହୋଇଗଲେ ମନ ତା’ର ଘର ଅବା ଧରିଯିବ । ପାଗେଳାଟେ ।

 

ମୁଁ କେବଳ ଶୁଣି ଯାଉଥାଏ । ପଚାରିବାକୁ ଆଉ କିଛି ମୋର ନଥିଲା । ତୋଟିରେ ମୋର ଅଠା ଆଣି କିଏ ଅବା ବୋଳିଦେଲା ।

 

ଅପାବୁଢ଼ୀ ମତେ ହଲେଇଦେଇ ପଚାରିଲା–ତୋ ମନ କ’ଣ ଆଗ ଦେଖି କହିଲୁ ?

 

ମୁଁ ତାଙ୍କ ଗୋଡ଼ ଧରି କଇଁ କଇଁ ହୋଇ କାନ୍ଦି ଉଠିଲି । କହିଲି–ତୁମେ କ’ଣ ଜାଣିନ ଅପା ମୁଁ ବାଳୁତ ବିଧବା ? ହୀନିମାନିଆ ଜୀବନ ମୋର ଅନେକଦିନୁ ମରିଯାଇଛି । ରକ୍ତ ମାଂସର ଶରୀର ନେଇ ମରିନିବୋଲି ବଞ୍ଚି ରହିଛି । ତୁମେ କ’ଣ ଆମ କୁଳର ରୀତିନୀତି ଜାଣିନ ? କେହି ହେଲେ କ’ ଣ ଏମିତି କଲେଣି ? କେତେ କେତେ ବାଳୁତ ବିଧବା ଏମିତି ତ ପଚିସଢ଼ି ଘରକଣରେ ମରୁଛନ୍ତି । ଜୀବନ ସାରା ଖଣ୍ଡାଧାରରେ ବାଟ ଚାଲୁଛନ୍ତି । ମୁଁ ଏକାକୀ କେମିତି ଏସବୁ କରିପାରିବି-? କାନ୍ଦର କଳାହାଣ୍ଡିଆ ବଉଦ ମୋ’ ମୁହଁ ସାରା ଆସି ଖେଳିଗଲା । ଅପାବୁଢ଼ୀ ମୋ’ ମୁଣ୍ଡରେ ହାତ ବୁଲେଇ ଆଣିଲା ମାତ୍ରେ ଠିକ୍ କହଲିଆ ପବନ ଭଳି ସେ କାମ ଦେଲା । ଠିକ୍ ଯେମିତି ଧାରାଶ୍ରାବଣ ବହିଆସେ । ଅପାବୁଢ଼ୀ କୋଳରେ ମୁହଁ ପୂରେଇ ସେମିତି ମୁଁ କାନ୍ଦି ଲାଗିଲି-

 

ସେ କହିଲେ–କିଲୋ, ତୁ ଏମିତି କାନ୍ଦୁଛୁ କାହିଁକି ? ଦାମ କେତେ କେତେ ଜାଗାରେ ବାଳୁତ ବିଧବାଙ୍କୁ ବାହା କରିଦେଇଛି । ଅସହାୟ ପିଲାଝିଲାଙ୍କୁ ରାସ୍ତାକଡ଼ରୁ ଗୋଟେଇ ଆଣି ସେମାନଙ୍କୁ ଅନାଥାଶ୍ରମ ହଉ କି ଅନ୍ୟ କୌଣସି ଭଲ ସ୍ଥାନ ହଉ, ସେଠେଇ ନେଇ ସେ ରଖିଦେଇଛି । ଲୋକେ ଖାଇବାକୁ, ପିନ୍ଧିବାକୁ ନ ପାଇଲେ ସେମାନଙ୍କ ସଙ୍ଗେ ମିଶି ବାଟ କଢ଼େଇଛି । ବଢ଼ି, ମରୁଡ଼ି ବେଳେ, କେତେ ଲୋକଙ୍କୁ ଦୁଃଖ କଷ୍ଟ ଭିତରୁ ସେ ଟାଣି ଆଣିପାରିଛି । ଲୋକଙ୍କ ପାଇଁ ସଭା ସମିତିରେ ବକ୍ତୃତା ଦେଇ ସେ ହାତକଡ଼ା ବି ପଡ଼ିଛି । ଯାହା କିଛି କରିଛି ସେ ଗରିବଗୁରୁବାଙ୍କ ପାଇଁ । ଚାକିରି କରିଥିଲେ କେତେ ସୁଖରେ ଥାଆନ୍ତା । ତାକୁ କ’ଣ କନ୍ୟା ମିଳୁ ନଥିଲା ? ସେ ଗୋଟିଏ ଭିନ୍ନ ଧରଣର ମଣିଷ । ତୋତେ ସେ ମଣିଷ କରି ଠିଆ କରିଦବ । ତୁ ବି ରୋଜଗାର କରିବାକୁ ସମର୍ଥ ହବୁ । ସମସ୍ତଙ୍କ ଭିତରେ ଜଣେ ବୋଲି ଗଣତି ହବୁ ।

 

ତା’ପରେ ମୋ ଚିନ୍ତା ରାଜ୍ୟରେ ଗୋଟିଏ ଅଦ୍ଭୁତ ଧରଣର ପରିବର୍ତ୍ତନ ଦେଖାଦେଲା । ସଦାବେଳେ ଖାଲି ମୁଁ ଦାମବାବୁଙ୍କ କଥା ଭାବିବାରେ ଲାଗିପଡ଼ିଲି । ତାଙ୍କ ସାଙ୍ଗେ ରାଜୁବାବୁ ଓ ଶରତବାବୁଙ୍କୁ ବି ତଉଲ କରିବାରେ ଲାଗିପଡ଼ିଲି । ଜଣାପଡ଼ିଲା–ଦାମବାବୁ ଅବା ସ୍ଵର୍ଗର ଦେବତା-। ମନେମନେ ତାଙ୍କ ନିକଟରେ ମୁଁ ନତମସ୍ତକ ହୋଇପଡ଼ିଲି । ଜୀବନରେ ମୁଁ କେବେ ହେଲେ ଆଶା କରି ନଥିଲି ଯେ ମୁଁ ଦାମବାବୁଙ୍କ ଭଳି ଜଣେ ଲୋକର ସଂସ୍ପର୍ଶରେ ଆସିବି । ମନେମନେ ତାଙ୍କ ଆଡ଼ିକି ମୁଁ ଢଳିଗଲି । ସେ ଯେବେ ମୋ ପାଇଁ ଏତେ ତ୍ୟାଗ ସ୍ଵୀକାର କରିପାରିବେ, ମୁଁ କାହିଁ ତାଙ୍କପାଇଁ ଦାଣ୍ଡକୁ ଗୋଡ଼ ବାହାର ନ କରିବି ? ଲୋକେ ଛି ଛାକେରା କରିବେ । କିଛିହେଲେ ସେଥିରେ ଯାଏ ଆସେ ନାହିଁ । ସବୁକିଛି ତାଙ୍କ ପାଇଁ ମୁଁ ବରଦାସ୍ତ କରିପାରିବି । କିନ୍ତୁ ସେ ଯେବେ ରାଜୁବାବୁ ଓ ଶରତବାବୁ ଭଳି ହୁଅନ୍ତି ? ସେମାନେ ତ ବିବାହ ସକାଶେ ମତେ କହି ନ ଥିଲେ ? ଭାବିଲି–ମୋର ଉଚିତ ହଉଛି ଦାମବାବୁଙ୍କୁ ମୋର ଗତ କଥା ସବୁ କହିଦବା । ସେସବୁ ଶୁଣି ସେ ଯେବେ ମତେ ଘୃଣା କରନ୍ତି ? ଶୁଣିସାରି ବିବାହ କଲେ ମତେ ଯେବେ ଶେଷ ଜୀବନକୁ ଖୁଣ୍ଟା ଦିଅନ୍ତି ? କହିସାରିଲା ପରେ ଦେଖିବି–ସେ ମତେ ଗ୍ରହଣ କରୁଛନ୍ତି କି ନାହିଁ ? ଭାବି ଭାବି ମୁଁ ବେଦମ୍ ହେଇଗଲି । କିଛି ଗୋଟେ ଠିକ୍ କରି ପାରିଲିନି । ଅପା ବୁଢୀ ବି ମୋର ଅନ୍ୟମନସ୍କ ଭାବ ଠଉରେଇ ନେଲା, କିନ୍ତୁ କିଛିହେଲେ ମତେ ସେ କହୁ ନ ଥିଲା । ସେଦିନ ରାତିରେ ମୁଁ ଠିକ୍ କଲି–ଦାମବାବୁଙ୍କୁ ସବୁକିଛି ଖୋଲି କହିଦେବି । ସେ ଯାହା ଭଲ ଭାବିବେ କରିବେ ।

 

ସାତ ଆଠଦିନ ପରେ ଦାମବାବୁ ଆସି ପହଞ୍ଚିଲେ । ସେ ଘରେ ଆସି ଗୋଡ଼ ଦେଲା ମାତ୍ରେ ମୁଁ ଅନୁଭବ କରିଛି–ଛାତି ମୋର ଦମ୍ କିନି ପଡ଼ିଗଲା । ଭିତରଟା ଧଡ଼୍‍ ଧଡ଼୍‍ ହବାକୁ ଆରମ୍ଭ କଲା । ଆଗେ ତାଙ୍କ ଆଗରେ ଆଡ଼ ଆଡ଼ ହୋଇ କଥା ହଉଥିଲି । ଏବେ ତାଙ୍କ ପାଖକୁ ଯିବାକୁ ଗୋଡ଼ ଚଳିଲାନି । ଆଗ ରୋଷେଇ ବସେଇବାରେ ଲାଗିଗଲି ।

 

ଦାମବାବୁ ଆର ଘରେ ପିଇସୀଙ୍କ ସଙ୍ଗେ କ’ଣ କଥା ହଉଥାନ୍ତି । ତାଙ୍କର କଟକ ଯିବା କଥା । ରୋଷେଇରେ ବ୍ୟସ୍ତ ଥିଲେ ବି ମନ ଥିଲା ମୋର ତାଙ୍କ କଥା ପାଖରେ । ଅଳ୍ପେ ବହୁତେ ତାଙ୍କ କଥା ଆସି ମୋ କାନରେ ବାଜୁଥିଲା ।

 

ତା’ପରେ ଦାମବାବୁ କ୍ରମାଗତ ଦେଢ଼ମାସ ଖଣ୍ଡେ ଆମ ଘରେ ରହିଲେ । ରାତିରେ ଲେଖାଲେଖି, ପଢ଼ାପଢ଼ି କରନ୍ତି । ମାସିକ ପତ୍ରିକା ଓ ଖବର କାଗଜକୁ ତାଙ୍କର ଲେଖାସବୁ ପଠାନ୍ତି-। ସେ ଆଡ଼ୁ ବି ସେ କିଛି ପଇସାପତ୍ର ପାଆନ୍ତି । ଇନ୍‍ସୁରାନସ୍ ଏଜେଣ୍ଟ ଭାବରେ ସେ ବି କାମ କରୁଥାଆନ୍ତି । କେତେଖଣ୍ଡ ଓଡ଼ିଆ ବହି ବି ତାଙ୍କର ଛପା ଯାଇଥାଏ । ସେଆଡ଼ୁ ମାସକୁ ମାସ କିଛି ପଇସାପତ୍ର ଆସେ । ଏମିତି ଇଆଡ଼ୁ ସିଆଡ଼ୁ ବାର ଧନ୍ଦା କରି ମାସକେ ଟଙ୍କା ଦେଢ଼ଶ ସେ ରୋଜଗାର କରନ୍ତି । ଦିନଯାକ କାମ ତାଙ୍କର ଖାଲି ଇଆଡ଼େ ସିଆଡ଼େ ବୁଲିବା । କୋଉ କୁଲି ମଜୁରିଆଙ୍କ ବସ୍ତି, କ୍ଲବ, ଲାଇବ୍ରେରୀ, ଚା କଫି ଦୋକାନ, ସମୁଦ୍ରକୂଳ, ସାଙ୍ଗସାଥି ମେଳରେ ଗପସପ୍‍, ଖବରକାଗଜ ପଢ଼ା ଇତ୍ୟାଦି ନାନା କଥା । ମତେ ବି ଅନେକଆଡ଼ୁ ନାନା ପ୍ରକାର ବହି ଆଣି ସେ ପଢ଼ିବାକୁ ଦିଅନ୍ତି । ମୁଁ ଲାଜ ଲାଜ କରି ତାଙ୍କ ପାଖକୁ ନ ଗଲେ ବି ସେ ମତେ ପାଖକୁ ଡାକି କେତେ କ’ଣ ଗପନ୍ତି । କେତେ ଆଡ଼ର କେତେ କଥା, ଦେଶ ବିଦେଶର କଥା ମତେ ସେ କହନ୍ତି । ମୋଟ ଉପରେ ମୋ’ ଚିନ୍ତା-ରାଜ୍ୟରେ ସେ ଅସମ୍ଭବ ଧରଣର ପରିବର୍ତ୍ତନ ଆଣି ଦେଇଥାଆନ୍ତି । ଯାହା ମୁଁ ଜାଣି ନ ଥିଲି କେବଳ ତାଙ୍କରି ଯୋଗୁ ଅନେକ କଥା ଜାଣିପାରିଲି ।

 

ତାଙ୍କ ପାଖରେ ମୁଁ ମାସ ମାସ ଧରି ଚଳପ୍ରଚଳ ହୋଇଛି । ଘଣ୍ଟା ଘଣ୍ଟା ଧରି କଥା ହେଇଛି । ଅନେକ ରାତି ପର୍ଯ୍ୟନ୍ତ ଆମେ ଦିହେଁ ଏକଲା କେତେ କ’ଣ ଗଫିଛୁ । କେତେ ଆଡ଼ର କେତେ କଥା କହି ସେ ମୋର ଆଖି ଖୋଲିଦେବାକୁ ଆପ୍ରାଣ ଚେଷ୍ଟା କରୁଥାଆନ୍ତି । ନାନା ପ୍ରକାର ହସ କଥା କହି ମତେ ହସେଇବାକୁ ବି ଚେଷ୍ଟା କରନ୍ତି । କେଜାଣି କାହିଁକି ତାଙ୍କ ଆଡ଼ିକି ସିଧାସଳଖ ଚାହିଁ ମୁଁ ହସିପାରେ ନାହିଁ । ସେ ନ ପଚାରିଲେ ମୁଁ ଉପରେ ପଡ଼ି କିଛି କହିଦିଏ ନାହିଁ । ଦାମବାବୁ ଅନେକ ଥର କହନ୍ତି–ଏମିତି ଲାଜ କଲେ ତ ଚଳିବନି । ଯାହା କିଛି କହିବ ତ ଖୋଲାଖୋଲି । ପ୍ରକୃତରେ ସେ ଭାରି ଖୋଲାମଣିଷ । ଯାହା ଭାବନ୍ତି, ସେଇଆ କହନ୍ତି । ଅନ୍ୟ କାହା କଥା ସେ ଶୁଣନ୍ତିନି ।

 

ଅପା ବୁଢୀଠୁ ମୁଁ ଯେତିକି ଶୁଣିଥିଲି ସେତିକି । କାହିଁ କେବେ ହେଲେ ତ ମୁଁ ତାଙ୍କଠୁ କିଛି ଶୁଣିନି । କଥାବାର୍ତ୍ତା ହଉଥିଲା ବେଳେ ଟିକିଏ ହେଲେ ବେଆଡ଼ିଆ କଥା ମୁଁ ତାଙ୍କର ଦେଖି ନାହିଁ । ସେ ବି ଜାଣିଶୁଣି ମୋର ଅତୀତ କଥା ସମ୍ବନ୍ଧରେ କିଛିହେଲେ ପଚାରନ୍ତିନି । କାଳେ ମୋ ମନରେ କଷ୍ଟ ହବ, ସେଥିପାଇଁ ମତେ ସେ କେବେ ହେଲେ କିଛି କହି ମୋ ମନରେ କଷ୍ଟ ଦବାକୁ ଇଚ୍ଛା କରୁ ନ ଥିଲେ । ଯେତେବେଳେ ଯାହା କିଛି କହନ୍ତି–ସେଥିରେ ଥାଏ କେମିତି ଆମେ ଭଲ ମଣିଷ ହେଇ ଦୁନିଆରେ ଠିଆ ହବା । ସମାଜରେ ଯାହା କିଛି ଆବର୍ଜନା ଅଛି, ସେସବୁକୁ ଦୂର କରିବା । ଅଭାବ ଅସୁବିଧା ସଙ୍ଗେ ଲଢ଼େଇ କରିବା, ଦିହରେ ଶେଷ ରକ୍ତ ବିନ୍ଦୁ ଥିଲା ପର୍ଯ୍ୟନ୍ତ ମଣିଷର ମଙ୍ଗଳ ପାଇଁ ସଂଗ୍ରାମ ଚଳେଇବା ।

 

ରାତି ସେତେବେଳକୁ ଘନେଇ ଆସୁଥିଲା । ରାସ୍ତାଘାଟରୁ ଗାଡ଼ି ଘୋଡ଼ା ଆସ୍ତେ ଆସ୍ତେ ବନ୍ଦ ହୋଇ ଆସୁଥିଲା । ଲୋକ ଯା’ ଆସ ନ ଥିଲା । ଝିଙ୍କାରି ଦି’ଟା ବେଳେବେଳେ ରହି ରହି ରାହା ଧରୁଥିଲେ । ବାବୁଲାଟି ପାଖରେ ଶୋଇଥିଲା । ସ୍ତ୍ରୀଲୋକ ଜଣକ ଯାହା କିଛି ସବୁ ତା’ର କହି ଯାଉଥିଲା–ସେସବୁ ବସି ରହି କେବଳ ମୁଁ ଶୁଣୁଥିଲି ।

 

କହିଲା–ଏସବୁ ଯାହା ମୁଁ କହିଯାଉଛି, ସେସବୁ ମୋ ଭଳି ଗୋଟିଏ ମାଇପି ମୁହଁରେ ଶୋଭାପାଏନି । କିନ୍ତୁ ସେଇ ଦାମବାବୁ ଏବେ ମତେ ଶିଖେଇଛନ୍ତି । ସେ ମୋର ଇହକାଳ, ପରିକାଳର ଦେବତା । ତାଙ୍କରି ଦାନ–ମୋର ଏଇ ବାବୁଲା ।

 

ତା’ ଆଡ଼ିକି ଅନେଇ ତାକୁ ମୁଁ ଚିହ୍ନିବାକୁ ଚେଷ୍ଟା କରୁଥିଲି । ତା’ର ଆତ୍ମାକୁ ।

 

ଥରେ ଏମିତି ଦାମବାବୁ ଓ ମୁଁ ବସି କଥା ହଉଛୁ । କଥାବାର୍ତ୍ତା ଆମର ଅନେକ ବିଷୟରେ ପଡ଼ିଛି । ଗରିବ, କୁଲି, ମଜୁରିଆ ଓ ଅସାହାୟ ଲୋକଙ୍କ କଥା, କିଏ ଅବା ସେମାନଙ୍କୁ ପଚାରେ । ଏମିତି ଅନେକ କିଛି । କଥା ହଉ ହଉ କଥାର ସୁଅ ମୋ ବୋଉ ଆଡ଼କୁ ମୁହେଁଇଲା । ଦାମବାବୁ କେବେ ହେଲେ କିଛି ପଚାରନ୍ତିନି । ସେଦିନ କେଜାଣି କେତେ କଥା ତୋଳି ଖୋଳି ପଚାରିଲେ । ସେ କଥାକୁ ଖୋଲିଲେନି ଯେ ମୋ ହୃଦୟ ଭିତରକୁ ଖୋଲିପକାଇଲେ । ବୋଉ କଥା ମନେପଡ଼ିଲା ମାତ୍ରେ ସ୍ଵର ମୋର ଦଦରା ଶୁଭିଲା । ଆଖି ଉବୁଡୁବୁ ହେଲା । ଦାମବାବୁ ଜାଣିପାରି ମତେ ପଦେ ଦି’ପଦ ଆଶ୍ଵାସନା ଦେଲେ । କିନ୍ତୁ ସେତେବେଳେ ଆଶ୍ଵାସନା ଦବାର ନୁହେଁ । ଲୋକ ଯେବେ ଜାଣେ କଥାବର୍ତ୍ତା ହବା ସମୟରେ କଣ୍ଠ କାହାର ଦଦରା ଶୁଭଲାଣି, ମୁହଁରେ ଲୁହ ଆସି ଧକ୍‍କା ଖାଇଲାଣି, ଟିକିଏ ଆଶ୍ଵାସନା ପାଇଲେ ସେହି ସମୟରେ ଲୁହର ବନ୍ଧ ଭାଙ୍ଗେ । ହିଡ଼ବାଡ଼ ଡେଇଁ ବଢ଼ିପାଣି ପଶିଆସିଲାଭଳି ଜଳର ସୁଅକୁ ରୋକି ପାରିବାକୁ ଆଉ କାହାର କ୍ଷମତା ନ ଥାଏ । ବନ୍ଧ ପକେଇ ଯେତେ ରୋକିଲେ ମଧ୍ୟ ସେ ମାନେନି, ସୁଅ ଛୁଟେ ।

 

ଠିକ୍ ସେହିପରି, ଟିକିଏ ଆଶ୍ଵାସନା କଥା ଶୁଣି ମୁଁ କଇଁ କଇଁ ହୋଇ କାନ୍ଦି ଉଠିଲି । ତାଙ୍କ ପାଖରୁ ଆର ଘରକୁ ଉଠି ଯାଉଥିଲି । ସେ ମୋର କାନି ଧରି ବସେଇଦେଲେ । ମୋ ପଣତକାନିରେ ଲୁହ ପୋଛିଦେଲେ । ମୁଣ୍ଡ ବାଳରେ ହାତ ବୁଲେଇ ପ୍ରଦୋଧ ଦେଲେ, କିନ୍ତୁ ଫଳ ହେଲା ଓଲଟା । ଦାମବାବୁ ମତେ ପ୍ରବୋଧ ଦେଲେନି ଯେ ମୋ କାନ୍ଦକୁ ଶହେ ଗୁଣ ପ୍ରବୋଧ ଦେଲେ । ଆଶ୍ଵାସନା ଦେଲେନି ଯେ ମୋତେ ଲୁହ ସାଗରରେ ନେଇ ଡୁବେଇ ଦେଲେ । ପାଖକୁ ଆସି ମୋ ମୁଣ୍ଡକୁ ତାଙ୍କର ଜଙ୍ଘ ଉପରେ ନେଇ ରଖିଲେ । କେତେ କ’ଣ କହି ଅଭୟ ଦେଲେ । ସେତେବେଳକୁ ମୁଁ ଦାମବାବୁଙ୍କର ସ୍ପର୍ଶ ଅନୁଭବ କଲି । ସେତେବେଳେ ମୋ ଦେହରେ କେମିତି ଗୋଟେ ଚମକ ଖେଳିଗଲା । କିନ୍ତୁ ସେ ଚମକ ରାଜୁବାବୁ ଓ ଶରତବାବୁଙ୍କ ଦିହର ଚମକ ଭଳି ନୁହେଁ, ସୂର୍ଯ୍ୟାଲୋକ ଭଳି ପ୍ରଖର ନୁହେଁ, ବନ୍ଧ ଘେରା ଗଭୀର ପୁଷ୍କରିଣୀର ନୀଳିମା ଭଳି ଶାନ୍ତ । ସେଥିରେ ଲୁଣ୍ଠନ ନ ଥିଲା, ଥିଲା କେବଳ ଅପର ପାଖରେ ନିଜକୁ ସମର୍ପି ଦେବା । କାମନା ନ ଥିଲା, ଥିଲା କେବଳ ପରିପୂର୍ଣ୍ଣତା । ମୁଁ ସବୁକିଛି ଭୁଲିଯାଇ ତାଙ୍କ ଉପରେ ନିଜକୁ ଢାଳି ଦେଲି । ଦାମବାବୁ ବି ମତେ ତାଙ୍କ ଉପରେ ଆଉଜେଇ ଦେଲେ । ମରଦ ପୁଅ ସେ । ତାଙ୍କ ନାଁରେ କିଛିହେଲେ କହିଲେ ମୁଁ ନର୍କରେ ଯାଇ ପଡ଼ିବି । ସେ ମୋର ଶରୀର ସ୍ପର୍ଶ କରିଛନ୍ତି ସତ, କିନ୍ତୁ ବଡ଼ ହୁସିଆରରେ ନିଜକୁ ଜଗି ରଖି, ନିର୍ବିକାର ଭାବରେ ।

 

ତା’ପରେ ସେ ଆରମ୍ଭ କଲେ ତାଙ୍କ କଥା । କହିଲେ, ଯେବେ ଆରମ୍ଭ ହେଲାଣି ତା’ହେଲେ ସରିଯାଉ । ସେ ମୋ ଆଗରେ ତାଙ୍କର ମନକଥା ସବୁକିଛି ଖୋଲି କରି କହିଲେ । କହିଲେ ମତେ ବିବାହ କରିବେ । ଲୁଚେଇ ଛପେଇ ନୁହେଁ, ସମସ୍ତେ ଜାଣିଶୁଣି । ଖବର କାଗଜରେ ଛପାଯିବ ଦାମବାବୁ ବିଧବା-ବିବାହ କଲେ । ବାଟ ଦେଖାଇଲେ ।

 

ଅପା ବୁଢ଼ୀଠୁ ମୁଁ ଯେତେବେଳେ ଏକଥା ଶୁଣିଥିଲି, ସେତେବେଳେ ଠିକ୍ କରିଥିଲି ରାଜୁବାବୁଙ୍କ କଥା ଓ ଶରତବାବୁଙ୍କ କଥା ସବୁକିଛି ତାଙ୍କ ଆଗେ କହିବି । ସେ ଆଡ଼ିକି ସେ ଯାହାକିଛି ଭାବିଲେ ବା ଭାବୁଥାଆନ୍ତୁ । ତାଙ୍କ ଆଗରେ କହିଦେଇ ସାରିଲା ପରେ ମତେ ସେ ଯେବେ ଗ୍ରହଣ କରନ୍ତି ତା’ହେଲେ ମୁଁ ମନେମନେ ଆସ୍ଵସ୍ତ ହେବି ଯେ ମୁଁ ମାନସିକ ଶାନ୍ତି ପାଇ ପାରିବି । ତାଙ୍କୁ ବୁଝେଇଥିଲେ ମୁଁ ତାଙ୍କୁ ଠକେଇନି ବୋଲି ଭାବିବି ।

 

ଯାହା ସବୁ ଘଟିଛି, ଯାହା କିଛି ଅନୁଭବ କରିଛି, ସବୁ ଘଟଣା ଗୋଟି ଗୋଟି କରି ତାଙ୍କ ଆଗେ ମୁଁ କହିବାକୁ ଯାଉଥିଲି । ପାଖକୁ ସେ ମୋତେ ଆଉଜେଇ ନଉଥିଲା ବେଳେ ତାଙ୍କ ଆଡ଼ିକି ମୁଁ ଚାହିଁ ପାରୁନଥିଲି । ସ୍ତ୍ରୀ-ସୁଲଭ ଲଜ୍ଜାରେ ନୁହେଁ, ରାଜୁବାବୁ ଓ ଶରତବାବୁଙ୍କ ଘଟଣା କହିଦେବି ବୋଲି ଯେତେ ମୋ ତୋଟି ପାଖକୁ ଚାଲି ଆସୁଥିଲେ ବି ପାଟି ମୋର ଲେଉଟୁ ନ ଥାଏ । ଯେତେ ଯେତେ ସେ ମତେ ଆପଣାର ବୋଲି ଭାବୁଥାଆନ୍ତି, ଯେତିକି ମତେ ଭଲ ପାଉଥାଆନ୍ତି । ସେତିକି ମୁଁ ଘୃଣା କରୁଥାଏ । ସେସବୁ ନ କହିଲେ ମୋ ମନର ତୃପ୍ତି ନାହିଁ ଓ ଆତ୍ମାର ଅବା ଶାନ୍ତି ନାହିଁ । ତଥାପି ମୁଁ କହିପାରିଲିନି । କେବଳ ସେଇଥିପାଇଁ ତାଙ୍କ ଆଡ଼ିକି ମୁଁ ଚାହୁଁପାରୁ ନ ଥାଏ ।

 

ମନୁଷ୍ୟ ଯେତେ ଆଦର୍ଶବାଦୀ ହଉନା କାହିଁକି, ଯେତେ ଶିକ୍ଷିତ, ନୀତିବାଦୀ ଓ ଦେବତୁଲ୍ୟ ଅତି-ମାନବ ହଉନା କାହିଁକି, ପ୍ରଥମେ ସେ ରକ୍ତମାଂସରେ ଗଢ଼ା । ବଣର ପଶୁ ଭଳି ତା’ ଆଗରୁ ତା’ର ନିଜ ପାଇଁ ଖାଦ୍ୟ ଓ ତା’ର ପ୍ରିୟତମାକୁ ଆଉ କିଏ ଟାଣି ନେଲେ ସେ ସହ୍ୟ କରିପାରେନି । ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ହେଲା ମଣିଷ ବଣରୁ ଆସି ସଭ୍ୟତାର ଘୋଡ଼ଣିରେ ନିଜକୁ ଘୋଡ଼େଇ ରଖିଛି । ସବୁବେଳେ ତା’ର ମଣିଷପଣିଆକୁ ସଭ୍ୟତାର ସାଆଣ ପଥରରେ ଘଷି ଲାଗିଛି । ତଥାପି କ’ଣ ମଣିଷ ତାକୁ ଜୟକରି ପାରିଛି ? ତା’ ନିକଟରୁ ତା’ ଜାଣିବାରେ ବା ଶୁଣିବାରେ କିଏ ଯେବେ ତା’ ପ୍ରିୟତମାକୁ ଆସି ଛଡ଼େଇ ନିଏ କି ଅନ୍ୟ କାହା ସାଙ୍ଗେ ସେ ସମ୍ପର୍କ କରିଛି ବା କରିଥିଲା ବୋଲି ଶୁଣେ, ଆପେ ଆପେ ତା’ ଆଖିରେ ବଣ୍ୟ ହିଂସ୍ର ଜନ୍ତୁର ହିଂସା ଜଳି ଉଠେ । ଗୋଡ଼ ହାତର ମାଂସପେଶୀ ଫୁଲେଇ ଅପର ଉପରକୁ ସେ କୁଦା ମାରେ । ନଖ ଦନ୍ତରେ ତାକୁ ଖିନିଭିନା କରିପକାଏ । ରକ୍ତ ଶୋଷୀ ତା’ର ପ୍ରାଣ ନିଏ ।

 

ଦାମବାବୁ ଯେତେ ଆଦର୍ଶ-ବାଦୀ ଓ ଯେତେ ଭଲ ଲୋକ ପଛକେ ହୁଅନ୍ତୁ, ସର୍ବପ୍ରଥମେ ସେ ଜଣେ ରକ୍ତମାଂସର ମଣିଷ । କେବଳ ସେଥିପାଇଁ ସେଦିନ ତାଙ୍କ ଆଗେ ରାଜୁବାବୁ ଓ ଶରତବାବୁଙ୍କ କଥା ମୁଁ କହିଲିନି ।

 

ମାସେ ଖଣ୍ଡେ ବିତିଗଲା । ଦାମବାବୁ କୁଆଡ଼ୁ ଟଙ୍କାପଇସା ଠିକ୍ କଲେ ମୁଁ ଜାଣିନି । ତାଙ୍କର ତ ନିଜର ବୋଲି କେହି ହେଲେ ନ ଥିଲେ । ଲେଖାଯୋଖା ଯୋଉ ବନ୍ଧୁବାନ୍ଧବମାନେ ଥିଲେ ସେମାନେ ଏ ଖବର ଶୁଣି ନାକ ଟେକିଲେ । ଏପରି ଚିଠି ଲେଖିଲେ ସେଥିରେ ସାପ ମରିବନି କି ବାଡ଼ି ଭାଙ୍ଗିବନି । ଆଗ ସାଇପଡ଼ିଶାଲୋକଙ୍କ କାନକୁ ଏକଥା ଗଲା । ମାଇପେ ଟାହି ଟାପେରା କଲେ । କହିଲେ–ହେଲାଣି କ’ଣ, ଆଉ କେତେ ଏମିତି ହବ । କିନ୍ତୁ ସାଇର ଶିକ୍ଷିତ ବୁଝିଲା ସୁଝିଲା ଲୋକେ ଏ କଥା ଶୁଣି ଦାମବାବୁଙ୍କୁ ଆସି ଅଭିବାଦନ ଜଣାଇଲେ । ତାଙ୍କର ଭୂରି ଭୂରି ପ୍ରସଂଶା କଲେ । କହିଲେ–ସମାଜରୁ ଏମିତି ଗୋଟେ ଯୋଡ଼େ ଲୋକ ଆଗୁଆ ହେଇ ନ ବାହାରିଲେ କିଏ ସବୁ ପୁଣି ୟାକୁ କରିବ ? କହିଦବାକୁ ଅନେକ ଲୋକ ଏମିତି ବାହାରନ୍ତି । କିନ୍ତୁ କେତେ ଜଣ ଅଣ୍ଟାଭିଡ଼ି ଅବସ୍ଥାର ସମ୍ମୁଖୀନ ହୁଅନ୍ତି ? ଅନେକ ଲୋକ ବକ୍ତୃତା ଦିଅନ୍ତି, ବଡ଼ ବଡ଼ କଥା ସବୁ କହନ୍ତି ଓ ବହିରେ ଲେଖନ୍ତି । କିନ୍ତୁ କେତେଜଣ ସେ ବିପଦକୁ ବରଣ କରିଥାଆନ୍ତି ? ଦାମବାବୁଙ୍କ ଭଳି ଆଉ କାହାକୁ ହେଲେ ମୁଁ ସେମିତି ଦେଖି ନାହିଁ ।

 

ବାହାଘର ଦିନ ପାଖେଇ ଆସିଲା । ଦାମବାବୁ ତାଙ୍କ ସାଙ୍ଗସାଥି କେତେ ଲୋକଙ୍କୁ ନିମନ୍ତ୍ରଣ କଲେ । ସେମାନେ କେତେ କେତେ କିସମର ଉପହାର ନେଇ ଆସିଲେ । ବାହାଘରେ ଅତି ବେଶି ହେଲେ ଟଙ୍କା ଦଶ ଭିତରେ ଖର୍ଚ୍ଚ ହେଇଥିବ । ଆମ ବାହାଘରରେ ପୁରୋହିତ ମନ୍ତ୍ରପାଠ କରି ନାହିଁ କି ଭୋଜିଭାତ ହେଇ ନାହିଁ । ବାହାଘର, ଫୁଲମାଳ ଦିଆଦେଇ । ଦାମବାବୁ ମୋ ମୁଣ୍ଡରେ ଓ ସୁନ୍ଥାରେ ସିନ୍ଦୂର ଲଗେଇଦେଲେ, ହାତରେ ଶଙ୍ଖା ପିନ୍ଧେଇଦେଲେ । ଖବରକାଗଜରେ ଆମର ପ୍ରସଂସା ବାହାରିଲା । ସତେ ଅବା ମୁଁ ନବଜନ୍ମ ଲାଭକଲି । ମୋ ଜୀବନକୁ ଅଭିଶପ୍ତ ବୋଲି ଭାବିବାକୁ ମୋର ଆଉ କୌଣସି କାରଣ ନଥିଲା । କେବଳ ଦାମବାବୁଙ୍କ ସକାଶେ ସ୍ତ୍ରୀ ଜନ୍ମ ମୋର ସାର୍ଥକ ହେଲା ।

 

ସବୁକିଛି ହେଲା । ସ୍ଵପ୍ନରେ ସୁଦ୍ଧା ଭାବି ନଥିଲି ସେସବୁ ମୁଁ ପାଇଲି । କିନ୍ତୁ ଶାନ୍ତି ପାଇପାରିଲିନି । ସତ କଥାଯାକ ଦାମବାବୁଙ୍କୁ ନ କହିଲେ ମୋର ଅବା ଯେପରି ନିସ୍ତାର ନାହିଁ ।

 

ତାଙ୍କ ଉଦ୍ଦେଶ୍ୟରେ ସେ ସ୍ତ୍ରୀଲୋକଟି ନମସ୍କାର ହେଲା । ମନେମନେ କେତେ କ’ଣ ଭାବି ଅଳ୍ପ ସମୟ ତୁନି ରହିଗଲା ।

 

ପୁଣି ସେ ଆରମ୍ଭ କଲା–

 

ଆଗେ ଆମେ ଠିକ୍ କରିଥିଲୁ ଯେ ବାହାଘର ସରିଲେ ବାହରେ ଯାଇ କେତେଦିନ ଆମେ ରହିବୁ । କାହିଁକି ଅବା ସମସ୍ତଙ୍କର ଆଲୋଚନା, ସମାଲୋଚନାର ବସ୍ତୁରେ ପରିଣତ ହବୁ ? ଦାମବାବୁ କିନ୍ତୁ ମନାକଲେ । ତାଙ୍କଘରେ ଅଳ୍ପ କେଇମାସ ଯାଇ ରହିଲୁ । ଅପାବୁଢ଼ୀ ସେତେବେଳେ ଆମ ଘରେ ଥାଆନ୍ତି–କେତେବେଳେ ଆମଘରେ, କେତେବେଳେ ତାଙ୍କ ଘରେ । ଯୋଉଲୋକେ ପ୍ରଥମେ ପ୍ରଥମେ ଆମକୁ ବେଖାତିର କରୁଥିଲେ, ଆମ ନାଁରେ ବାର ଅପବାଦ ରଟନା କରୁଥିଲେ, ଚର୍ଚ୍ଚା କରୁଥିଲେ, ସେଇମାନେ ଆମର ବନ୍ଧୁ ହେଇଗଲେ । ବେଳେବେଳେ ଅସମୟରେ ଆମଠୁ ଆସି ବି ସାହାଯ୍ୟ ନେଲେ । ଅସୁବିଧା ଯେ ଆମର ମୋଟେ ହେଲେ ନଥିଲା,ଏମିତି ନୁହେଁ, କିନ୍ତୁ ଆମର ଅଭାବ ଅସୁବିଧା କଥା କେବେ ହେଲେ ଆମେ କାହାକୁ କହିନୁ-। ଏଗାର ବର୍ଷ ଦିନୁ ମୁଁ କେବେହେଲେ ଶାଢ଼ି ଖଣ୍ଡିଏ ପିନ୍ଧି ନଥିଲି । ମୋ’ ବୟସରେ କିଏ ଜଣେ ରଙ୍ଗୀନ ଫୁଲପକା ଶାଢ଼ି ବ୍ଲାଉଜ୍‍ ପିନ୍ଧି, ସିନ୍ଦୂର କଜଳ ନାଇ, କାଚ ପିନ୍ଧି, ସୁନା ଅଳଙ୍କାରରେ ମଣ୍ଡଣି ହେଇଥିବାର ଦେଖିଲେ ମନ ମୋର ମରିଯାଏ । ନିଜ ଭାଗ୍ୟକୁ ମୁଁ ଶତ ଧିକ୍‍କାର କରେ । କିଏ ମତେ କାହିଁକି ଏମିତି ଜନ୍ମ ଦେଇଥିଲା ? ଏନ୍ତୁଡ଼ିଶାଳରୁ ତୋଟି ଚିପି ଦେଇଥିଲେ ବରଂ ଭଲ ହୋଇଥାଆନ୍ତା । ସତ କହୁଛି–ଯୋଉ ଦିନ ସମ୍ବଲପୁରୀ ବଡ଼ ପଣତଦିଆ ଶାଢ଼ି ଖଣ୍ଡେ ପିନ୍ଧି ମୁଁ ଦାମବାବୁଙ୍କ ପାଖରେ ଠିଆ ହେଲି, ସେଦିନ ଆନନ୍ଦରେ ମୁଁ କାନ୍ଦି ପକେଇଲି । ଥୟଧରି ରହିପାରିଲିନି । ଦାମବାବୁଙ୍କ ଦିହରେ ନିଜକୁ ଲଟେଇଦେଲି । ମୋ ମନର ଅବସ୍ଥା ସେ ଭଲରୂପେ ଜାଣିପାରିଥିଲେ ।

 

କହିଲେ ଦେଖି–ଆମ ସମାଜର ଗଣ୍ଡିପକା ନିୟମ, ନିର୍ଦ୍ଦୟ ବ୍ୟବସ୍ଥା ଓ କଠୋର ରୀତି ନୀତିଭିତରେ ମୋ’ ଭଳି କେତେ କେତେ ଅସହାୟା ସ୍ତ୍ରୀ ପଚିସଢ଼ି ମରୁନାହାନ୍ତି ? କି ନିର୍ଦ୍ଦୟ ଭାବରେ ସେମାନଙ୍କର ଶରୀର ଓ ମନକୁ ଦଳିଚକଟି ହତ୍ୟା କରାଯାଉଛି ? ସମସ୍ତେ କ’ଣ କଠୋର ନିୟମ ଧରି ଚଳିପାରୁଛନ୍ତି ? କାହା ନାଁରେ ଦୁର୍ନାମ ହେଲେ ସହ୍ୟ କରି ନପାରି ସେ ଆତ୍ମହତ୍ୟା କରୁଛି । ହଜାର ହଜାର ଭୃଣହତ୍ୟା ଚାଲିଛି । କାହିଁକି ସେମାନଙ୍କୁ ଏତେ ହିନୀ ଅବସ୍ଥାରେ ରଖାଯିବ ? କାହିଁକି ସେମାନେ ଜୀବନକୁ ନୀରର୍ଥକ ବୋଧ କରିବେ ? ଏ ଦେଶ, ଏ ଶାସନ କେବେ ଆଉ ସେମାନଙ୍କର ଦୁଖ ଦୁର୍ଦ୍ଦଶା ବୁଝିବାକୁ କ୍ଷମ ହୋଇପାରିବ ? ସେମାନଙ୍କୁ ଅଭୟ ଦବ ? ବଞ୍ଚି ରହିବାର ଅଧିକାର ଦବ ?

 

ମୁଁ ବୋହୂ ସାଜି ଦାମବାବୁଙ୍କ ପାଖରେ ଠିଆ ହେଲା ବେଳେ ନିଜକୁ ଅବା ଭୁଲିଯାଇଥିଲି । ସତେ ମୁଁ ନବଜନ୍ମ ଲାଭ କରିଛି । ସେତେବେଳେ ମୋର ମନେପଡ଼ିଲା–ଦୁନିଆରେ ଆଉ ଯେତେକ ସ୍ତ୍ରୀଲୋକଙ୍କ କଥା । ମୋ’ଭଳି ଯୋଉମାନେ ଅଭାବ ଅସୁବିଧାରେ ରହି ସଢ଼ିଯିବାକୁ ବାଧ୍ୟ ହଉଛନ୍ତି ସେମାନେ ମୋ ଭଳି ସମସ୍ତେ ଯେବେ ଏ ପ୍ରକାର ସୁବିଧା ପାଆନ୍ତେ, ସେମାନେ କେତେ ଆନନ୍ଦ ଅନୁଭବ ନ କରନ୍ତେ ?

 

ବାହାଘର ସାରିବାର ମାସ କେଇଟାରେ ମୁଁ ବେଶ୍ ତେଜୀୟାନ ଦେଖାଗଲି । ଚେହେରା ମୋର ସମ୍ପୂର୍ଣ୍ଣ ବଦଳିଗଲା । ଆଗ ବଳିତା ଭଳି ଦେଖାଯାଉଥିଲି । କିନ୍ତୁ ମାସ କେଇଟାରେ ମୋର ଶରୀରର ସବୁ ଅଂଶ ଭିନ୍ନ ଆକାର ଧାରଣ କଲା । ସବୁଆଡ଼ ଭରପୂର ହୋଇଗଲା । ଯିଏ ମତେ ଦେଖିଲା–ଚିହ୍ନିପାରିଲାନି । ଘରକଲା ବୋହୂର ଚେହେରା ମୋ’ ଦେହସାରା କିଏ ଆଣି ଯେପରି ବୋଳିଦେଇଗଲା ।

 

ଛ’ ମାସ ହେଇଛି କି ନାହିଁ ମୁଁ ଗର୍ଭଲକ୍ଷଣ ଅନୁଭବ କଲି । ଖାଇବାକୁ ଭଲ ଲାଗିଲାନି-। ଓକାର ଆସିଲା । ଦାମବାବୁ ଏକଥା ଜାଣିପାରି ନାନା ପ୍ରକାର ଖାଇବା ଜିନିଷ ଆଣିଦେଲେ । ମୁଁ କାଳେ ଅନ୍ୟ କାହାଠୁ ନିଜକୁ ଛୋଟ ମନେକରିବି, ସେଥିପାଇଁ ସବୁକିଛି ସେ ମୋ ପାଇଁ ଆଣି ଦିଅନ୍ତି । କହନ୍ତି–ଆମେ ତ କାହା ତୋଟିଛିପି ପଇସା ଆଣୁ ନାହୁଁ, ବରଂ ପରପାଇଁ ଖାଟୁଚୁ । ମନ ଥିଲେ ଓ ଦିହରେ ବଳ ଥିଲେ ପଇସା ଆପେ ଆପେ ଆସିବ । କିନ୍ତୁ ତାକୁ ଖୋଜିହବା କିଛି ଦରକାର ନାହିଁ ।

 

ନାରୀ ଜୀବନରେ ସବୁକିଛି ମୁଁ ପାଇପାରିଲି । ଯୋଉ ମାତୃତ୍ୱ ସ୍ତ୍ରୀଜାତିର ଗୌରବ, ତା’ର ହେଲି ମୁଁ ଅଧିକାରୀ । ଏଇ ମାତୃତ୍ୱ ପଛଆଡ଼େ ଥିଲା ଦାମବାବୁଙ୍କର କବଚ । ସେ ନଥିଲେ କୁହାଯାଇଥାନ୍ତା ଅବୈଧ । ସେଥିପ୍ରତି ସମାଜରେ ଓ ଶାସନରେ କଠୋର ନିୟମ ସବୁ ବନ୍ଧା ଯାଇଛି । କିନ୍ତୁ ନାରୀର ମାତୃତ୍ୱକୁ ପଙ୍ଗୁକରି ରଖିବାକୁ ଯୋଉମାନେ ନିୟମ ବାନ୍ଧିଛନ୍ତି, ସେମାନେ କେଡ଼େ ହୀନ, କେଡ଼େ କଠୋର ହୃଦୟର ଲୋକ । ସେମାନେ କ’ଣ ବୁଝିନାହାନ୍ତି ସେମାନଙ୍କୁ କେତେ ହୀନିମାନରେ ଚଳିବାକୁ ପଡ଼େ, ଖଣ୍ଡାଧାରରେ ଚାଲିବାକୁ ହୁଏ । ପ୍ରକାରାନ୍ତରେ ସେ କଠୋର ନିୟମ ସେମାନଙ୍କୁ କିପରି ନୀରବ ପଥକୁ ଟାଣିନିଏ ।

 

ଏଇ ବାବୁଲା ମୋର ତା’ପରେ ଜନ୍ମ ହେଲା । କେବଳ ତାଙ୍କରି ଯୋଗୁ ମୁଁ ପୁଅଟିଏ କୋଳରେ ଧରିପାରିଲି । ମା’ ହେଲି । ନାରୀର ଗୌରବ ଲାଭ କଲି । ସେ ମୋର ଇହକାଳ ଓ ପରକାଳର ଦେବତା ।

 

କଅଁଳିଆ ଅଙ୍ଗୁରପତ୍ର ରଙ୍ଗରେ ତିଆରି ମୋ ବାବୁଲା ଯେତେବେଳେ ଭୂଇଁରେ ହାତ ଗୋଡ଼ ବାଡ଼େଇଲା, ମୁଁ ଆଖି ମେଲେଇ ପ୍ରଥମେ ଦେଖିବାକୁ ପାଇଲି ଦାମବାବୁଙ୍କର ସତେ ଅବା ଗୋଟିଏ ଅବିକଳ ଛବି । ତାଙ୍କରି ପ୍ରତିମୂର୍ତ୍ତି ଆଣି ସେ ଜନ୍ମଲାଭ କରିଛି । ଶୁକ୍ଳପକ୍ଷର ଚଦ୍ରଭଳି ବାବୁଲି ମୋର ବଢ଼ିବାକୁ ଲାଗିଲା । ତା’ ବାପାର କୁଞ୍ଚୁ କୁଞ୍ଚୁ ବାଳଭଳି ତା’ର ବାଳ, ତାଙ୍କରି ଆଖି, ଓଠ ନାକ, ଓ ମୁହଁ । ସେ ଯେମିତିଗୁଡ଼ାଏ ଲୋକଙ୍କ ସାଙ୍ଗେ ସଦାବେଳେ କ’ଣ ସବୁ କଥା ନେଇ ବକରବକର ହେଉଥାଆନ୍ତି, ଭୋକ ଶୋଷ ଭୁଲିଯାଆନ୍ତି, ମୋ ବାବୁଲା ବି ଠିକ୍ ସେହିପରି । ମୋ ସାଙ୍ଗେ ଇଆଡ଼ୁ ସିଆଡ଼ୁ କେତେ କ’ଣ ଗପେ । ସେ କଥା ଅଧା ବୁଝା ଅଧା ଅବୁଝା । ତାକୁ ଭୋକ ଶୋଷ କରେ ନାହିଁ । କଡ଼ି ବରଗାର ଖୋପ ଭିତରେ ଛୋଟ ଘରଚଟିଆଟିଏ ଜାକି ଜୁକି ହୋଇ ବସିରହିଥିଲା ଭଳି ବାବୁଲା ମୋ କୋଳରେ ବସି ସଦାବେଳେ କଚର କଚର ହେଉଥାଏ । ବାର କଥା କହି ମତେ ବ୍ୟସ୍ତ କରାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ର ଦୁଷ୍ଟାମି ବଢ଼ି ଚାଲିଲା । ଘରର ଯେତକ ଶିଶି ଓ କପ୍ ପିଆଲା ସବୁ ଭାଙ୍ଗି ଚୁରୁମାର୍‍ କଲା । ମତେ ଯେମିତି କଥା କହି କହି ଫଟାଏ, ତା’ ବାପକୁ ବି ସେମିତି ସଦାବେଳେ ଇଆଡ଼ୁ ସିଆଡ଼ୁ ପଚାରେ ।

 

ବାପା ତାକୁ ସଦାବେଳେ କାଖ କରିଥାଆନ୍ତି । କୁରୁତା ପେଣ୍ଟ ପିନ୍ଧେଇ ନିଅନ୍ତି । ମାସକେ ଯେତେଦିନ ଦାମବାବୁ ଘରେ ଥାଆନ୍ତି, କେବେହେଲେ ତାକୁ ପାଖରୁ ଛାଡ଼ନ୍ତିନି । ମୁଁ ତାକୁ ସିନା ଦଶ ମାସ ଗର୍ଭରେ ଧରିଛି, ବୁକୁ ଭାଙ୍ଗି କ୍ଷୀର ଦେଇଛି, କିନ୍ତୁ ମୁଁ ଅନୁଭବ କରେ ତା’ର ବାପା ମୋଠାରୁ ତାକୁ ବେଶି ଭଲ ପାଉଥିଲେ । ସେ ବି କ୍ଷୀର ଖାଇବା ବେଳତକ ଛାଡ଼ିଦେଲେ ବେଶି ସମୟ ତାଙ୍କ ପାଖରେ ଥାଏ । ତା’ ବାପାକୁ ସେ ବେଶି ଭଲ ପାଉଥିଲା ।

 

ଦାମ ବାବୁଙ୍କର ସ୍ନେହ ସୁହାଗ ଯାହା ସବୁକିଛି ସେ ବାବୁଲା ଉପରେ ଢାଳିଦେଲେ । ତା’ ପାଇଁ ପେଣ୍ଟ କୁରୁତା, ଜୋତା ମୋଜା, ଟୋପି ଓ କୁନି ସାଇକେଲ ସବୁକିଛି ସେ ଆଣିଦେଲେ । ଆଉ ସାଇପଡ଼ିଶାର ପିଲାଛୁଆଠୁ ବାବୁଲା ମୋର ବେଶି ଖେଳନା, ଖାଇବା ଜିନିଷ ଓ ପୋଷାକ ଇତ୍ୟାଦି ପାଇଲା । ସଦାବେଳେ ସେ ହସ ହସ । ବାପଭଳି ମୁହଁ ଶୁଖେଇ ବସିବାର ମୁଁ କେବେହେଲେ ଦେଖି ନାହିଁ । କିଛି ଗୋଟିଏ ଖାଇବା ଜିନିଷ ମୁଁ କି ତା’ ବାପା ଆଣିଦେଲେ ସାଙ୍ଗେ ସାଙ୍ଗେ ସେ ତା’ର ସାଙ୍ଗସାଥି ପୁଅ ଝିଅଙ୍କୁ ନେଇ ଦିଏ । ସମସ୍ତଙ୍କର ସମାନ ସମାନ ଭାଗ । ଠିକ୍ ତା’ ବାପର ଗୁଣ ଭଳି । ପରପିଲାଟିକି ସେ କାଖେଇ ପକାଇବେ । ମିଠେଇ ନୋହିଲେ ଖେଳନା କିଣି ତାହା ହାତରେ ଧରାଇଦେବେ । ନିଜପିଲା ପର ପିଲା ସମସ୍ତେ ତାଙ୍କ ନିଜର । ତାଙ୍କର ପର ଆପଣା ନାହିଁ । କହନ୍ତି–ମଣିଷ ପିଲାଟିକି ଯେ ହୀନିଛୋକେରା କରେ ସବୁଠାରୁ ସେ ବଡ଼ ପାପୀ । ନିଜ ପିଲା, ପର ପିଲା ଭିତରେ ଯେ ପ୍ରଭେଦ ଦେଖେ, ସେ ବଡ଼ ହୀନ ପ୍ରକୃତିର ।

 

ଜୀବନରେ ଯାହାସବୁ ଦିନେ ଆଉ ପାଇ ନ ପାରିବି ବୋଲି ମନରେ ବଦ୍ଧମୂଳ ଧାରଣ କରି ନେଇଥିଲି, ଅଯାଚିତ ଭାବରେ କିଏ ମୋ ନିକଟେରେ ଆଣି ସେସବୁ କୁଢ଼େଇ ଦେଲା । ଯେଉଁ ଜୀବନକୁ ଅଭିଶପ୍ତ ବୋଲି ଧରି ନେଇଥିଲେ, ପୁଣି ସୁଖ ଭୋଗ କରିବି ବୋଲି କେବେ ଆଶା କରି ନଥିଲି, ସେସବୁ ଆପେ ଆପେ ମୋ ପାଖକୁ ଆସିଗଲା । ଅବଶ୍ୟ ଆମେ ଘିଅ ମହୁରେ ଭାସୁ ନଥିଲୁ । ସାଧାରଣ ମଧ୍ୟବିତ୍ତ ପରିବାରରେ ଯାହାକିଛି ସବୁ ଦରକାର, ସେସବୁ ମୁଁ ପାଇପାରୁଥିଲି । ମୋ ପାଇଁ ଓ ବାବୁଲା ପାଇଁ ସବୁକିଛି ନ କହିବା ଆଗରୁ ସେ ଆଣି ଦେଇଥାଆନ୍ତି-। ମୁଁ ଅନୁଭବ କରିଛି, ଅତି ଗଭୀର ଭାବରେ ସେ ମୋତେ ଭଲ ପାଉଥାଆନ୍ତି । ବିଶେଷତଃ ବାବୁଲା ଜନ୍ମ ହେଲା ପରେ ପୁଅ ଉପରେ ସେ ଗେଲରୁ ଅଧେ ହେବ ନେଇ ଢାଳିଦେଲେ । ଆମ ଦୁହିଙ୍କର ବନ୍ଦନ ଆହୁରି ସୁଦୃଢ଼ ହେଲା । ମାମୁଁ ମାଈଁ ଆମେ ଦୁଇ ପ୍ରାଣୀ ଓ ଆଦରର ବାବୁଲା । ପିଇସୀବୁଢ଼ୀ ବାବୁଲା ବର୍ଷେ ହେବା ପର୍ଯ୍ୟନ୍ତ ବଞ୍ଚିଥିଲେ । ପୁଅକୁ ମୋର ସେ କେତେ ଘଷାମଜା କରିଛନ୍ତି, କେତେ ସେକିଛନ୍ତି, ତେଲ ହଳଦୀ ଲଗେଇଛନ୍ତି । ତାଙ୍କର ସମୟ ଆସିଗଲା, ସେ ଚାଲିଗଲେ ।

 

ଏସବୁ ଭିତରେ ମୁଁ ମନେମନେ ଗୋଟାଏ ବଡ଼ ଧରଣର କଷ୍ଟ ଅନୁଭବ କରେ । ବେଳେବେଳେ ଭାବେ ମୁଁ ଦାମବାବୁଙ୍କୁ ପ୍ରତାରଣା କରିଛି । ମୋତେ ସେ କେଡ଼େ ଭଲ ପାଆନ୍ତି, କେତେ ବିଶ୍ଵାସ କରନ୍ତି ଅଥଚ ରାଜୁବାବୁ ଓ ଶରତବାବୁଙ୍କ କଥା ତାଙ୍କୁ ମୁଁ କହି ନାହିଁ । କହି ଦେଇଥିଲେ ଅବା ମୁଁ ଶାନ୍ତିରେ ଥାଆନ୍ତି । ମୋ ଜୀବନର ଯେ କୌଣସି ଟିକିନିକି କଥା ତାଙ୍କ ଆଗେ ନକହି ଲୁଚେଇ ରଖିବା ମାନେ ତାଙ୍କୁ ଠକିବା । ତାଙ୍କ ଦାନର ଉଚିତ ମୂଲ୍ୟ ନଦବା, ପ୍ରତାରଣା କରିବା । ବେଳେବେଳେ ଭାବେ କହିଦେଇଥିଲେ ଭଲ ହୋଇଥାଆନ୍ତା । ପୁଣି ମନରେ ଆସେ ତା’ହେଲେ ମୋ ଅବସ୍ଥା କ’ଣ ଯେ ହେଉଥାଆନ୍ତା କିଏ କହିପାରିବ ? ହୁଏତ ମୁଁ ଯେଉଁ ଅବସ୍ଥାରେ ଅଛି ସେମିତି ନ ଥାଆନ୍ତି । ସିଏ ଯେବେ ମୋ କଥା କାହାଠୁ ଶୁଣିପାରନ୍ତି, ମୁଁ ଭଲ ଭାବରେ ଜାଣେ ଯେ କେବେହେଲେ ବିଶ୍ଵାସ କରିବେନି । କହିବେ–ମୁଁ ଅସହାୟ ବୋଲି ମୋ ନାଆଁରେ ଇଆଡ଼ୁ ସିଆଡ଼ୁ ଗପସବୁ ଖଞ୍ଜି ମୋ ଅନିଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ସମୟ ସମୟରେ କେତେ କ’ଣ ଘଟିଥାଏ, କିନ୍ତୁ ସମସ୍ତେ କ’ଣ ତାକୁ ଉଖୁରେଇ ନିଜ ଭବିଷ୍ୟତକୁ ନଷ୍ଟ କରନ୍ତି । ଚନ୍ଦ୍ରରେ କଳଙ୍କ ଭଳି ଭୁଲିଯାଇଥିବା ଗୀତ ଭଳି ସେସବୁ ଯେପରି ବେଦରକାରୀ ।

 

ଦାମବାବୁ ଥରେ କୁଆଡ଼େ ଯାଇଥିଲେ । ସେଆଡ଼ୁ ଫେରୁ ଫେରୁ ମାସେ ଖଣ୍ଡେ ଲାଗିଲା । ଏତେ ଦିନ ଘରଛାଡ଼ି ସେ କେବେହେଲେ ରହି ନଥିଲେ । ମାସକ ପରେ ଫେରିଆସିବା ପରେ ମୁଁ ଲକ୍ଷ୍ୟ କରିଛି–ତାଙ୍କ ମୁହଁରେ ଆଡ ହସ ଆଉ ନଥିଲା । ମୋ ପାଖରେ ଆସି କଥା ହେବା, ଘଣ୍ଟା ଘଣ୍ଟା ଧରି ଗୋଟିଏ କିଛି ବିଷୟରେ ଆଲୋଚନା କରିବା ଏସବୁ ଆଉ ମୁଁ ପାଇଲିନି-। ବାବୁଲାଟିକି କାଖେଇ ସଦାବେଳେ ତା’ ସାଙ୍ଗେ କ’ଣ କଥା ହଉଥାଆନ୍ତି । ଖାଇଲା ବେଳକୁ ଆସି ଖାଇଯାଆନ୍ତି । ଯାହା କିଛି ପଚାରିଲେ, ହୁଁ–ନାଇଁ ଜବାବ । ତାଙ୍କର ବ୍ୟବହାର ଯେ କାହିଁକି ମୋ ପ୍ରତି ଏତେ ବଦଳିଯାଇଛି ସେକଥା ମୁଁ ଅନେକ ଭାବି ହଉଥାଏ । କିନ୍ତୁ କାରଣ ଖୋଜି ପାଏନି । ଛାତି ମୋର ଦକ୍ ଦକ୍ ହେଲା । ମନରେ ଶଙ୍କା ଆସିଲା । ଠିକ୍ କଲି–ତାଙ୍କୁ ପଚାରିବି ।

 

ସମୟ ଉଣ୍ଡି ତାଙ୍କୁ ଥରେ ଦି’ଥର ବି ପଚାରିଲି । କିନ୍ତୁ ସେ କାହିଁକି କିଛି ଉତ୍ତର ଦେଲେନି । ବୋଧେ ସେ ମନେମନେ କେତେ କ’ଣ ଚିନ୍ତା କରୁଥିଲେ । କିଛି ଗୋଟିଏ ସ୍ଥିର ସିଦ୍ଧାନ୍ତରେ ଆସି ପହଞ୍ଚିପାରୁ ନ ଥିଲେ । ତାଙ୍କର କାମ ଥିଲା–ବାବୁଲା ସାଙ୍ଗେ ବସି ଗପସପ କରିବା, ଦି ଗାଲରେ ହାତ ପାପୁଲି ରଖି କହୁଣିକି ଟେବୁଲ ଉପରେ ରଖି ଘଣ୍ଟା ଘଣ୍ଟା ଧରି କେତେ କ’ଣ ଭାବିବା ଓ ଅଧିକାଂଶ ସମୟ ବାହାରେ ରହିବା ।

 

ଥରେ ତାଙ୍କୁ ବ୍ୟସ୍ତ କରି ପଚାରିବାରୁ ସେ କହିଲେ–ଯୋଉ ଶରତବାବୁ ଏଠେଇ ଥିଲେ, ବର୍ତ୍ତମାନ ସେ ବରହମ୍‍ପୁରରେ ଅଛନ୍ତି । ତାଙ୍କ ପାଖରେ କାମ ଥିଲା, ଯାଇଥିଲି ।

 

ଖୁବ୍ ଆସ୍ତେ କରି ଦାମବାବୁ ଏ କଥାତକ କହିଗଲେ । ସେତେବେଳେ ସେ ଅନ୍ୟଆଡ଼େ ଅନେଇ ଥାଆନ୍ତି । ତାଙ୍କ ଆଖି ଦୁଇଟିରୁ ସତେ ଅବା ନିଆଁ ଝୁଲ ବାହାରୁଥିଲା । ଖୁବ୍ ଆସ୍ତେ କଥା କହୁଥିଲେ ବି ଓଠ ଦି’ଫାଳକ ତାଙ୍କର ବରଡ଼ା ପତ୍ରପରି କମ୍ପୁଥିଲା । ସ୍ଵର ଦଦରା ଶୁଭୁଥିଲା ।

 

ମୋ ମୁଣ୍ଡରେ ସତେ ଅବା ବଜ୍ର ଆସି ପଡ଼ିଲା । ମଣିଷ ଯାହାକୁ ବେଶି ଭୟ କରେ, ସେଇ କଥା ହିଁ ତା’ ଭାଗ୍ୟରେ ଆସି ଜୁଟେ । ଯୋଉ କଥା ଏତେଦନି ଧରି ଭାବୁଥିଲି, କହିବି କହିବି ବୋଲି ହଉଥିଲି, ସେଇ କଥା ମୋ ଭାଗ୍ୟରେ ପୁଣି ଜୁଟିଲା । ଆଉ କିଛି ଶୁଣିବା ମୋର ଦରକାର ନଥିଲା । ତାଙ୍କ କଥାରୁ ମୁଁ ସବୁ ଠଉରେଇ ନେଲି । ଶରତବାବୁଙ୍କଠାରୁ ନିଶ୍ଚୟ କିଛି ଶୁଣିଛନ୍ତି । ଯେଉଁ କଥାପାଇଁ ଦାମବାବୁଙ୍କୁ ପ୍ରତାରିତ କରିଛି ବୋଲି ମନେମନେ ମୁଁ କଷ୍ଟ ଅନୁଭବ କରୁଥିଲି, କହିଦେଇଥିଲେ ସେ ବୋଧେ ମତେ ଭୁଲ୍ ବୁଝି ନଥାନ୍ତେ ।

 

ଜୀବନ-ମାଟି ଉପରେ ଯେଉଁ ଆଶାର ସୌଧଟି ତୋଳିଥିଲି ସେଇଟି ଅଳ୍ପକେ ଭୁସୁଡ଼ି ପଡ଼ିଲା । ଦୁଃଖ ଭୋଗ କରିବାପାଇଁ ଯାହାର ଜନ୍ମ, ତାଭାଗ୍ୟରେ ସୁଖ ଆସିବ କୁଆଡ଼ୁ ? ଅସଲ କଥା–ଦାମବାବୁଙ୍କୁ ଏ ବିଷୟରେ କହିବାକୁ ମୋର ସୁଯୋଗ ନଥିଲା । ଦାମବାବୁ ଯେଡ଼େ ଆଦର୍ଶବାଦୀ ହୁଅନ୍ତୁ ନା କାହିଁକି ସେ କିପରି ଏସବୁ ସହ୍ୟକରି ପାରିଥାନ୍ତେ ? ଦୋଷ ତାଙ୍କର ନୁହେଁ-। ଦୋଷ ମୋ କପାଳର ।

 

ସେଇଦିନ ରାତିରେ କାହାକୁ କିଛି ନ କହି ଦାମବାବୁ ଆମ ମା’ ପୁଅ ଦିହିଙ୍କି ଏକେଲା ଛାଡ଼ି କୁଆଡ଼େ ଚାଲିଗଲେ । ଆମକୁ ଛାଡ଼ି ଚାଲିଯିବାର ବଜରା ଦି’ବର୍ଷ ଆସି ହେଲାଣି । ଥରୁଟେ ହେଲେ ତାଙ୍କ ସାଙ୍ଗେ ଆଉ ମୋର ଦେଖା ହେଇନି । ବାବୁଲା ବି ତା’ର ବାପଠାରୁ ଆଉ କେବେହେଲେ ସ୍ନେହ ସୁହାଗ ଟିକେ ହେଲେ ପାଇନି । ମୋ କଥା ଭିନ୍ନ ପ୍ରକାର କଥା, କିନ୍ତୁ ଯୋଉ ବାବୁଲିଟିକି ସେ ଏତେ ଭଲ ପାଉଥିଲେ ତାଙ୍କୁ ଥରୁଟିଏ ହେଲେ ଦେଖିବାକୁ ତାଙ୍କର କ’ଣ ମନେ ଡାକୁନି ? ଅନ୍ୟଠାରୁ କ’ଣ ଶୁଣିଯାଇ ସେ ଏତେ ବଦଳିଗଲେ । ମୋ’ଠୁଁ ପଚାରି ବୁଝିଥିଲେ, ମତେ ଦି ଗୋଇଠା ମାରିଥିଲେ, ଗାଳିଦେଇ ଘରୁ ବାହାର କରିଦେଇଥିଲେ ବରଂ ଭଲହୋଇ ଥାଆନ୍ତା । ମତେ ବେଶି ଦୁଃଖ ଲାଗେ, ସେ କିଛିହେଲେ ମତେ ପଚାରିଲେନି । ମୋ ମନକଥା କହିବାକୁ ସେ ମତେ ସୁଯୋଗ ଦେଲେନି ।

 

କାଇଁ ଅବା ସେ ପଚାରିଥାଆନ୍ତେ ? ପଚାରିଥିଲେ ତାଙ୍କର ମନକଷ୍ଟ ହୁଏତ ବେଶି ହୋଇଥାନ୍ତା, କିନ୍ତୁ ଗଲା ଦିନୁ ଏମିତି ଗୋଟିଏ ମାସ ନାହିଁ ଯୋଉଥିରେ ସେ ଆମକୁ ଟଙ୍କା ପଠେଇ ନାହାନ୍ତି । ପ୍ରତି ମାସରେ ଆମ ଠିକଣାରେ ପଚାଶ ଟଙ୍କା କରି ସେ ପଠାନ୍ତି । ଯୋଉଠାରୁ ସେ ପଠାନ୍ତି ତାହା ତାଙ୍କର ସବୁଦିନିଆ ଠିକଣା ନୁହେଁ । ଥରେ ମୁଁ ଖୋଜି ଖୋଜି ଟଙ୍କା ପଠେଇଥିବା ଠିକଣାରେ ଯାଇ ପହଞ୍ଚିଲି । ତାଙ୍କ ବିଷୟରେ କେହି କିଛି କହିପାରିଲେନି । ସବୁବେଳେ ଖବରକାଗଜରେ ତାଙ୍କ ନାଁ ପଢ଼େ । କୋଉଠି ଘରପୋଡ଼ି, ବଢ଼ି କି ମରୁଡ଼ି ଆସିଲା–ଦାମବାବୁ ସେଠେଇଁ ଲୋକଙ୍କ ପାଇଁ ଦିନରାତି ଖାଟୁଛନ୍ତି । କୋଉଠି ସଭା ସମିତି କରି ଲୋକଙ୍କୁ ବୁଝଉଛନ୍ତି ତ କୋଉଠି ବକ୍ତୃତା ଦେଇ ଲୋକଙ୍କୁ ମତଉଛନ୍ତି । ଦେଶସାରା ସେ ଘୂରି ବୁଲୁଛନ୍ତି । ସବୁ ଜାଗାରେ ଓ ଲୋକ ମୁହଁରେ ତାଙ୍କର ପ୍ରଶଂସା । କିନ୍ତୁ ଦି’ ବର୍ଷ ହେଲା ସେ ଆମର ଖୋଜଖବର ରଖି ନାହାନ୍ତି । ହଁ–ଟଙ୍କା ପଠାଉଛନ୍ତି । ଖାଲି ଟଙ୍କା କ’ଣ ସବୁ ପୂର୍ଣ୍ଣ କରିଦିଏ ? ତାଙ୍କଠୁ ଟଙ୍କା ପାଇଲେ ଅବଶ୍ୟ ଆମେ ଚଳୁ । କିନ୍ତୁ ସେ ଟଙ୍କା ମୋ ପାଖରେ ଯେପରି ହଳାହଳ ବିଷ । ଅନ୍ୟ କିଛି ସୁବିଧା ନାହିଁ ବୋଲି ତାକୁ ଗ୍ରହଣ କରୁଛି । ଲୋକେ ବି ଏସବୁ କଥା ଜାଣି ନାହାନ୍ତି । ଠିକ୍ କରିଛି–ଏଣିକି ସେ ଟଙ୍କା ପଠେଇଲେ ଫେରେଇ ଦେବି । ନିଜ ଗୋଡ଼ରେ ନିଜେ ଠିଆ ହବାକୁ ଚେଷ୍ଟା କରିବି । ନିଜେ ଖାଇପିଇ ଚଳିବି । ବାବୁଲାଟିକି ନିଜେ ପାଠ ପଢ଼େଇ ମଣିଷ କରିବି ।

 

X X X X

 

ସେଇ ସ୍ତ୍ରୀ ଲୋକଟି ଏସବୁ କହିସରି ମୋ’ ଆଡ଼କୁ ଆଉ ଚାହିଁ ପାରିଲାନି । ତଳକୁ ମୁହଁ ପୋତି ଭୂଇଁରେ କେବଳ ଗାର କାଟିବାରେ ଲାଗିଗଲା । ମୋ ଆଖିରେ ସେ ଅବା ଦେଖାଗଲା–ଆକାଶସାରା ଘୋଟି ଯାଇଥିବା ଖଣ୍ଡେ କଳାହାଣ୍ଡିଆ ମେଘ । ଆଉ କିଛି ପଚାରି ତାକୁ ବ୍ୟସ୍ତ କରିବାକୁ ମୋର ମନ ବଳିଲାନି । ତା’ ଛାତି ଭିତର କନ୍ଦକୁ ଅବା ସେ ରୁଦ୍ଧ କରି ରଖିଥିଲା । କାଳେ ଆଉ କିଛି ପଚାରିଲେ ସେ କାନ୍ଦି ଉଠେ, ତାକୁ ରୋକିବା ହୁଏତ ମୋ ପକ୍ଷରେ ସମ୍ଭବପର ହବନି । କୌଣସି ଜଣେ ସ୍ତ୍ରୀ ଲୋକ ପାଖରେ ଏତେ ରାତି ପର୍ଯ୍ୟନ୍ତ ବସି କଥା ହବା ସୁନ୍ଦର ନ ହେଲେ ବି ତା’ର କଥା ମତେ ଅବା ତା’ ସାଙ୍ଗରେ ବାନ୍ଧି ରଖିଥିଲା । କଥା ତା’ର ସରିଗଲା । ଘରକୁ ଫେରି ଆସିବା କଥା । ଯାଉଛି ବୋଲି କହି, ଉଠି ମୁଁ ଠିଆ ହେଲି । ସେ ଯେପରି ପ୍ରକୃତିସ୍ଥ ହୋଇପଡ଼ିଲା-। ଦାଣ୍ଡ ଦୁଆର ପର୍ଯ୍ୟନ୍ତ ମୋ ସାଙ୍ଗେ ଆସିଲା । ମୁଁ ଆସିଲା ବେଳେ ବାବୁଲିଟିକି ଶୋଇଥିବା ଅବସ୍ଥାରେ ଚୁମାଟିଏ ଦେଇ ଦାଣ୍ଡରେ ଠିଆ ହେଲି । କହିଲି–ଆଉ କେବେ ସମୟ ହେଲେ ଆସିବି-

 

ସେ କହିଲା–ଆପଣଙ୍କ ଇଚ୍ଛା ।

 

ଘରକୁ ଫେରିଲାବେଳେ ରାସ୍ତାଯାକ ମନେପଡ଼ିଲା ମୋର ବିଜୁ । ବର୍ଷ ଚାରିଟା ଆମ ସାଙ୍ଗେ ଏତେ ମାୟା ଲଗେଇ ଏକାକୀ କରି ଆମକୁ ଚାଲିଗଲା । ମା’କୁ ତା’ର ଅନ୍ଧ କରିଦେଇ ଧନମାଳିଟି ମୋର କୋଉ ଦୂରଦେଶକୁ ଚାଲିଯାଇଛି । ସେଠଉ ଆଉ ଫେରିବନି । ସେଇଦିନଠୁ ମା’ ତା’ର ମନସୁଖରେ କେବେହେଲେ ଟିକିଏ ହସିଦିଏନି । କିଛି ମନେପଡ଼ିଲେ ଅସରାକୁ ଅସରା କାନ୍ଦେ । କେବଳ ‘ବିଜୁ’ର ମା’ କିପରି ଆଉ ନକାନ୍ଦିବ, ପୁଅ ଆଉ ତା’ର ମନେ ନ ପଡ଼ିବ, ସେଇଥିପାଇଁ ‘ବିଜୁ’ର ପ୍ୟାଣ୍ଟସାର୍ଟ, ବହି ସିଲଟ ଓ ଖେଳନା ଇତ୍ୟାଦିରେ ଭରିଥିବା ଟ୍ରଙ୍କଟି ଦେଇଦବାକୁ ମୁଁ ଯାଇଥିଲି । ଯାହା, ଯାହା ସବୁ ଶୁଣିଗଲି ଘରେ ଆସି ମୋ ଡାଏରୀରେ ଟିପି ପକେଇଥିଲି ।

 

ବେଳେବେଳେ ଘରେ ଏକେଲା ବସିରହିଥିଲା ସମୟରେ ମନେପଡ଼େ ସେଇ ସ୍ତ୍ରୀଲୋକଟି, ଆଉ ତା’ର ପୁଅ ‘ବାବୁଲି’ । ସେଇଦିନଠୁ ତାଙ୍କ ଘରକୁ ଆଉ ଯାଇନି । ‘ବାବୁଲି’କି ଦେଖିଲେ ‘ବିଜୁ’ ମୋର ମନେପଡ଼େ । କାହିଁକି ତା’ ଘରକୁ ଯିବି ? ବାଟଯାକ କାନ୍ଦି କାନ୍ଦି ଫେରିବାଇ ସାର ହବ । ତା’ଘରକୁ ଯିବାକୁ ମୁଁ ମଉ ଇଚ୍ଛା କରିନି । ସେ ମତେ ଯାହା ଭାବିଲେ ପଛେ ଭାବୁଥାଉ । ତା’ ଘରକୁ ଯାଇ ମୁଁ କିଛିହେଲେ ଦୁଃଖ ତା’ର ଲାଘବ କରିପାରିବିନି କାହିଁକି ଅବା ଯିବି ?

 

ଦୁନିଆରେ ତ ଏମିତି କେତେ କେତେ ଅରକ୍ଷ୍ୟ ମା’ ପୁଅ ଅଛନ୍ତି । କେହି କ’ଣ ତାଙ୍କର ଦୁଃଖ ଘୁଞ୍ଚେଇଲାଣି ? ଯାହା ଯାହା ସବୁ କହିଲି, ସେସବୁ ତା’ କଥା ନୁହେଁ ଗୋଟିଏ ଅସହାୟା ସ୍ତ୍ରୀଲୋକର ଅଙ୍ଗେ ନିଭେଇବା କଥା । ତାକୁ ସବୁ ଏପଟସେପଟ କରି ମୁଁ କେବଳ ଭାଷାରେ ରୂପ ଦେଇଛି । ସେସବୁ ଆଲୁବିଲା ହୋଇ ମୋ ଡାଏରୀରେ ଲେଖାଥିଲା । ତା’ଠୁ ଯାହା ଯାହା ଶୁଣିଛି ସେ ସବୁକୁ ମୋର ପାଠକବର୍ଗଙ୍କୁ ନକହି ମୁଁ ରହିପାରିଲିନି ।

Image